Advertisment

ମନ୍ତ୍ରୀ ନବ ଦାସ ବିଏସକେୱାଇ ଅନ୍ତର୍ଭୁକ୍ତ ନଥିଲେ: ଗୌତମବୁଦ୍ଧ

ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ଗୌତମବୁଦ୍ଧ ଦାସ ପୋଷା ଶୁଆ ଭଳି ଦଳ ଦ୍ୱାରା ନିର୍ଦ୍ଧାରିତ ସ୍କ୍ରିପ୍ଟକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲେ

author-image
Ordigital Desk
ଅଦ୍ୟତନ ହୋଇଛି
BJD

Gautam Buddha Das

‘ଆୟୁଷ୍ମାନ ଭାରତ’ ଓ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’(ବିଏସକେୱାଇ) ଭିତରେ ସବୁଠୁ ଭଲ କିଏ ତାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଏବେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉଦ୍ଭଟ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବିଏସକେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ନଥିଲେ, ତେଣୁ ତାଙ୍କୁ ବୁର୍ଲା ମେଡିକାଲ କଲେଜ ନନିଆଯାଇ ଭୁବନେଶ୍ୱର ଅଣାଗଲା ବୋଲି ହତ୍ୟା ଘଟଣାର ପ୍ରାୟ ୫ଦିନ ପରେ ବିଜେଡି ଅଦ୍ଭୂତ ସଫେଇ ଦେଇଛି ।

Advertisment

ସୂଚନା ଅନୁସାରେ, କେନ୍ଦ୍ରୀୟ ବଜେଟରେ ଆୟୁଷ୍ମାନ ଯୋଜନାର ବ୍ୟୟବରାଦ ହ୍ରାସକୁ ସମାଲୋଚନା ଓ ନିଜର ବିଏସକେୱାଇକୁ ଅଧିକ ଶ୍ରେଷ୍ଠ ବୋଲି ଦର୍ଶାଇବାକୁ ଗୁରୁବାର ପୂର୍ବାହ୍ନରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ଗୌତମବୁଦ୍ଧ ଦାସ ପୋଷା ଶୁଆ ଭଳି ଦଳ ଦ୍ୱାରା ନିର୍ଦ୍ଧାରିତ ସ୍କ୍ରିପ୍ଟକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲେ । ନବୀନ ପଟ୍ଟନାୟକ ସରକାରରେ ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି ତଥା ବିଏସକେୱାଇ ଯୋଜନାରେ ଗରିବ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା କହିଥିଲେ । ତେବେ ରାଜ୍ୟରେ ଯଦି ଉନ୍ନତ ସ୍ୱାସ୍ଥ୍ୟ ସେବା ରହିଛି ତା’ହେଲେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ନିକଟସ୍ଥ ବୁର୍ଲା ମେଡିକାଲ କଲେଜ ନନେଇ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଗଲା ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଉଦ୍ଭଟ ପ୍ରତିକ୍ରିୟା ରଖି କହିଥିଲେ ଯେ “ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବିଏସକେୱାଇ ଯୋଜନାର ଅନ୍ତର୍ଭୁକ୍ତ ନଥିଲେ ।”

ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ଜଣେ ପ୍ରଭାବଶାଳୀ ସର୍ବାଧିକ ଧନୀ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଦାସ ବିଏସକେୱାଇ ଯୋଜନାର ଅନ୍ତର୍ଭୁକ୍ତ ନଥିଲେ ବୋଲି କ’ଣ ସାଧାରଣ ଲୋକେ କେହି ଜାଣନ୍ତି ନାହିଁ । ନା ମୁଖପାତ୍ରଙ୍କ ପାଖରେ ନିଜ ଦଳର ସରକାରଙ୍କ ସପକ୍ଷରେ ମତ ରଖିବାର ବଳିଷ୍ଠ ଯୁକ୍ତି ନଥିଲା ବୋଲି ଏଭଳି ଉଦ୍ଭଟ ପ୍ରତିକ୍ରିୟା ରଖିଲେ । ସମସ୍ତଙ୍କ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ଉପହାସ କରି କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଗୁଳି କରି ହତ୍ୟା କରିବା ପରେ ରାଜ୍ୟବାସୀଙ୍କ ମନରେ ଶଙ୍କା ରହିଛି । ମନ୍ତ୍ରୀ ସୁରକ୍ଷିତ ନଥିବାବେଳେ ସାଧାରଣ ଲୋକେ କିଭଳି ସୁରକ୍ଷିତ ରହିବେ ତାକୁ ନେଇ ଲୋକଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଛି । ଏବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ଓ ଶାସକ ବିଜେଡି ଆଗକୁ ଆସି ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କ ଭିତରେ ବିଶ୍ୱାସ ଓ ଭରସା ସୃଷ୍ଟି କଲାଭଳି ସ୍ପଷ୍ଟ ମତ ରଖିବାର ଆବଶ୍ୟକତା ରହିଛି । କିନ୍ତୁ ତା’ ନକରି ମୁଖପାତ୍ର ଶ୍ରୀ ଦାସଙ୍କ ମାଧ୍ୟମରେ ବିଜେଡି ଯେଉଁ ଆଭିମୁଖ୍ୟ ଓ ବୟାନ ସାମ୍ବାଦିକ ସମ୍ମିଳନୀରେ ରଖୁଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment
BjD Bjd Leader