Advertisment

ମୋର ୯୦ ସେକେଣ୍ଡର ଭାଷଣ କଂଗ୍ରେସରେ ଆତଙ୍କ ଖେଳାଇ ଦେଇଛି: ମୋଦି

ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ ସେ ଦେଇଥିବା ୯୦ ସେକେଣ୍ଡର ଭାଷଣ ପୂରା କଂଗ୍ରେସ ଓ ବିରୋଧୀ ମେଣ୍ଟ ଇଣ୍ଡିଆରେ ଆତଙ୍କ ଖେଳାଇ ଦେଇଛି।

PM Modi

PM Modi

Advertisment

କଂଗ୍ରେସ ମହିଳାମାନଙ୍କ ଠାରୁ ସେମାନଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଭାଷଣ ଏବେ ବିବାଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ତଥାପି ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କାଏମ ରହିବା ସହ ସେ ଦେଶ ସାମ୍ନାରେ ସତ୍ୟକୁ ଉପସ୍ଥାପନ କରିଥିବା କହିଛନ୍ତି।

Advertisment

ସେ ନିଜର ଆକ୍ରମଣକୁ ଆହୁରି ଶାଣିତ କରି କହିଛନ୍ତି ଯେ କଂଗ୍ରେସ ଏବେ ଆପଣଙ୍କ ସମ୍ପତ୍ତି ଛଡ଼ାଇ ନେବାକୁ ବଡ଼ ଷଡ଼ଯନ୍ତ୍ର କରୁଛି। ସେ ଆପଣମାନଙ୍କ ସମ୍ପତ୍ତିକୁ ତା’ର ସ୍ୱତନ୍ତ୍ର ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଚାହୁଁଥିବା ମୋଦି କହିଛନ୍ତି।

ରାଜସ୍ଥାନର ଟଙ୍କରେ ଗୋଟିଏ ନିର୍ବାଚନୀ ସଭାକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ ସେ ଦେଇଥିବା ୯୦ ସେକେଣ୍ଡର ଭାଷଣ ପୂରା କଂଗ୍ରେସ ଓ ବିରୋଧୀ ମେଣ୍ଟ ଇଣ୍ଡିଆରେ ଆତଙ୍କ ଖେଳାଇ ଦେଇଛି।

Advertisment

ସେ କହିଛନ୍ତି, “ଦିନକ ତଳେ ମୁଁ ଯେତେବେଳେ ରାଜସ୍ଥାନ ଆସିଥିଲି ସେତେବେଳେ ମୋର ୯୦ ସେକେଣ୍ଡ ଭାଷଣରେ କିଛି ସତ୍ୟ ଦେଶ ସାମ୍ନାରେ ଉପସ୍ଥାପନ କରିଥିଲି। ସେହି ଭାଷଣ ପୂରା କଂଗ୍ରେସ ଓ ଇଣ୍ଡି ମେଣ୍ଟରେ ଆତଙ୍କ ସୃଷ୍ଟି କରିଛି। ମୁଁ ଦେଶ ସାମ୍ନାରେ ସତ୍ୟ ଉପସ୍ଥାପନ କରି କହିଥିଲି ଯେ କଂଗ୍ରେସ ଆପଣମାନଙ୍କ ସମ୍ପତ୍ତି ଛଡ଼ାଇ ନେବାକୁ ବିରାଟ ଷଡ଼ଯନ୍ତ୍ର କରୁଛି। ଏହି ସମ୍ପତ୍ତିକୁ ଦଳ ତା’ର ସ୍ୱତନ୍ତ୍ର ଲୋକଙ୍କ ମଧ୍ୟରେ ବାଣ୍ଟି ଦେବ। ମୁଁ ସେମାନଙ୍କର ଭୋଟ ବ୍ୟାଙ୍କ ଓ ତୁଷ୍ଟୀକରଣ ରାଜନୀତିର ପର୍ଦ୍ଦାଫାସ କରିଛି। ସବୁ କିଛି ପରେ ବି କଂଗ୍ରେସ ସତ୍ୟକୁ ଏତେ ଡରୁଛି କାହିଁକି?”

