Advertisment

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତେରଛା ବାଣ ମାରିଲେ ନରସିଂହ

‘୨୦୦୬ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ, ପ୍ରତି ବ୍ଲକରେ ୩୫% ଜମି ଜଳ ସେଚନ ହେବ। ୫ ବର୍ଷ ଭିତରେ ଅର୍ଥାତ୍‌ ୨୦୧୧ ସୁଦ୍ଧା କାମ ସରିଯିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ସବୁ ବ୍ଲକରେ କୌଣସି ଜମିରେ ଜଳ ପହଞ୍ଚି ପାରିନାହିଁ।’

author-image
Manoranjan Sial
ଅଦ୍ୟତନ ହୋଇଛି
Narasingha Mishra

Narasingha Mishra

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମନଇଚ୍ଛା ଧୋଇଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଖାଲି ଧୋଇଲେ ନାହିଁ, ବଲାଙ୍ଗିର ବିଜେଡିର ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀଙ୍କୁ ତେରଛା ବାଣ ମାରିଛନ୍ତି। ଆଉ ସୁଧୁରି ଯିବା ପାଇଁ ପରାମର୍ଶ ଦେଇଛନ୍ତି। ତା’ସହିତ ଅସମ୍ପୂର୍ଣ୍ଣ ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ନରସିଂହ।

Advertisment

ଉଦ୍‌ବୋଧନ ଦେଇ ନରସିଂହ ମିଶ୍ର କହିଥିଲେ, ୧୯୯୮ ମସିହାରେ ଲୋୟର ସୁକତେଲ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିଥିଲା। ୧୯୯୯ ମସିହାରେ ପ୍ରକଳ୍ପର ଶିଳାନ୍ୟାସ ହେବାର ଥିଲା। ହେଲେ ନିର୍ବାଚନ ଘୋଷଣା ହେବାରୁ ଏହାର ଶିଳାନ୍ୟାସ ହୋଇପାରିଲା ନାହିଁ। ୨୦୦୦ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କଲେ। ତା’ପରେ ଅର୍ଥାତ୍ ୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଶୁଭଦେବା ପାଇଁ ଆସିଥିଲେ। ହେଲେ ଲୋକଙ୍କ ପ୍ରତିବାଦ ଯୋଗୁ ପ୍ରକଳ୍ପ ଅଞ୍ଚଳକୁ ଯାଇପାରିଲେ ନାହିଁ। ପ୍ରକଳ୍ପ ଅଞ୍ଚଳଠାରୁ ଅଳ୍ପ ଦୂରରେ ନଡ଼ିଆ ପିଟି ଥିଲେ। ଇତି ମଧ୍ୟରେ ୨୩ ବର୍ଷ ବିତିଗଲାଣି। ତଥାପି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେଲା ନାହିଁ। ଆଜି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକାର୍ପଣ କରାଯାଉଛି। ନାଇଁ ମାମୁଠାରୁ କଣା ମାମୁ ଭଲ। ମୁଁ ଭାବୁଥିଲି, ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଉଦ୍‌ଘାଟନ କରିଥିଲେ ନିଶ୍ଚିତ ଭାବେ ଭଲ ହୋଇଥାଆନ୍ତା ବୋଲି ଶ୍ରୀ ମିଶ୍ର କହିଥିଲେ।

ସେ କହିଥିଲେ, ଆଜି ବଲାଙ୍ଗିରବାସୀ ନିଶ୍ଚିତ ଖୁସି ହେବେ। କାରଣ ମରୁଡ଼ି ପ୍ରପୀଡ଼ିତ ବଲାଙ୍ଗିର ଜିଲ୍ଲାର ଚାଷୀମାନେ ପାଣି ପାଇବାକୁ ଯାଉଛନ୍ତି। କହିବାକୁ ଗଲେ ବଲାଙ୍ଗିରବାସୀଙ୍କ ଜୀବନ ରେଖା ହେଉଛି ସୁକତେଲ୍‌ ନଦୀ। ମୁଁ ଯେତେବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲି, ସେତେବେଳେ ଗୋଟିଏ ସର୍ଭେ ହୋଇଥିଲା। ସର୍ଭେରୁ ଜଣାପଡ଼ିଥିଲା ୩ ଭାଗ ଜମିକୁ ଜଳ ସେଚନ ହେଉଥିଲା। ଲୋୟର ସୁକତେଲ ପ୍ରକଳ୍ପକୁ ଦେଖିଲେ ତା’ଠାରୁ ବହୁ ଅଧିକ ଜମିକୁ ଜଳ ସେଚନ ହୋଇପାରିବ।

