/odisha-reporter/media/post_attachments/uploadimage/library/16_9/16_9_0/BJD_1675272291.jpg)
BJD
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ୪ ଦିନ ବିତିଲାଣି, କିନ୍ତୁ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳିମାଡ଼ କରିବା ପଛର ପ୍ରକୃତ କାରଣ ତାହା ଏପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିଛି। ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିଥିଲେ ମଧ୍ୟ ସରକାରୀସ୍ତରରେ କେହି ମୁହଁ ଖୋଲୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ, ଗୃହ ସଚିବ, ପୁଲିସ ଡିଜି ପର୍ଯ୍ୟନ୍ତ ସମସ୍ତେ ନିରବ ରହିଥିବାବେଳେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ମଧ୍ୟ ନିରବତା ଅବଲମ୍ବନ କରୁଛି । ଆଉ ଏପଟେ ପରିବାର ସଦସ୍ୟ, ସମ୍ପର୍କୀୟ ଓ ବିରୋଧୀ ଦଳଗୁଡ଼ିକ ଏହି ହତ୍ୟା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଥିବା ନେଇ ଅଭିଯୋଗ କରୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ବି ସନ୍ଦେହ ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଛି । ଆଉ ଶାସକ ଦଳକୁ ସୁହାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ମିଡିଆ ହାଉସ୍ ନବ ଦାସ ହତ୍ୟା ମାମଲାରେ ଆଈ-ମା’ କାହାଣୀ ରଚନା କରୁଛନ୍ତି । ପୋଷା ଶୁଆ ଭଳି ଆକାଶରୁ ତୋଳି ନୂଆ ନୂଆ ତଥ୍ୟ ଦେଉଛନ୍ତି ଯାହାକୁ ନେଇ ସମ୍ପୃକ୍ତ ମିଡିଆ ହାଉସଗୁଡ଼ିକର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନବ ଦାସ ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ସରକାର ଓ ପୁଲିସ କାହିଁକି ମୁହଁ ଖୋଲୁନାହାନ୍ତି, କ’ଣ ହୋଇପାରେ କାରଣ?
୧- ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସଙ୍କୁ ଘଟଣା ଦିନଠୁ ନିଜ କବଜାରେ ରଖିଥିବା କ୍ରାଇମବ୍ରାଂଚ ୪ଦିନ ପରେ ବି ଆଉ କେଉଁ ତଥ୍ୟ ଜାଣିବାକୁ ଚାହୁଁଛି?
୨- ଗୋପାଳ ଦାସ ମାନସିକ ରୋଗୀ କି ନୁହେଁ ତାହା କାହିଁକି ଏପର୍ଯ୍ୟନ୍ତ ରାଜ୍ୟ ପୁଲିସ ସ୍ପଷ୍ଟ କରୁନାହିଁ?
୩- ନବଙ୍କୁ ମାରିବା ପାଇଁ ଗୋପାଳ ୫ଥର ଉଦ୍ୟମ କରିଥିଲା ବୋଲି ଆଈ ମା’ କାହାଣୀ କିଏ ମିଡିଆକୁ ଶୁଣାଉଛି? ଝାରସୁଗୁଡ଼ା ଭଳି ଛୋଟିଆ ଜିଲ୍ଲାରେ ନବ ଦାସଙ୍କ ଭଳି ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ଗସ୍ତବେଳେ ସୁରକ୍ଷା ଦାୟିତ୍ୱରେ ଗୋପାଳ ଥରେ ନୁହେଁ ଶତାଧିକ ଥର ରହିଥିବେ । ତାଙ୍କ ସହ ସାର୍ବଜନୀନ ସ୍ଥାନରେ ଫଟୋ ରହିବା ବି ସ୍ୱାଭାବିକ । କିନ୍ତୁ ତାଙ୍କୁ ମାରିବା ପାଇଁ ଯେ ଗୋପାଳ ୫ଥର ଉଦ୍ୟମ କରିଥିଲା, ଏ ମନଗଢ଼ା କାହାଣୀ ପୋଷା ଶୁଆ ସାଜିଥିବା ମିଡିଆକୁ ଦେଲା କିଏ? ଯଦି ଗୋପାଳ ଏଭଳି ହତ୍ୟା ଉଦ୍ୟମ ଏତେଦିନ ଧରି କରୁଥିଲା ତା’ହେଲେ ରାଜ୍ୟ ଗୁଇନ୍ଦା ବିଭାଗ କେମିତି ଟେର ପାଇଲା ନାହିଁ?