୨୦୧୪ ପରେ ଯଦି କଂଗ୍ରେସ ସରକାର ଥାଆନ୍ତା, ତା’ହେଲେ କ’ଣ ସବୁ ହୋଇଥାଆନ୍ତା ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିବା ସହ ଉତ୍ତର ନିଜେ ଦେଇଛନ୍ତି। 

ସେ କହିଛନ୍ତି, “୨୦୧୪ରେ ଆପଣମାନେ ମୋଦିଙ୍କୁ ଦିଲ୍ଲୀରେ ସେବା କରିବାକୁ ଅନୁମତି ଦେଇଥିଲେ। ଏହାପରେ ଦେଶବାସୀ ଏମିତି ନିଷ୍ପତ୍ତି ନେଲେ ଯେ ସେକଥା କେହି କେବେ କଳ୍ପନା କରି ନଥିବେ। କିନ୍ତୁ ଆପଣମାନେ ଥରେ ଭାବନ୍ତୁ, ଯଦି ୨୦୧୪ ପରେ କଂଗ୍ରେସ ସରକାର ଥାଆନ୍ତା, ତା’ହେଲେ କ’ଣ ହୋଇଥାଆନ୍ତା।

ଜମ୍ମୁ-କଶ୍ମୀରରେ ଆମ ସୁରକ୍ଷାକର୍ମୀଙ୍କୁ ପଥର ମାଡ଼ ଜାରି ରହିଥାଆନ୍ତା। ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା, ତା’ହେଲେ ସୀମା ଡେଇଁ ଶତ୍ରୁ ପଶି ସାରନ୍ତେଣି। ଯଦି କଂଗ୍ରେସ ଥାଆନ୍ତା, ତା’ହେଲେ ଆମ ସୈନ୍ୟମାନଙ୍କ ପାଇଁ ୱାନ ରାଙ୍କ ୱାନ ପେନସନ ଲାଗୁ ହୋଇ ପାର ନଥାଆନ୍ତା କିମ୍ବା ଆମର ସେବା ନିବୃତ୍ତ କର୍ମଚାରୀମାନେ ୧ ଲକ୍ଷ କୋଟି ଟଙ୍କା ପାଇ ନଥାଆନ୍ତେ।

୨୦୦୪ରେ ଯେତେବେଳେ କଂଗ୍ରେସ ସରକାର କେନ୍ଦ୍ରରେ ଗଠନ ହେଲା, ସେମାନେ ଆନ୍ଧ୍ର ପ୍ରଦେଶରେ ଏସ୍‌ସି/ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥାକୁ ହ୍ରାସ କରିବାକୁ ଚେଷ୍ଟା କରିଥିଲେ। ସେମାନେ ମୁସଲିମମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଥିଲେ। ଏପରି ବ୍ୟବସ୍ଥାକୁ କଂଗ୍ରେସ ପୂରା ଦେଶରେ ଲାଗୁ କରିବାକୁ ଚେଷ୍ଟା କରିଥିଲା।

୨୦୦୪ରୁ ୨୦୧୦ ମଧ୍ୟରେ ସେମାନେ ୪ଥର ଆନ୍ଧ୍ର ପ୍ରଦେଶରେ ମୁସଲିମମାନଙ୍କୁ ସଂରକ୍ଷଣ ଦେବାକୁ ଚାହିଁଥିଲେ। କିନ୍ତୁ ଆଇନରେ ଥିବା ବ୍ୟବସ୍ଥା ଓ ସୁପ୍ରିମକୋର୍ଟଙ୍କ ସତର୍କତା ଯୋଗୁ ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରି ପାରି ନଥିଲେ।

ସମ୍ବିଧାନ ଏହାର ସଂପୂର୍ଣ୍ଣ ବିରୋଧୀ। ବାବା ସାହେବ ଆମ୍ବେଦକର ସଂରକ୍ଷଣ ସୁବିଧା କେବଳ ଦଳିତ, ପଛୁଆ ବର୍ଗ ଓ ଆଦିବାସୀଙ୍କୁ ଦେବାକୁ କହିଛନ୍ତି। କଂଗ୍ରେସ ଓ ଇଣ୍ଡି ମେଣ୍ଟ ଏହାକୁ ଧର୍ମ ଆଧାରରେ ମୁସଲିମଙ୍କୁ ଦେବାକୁ ଚାହୁଁଛି।

କଂଗ୍ରେସର ଷଡ଼ଯନ୍ତ୍ର ଭିତରେ ମୋଦି ଆଜି ସର୍ବସମ୍ମୁଖରେ ଗ୍ୟାରେଣ୍ଟି ଦେବାକୁ ଚାହୁଁଛନ୍ତି ଯେ ଦଳିତ, ପଛୁଆ ବର୍ଗ ଓ ଆଦିବାସୀଙ୍କ ସଂରକ୍ଷଣ କେବେ ହେଲେ ବନ୍ଦ ହେବ ନାହିଁ। ଏହା ମୋଦି ଗ୍ୟାରେଣ୍ଟୀ।”

PM Modi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe