/odisha-reporter/media/media_files/2026/03/03/naveen-2026-03-03-19-08-59.jpg)
ଓଡ଼ିଶା ରାଜନୀତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମିତି ଜଣେ ଧୁବ୍ରତାରା, ଯାହାଙ୍କ ପ୍ରତିଟି ଗତିବିଧି ଏକ ସରପ୍ରାଇଜ୍ ଭଳି । ମାର୍ଚ୍ଚ ୧ ତାରିଖରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ବେଳେ ବିରୋଧୀ ଦଳ ନେତା ନବୀନଙ୍କ ଘୋଷଣା ଆଉ ଏକ ସରପ୍ରାଇଜ୍ କ୍ରିଏଟ୍ କରିଥିଲା। ଗୋଟିଏ ଆସନ ପାଇଁ ବିଜେଡି ପାଖରେ ସଂଖ୍ୟା ଥିବା ବେଳେ ଏହା ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲା । ପ୍ରସିଦ୍ଧ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କମନ୍ କ୍ୟାଣ୍ଟିଡେଟ୍ ଭାବେ ଘୋଷଣା କରି ନବୀନ ମାଷ୍ଟର ଷ୍ଟ୍ରେକ୍ ମାରିଲେ ବୋଲି ତାଙ୍କ ଦଳର କିଛି ଛାମୁଆଁ ନେତା ଓ ବିଧାୟକ ବଡ଼ ପାଟିରେ ଆସି ଗଣ ମାଧ୍ୟମରେ ପ୍ରତିକ୍ରିୟା ଦେଲେ । ଦିନ ତମାମ୍ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଲା ।
କମନ୍ କ୍ୟାଣ୍ଟିଡେଟ୍ଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ପ୍ରତିକ୍ରିୟା ରଖିବା ପରେ ଶାସକ ବିଜେପି ହାତରୁ ୪ର୍ଥ ଆସନଟି ଖସିଲା ବୋଲି ଆଲୋଚନା ଚାଲିଲା । ଏମିତି ବି କିଛି ବିଶେଷଜ୍ଞ ମତ ରଖିଲେ, ବିଜେଡି ଡାକ୍ତର ଦତ୍ତେଶ୍ବର ହୋତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ, ଏହା ରାଜ୍ୟର ଅସ୍ମିତା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିବ ଏବଂ ବିଜେପିକୁ ଅଡୁଆରେ ପକାଇବ। କିନ୍ତୁ ସେଦିନ ପ୍ରାର୍ଥୀ ଘୋଷଣାରେ ଡ଼ ସନ୍ତୃପ୍ତ ମିଶ୍ରଙ୍କୁ ବିରୋଧ କରି ପୂର୍ବତନ ଚୌଦ୍ବାର–କଟକ ବିଧାୟକ ପ୍ରଭାତ ବିଶ୍ବାଳ ପ୍ରଥମ ଥର ପାଇଁ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଏକ ତରଫା ବୋଲି କହି ଦଳର ମରମ କଥାଟି କହିଦେଲେ । ଯଦିଓ ପ୍ରଭାତଙ୍କ କଥାକୁ ଖୋଲାଖୋଲି ଭାବେ ଦଳର ବରିଷ୍ଠ ନେତା ସମର୍ଥନ କରିନଥିଲେ, କିନ୍ତୁ କେଉଁଠି ନା କେଉଁଠି ଦଳର କିଛି ନେତୃତ୍ବ ନବୀନଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ପାରିନଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପରିବର୍ତ୍ତୀ ସମୟରେ ପ୍ରଭାତ ବିଶ୍ବାଳଙ୍କୁ ଦଳକୁ ବହିଷ୍କାର କରିଦେଲା ପାର୍ଟି । ଯାହାକି ଦଳର କିଛି ବିଧାୟକଙ୍କୁ ରାଜ୍ୟସଭା ନିର୍ବାଚନରେ ସ୍ବାଧୀନ ଭାବେ ଭୋଟ୍ ଦେବା ପାଇଁ ବାଟ କଢ଼େଇ ଦେଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ବିଜେଡିର ପ୍ରତିଟି ଚାଲ୍ ଉପରେ ନିରବ ଥିବା ବିଜେପିର ନଜର କିନ୍ତୁ କଂଗ୍ରେସର ଗତିବିଧି ଉପରରେ ଥିଲା । ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ବୈଠକରେ ୧୪ ବିଧାୟକଙ୍କ ମଧ୍ୟରେ ୨ ଜଣଙ୍କ ଅନୁପସ୍ଥିତି ସ୍ପଷ୍ଟ କରିଦେଲା କି ସବୁ ବିଧାୟକ ପିସିସିଙ୍କ ନିଷ୍ପତ୍ତି ସହ ସହମତ ନାହାଁନ୍ତି । ଯଦିଓ କଂଗ୍ରେସ ବିଜେଡି ଘୋଷଣା କରିଥିବା କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ କରିବ ବୋଲି କହୁଛି । କିନ୍ତୁ ସୋଫିଆ ଫିର୍ଦୋଶ, ରମେଶ ଜେନା, ଦାଶରଥୀ ମୋମାଙ୍ଗ ଓ ତାରା ବାହିନୀପତିଙ୍କ ମତିଗତି କିଛି ଭିନ୍ନ ବାର୍ତ୍ତା ଦେଉଛି ।
କଂଗ୍ରେସ ଓ ବିଜେଡି ବିଧାୟକଙ୍କ ଭିତିରି ଫାଟର ଫାଇଦା ନେବା ପାଇଁ ଭାରତୀୟ ଜନତା ପାର୍ଟି ପୂର୍ବରୁ ୩ଟି ଆସନ ନେବାକୁ ଦମ୍ଭୋକ୍ତି କରି ସୁପର ଷ୍ଟ୍ରୋକ୍ ମାରିଛି । ଦଳର ନେତା ଦୀଲ୍ଲିପ ରାୟଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଠିଆ କରାଇ ନବୀନଙ୍କ ସବୁ ଅଙ୍କ ଓଲଟ ପାଲଟ କରି ଦେଇଛି ବିଜେପି । ଦିଲ୍ଲୀପ ରାଜ୍ୟସଭାର ସ୍ୱାଧୀନ ପ୍ରାର୍ଥୀ ହେବା ପରେ ଗୋଟିଏ ଗୁଳିରେ ୨ଟି ଶିକାର କରିଛି ବିଜେପି । ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଦିଲ୍ଲୀପଙ୍କ ଏଣ୍ଟ୍ରି ଅଡୁଆ ସୃଷ୍ଟି କରି ଦେଇଛି । କାରଣ ଦିଲ୍ଲୀପଙ୍କର ପ୍ରତିଟି ରାଜନୈତିକ ଦଳର ପ୍ରାୟ ସମସ୍ତ ବିଧାୟକଙ୍କ ସହ ରହିଛି ଅତି ଘନିଷ୍ଠ ସମ୍ପର୍କ ।
ବିଜେଡିରୁ ନିକଟରେ ନିଲମ୍ବିତ ହୋଇଥିବା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନ ବି ନିର୍ଦ୍ବନ୍ଦ୍ବରେ ଦିଲ୍ଲୀପ ରାୟଙ୍କୁ ହିଁ ଯିବ । ଏପରିକି ପିସିସି ସଭାପତି ଭକ୍ତ ଦାସଙ୍କର ବି ଦିଲ୍ଲୀପ ରାୟଙ୍କ ସହ ଅତି ଘନିଷ୍ଠତା ରହିଛି । ସବୁଠାରୁ ବଡ କଥା ହେଲା ୨୦୦୨ରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯାଇଁ ଦିଲ୍ଲୀପ ରାୟ ରାଜ୍ୟସଭାର ଆସନ ପାଇଁ ସ୍ବାଧୀନରେ ଠିଆ ହୋଇଥିଲେ । ସେତେବେଳ ତାଙ୍କୁ ତାରା ବାହିନୀପତିଙ୍କ ଠାରୁ ନେଇ ବିଜେଡିର ଅନେକ ବିଧାୟକ ସମର୍ଥନ ଦେଇ ବିଜୟ କରାଇଥିଲେ। ତେଣୁ ଦିଲ୍ଲୀପ ଫ୍ଲୋରକୁ ଆସିବା ପରେ ନବୀନଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍ କମନ୍ କ୍ୟାଣ୍ଟିଡେଟ୍ଙ୍କୁ କେଉଁ ଦଳର କେତେ ବିଧାୟକଙ୍କ ସମର୍ଥନ ମିଳିବ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ।
ଓଡ଼ିଶାରୁ ରାଜ୍ୟସଭାରେ ୪ଟି ଆସନ ପାଇଁ ନିର୍ବାଚନ ହେବ। ୧୪୭ ବିଧାୟକ ଥିବାରୁ ଗୋଟିଏ ଆସନ ପାଇଁ ୩୦ଟି ବିଧାୟକକଙ୍କ ଭୋଟ ଆବଶ୍ୟକ। ବିଜେପି ପାଖରେ ୩ ସ୍ବାଧୀନଙ୍କୁ ମିଶାଇ ୮୨ ଜଣ ବିଧାୟକ ଥିବା ବେଳେ ୨ଟି ଆସନ ବାଦ୍ ଆଉ ୨୨ ଜଣ ବିଧାୟକ ଅଛନ୍ତି। ଏପରିସ୍ଥଳେ ମାତ୍ର ୮ଟି ବିଧାୟକଙ୍କ ସମର୍ଥନ ମିଳିଗଲେ ୪ହଦର୍ଥ ଆସନରୁ ଦିଲ୍ଲୀପ ସହଜରେ ବିଜୟ ହୋଇ ରାଜ୍ୟସଭା ଯାଇପାରିବେ।
ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
