Advertisment

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhartruhari Mahtab

Bhartruhari Mahtab

ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଏକ ପ୍ରେସମିଟରେ ସେ ଦେଇଛନ୍ତି ଏହି ସୂଚନା। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି। କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି।

Advertisment

ଇସ୍ତଫାପତ୍ରରେ କ’ଣ ଲେଖିଛନ୍ତି?  

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଲେଖିଥିବା ଇସ୍ତଫାପତ୍ରରେ ଭର୍ତ୍ତୃହରି ଲେଖିଛନ୍ତି-  ପ୍ରିୟ ନବୀନ ବାବୁ, ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି। ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।

କାହିଁକି ଦେଲେ ଇସ୍ତଫା?

ଭର୍ତ୍ତୃହରି ମହତାବ କହିଛନ୍ତି,  ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା। ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ। ବହୁତ ସହିଛି। ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି। ନିଷ୍ପତ୍ତି କଠୋର ହୋଇପାରେ। କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି।

Advertisment

କଲେକ୍ଟିଭ୍‌ ରେସ୍‌ପନ୍‌ସିବିଲିଟି ନାହିଁ

ସେ କହିଛନ୍ତି, ରାଜ୍ୟରେ ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି। କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି ତାହା ଜାଣିବା ପାଇଁ ଡାଏରି ଦେଖିବାକୁ ପଡ଼ିବ। ବିଜେଡି ତିଆରି ବେଳେ ଏକ କଲେକ୍ଟିଭ୍‌ ରେସ୍‌ପନ୍‌ସିବିଲିଟି ଥିଲା। ତାହା ଆମେ ଅନେକ ଦିନରୁ ହଜାଇ ଦେଲୁଣି। 

ଅନୈତିକ ମେଣ୍ଟ ହେବାକୁ ଯାଉଥିଲା

ବେଶ୍ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏହା ଅନ୍‌ ଏଥିକାଲ ହୋଇଥା’ନ୍ତା ବୋଲି କହିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଏକ ଅନ୍‌ ଏଥିକାଲ ବା ଅନୈତିକ ମେଣ୍ଟ ହେବାକୁ ଯାଉଥିଲା। ମେଣ୍ଟ ହେଲାନାହିଁ। ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ। 

କେଉଁ ଦଳକୁ ଯିବେ?

ବିଜେଡି ଛାଡ଼ିବା ପରେ ବିଜେପିକୁ ଯିବେ କି ଭର୍ତ୍ତୃହରି ମହତାବ? ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଜବାବରେ ସେ କହିଛନ୍ତି- ଏକଥା ସମୟ କହିବ।ପୁଣି ଏକ ବନ୍ଧନ ଭିତରକୁ ଯିବି କି ନାହିଁ ସମୟ କହିବ। ବନ୍ଧୁ, ଶୁଭେଚ୍ଛୁ ଏବଂ ମୋ ଲୋକମାନଙ୍କ ମତାମତ ନେବି।

୧୩ ବର୍ଷ ପରେ ଚର୍ଜଫ୍ରେମ 

ଜଣେ ପୁଲିସ୍ ଏସ୍‌ଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୧୩ ବର୍ଷ ପରେ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ୍‌ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ନିଜ ସାଂସଦଙ୍କ ନାଁରେ ନିଜ ସରକାର ଚାର୍ଜଫ୍ରେମ୍‌ କରିଛନ୍ତି। ଏନେଇ ଆଉ ବେଶୀ କିଛି କହିବିନି।

BjD Bhartruhari Mahtab