Advertisment

ଚର୍ଚ୍ଚାରେ ସାଂସଦ ସୁଜିତ୍ କୁମାରଙ୍କ ଟ୍ୱିଟ୍ : ପୁରୁଣା ରାଗ ଶୁଝାଇଲେ କି?

ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଜି ନିଜର ଭେରିଫାଏଡ୍ ‘ଫେସବୁକ’ ଓ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ “ପ୍ରଭୁ ଜଗନ୍ନାଥ ସବୁ ସହିବେ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ” ବୋଲି ଉଲ୍ଲେଖ କରିଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
Sujith Kumar

Sujith Kumar

ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଜି ନିଜର ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟରୁ କରିଥିବା ଗୋଟିଏ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ତେବେ ସାଂସଦଙ୍କ ଟିପ୍ପଣୀ ବାସ୍ତବରେ କାହା ଉଦ୍ଦେଶ୍ୟରେ ତାହା ଜଣାପଡ଼ିନଥିଲେ ମଧ୍ୟ  ନିଜର ପୁରୁଣା ରାଗ ଶୁଝାଇବାକୁ ସେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଉପଯୋଗ କରିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ବିଜେଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଆଜି ନିଜର ଭେରିଫାଏଡ୍ ‘ଫେସବୁକ’ ଓ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ “ପ୍ରଭୁ ଜଗନ୍ନାଥ ସବୁ ସହିବେ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ” ବୋଲି ଉଲ୍ଲେଖ କରିଛନ୍ତି। ସାଂସଦଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ନାନାଦି ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି। ଏହି ଗର୍ବ ଅହଙ୍କାର ହିଁ ବିଜେଡିକୁ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ କରାଇଲା ବୋଲି କିଛି ମତ ଦେଇଥିବାବେଳେ ଆଉ କିଛି ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଏଭଳି ପୋଷ୍ଟ ହୋଇଥିବା ଲେଖିଛନ୍ତି। ମାତ୍ର ବିଜେଡି ସୂତ୍ର ଅନୁସାରେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବି ଓ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଦୃଷ୍ଟିରେ ରଖି ସୁଜିତ୍ କୁମାର ଏଭଳି ପୋଷ୍ଟ କରିଥିବାର ସମ୍ଭାବନା ଅଧିକ।

ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଭଣୀ ଗୀତା ମେହେଟ୍ଟାଙ୍କ ସୁପାରିଶରେ ୨୦୧୩ ମସିହାରେ ସୁଜିତ୍ କୁମାର ଓଡ଼ିଶା ଆସି ବିଜେଡି ପାଇଁ କାମ ଆରମ୍ଭ କରିଥିଲେ। ଭିକେ ପାଣ୍ଡିଆନଙ୍କ ସହ ଘନିଷ୍ଠତା ଯୋଗୁ ୨୦୧୪ ନିର୍ବାଚନରେ ସେ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଆଉ ୨୦୧୪ ସାଧାରଣ ନିର୍ବାଚନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପଦେଷ୍ଟା ଭାବେ ସଚିବାଳୟରେ ନିଜର ଟିମ୍ ସହ କାମ କରିବାର ସୁଯୋଗ ମିଳିଥିଲା। କିନ୍ତୁ ବିଜେଡିରେ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ପତିଆରା ବଢ଼ିବା ପରେ ସେ ଚତୁରତାର ସହ ସୁଜିତଙ୍କୁ ସମ୍ପୂର୍ଣ୍ଣ ଭାବେ କୋଣଠେସା କରିଦେଇଥିଲେ ବୋଲି ଚର୍ଚ୍ଚା। ସୁଜିତଙ୍କୁ ବବିଙ୍କ ବିରୋଧ ଯୋଗୁ ନିଜ ଜିଲ୍ଲା କଳାହାଣ୍ଡିରେ ମଧ୍ୟ ସାଂଗଠନିକ କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ମିଳୁନଥିଲା। ତେବେ ସୁଜିତଙ୍କୁ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ନବୀନ ତାଙ୍କୁ ୨୦୨୦ ମସିହାରେ ରାଜ୍ୟସଭାକୁ ପଠାଇଥିଲେ। ଯଦିଓ ସେତେବେଳେ ବବି ତୀବ୍ର ବିରୋଧ କରିଥିଲେ। କେବଳ ବବି ନୁହଁନ୍ତି ତାଙ୍କ ଟିମ୍ ମଧ୍ୟ ସୁଜିତଙ୍କୁ ବିରୋଧ କରୁଥିଲେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Advertisment

ତେବେ ସରକାରୀ କ୍ୱାର୍ଟର୍ସ ପରିସରରେ ବେଆଇନ ଭାବେ ଆଲିଶାନ ବଙ୍ଗଳା ନିର୍ମାଣ କରିବାକୁ ନେଇ ବବି ଗତ ୨-୩ଦିନ ଧରି ବିବାଦରେ ଥିବାରୁ ସୁଜିତ୍  ଏଭଳି ପ୍ରତିକ୍ରିୟା ଦେଇଥିବା ଚର୍ଚ୍ଚା ହେଉଛି। ବିଜେଡି ସରକାର ଅମଳରେ ବବି ଗର୍ବ ଓ ଅହଙ୍କାରରେ ଫାଟି ପଡ଼ୁଥିଲେ ଆଉ ଧରାକୁ ସରା ମଣୁଥିଲେ। ଏପରିକି ଦଳରେ ନିଜଠୁ ବୟସରେ ବଡ଼ ବ୍ୟକ୍ତିମାନଙ୍କୁ ‘ତୁ ତା..’ ସହ ଖରାପ ବ୍ୟବହାର କରିବାକୁ ପଛାଉନଥିଲେ। ବହୁ ବିଧାୟକ ଓ ମନ୍ତ୍ରୀମାନେ ସେତେବେଳେ ବବିଙ୍କ ବ୍ୟବହାରରେ ଅତିଷ୍ଠ ହେଉଥିଲେ ମଧ୍ୟ ଦଳୀୟ ଶୃଙ୍ଖଳା ଓ ପଦପଦବୀ ଲୋଭରେ ନିରବ ରହୁଥିଲେ ବୋଲି ଜଣାପଡ଼ିଛି।

ସରକାରୀ କ୍ୱାର୍ଟର୍ସରେ ବେଆଇନ ଭଙ୍ଗାରୁଜା ସହ ବବିଙ୍କର କିଛି ସହଯୋଗୀ ଏବେ ଆଇଟି ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍କାନରରେ ଥିବାରୁ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଉ ଏଭଳି ସ୍ଥିତିକୁ ପରଖି ସୁଜିତ୍ କୁମାର ଆଜି ସିଧାସଳଖ ନହେଲେ ବି ବୁଲେଇବଙ୍କେଇ ବବିଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇପଦ ଶୁଣାଇବାକୁ ପଛାଇ ନଥିବା ଚର୍ଚ୍ଚା ହେଉଛି। ତେବେ ଫେସବୁକ ଓ ‘ଏକ୍ସ’ରେ ଏଭଳି ପୋଷ୍ଟକୁ ନେଇ ସାଂସଦଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନି।

BjD