ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ନିର୍ବାଚନ ସମୟରେ ସାଧାରଣ ଚର୍ଚ୍ଚା ବା ଭାଷଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦାକୁ ତଳକୁ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ବୋଲି କହିଛନ୍ତି ଡକ୍ଟର ସିଂହ।
ପଞ୍ଜାବର ଭୋଟରମାନଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ବିରୋଧୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ "ଘୃଣା ତଥା ଅସଂସଦୀୟ ଶବ୍ଦ" ପୂର୍ଣ୍ଣ ଭାଷଣ ଦେଇ ସେ ପ୍ରଧାନମନ୍ତ୍ରୀ ପଦର ସମ୍ମାନକୁ ତଳେ ପକାଇଛନ୍ତି।
ଏପ୍ରିଲରେ ରାଜସ୍ଥାନରେ ଅନୁଷ୍ଠିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣ ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ମନମୋହନ ସିଂହ। ଭାଷଣ ଦେବା ବେଳେ ମୋଦି କହିଥିଲେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ସମ୍ପତ୍ତିକୁ 'ଯେଉଁମାନଙ୍କର ଅଧିକ ସନ୍ତାନ ଅଛି' ସେମାନଙ୍କୁ ବାଣ୍ଟି ଦେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମନମୋହନ ସିଂହ କହିଥିବା ଏକ ବକ୍ତବ୍ୟ 'ଦେଶର ସମ୍ବଳ ଉପରେ ମୁସଲମାନମାନଙ୍କର ପ୍ରଥମ ଦାବି ରହିଛି'କୁ ଦୋହରାଇଥିଲେ।
ଜୁନ୍ ୧ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବର ଜନତାଙ୍କୁ ଲେଖିଥିବା ପତ୍ରରେ ମନମୋହନ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଘୃଣାପୂର୍ଣ୍ଣ ଭାଷଣ ଦେଉଛନ୍ତି, ଯାହା ବିଭାଜନକାରୀ।
୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ଉପରେ ମନମୋହନ ସିଂହ କହିଛନ୍ତି, ତାଙ୍କର ୧୦ ବର୍ଷ କାଳ ମଧ୍ୟରେ ଚାଷୀଙ୍କ ରୋଜଗାର କ୍ଷୟ ହୋଇଯାଇଛି।
କୃଷକମାନଙ୍କର ଜାତୀୟ ହାରାହାରି ମାସିକ ଆୟ ଦିନକୁ ୨୭ ଟଙ୍କା ଥିବାବେଳେ କୃଷକଙ୍କ ହାରାହାରି ଋଣ ୨୭,୦୦୦ ଟଙ୍କା (NSSO)। ଇନ୍ଧନ ଏବଂ ସାର ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି, ୩୫ଟି ପ୍ରକାର ଚାଷ ସମ୍ବନ୍ଧୀୟ ଯନ୍ତ୍ରପାତି ଉପରେ GST ଲାଗିବା କୃଷକ ପରିବାରର ସଞ୍ଚୟକୁ ନଷ୍ଟ କରିଦେଇଛି ଏବଂ ସେମାନଙ୍କୁ ସମାଜିକ ସ୍ତରରୁ ବାହାରକୁ ଠେଲି ଦେଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, "ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିରେ ଅବାଞ୍ଛିତ ଭାବେ ଅସ୍ଥିରତା ଦେଖାଦେଇଛି। ବିମୁଦ୍ରୀକରଣ ବିପର୍ଯ୍ୟୟ, ତ୍ରୁଟିପୂର୍ଣ୍ଣ ଜିଏସଟି ଏବଂ କୋଭିଡ-୧୯ ମହାମାରୀ ସମୟରେ ଯନ୍ତ୍ରଣାଦାୟକ ଅବ୍ୟବସ୍ଥା ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି, ଯେଉଁଠାରେ GDP ୬-୭ ପ୍ରତିଶତ ବୃଦ୍ଧିର ଆଶା ଏକ ନୂଆ ସାମାନ୍ୟ କଥା ହୋଇଯାଇଛି।
୨୦୨୦-୨୧ କୃଷକ ଆନ୍ଦୋଳନକୁ ନେଇ ମନମୋହନ ସିଂହ ବିଜେପି ନେତୃତ୍ୱାଧୀନ କେନ୍ଦ୍ରକୁ ନିନ୍ଦା କରିବା ସହ କୃଷକମାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଦୋହରାଇ କହିଛନ୍ତି, "ମାସ ମାସ ଧରି ପଞ୍ଜାବ ଓ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବଶି ପ୍ରାୟ ୭୫୦ କୃଷକ ମୃତ୍ୟୁମୂଖରେ ପଡ଼ିଲେ, ଯେଉଁମାନଙ୍କ ମଧ୍ୟରେ ପଞ୍ଜାବର କୃଷକ ସର୍ବାଧିକ ଥିଲେ। ସେମାନଙ୍କୁ କେବଳ ଲାଠି କି ରବର୍ ଗୁଳିରେ ଆଘାତ ଦିଆଯାଇ ନଥିଲା, ପ୍ରଧାନମନ୍ତ୍ରୀ ବି ସେମାନଙ୍କୁ ସଂସଦରେ ଆନ୍ଦୋଳନଜୀବୀ ଏବଂ ପରଜୀବୀ ଭଳି ଅପଶବ୍ଦ ପ୍ରୟୋଗ କରିଥିଲେ।
ସେମାନଙ୍କର ଏକମାତ୍ର ଦାବି ଥିଲା ପରାମର୍ଶ ନ ଦେଇ ଲାଗୁ ହୋଇଥିବା ତିନିଟି ଚାଷ ଆଇନ ପ୍ରତ୍ୟାହାର। ଗତ ଦଶ ବର୍ଷ ମଧ୍ୟରେ ବିଜେପି ସରକାର ପଞ୍ଜାବ, ପଞ୍ଜାବୀ ଏବଂ ପଞ୍ଜାବିଅତକୁ ନିନ୍ଦା କରିବା ପାଇଁ କୌଣସି ଗୋଟିଏ ବି ରାସ୍ତା ଛାଡ଼ିନାହାନ୍ତି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।