Advertisment

ଏନଡିଏ ୩.୦ର ନେତା ହେଲେ ନରେନ୍ଦ୍ର ମୋଦି, ବୈଠକରେ ବଡ଼ ବାର୍ତ୍ତା ଦେଲେ ନୀତୀଶ କୁମାର

ବୈଠକରେ ଉଭୟ ଯଥାଶୀଘ୍ର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି।

author-image
Hemant Lenka
NDA

NDA

ଜୁନ ୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଏନଡିଏ ପାର୍ଟିର ନେତା। ଏହି ସମୟରେ ମେଣ୍ଟ ପକ୍ଷରୁ ନୂଆ ସରକାର ଗଠନ ପାଇଁ ଦାବି କରାଯିବ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ୩.୦ ସରକାର ଦେଶରେ ଆରମ୍ଭ ହେବ।

Advertisment

ଏହାପୂର୍ବରୁ ଆଜି ମୋଦିଙ୍କ ବାସଭବନରେ ଏନଡିଏର ବୈଠକ ବସିଥିଲା। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଉଭୟ ଯଥାଶୀଘ୍ର ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ଏଥିସହ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ଏନଡିଏ ୩.୦ର ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି।

ନୀତୀଶ କୁମାର ବୈଠକରେ ମୋଦିଙ୍କୁ କହିଛନ୍ତି ଯେ “ଶୀଘ୍ର ସରକାର କରନ୍ତୁ। ସରକାର ଗଠନରେ କୌଣସି ବିଳମ୍ବ ହେବା କଥା ନୁହେଁ। ଆମେ ଯଥା ଶୀଘ୍ର ସମ୍ଭବ ସରକାର ଗଠନ କରିବା ଉଚିତ।” ଚନ୍ଦ୍ରବାବୁ ନାଇଡୁ ମଧ୍ୟ ସମାନ କଥା ମୋଦିଙ୍କୁ କହିଛନ୍ତି। 

Advertisment

ଜୁନ ୪ରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ବିଜେପି ଏକାକୀ ୨୪୦ ଆସନ ଜିତିଛି। ଏନଡିଏ ଆସନକୁ ମିଶାଇଲେ ଦଳ ସପକ୍ଷରେ ୨୯୨ ଜଣ ସାଂସଦଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୭୨। ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଥିବାରୁ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ଏଥିପାଇଁ ଆଜି ଏନଡିଏରେ ଥିବା ଦଳ ଗୁଡ଼ିକ ପକ୍ଷରୁ ସର୍ବସମ୍ମତିକ୍ରମେ ମୋଦିଙ୍କୁ ସେମାନଙ୍କ ନେତା ଚୟନ କରାଯାଇଛି। ଏନେଇ ଏକ ସଂକଳ୍ପ ବୈଠକରେ ପାରିତ ହୋଇଛି। ଏହି ସଂକଳ୍ପରେ ଏନଡିଏର ୨୧ ଜଣ ନେତା ଦସ୍ତଖତ କରିଛନ୍ତି।

ବୈଠକରେ ନରେନ୍ଦ୍ର ମୋଦି, ଅମିତ ଶାହ, ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର, ଲଲନ ସିଂହ, ଚିରାଗ ପାଶ୍ୱାନ ଓ ସଞ୍ଜୟ ଝା ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଜି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ମୋଦି ଇସ୍ତଫା ଦେଇଥିଲେ। ସେ ଶନିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Nda Election Results Lok Sabha Election