Advertisment

୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ: ଏନସି-କଂଗ୍ରେସର ବଡ଼ ବିଜୟ

ଏକଜିଟ ପୋଲ ଏଠାରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଥିବା ବେଳେ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ ଏନସି ଓ କଂଗ୍ରେସ କମାଲ କରିଦେଇଛନ୍ତି।

author-image
Hemant Lenka
Jammu

Jammu

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ। ‌ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେଉଥିଲା।

Advertisment

ସେହିପରି ଜମ୍ମୁ-କଶ୍ମୀର ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ମଧ୍ୟ ଏହା ପ୍ରଥମ ବିଧାନସଭା ଭୋଟ ଥିଲା। କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଏନସି ଓ କଂଗ୍ରେସ ମେଣ୍ଟ ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଛନ୍ତି।

ଏକଜିଟ ପୋଲ ଏଠାରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଥିବା ବେଳେ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ ଏନସି ଓ କଂଗ୍ରେସ କମାଲ କରିଦେଇଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରୁ ମେଣ୍ଟ ୪୯ଟିରେ ବାଜିମାତ କରିଛି।

Advertisment

ଏହାର ଅର୍ଥ ଦଳ ଏଠାରେ ଏକାକୀ ସରକାର ଗଠନ କରିବାକୁ ଯାଉଛି। କାରଣ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ଏହାବାଦ ୫ ଜଣ ମନୋନୀତ ସଦସ୍ୟ ଉପ ରାଜ୍ୟପାଳଙ୍କ ଦ୍ୱାରା ବିଧାନସଭାକୁ ନିର୍ବାଚିତ ହେଉଥିବାରୁ ସେଠାରେ ବିଲ୍ ପାରିତ ଓ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମଧ୍ୟ ମ୍ୟାଜିକ ନମ୍ବର ହେଉଛି ୪୮। ତେଣୁ ମେଣ୍ଟ ମ୍ୟାଜିକ ନମ୍ବର ଠାରୁ ଗୋଟିଏ ଆସନ ଅଧିକ ଜିତିଛି।

ଦିଲ୍ଲୀରେ କ୍ଷମତାସୀନ ଆପ୍‌ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ଗୋଟିଏ ଆସନ ଜିତିଛି। ଆପ୍‌ ବିଧାୟକ ଜଣଙ୍କ ମଧ୍ୟ ମେଣ୍ଟ ସରକାରଙ୍କୁ ସମର୍ଥନ ଦେଇ ପାରନ୍ତି।

ଏନସି ଓ କଂଗ୍ରେସ ଏକାଠି ୪୯ଟି ଆସଜନ ଜିତିଛନ୍ତି। ତେବେ ଏନସି ମେଣ୍ଟରେ ବଡ଼ ଭାଇ ଭୂମିକାରେ ରହିଛି। ଦଳ ଏକାକୀ ୪୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତକୁ ୬ଟି ଆସନ ଯାଇଛି। ସେହିପରି ମେଣ୍ଟରେ ଥିବା ସିପିଏମ ଗୋଟିଏ ଆସନ ପାଇଛି।

ଏକାକୀ କେବେ ହେଲେ ଜମ୍ମୁ-କଶ୍ମୀରରେ ସରକାର ଗଠନ କରି ନଥିବା ବିଜେପି ୨୯ଟି ଆସନ ଜିତିଛି। ଦଳ ଅଧିକାଂଶ ଆସନ ଜମ୍ମୁ ଅଞ୍ଚଳରେ ପାଇଛି। ୨୦୧୪ରେ ଦଳ ୨୫ଟି ଆସନ ଜିତିଥିବା ବେଳେ ଏଥର ଏହା ୨୯କୁ ବୃଦ୍ଧି ପାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପିଡିପି ୨୦୧୪ରେ ବିଜେପି ସହ ମିଶି ସରକାର ଗଠନ କରିଥିଲା। ହେଲେ ୨୦୨୪ରେ ପିଡିପି ମାତ୍ର ୩ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ୨୦୧୪ ତୁଳନାରେ ଏହା ୨୫ କମ।

ଏହାବାଦ ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସର ସାଜିଦ ଲୋନ ଏକମାତ୍ର ଆସନ ବଜାୟୀ ରଖିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ୭ଟି ଆସନରେ ବିଜୟୀ ହୋଇଛନ୍ତି।

Jammu Kashmir Assembly Election