Advertisment

ସାମ୍ନାକୁ ଆସିଲେ କେଜ୍ରିୱାଲଙ୍କ ପତ୍ନୀ, କହିଲେ- ମୋ ସ୍ୱାମୀ ୨୮ରେ ସବୁ ସତର ପର୍ଦ୍ଦାଫାସ କରିବେ

ମାର୍ଚ୍ଚ ୨୮ ଅର୍ଥାତ ଆସନ୍ତାକାଲି କେଜ୍ରିୱାଲ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ସବୁ ସତ କୋର୍ଟରେ ପର୍ଦ୍ଦାଫାସ କରିବେ।

author-image
Hemant Lenka
sunita

sunita

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଦ୍ୱାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ମାର୍ଚ୍ଚ ୨୮ ଅର୍ଥାତ ଆସନ୍ତାକାଲି କେଜ୍ରିୱାଲ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ସବୁ ସତ କୋର୍ଟରେ ପର୍ଦ୍ଦାଫାସ କରିବେ।

Advertisment

ଆପର ଜାତୀୟ ଆବାହକ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରିଛି। ଏବେ ସେ ୨୮ ତାରିଖ ଯାଏ ଇଡି ରିମାଣ୍ଡରେ ଅଛନ୍ତି। ଆଜି ଗୋଟିଏ ଭିଡିଓ ବାର୍ତ୍ତାରେ ସୁନିତା କେଜ୍ରିୱାଲ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ତଥାକଥିତ ଅବକାରୀ ଦୁର୍ନୀତିରେ ଇଡି ୨୫୦ରୁ ଅଧିକ ରେଡ କରିଥିଲେ ହେଁ ଗୋଟିଏ ହେଲେ ବି ପ୍ରମାଣ ପାଇ ନାହିଁ। ଦୁଇ ବର୍ଷର ତଦନ୍ତ ପରେ ମଧ୍ୟ ଇଡି ହାତରେ କୌଣସି ଟଙ୍କା ଲାଗି ନାହିଁ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ରେଡ କରିଥିଲେ। କିନ୍ତୁ କେବଳ ୭୩ ହଜାର ଟଙ୍କା ପାଇଛନ୍ତି।

Advertisment

ଗତକାଲି ମୁଁ ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲି। ସେ ଡାଇବେଟିକ ରୋଗୀ ଓ ତାଙ୍କର ସୁଗାର ସ୍ତର ନିୟନ୍ତ୍ରଣ ଭିତରେ ନାହିଁ। ତଥାପି ସେ ସଶକ୍ତ ରହିବାକୁ ପ୍ରତିଶ୍ରୁତିବଦ୍ଧ।

ଦୁଇ ଦିନ ତଳେ ସେ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ଲୋକଙ୍କ ପାଣି ଓ ସ୍ୱରେଜ ସମ୍ପର୍କିତ ସମସ୍ୟା ସମାଧାନ କରିବାକୁ କହିଥିଲେ। କ’ଣ ସେ ଭୁଲ କରିଛନ୍ତି? ଲୋକଙ୍କ ପାଇଁ କାମ କରୁଥିବାରୁ କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ମାମଲା କରିଛନ୍ତି। କ’ଣ ସେମାନେ ଦିଲ୍ଲୀକୁ ଶେଷ କରିଦେବାକୁ ଚାହୁଁଛନ୍ତି?” ଏହି ଘଟଣାକୁ ନେଇ ତାଙ୍କ ସ୍ୱାମୀ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ଅଛନ୍ତି ବୋଲି ମଧ୍ୟ ସୁନିତା କହିଛନ୍ତି।

ସୁନିତା ଆହୁରି କହିଛନ୍ତି, “ଏହି ତଥାକଥିତ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ୨୫୦ରୁ ଅଧିକ ସ୍ଥାନରେ ରେଡ କରିଛନ୍ତି। ସେମାନେ ଟଙ୍କା ପାଇବା ଆଶାରେ ରେଡ କରିଥିଲେ। ତଥାପି ଏଯାଏ ସେମାନଙ୍କୁ କିଛି ବି ଟଙ୍କା ମିଳିନି।

ଅରବିନ୍ଦ କେଜ୍ରିୱାଲ ମୋତେ କହିଛନ୍ତି ଯେ ମାର୍ଚ୍ଚ ୨୮ରେ ସେ କୋର୍ଟରେ ସବୁ କିଛିର ପର୍ଦ୍ଦାଫାସ କରିବେ। ଅବକାରୀ ନୀତି ଦୁର୍ନୀତି ଘଟଣାର ଟଙ୍କା କେଉଁଠି ଅଛି, ତା’ ଉପରୁ ପରଦା ହଟାଇବେ। ସେ ପ୍ରମାଣ ମଧ୍ୟ ଦାଖଲ କରିବେ।”

ସୁନିତା ମଙ୍ଗଳବାର ସନ୍ଧ୍ୟାରେ ଇଡି ଅଫିସକୁ ଯାଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିଥିଲେ। ଏବେ ସେ ଭିଡିଓ ବାର୍ତ୍ତା ଜାରି କରି କେଜ୍ରିୱାଲଙ୍କ ସମ୍ପର୍କରେ ଏପରି କହିଛନ୍ତି। ଆପ୍‌ ମଧ୍ୟ କେଜ୍ରିୱାଲଙ୍କ ସୁଗାର ସ୍ତର ୪୬କୁ ଖସି ଆସିଥିବା ଦାବି କରିଛି।

Arvind Kejriwal ED Raid