ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡର ସମ୍ଭାବନାକୁ ଇଙ୍ଗିତ କରୁଛି: ବିଜେପି

ଯଦି ହତ୍ୟାକାଣ୍ଡ ପରର ପ୍ରତ୍ୟେକ ବିନ୍ଦୁକୁ ଯୋଡ଼ାଯାଏ ତା’ହେଲେ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସଙ୍କୁ ଯେପରି ପାଗଳ ଦର୍ଶାଗଲା ତାହା ତାଙ୍କୁ ଖସାଇବାକୁ ଉଦ୍ୟମ ହେଉଥିବା ଏବଂ ସରକାରଙ୍କୁ ବି କ୍ଲିନଚିଟ୍ ଦେବାକୁ ଯୋଜନା ହେଉଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ବିଧାୟକ ସୂରଜ ସୂର୍ଯ୍ୟବଂଶୀ

  • Published: Wednesday, 01 February 2023
  • , Updated: 01 February 2023, 07:35 PM IST

ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ହିଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଏକ ସମ୍ଭାବନାକୁ ଇଙ୍ଗିତ କରୁଛି। ଯଦି ହତ୍ୟାକାଣ୍ଡ ପରର ପ୍ରତ୍ୟେକ ବିନ୍ଦୁକୁ ଯୋଡ଼ାଯାଏ ତା’ହେଲେ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସଙ୍କୁ ଯେପରି ପାଗଳ ଦର୍ଶାଗଲା ତାହା ତାଙ୍କୁ ଖସାଇବାକୁ ଉଦ୍ୟମ ହେଉଥିବା ଏବଂ ସରକାରଙ୍କୁ ବି କ୍ଲିନଚିଟ୍ ଦେବାକୁ ଯୋଜନା ହେଉଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ନବ ଦାସ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ନିଜକୁ ନିଜେ କ୍ଲିନଚିଟ୍ ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର ହୋଇପଡ଼ିଛନ୍ତି ବୋଲି କହିଛନ୍ତି । ଏହି ହତ୍ୟା ଘଟଣା ଓଡ଼ିଶାର ରାଜନୀତିକ, ସାମାଜିକ ଓ ଶାସନ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ରାଜ୍ୟବାସୀ ସଙ୍ଗୀନ ଅବସ୍ଥାରେ ରହିଛନ୍ତି ଓ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଛି । ଯଦି ଶାସକ ଦଳର କିଛି ସମ୍ପୃକ୍ତି ନାହିଁ ତା’ହେଲେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦେବାରେ ବିଜେଡିର ଅସୁବିଧା କ’ଣ ହେଉଛି ତାହା ବୁଝାପଡ଼ୁନି । ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କଲେ । ତାଙ୍କୁ କିଏ ଓ କାହିଁକି ମାରିଲା ଏବଂ ବାସ୍ତବରେ ଏହି ହତ୍ୟାର ଷଡଯନ୍ତ୍ର ପଛରେ କିଏ କିଏ ଅଛନ୍ତି, ସେ ସମ୍ପର୍କରେ ରାଜ୍ୟ ସରକାର ଜାଣିବାକୁ ଚାହୁଁନାହାନ୍ତି । ପ୍ରଥମରୁ ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ଥିବାର ରାଜ୍ୟବାସୀ ଅନୁଭବ କରୁଥିବାବେଳେ ରାଜ୍ୟ ସରକାର କାଳ ବିଳମ୍ବ ନକରି କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତର ନିର୍ଦ୍ଦେଶ ଦେଲେ । ଏହା ପରେ ଏହି ଅଭାବନୀୟ ଘଟଣାର ତଦନ୍ତକୁ ଜଣେ ବିଚାରପତିଙ୍କ ଦ୍ୱାରା ମନିଟରିଂ କରିବା ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଅନୁରୋଧ କରିଲେ । ଆଜି ଅବସରପ୍ରାପ୍ତ ବିଚାରପତି ଜେପି.ଦାସଙ୍କୁ ତଦନ୍ତର ଦାୟିତ୍ୱ ପ୍ରଦାନ କରାଯାଇଛି ।  ତେବେ ରାଜ୍ୟ ପୁଲିସର ଜଣେ କର୍ମଚାରୀଙ୍କ ଗୁଳିରେ ମନ୍ତ୍ରୀ ନିହତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚକୁ ତଦନ୍ତ ଭାର ଦିଆଗଲା । ଏବେ ପୁଣି ସେ ତଦନ୍ତ ପ୍ରକ୍ରିୟାକୁ ତଦାରଖ ପାଇଁ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦିଆଗଲା । ଏସବୁ ଘଟଣାକ୍ରମକୁ ଦେଖିଲେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ରାଜ୍ୟ ସରକାର ନିଜକୁ କ୍ଲିନଚିଟ୍ ଦେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତିି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତିି ।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ହତ୍ୟା ପଛରେ ବିରାଟ ଷଡ଼ଯନ୍ତ୍ର ଥିବାର ଆଶଙ୍କା ଦିନକୁ ଦିନ ଅଧିକ ଘନୀଭୂତ ହେଉଥିବାବେଳେ ରାଜ୍ୟ ସରକାର ଏହାର ସତ୍ୟାସତ୍ୟକୁ ଚାପି ଦେବାର ଅପପ୍ରୟାସ କରୁଛନ୍ତିି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦାରଖ କରି ରାଜ୍ୟ ସରକାର ଏହି ସନ୍ଦେହ ଓ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛନ୍ତି । ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ କୁନ୍ଦୁଲି ଗଣବଳାତ୍କାର ମାମଲାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା । ଆଜି ପର୍ଯ୍ୟନ୍ତ ଏହି ଦୁଇଟି ଘଟଣାର କୌଣସି ନିର୍ଯ୍ୟାସ ସାମ୍ନାକୁ ଆସିଲା ନାହିଁ । ତେଣୁ ନବ ଦାସଙ୍କ ହତ୍ୟାର ତଦନ୍ତକୁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇ ରାଜ୍ୟ ସରକାର କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି । ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଓ ଏହା ପଛରେ ବଡ଼ଧରଣର ଷଡ଼ଯନ୍ତ୍ରର ଆଶଙ୍କା ରାଜ୍ୟବାସୀ କରୁଥିଲେ ମଧ୍ୟ  ତଦନ୍ତ ଭାର ସିବିଆଇକୁ ଦେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ସରକାର ହତ୍ୟା ପଛର ପ୍ରକୃତ କାରଣ ଓ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ସିବିଆଇ ତଦନ୍ତ ନିମନ୍ତେ ସୁପାରିଶ କରନ୍ତୁ ବୋଲି ବିଜେପି ଦାବି କରିଛି ।

Related story