CM Mohan Charan Majhi
ରାଜ୍ୟ ସରକାର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ‘ନମୋ ଏକ୍ସପ୍ରେସୱେ’ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜପଥ ପ୍ରାଧିକରଣ ସହଯୋଗରେ ଏହି ଗ୍ରୀନଫିଲଡ୍ ‘ନମୋ ଏକ୍ସପ୍ରେସ୍ୱେ’କୁ ବ୍ରହ୍ମପୁର ସହରରୁ ଜୟପୁର ସହର ଦେଇ ସମ୍ବଲପୁର ସହର ପର୍ଯ୍ୟନ୍ତ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ଏହାସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଅନଲାଇନ୍ ଦାନ ବ୍ୟବସ୍ଥାରେ ସୁଧାର ଓ ସରଳୀକରଣ କରିବାକୁ ‘ସମର୍ପଣ’ ନାମରେ ଏକ ଡିଜିଟାଲ ହୁଣ୍ଡି ପ୍ରତିଷ୍ଠା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏଦିଗରେ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସରକାରର ପ୍ରଥମ ବର୍ଷପୂର୍ତ୍ତି ପୂର୍ବରୁ ଏକ ୟୁଓଆଇ ନୋଟ୍ ମାଧ୍ୟମରେ ବିଭିନ୍ନ ନିର୍ଦ୍ଦେଶନାମା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବିଭାଗଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ରାଜ୍ୟରେ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ ପଦବୀକୁ ତୁରନ୍ତ ପୂରଣ ଦିଗରେ ପଦକ୍ଷେପ ନେବା ଓ ବଜେଟରେ ଘୋଷଣା ହୋଇଥିବା ବିଭିନ୍ନ ଯୋଜନା, ସରକାରଙ୍କ ୧୨ଟି ନୂଆ ନୀତିକୁ ଚୂଡ଼ାନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୟୁଓଆଇ ନୋଟ୍ ପରେ ମୁଖ୍ୟସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗୀୟ ତତ୍ପରତା
ନମୋ ଏକ୍ସପ୍ରେସୱେ
ଦକ୍ଷିଣ-ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବା ପାଇଁ ‘ନମୋ ଏକ୍ସପ୍ରେସୱେ’ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଅଂଚଳର ଅର୍ଥନୀତି ଓ ଯୋଗାଯୋଗକୁ ସୁଦୃଢ଼ କରିବ । ପ୍ରାୟ ୭ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ପ୍ରାଧିକରଣଙ୍କ ସହଯୋଗରେ ରାଜ୍ୟ ସରକାର ଏହି ଗ୍ରୀନ୍ ଫିଲଡ୍ ନମୋ ଏକ୍ସପ୍ରେସୱେ ନିର୍ମାଣ କରିବେ । ଏହା ବ୍ରହ୍ମପୁରରୁ ସମ୍ବଲପୁର ସହରକୁ ସଂଯୋଗ କରାଇବ ।
ସେମିକଣ୍ଡକ୍ଟର କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ
ଭୁବନେଶ୍ୱର ଆଇଆଇଆଇଟିରେ ‘ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର’ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ରାଜ୍ୟରେ ପ୍ରଯୁକ୍ତିବିଦ୍ୟା ଓ ନୂତନ ଉଦ୍ଭାବନକୁ ପ୍ରୋତ୍ସାହନ ଦେବ ଓ ଏନେଇ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।
ଗୁଟଖା ଓ ପାନ ମସଲା ଉପରେ ନିଷେଧାଦେଶ
ରାଜ୍ୟରେ ଗୁଟଖା, ପାନ ମସଲା ଏବଂ ତମାଖୁଯୁକ୍ତ ସାମଗ୍ରୀ ଉପରେ ନିଷେଧାଦେଶ ଲାଗୁ କରିବା ପାଇଁ ନିୟମ ଓ ମାଗଦର୍ଶର୍ିକା ପ୍ରସ୍ତୁତ କରିବା ସହ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ଗତ ଦୁଇଦିନ ତଳେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏସଟିଏଫ୍ ଦ୍ୱାରା ଏସବୁ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଉପରେ ଚଢ଼ଉ ହୋଇଥିଲା ।
ମହାପୁରୁଷ ଆର୍ଦଶ ଗ୍ରାମ ଯୋଜନା
ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଓ ବରପୁତ୍ରମାନେ ଜନ୍ମଗ୍ରହଣ କରିଥିବା ଗ୍ରାମ ପଂଚାୟତଗୁଡ଼ିକକୁ ଚିହ୍ନଟ କରି ସେସବୁ ଗ୍ରାମକୁ ମହାପୁରୁଷ ଆଦର୍ଶ ଗ୍ରାମଯୋଜନାରେ ସାମିଲ କରିବାକୁ କୁହାଯାଇଛି । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ହେବ ଓ ଏହା ପଂଚାୟତିରାଜ ବିଭାଗ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡ଼ିଛି ।
ପୁରୀରେ ମେରାଇନ ଆକ୍ୱାରିୟମ ଓ ଅଣ୍ଡରୱାଟର ଚିଡ଼ିଆଖାନା
ପୁରୀ ସମୁଦ୍ର କୂଳରେ ଏକ ମେରାଇନ ଆକ୍ୱାରିୟମ ଓ ଅଣ୍ଡରୱାଟର ଚିଡ଼ିଆଖାନା(ଜୁ) ସ୍ଥାପନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଓ ସାମୁଦ୍ରିକ ଜୀବଜନ୍ତୁ ସଂରକ୍ଷଣରେ ସହାୟକ ହେବ ।
ଶ୍ରୀଜଗନ୍ନାଥ ମନ୍ଦିରରେ "ଡିଜିଟାଲ ହୁଣ୍ଡି’
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ‘ଅର୍ପଣ’ ପାଇଁ ଅନଲାଇନ ବ୍ୟବସ୍ଥାକୁ ସରଳୀକରଣ କରିବା ଏବଂ ’ସମର୍ପଣ’ ନାମକ ଏକ ଡିଜିଟାଲ ହୁଣ୍ଡି ପ୍ରଚଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଇନ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ପଦକ୍ଷେପ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1749222120.jpg)