Advertisment

ଗୃହରେ କୋଶଳୀରେ କହିଲେ ନରସିଂହ: ରଣନୀତି ଚୂଡ଼ାନ୍ତ କଲେ ବିଜେଡି ଓ କଂଗ୍ରେସ

ପୂର୍ବାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଶୀତ ଅଧିବେଶନରେ ଦଳ କେଉଁସବୁ ପ୍ରସଙ୍ଗ ଉଠାଇବ ତା’ଉପରେ ଆଲୋଚନା ହୋଇଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Narasingha Mishra

Narasingha Mishra

ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ନିଜ ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି । ଅଧିବେଶନର ପ୍ରଥମ ଦିନରେ ଗୃହରେ ସହମତିଭିତ୍ତିରେ ଉପବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଉପବାଚସ୍ପତି ଦାୟିତ୍ୱ ସମ୍ଭାଳିଛନ୍ତି। ଏହାପରେ ଗୃହରେ ଦିଂବଗତ ସଦସ୍ୟମାନଙ୍କ ସମ୍ମାନରେ ଶୋକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଗୃହକୁ ବାଚସ୍ପତି ପୂର୍ବାହ୍ନ ୧୧ଟା ୩୩ମିନିଟରେ ଆସନ୍ତାକାଲି ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଳତବୀ ଘୋଷଣା କରିଥିଲେ । ତେବେ ଶୋକ ପ୍ରସ୍ତାବ ଆଲୋଚନାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ ଓଡ଼ିଆ ଓ କୋଶଳୀ ଭାଷାରେ ନିଜର ମତ ରଖିଥିବା ଦେଖିବାକୁ ମିଳିଛି ।

Advertisment

ଆଜି ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଣିଥିଲେ । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ପ୍ରଧାନ, ପୂର୍ବତନ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ବିଧାୟକ ରବି ଦାସ, ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ସମେତ ଶହୀଦ ଲାୟନ୍ସ ହାବିଲଦାର ସରୋଜ କୁମାର ଦାସ ଓ ବିଏସଏଫ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ସିଅଳଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆସିଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଂଗତଙ୍କ ସ୍ମୃତିଚାରଣ କରିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଂଗତ ସଦସ୍ୟମାନଙ୍କ ସ୍ମୃତିଚାରଣ କରିଥିଲେ । ଶ୍ରୀ ମିଶ୍ର ଗୃହରେ ଉଭୟ ଓଡ଼ିଆ ଓ କୋଶଳୀ ଭାଷାରେ ନିଜର ମତ ରଖିଥିଲେ । ଦିବଂଗତମାନଙ୍କ ସମ୍ମାନରେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

Advertisment

ଆଜି ପୂର୍ବାହ୍ନରେ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ଶୀତ ଅଧିବେଶନ ପାଇଁ ରଣନୀତି ଚୂଡ଼ାନ୍ତ ହୋଇଛି । ଗଣମାଧ୍ୟମକୁ ବୈଠକ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି କହିଥିଲେ ଯେ, ବିରୋଧୀ ଦଳ ଯାହା ପ୍ରସଙ୍ଗ ଉଠାଇବେ ତାହା ଉପରେ ଆଲୋଚନା ପାଇଁ ବିଜେଡି ପ୍ରସ୍ତୁତ ଅଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପୂର୍ଣ୍ଣାଙ୍ଗ ଅଧିବେଶନ ହୋଇଥିବାରୁ ବିଧାୟକମାନଙ୍କୁ ଗୃହରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଲକ୍ଷ୍ମୀ ଯୋଜନାରେ କିପରି ଗାଁ ଲୋକେ ଉପକୃତ ହେବେ ସେଥିପାଇଁ ନଜର ଦେବାକୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପଂଚାୟତଗୁଡ଼ିକୁ କୋଟିକୋଟି ଟଙ୍କା ଦିଆଯାଇଥିବାରୁ ତା’ର ସଠିକ୍ କାର୍ଯ୍ୟାନ୍ୱୟନ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ପୂର୍ବାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିଥିଲା । ବୈଠକରେ ଶୀତ ଅଧିବେଶନରେ ଦଳ କେଉଁସବୁ ପ୍ରସଙ୍ଗ ଉଠାଇବ ତା’ଉପରେ ଆଲୋଚନା ହୋଇଛି ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଆଦିବାସୀ ଜମି ବିକ୍ରି ନେଇ କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଚାଷୀ ଆତ୍ମହତ୍ୟା, ଦୁର୍ନୀତିରେ ବିଜେଡି ନେତାମାନଙ୍କ ସମ୍ପୃକ୍ତି ଆଦି ପ୍ରସଙ୍ଗକୁ ଗୃହରେ ଉତଥାପନ କରାଯିବ ବୋଲି କହିଛନ୍ତି ।

Narasingha Mishra Odisha Assembly