Advertisment

ଦ୍ୱନ୍ଦ୍ୱରେ ବିଜେପି, କୁରୁଳୁଛନ୍ତି ସଦନ

ନବରଙ୍ଗପୁର(ନବ ବିଶୋଇ): ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜିଲ୍ଲାର ଏହି ବିଧାନସଭା ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ଜଣାଶୁଣା। ପୂର୍ବରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ପାଇଥିଲେ। ୨୦୧୯ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବ। ବିଜେଡି ଏବଂ କଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ […]

author-image
Minati Mishra
ଅଦ୍ୟତନ ହୋଇଛି
ଦ୍ୱନ୍ଦ୍ୱରେ ବିଜେପି, କୁରୁଳୁଛନ୍ତି ସଦନ

nabarangapur-2

ନବରଙ୍ଗପୁର(ନବ ବିଶୋଇ):ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜିଲ୍ଲାର ଏହି ବିଧାନସଭା ମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ଜଣାଶୁଣା। ପୂର୍ବରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ପାଇଥିଲେ। ୨୦୧୯ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବ। ବିଜେଡି ଏବଂ କଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ।

Advertisment

publive-image
ନିର୍ବାଚନ ମଣ୍ଡଳୀର ଇତିହାସ
ଏହି ମଣ୍ଡଳୀରେ ନବରଙ୍ଗପୁରର ସଦାଶିବ ତ୍ରିପାଠୀ ୧୯୫୧ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯାହାକି ନବରଙ୍ଗପୁର ମାଟି ପାଇଁ ଗର୍ବର ବିଷୟ ପାଲଟିଥିଲା। ୧୯୬୭ ମସିହା ପର୍ଯ୍ୟନ୍ତ ଏହି ଆସନଟି କଂଗ୍ରେସ ଦଳ ହାତରେ ରହିଥିଲା। ୧୯୭୧ ମସିହା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସ୍ଵାଧୀନ ପ୍ରାର୍ଥୀ ହବିବୁଲ୍ଲା ଖାନଙ୍କ ହାତକୁ ଏହି ମଣ୍ଡଳୀ ଯାଇଥିଲା। ସେ ସ୍ଵାଧୀନ ପ୍ରାର୍ଥୀ ଭାବରେ ଲଗାତାର ଦୁଇ ଥର ବିଜୟୀ ହୋଇ ନିଜ ଗଡ଼ ସୃଷ୍ଟି କରି ପାରିଥିଲେ।

ପରେ ୧୯୭୭ ନିର୍ବାଚନ ବେଳକୁ ହବିବୁଲ୍ଲା ଖାନ କଂଗ୍ରେସରେ ଯୋଗଦେଇ ଲଗାତାର ୨୦୦୪ ପର୍ଯ୍ୟନ୍ତ ଜିତି ଆସି ଏହି ମଣ୍ଡଳୀକୁ କଂଗ୍ରେସର ଗଡ଼ ଭାବରେ ପରିଚିତ କରାଇଥିଲେ। ୨୦୦୯ ମସିହା ସାଧାରଣ ନିର୍ବାଚନ ସମୟରେ ଏହି ମଣ୍ଡଳୀ ସଂରକ୍ଷିତ(ଆଦିବାସୀ) ଥିଲା। ଏଠାରେ ସେତେବେଳେ ବିଜେଡି ପ୍ରାର୍ଥୀ ମନୋହର ରନ୍ଧାରୀ ଓ କଂଗ୍ରେସ ପ୍ରାର୍ଥୀ ସଦନ ନାୟକ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିଲେ। ଉଭୟଙ୍କ ମଧ୍ୟରେ ଟକ୍କର ହୋଇଥିଲା। ଶେଷରେ କଂଗ୍ରେସ ଗଡ଼କୁ ଭାଙ୍ଗି ମନୋହର ରନ୍ଧାରୀ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀକୁ ହରାଇ ବିଜେଡି ପ୍ରାର୍ଥୀ ରନ୍ଧାରୀ ବିଜୟୀ ହୋଇ ନିଜ ଆସନକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତାଙ୍କୁ ସେଠାରୁ ହଟାଇ ନୂଆ ମୁହଁକୁ ପ୍ରାର୍ଥୀ କରିଛନ୍ତି।