୪- ଗୋପାଳଙ୍କୁ ୪ ଦିନ ଧରି କ୍ରାଇମବ୍ରାଂଚ ଜେରା କରୁଛି, ତା’ର କ’ଣ ପ୍ରାଥମିକ ପ୍ରତିକ୍ରିୟା ରହିଛି ସେ ନେଇ କାହିଁକି ପୁଲିସ କିମ୍ବା ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି?
୫- ରାଜ୍ୟ ସରକାର ଏହି ହତ୍ୟା ମାମଲାରେ ପୁଲିସର ବିଫଳତା ଓ ସୁରକ୍ଷାରେ ତ୍ରୁଟିକୁ ସ୍ୱୀକାର କରି ଝାରସୁଗୁଡ଼ା ଜିଲ୍ଲାର ପୁଲିସ ଏସପିଠୁ ଆରମ୍ଭ କରି ଫାଣ୍ଡି ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କ ବଦଳି କରିବା ସହ ନବଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରିଛନ୍ତି । କିନ୍ତୁ ନବଙ୍କୁ ଗୁଳିମାଡ଼ର ୩ଘଣ୍ଟା ଭିତରେ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲର ମାନସିକ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଗଣମାଧ୍ୟମ ସମ୍ମୁଖକୁ ଆସି ଗୋପାଳଙ୍କୁ ମାନସିକ ରୋଗୀ ବୋଲି ଦର୍ଶାଇଥିଲେ, ତାଙ୍କୁ କାହିଁକି ଏପର୍ଯ୍ୟନ୍ତ ତଦନ୍ତ ପରିସରକୁ ନେଉନି । ଡାକ୍ତର ତ୍ରିପାଠୀ କ’ଣ ନିଜର ସବୁ ରୋଗୀଙ୍କୁ ମନେ ରଖିଛନ୍ତି?
୬- ପୁଲିସ ଡିଜିଠୁ ଆରମ୍ଭ କରି କ୍ରାଇମବ୍ରାଂଚ ଓ ଗୁଇନ୍ଦା ବିଭାଗ ମୁଖ୍ୟ କାହିଁକି ନିରବ ରହିଛନ୍ତି? ସରକାରୀସ୍ତରରେ ବୟାନ କାହିଁକି ଜାରି ହେଉନି କିମ୍ବା ତଦନ୍ତର ଅଗ୍ରଗତି ନେଇ ମୁହଁ ଖୋଲିବାକୁ କିଏ ମନା କରିଛି । ଯଦି ଘଟଣା ପଛରେ ରାଜନୀତିକ କିମ୍ବା ବ୍ୟବସାୟିକ ଶତ୍ରୁତା ରହିଛି ତା’ହେଲେ ତଦନ୍ତକାରୀ ସଂସ୍ଥା ସେତିକି ବି ସୂଚନା ଗଣମାଧ୍ୟମକୁ ଦେଇପାରନ୍ତା । ଯଦି ସେଭଳି ଲିଙ୍କ୍ ନାହିଁ ତା’ହେଲେ ହତ୍ୟାକାରୀ ପୁଲିସ କବଜାରେ ଥିବାରୁ ପ୍ରାଥମିକ ତଥ୍ୟ ଦେବାରେ ସମସ୍ୟା କେଉଁଠି?
୭- ଜଣେ ବିଚାରପତିଙ୍କ ତଦାରଖରେ ତଦନ୍ତ ପ୍ରକ୍ରିୟା ହେଲେ ତଦନ୍ତରେ ପାରଦର୍ଶିତା ଆସିବ ବୋଲି ଶାସକ ଦଳ ପକ୍ଷରୁ ଯେଉଁ ଯୁକ୍ତି ଦର୍ଶାଯାଉଛି, ତାହା ଶୁଣିବାକୁ ଭଲ ଲାଗୁଥିଲେ ବି ବାସ୍ତବରେ ତଦନ୍ତ ତ ପୁଲିସ ହିଁ କରିବ ? ଯେଉଁ ପୁଲିସର ମୁଖିଆଙ୍କ ସମେତ ଗୃହ ବିଭାଗର ମୁଖିଆ ଏପର୍ଯ୍ୟନ୍ତ ନିରବ ରହିଛନ୍ତି ତାଙ୍କ ଅଧୀନରେ ଥିବା କ୍ରାଇମବ୍ରାଂଚ କିଭଳି ସେହି ବିଭାଗର ବିଫଳତା ଉପରେ ଅଙ୍ଗୁଳି ଉଠାଇବ?