Advertisment

ରାଜ୍ୟ ସରକାରଙ୍କ ସମାଲୋଚନା କରି ଶ୍ରୀ ମିଶ୍ର କହିଥିଲେ, ୨୦୦୬ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ, ପ୍ରତି ବ୍ଲକରେ ୩୫% ଜମି ଜଳ ସେଚନ ହେବ। ୫ ବର୍ଷ ଭିତରେ ଅର୍ଥାତ ୨୦୧୧ ସୁଦ୍ଧା କାମ ସରିଯିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ସବୁ ବ୍ଲକରେ କୌଣସି ଜମିରେ ଜଳ ପହଞ୍ଚି ପାରିନାହିଁ। ୨୦୦୮ ମସିହାରେ ବିଧାନସଭାରେ ଘୋଷଣା ହୋଇଥିଲା, ଯେଉଁ ଗାଁରେ ୩୫% ଜମିକୁ ଜଳ ସେଚନ ହୋଇନାହିଁ, ସେହି ଅଞ୍ଚଳକୁ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଗାଁକୁ ଟଙ୍କା ଦିଆଯାଇନି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ପ୍ରକଳ୍ପ ସମ୍ପର୍କରେ ଆଲୋକପାତ କରି ନରସିଂହ ମିଶ୍ର କହିଥିଲେ, ଲୋୟର ସୁକତେଲ ପ୍ରକଳ୍ପକୁ ସମର୍ଥନ କରିଥିଲି। ପ୍ରକଳ୍ପକୁ ସମର୍ଥନ କରିଥିବାରୁ ସେହି ଅଞ୍ଚଳର ଲୋକେ ମୋତେ ଭୋଟ ଦେଇନଥିଲେ। ତାହା ପରେ ମଧ୍ୟ ମୁଁ ଦବି ଯାଇନଥିଲି। ଗାଁକୁ ଗାଁ ଯାଇ ଲୋକଙ୍କୁ ବୁଝାଇଥିଲି। ପ୍ରଥମେ ପ୍ରଥମେ କେହି ଶୁଣିନଥିଲେ। ଧୀରେ ଧୀରେ ସମସ୍ତେ ଶୁଣିଲେ। ଶେଷରେ ସମସ୍ତେ ପ୍ରକଳ୍ପ ପାଇଁ ସହମତି ପ୍ରକାଶ କରିଥିଲେ। କେବଳ ମୁଁ ଲୋକଙ୍କୁ ବୁଝାଉଥିଲି ତାହା ନୁହେଁ, ବର୍ତ୍ତମାନର ଜିଲ୍ଲାପାଳ ଗାଁକୁ ଯାଇ ଲୋକଙ୍କୁ ବୁଝାଇ ଥିଲେ। ସେମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିଥିଲେ। କିନ୍ତୁ ସବୁ ଚେଷ୍ଟା ସତ୍ତ୍ୱେ ପ୍ରଶାସନର କିଛି ଭୁଲ୍‌ ପାଇଁ ବିସ୍ଥାପିତମାନେ ଠିକ୍‌ ଭାବେ ସୁବିଧା ପାଇନାହାନ୍ତି। ସେମାନଙ୍କର ସମସ୍ୟା ଅନେକ ରହିଛି। ସେହି ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ଚେଷ୍ଟା କରୁଛନ୍ତି। ଆଜି ମଧ୍ୟ ଅନେକ ଲୋକ କ୍ଷତିପୂରଣ ନେଇପାରି ନାହାନ୍ତି। ସେମାନଙ୍କ ପାଖରେ ଆମକୁ ପହଞ୍ଚିବାକୁ ପଡ଼ିବ। ଆଜି ଉଦ୍‌ଘାଟନ କରି ଯଦି ଭାବିବା ଆମର କାମ ସରିଗଲା, ତାହା ହେଲେ ସେହି ଲୋକମାନେ ମରିଯିବେ। ସେମାନେ ତାଙ୍କ ଅର୍ଥ କେବେ ପାଇବେ ନାହିଁ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

ବଲାଙ୍ଗିର ଟାଣୁଆ ବିଜେଡି ନେତାଙ୍କୁ ତେଚ୍ଛା ତୀର ମାରି ନରସିଂହ କହିଛନ୍ତି, ଯେଉଁମାନେ ଡୁଙ୍ଗୁରିପାଲି ଗାଁକୁ ଆସି ବାହାଦୁରି ମାରି କହୁଥିଲେ ବଞ୍ଚିଥିବା ଯାଏଁ ପ୍ରକଳ୍ପ କରାଇଦେବୁ ନାହିଁ, ସେମାନେ ଆଜି ଫୁଟାଣି ମାରୁଛନ୍ତି। ଏଇଟା ହେଉଛି ଦୁଃଖର କଥା। ସେମାନେ ଥରେ ମନେ ପକାନ୍ତୁ, ଅତୀତରେ କେତେଥର ବିଧାନସଭା ଓ ଲୋକସଭାରେ ପ୍ରକଳ୍ପ କଥା ଉଠାଇଛନ୍ତି। ସେମାନେ କେତେଥର ବିସ୍ଥାପିତଙ୍କ ପାଖକୁ ଯାଇଛନ୍ତି? ଲୋକମାନେ ସବୁ ଜାଣିଛନ୍ତି। ସେହି ବ୍ୟକ୍ତିମାନଙ୍କୁ ସତର୍କ କରାଇଦେବାକୁ ଚାହୁଁଛି, ସେମାନେ ମନ ପରିବର୍ତ୍ତନ କରିଦିଅନ୍ତୁ। ଆସନ୍ତୁ ସମସ୍ତେ ମିଳିମିଶି ଦଳମତ ନିର୍ବିଶେଷରେ ଏହି ବିସ୍ଥାପିତମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଯେଉଁ କାମ ବାକି ଅଛି, ତାକୁ ତୁରନ୍ତ ଶେଷ କରନ୍ତୁ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

BjD Naveen Patnaik Balangir