Advertisment

publive-image

ବିଜେଡି:ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଗଡ଼କୁ ଭାଙ୍ଗି ୨ ଥର ବିଧାୟକ ହୋଇଥିବା ମନୋହର ରନ୍ଧାରୀଙ୍କୁ ଏଥର ବାଦ୍‌ ଦିଆଯାଇଛି। ତାଙ୍କୁ ଡାବୁଗାଁ ବିଧାନସଭା ପ୍ରାର୍ଥୀ କରାଯାଇଛି। ଅନ୍ୟପକ୍ଷେ ଏଠାରେ ଜଣେ ନୂଆ ମୁହଁ ମଇଦାନକୁ ଓହ୍ଲାଇଛନ୍ତି। ନାଲ୍‌କୋରେ ଚାକିରି କରି ସ୍ଵେଚ୍ଛାକୃତ ଅବସର ନେଇଥିବା ତଥା ପୂର୍ବତନ କଂଗ୍ରେସ ସାଂସଦ ଖଗପତି ପ୍ରଧାନୀଙ୍କ ପୁତୁରା ସଦାଶିବ ପ୍ରଧାନୀଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଅନେକ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ତାଙ୍କୁ ଟିକଟ ମିଳିଥିବାରୁ ଅନ୍ୟ ମାନେ ବିରୋଧ କରୁଥିବା ଦେଖାଦେଇଛି।

କଂଗ୍ରେସ: ଏହି ନିର୍ବାଚନୀ ମଣ୍ଡଳୀରେ ଗତ ଦୁଇ ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ପ୍ରାର୍ଥୀ ସଦନ ନାୟକକୁ ଟିକେଟ ମିଳିଛି। ସେ କଂଗ୍ରେସ ତରଫରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି। ଗତ ଦୁଇ ନିର୍ବାଚନରେ ସଦନ ନାୟକ ଭୋଟ ସଂଖ୍ୟାରେ ଦ୍ଵିତୀୟ ସ୍ଥାନ ଥିବାରୁ ତଥା ବର୍ତ୍ତମାନ ଏଠାରେ ବିଜେଡି ନୂଆ ମୁହଁକୁ ପ୍ରାର୍ଥୀ କରିଥିବାରୁ ତାଙ୍କର ଜିତିବା ସମ୍ଭାବନା ରହିଛି ବୋଲି ରାଜନୀତି ସମୀକ୍ଷକ ଅନୁମାନ କରୁଛନ୍ତି।

ବିଜେପି:ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିର ସ୍ଥିତି ଦୁର୍ବଳ। ଏପରିକି ପୂର୍ବରୁ ବିଜେପି ଦଳର କୌଣସି ପ୍ରତିନିଧି ବିଜୟର ସ୍ଵାଦ ଚାଖି ନାହାନ୍ତି। କିନ୍ତୁ ଚଳିତ ନିର୍ବାଚନରେ ନୂଆ ମୁହଁ ଭାବେ ଗୌରୀ ଶଙ୍କର ମାଝିଙ୍କୁ ବିଜେପି ଟିକଟ ମିଳିବ ବୋଲି ଚର୍ଚ୍ଚା ହେଉଛି। ଗୌରୀ ଶଙ୍କର ମାଝି ହେଉଛନ୍ତି ସ୍ଵେଚ୍ଛାକୃତ ଅବସର ପ୍ରାପ୍ତ ଜିଲ୍ଲା ପୋଲିସ କନଷ୍ଟେବଲ୍ ତଥା ପୋଲିସ ସଂଘର ଜିଲ୍ଲା ସଭାପତି। ସେଥିପାଇଁ ତୃଣମୂଳ ସ୍ତରରୁ ବିଜେପି ଦଳର ନୂଆ ପିଢ଼ି ତଥା ଯୁବ ଗୋଷ୍ଠୀ, ବିଧାନସଭା ମଣ୍ଡଳୀର ପ୍ରତ୍ୟେକ ପରିବାରର ବ୍ୟକ୍ତିବିଶେଷଙ୍କୁ ସମ୍ପର୍କ ଯୋଡ଼ିବାରେ ଗୌରୀ ଶଙ୍କର ସଫଳ ପ୍ରୟାସ କରୁଥିବାର ଦେଖା ଦେଉଛି। ଯାହା ଫଳରେ ଯୁବ ସମାଜର ଭୋଟ ପାଇବାରେ ସେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।