୮- ପୂର୍ବରୁ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ତତକାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାର ଶତାଧିକ ପ୍ରମାଣ ସତ୍ତ୍ୱେ ତାଙ୍କୁ ଥରୁଟିଏ ବି ଜେରା କରିନି ପୁଲିସ । ଏପରିକି ଗୋବିନ୍ଦର ରହସ୍ୟଜନକ ଢଙ୍ଗରେ ମୃତ୍ୟୁର ଖୋଳତାଡ଼ କ୍ରାଇମବ୍ରାଂଚ କରୁଥିଲେ ବି ସେ କ’ଣ ଚିଠି ଲେଖିଥିଲା, ଗୋବିନ୍ଦ ସହ ଦିବ୍ୟଶଙ୍କରଙ୍କ କିଭଳି ସମ୍ପର୍କ ଥିଲା ତାକୁ ବି ଖୋଳତାଡ଼ କରିବାକୁ ରାଜ୍ୟ ପୁଲିସ ସାହାସ କରିପାରିନି । ସେହିପରି ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ଅଡିଓ ଟେପରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁ ସେ ସ୍ପଷ୍ଟ ଭାବେ ନେଇଥିଲେ ମଧ୍ୟ ପୁଲିସ ଥରୁଟିଏ ବି ସମୀରଙ୍କୁ ଜେରା କଲାନି କି ସେହି ମାମଲାରେ ଅଭିଯୁକ୍ତ ବି କଲାନି । ତେଣୁ ସେହି ପୁଲିସଠୁ ସଠିକ୍ ତଦନ୍ତ ଆଶା କରିବା ବୃଥା । ତା’ଛଡ଼ା କ୍ରାଇମବ୍ରାଂଚର ତଦନ୍ତ କିଭଳି ହେବ ତା’ର ତଦାରଖ କିଏ କରୁଛି । ପୁଲିସ ବିଭାଗ କାହା ଇସାରାରେ ଓ କେଉଁଠି ମନିଟରିଂ ହେଉଛି ତାହା ରାଜ୍ୟବାସୀ ସମସ୍ତେ ଜାଣନ୍ତି।
୯- ନବ ଦାସ ହତ୍ୟା ମାମଲାରେ ଶାସକ ଓ ବିରୋଧୀ ଦଳ ଯେଭଳି ଆରୋପ-ପ୍ରତ୍ୟାରୋପରେ ଲିପ୍ତ ଅଛନ୍ତି ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଚର୍ଚ୍ଚାକୁ ଅନ୍ୟ ଆଡ଼କୁ ନେଇ ପ୍ରକୃତ ଘଟଣାକୁ ଶୀତଳ ଭଣ୍ଡାରକୁ ପକାଇ ଦେବାକୁ ଉଦ୍ୟମ କରୁଥିବା ଭଳି ପ୍ରତୀତ ହେଉଛି । ଆଉ ଗଣମାଧ୍ୟମ ବି ନିଜକୁ ସୁହାଇବା ଭଳି ତଥ୍ୟ ଉପସ୍ଥାପନ କରିବାରେ ଲାଗିଛି।
ତେଣୁ ସରକାର କିମ୍ବା ତଦନ୍ତକାରୀ ସଂସ୍ଥା ତୁରନ୍ତ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ସରକାରୀ ଭାବେ ବୟାନ ଜାରି କରିବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଉଛି। ପରିବାର ସଦସ୍ୟଙ୍କଠୁ ଆରମ୍ଭ କରି ରାଜନୀତିକ ଦଳଗୁଡ଼ିକ ଯେଉଁ ବଡ଼ଧରଣର ଷଡ଼ଯନ୍ତ୍ର କଥା ଉଲ୍ଲେଖ କରୁଛନ୍ତି ତା’ର ପ୍ରମାଣ ନଷ୍ଟ କରି ଗୋପାଳଙ୍କୁ ଜଣେ ମାନସିକ ରୋଗୀ ସଜାଇ ନବ ଦାସ ହତ୍ୟା ମାମଲାକୁ ସବୁଦିନ ପାଇଁ ଚପାଇ ଦେବାକୁ ଉଦ୍ୟମ ହେଉନି ତ ସାଧାରଣରେ ପ୍ରଶ୍ନ ଉଠୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
