Advertisment

ପୁଣି ପାଣ୍ଡିଆନଙ୍କ ପାଇଁ ଢାଲ ହେଲେ ନବୀନ: ବିଜେଡିରେ ଅରାଜକତା, ମେଳିକୁ ମିଳିଲା ବଳ, ବିଭାଜନ ଆସନ୍ନ

ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Naveen

Naveen

Advertisment

ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ନାଟକୀୟ ଆଭିମୁଖ୍ୟକୁ ନେଇ ବିଗତ ୫ଦିନ ଧରି ଚାଲିଥିବା ରାଜନୀତିକ ଅସ୍ଥିରତା ଏବେ ଅଧିକ ଜଟିଳ ରୂପ ଧାରଣ କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଯେଭଳି ଢଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ତାହା ଦଳରେ ବଢ଼ି ଚାଲିଥିବା ରାଜନୀତିକ ଅରାଜକତାକୁ ପ୍ରଶମିତ କରିବା ବଦଳରେ ଦଳକୁ ଆସନ୍ନ ବିଭାଜନ ମୁହାଁ କରିଥିବା ଆଶଙ୍କା ପ୍ରକାଶ ପାଇଛି।  ଦଳର କୌଣସି ନେତାଙ୍କ ସହ ବିଚାରବିମର୍ଶ ନକରି ନବୀନ ଏକତରଫା ଭାବେ ପୁଣିଥରେ ଭିକେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଆଉ ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ଉପରୁ ୨୦୧୭ ନଭେମ୍ବର ୧୦ତାରିଖରେ ନିଲମ୍ବନ ହଟାଇଥିବା ନବୀନ ଆଜି ତାଙ୍କ ସମ୍ପର୍କରେ ବି ଗଣମାଧ୍ୟମକୁ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେବାକୁ ପଛାଇ ନାହାନ୍ତି ।

Advertisment

ପାଣ୍ଡିଆନଙ୍କୁ ବାରମ୍ବାର କ୍ଲିନଚିଟ୍ ଓ ପ୍ରଭାତଙ୍କ ଭଳି ବରିଷ୍ଠ ନେତାଙ୍କୁ ଟାର୍ଗେଟ୍ କରି ନବୀନ ନିଜର ଅସଲ ଚେହେରାକୁ ପଦାକୁ ଆଣିଥିବା ଚର୍ଚ୍ଚା ହେଉଛି । ବିଜେଡିର ୨୪ବର୍ଷ ଶାସନର ଅପ୍ରତ୍ୟାଶିତ ଅନ୍ତ ପଛରେ ପାଣ୍ଡିଆନଙ୍କ ଔଦ୍ଧତ୍ୟ ଓ ତ୍ରୁଟିପୂର୍ଣ୍ଣ ରଣନୀତିକୁ ସମସ୍ତେ ଦାୟୀ କରିବା ସହ ୱକଫ୍ ବିଲକୁ ନେଇ ବଢ଼ିଥିବା କନ୍ଦଳ ପଛରେ ପାଣ୍ଡିଆନ ଥିବା ଦଳୀୟ ନେତାମାନେ କହୁଥିଲେ ମଧ୍ୟ ନବୀନ ସେମାନଙ୍କ କଥାକୁ ବାଏଁବାଏଁ ଉଡ଼ାଇ ଦେଇ ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି । ଆଉ ୱକଫ୍ ବିଲ୍ ପ୍ରସଙ୍ଗରେ ନିଷ୍ପତ୍ତି କିଏ ନେଇଥିଲା ସେସମ୍ପର୍କରେ ନବୀନ ମୁହଁ ନଖୋଲି ପୁଣିଥରେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବା ଏବେ ସିଧାସଳଖ ଦଳରେ ବଢ଼ୁଥିବା ରାଜନୀତିକ ଅରାଜକତା ଓ ମେଳିକୁ ବଳିଷ୍ଠ କରାଇବା ସହ ଲକ୍ଷଲକ୍ଷ କର୍ମୀଙ୍କୁ ଶକ୍ତଧକ୍କା ଦେଇଥିବା ଚର୍ଚ୍ଚା ହେଉଛି । ଏସବୁ ମଧ୍ୟରେ ନବୀନ ଯେ ଆଉ ପାଣ୍ଡିଆନଙ୍କ କବଳରୁ ମୁକ୍ତ ହେବା ସ୍ଥିତିରେ ନାହାନ୍ତି ତା’ର ମଧ୍ୟ ପ୍ରମାଣ ଦେଇଛନ୍ତି ।

ନବୀନଙ୍କ ଗଣମାଧ୍ୟମକୁ ବୟାନ-ନେତା ଜଳକା

ପାଣ୍ଡିଆନଙ୍କୁ ନେଇ ଦଳରେ ବଢ଼ୁଥିବା ଅସନ୍ତୋଷ ଓ ମେଳିକୁ ଦେଖି ଆଜି ସନ୍ଧ୍ୟାରେ ନବୀନ ନାଟକୀୟ ଢଙ୍ଗରେ ଦୁଇଟି ଜାତୀୟ ନ୍ୟୁଜ ଏଜେନ୍ସୀକୁ ଡକାଇ ବୟାନ ଦେଇଛନ୍ତି । ନବୀନ କହିଥିଲେ ଯେ “ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ କାର୍ତ୍ତିିକୟେନ ପାଣ୍ଡିଆନ ଅତୀତରେ ଉଭୟ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି । ତେଣୁ ତାଙ୍କୁ କୌଣସି ପାଇଁ ସମାଲୋଚନା କିମ୍ବା ଦାୟୀ କରାଯିବା ଅନୁଚିତ୍ । ଗତ ୧୦ମାସ ଧରି ସେ ଦଳରୁ ଇସ୍ତଫା ଦେଇସାରିଛନ୍ତି । ସେହିପରି ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ କେସରେ କିଛିବର୍ଷ ପୂର୍ବରୁ ଦଳରୁ ବହିଷ୍କୃତ ହୋଇସାରିଛନ୍ତି । ସେ ଦଳର ସଦସ୍ୟ ନୁହଁନ୍ତି । ଦଳର ନେତାମାନେ ହୋଟେଲ ଅବା ଅନ୍ୟ ସ୍ଥାନରେ କରୁଥିବା ବୈଠକକୁ ନବୀନ ନାପସନ୍ଦ କରିଛନ୍ତି ଓ ଦଳର କାର୍ଯ୍ୟାଳୟ ‘ଶଙ୍ଖଭବନ’ ଅଛି ସେଠାରେ ବୈଠକ କରିବାକୁ ପରାମର୍ଶ ଦେଇଛନ୍ତି” ।

Advertisment

ନବୀନ ଏହି ବୟାନ ଗଣମାଧ୍ୟମକୁ ଦେବା ସମୟରେ ତାଙ୍କ ପାଖରେ ବରିଷ୍ଠ ନେତା ପ୍ରତାପ ଜେନା, ପ୍ରତାପ ଦେବ, ଗଣେଶ୍ୱର ବେହେରା, ଚନ୍ଦ୍ରଶେଖର ସାହୁଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ କିଛି ନେତା ଉପସ୍ଥିତ ଥିଲେ । ଏହି ସମସ୍ତ ନେତା ଶଙ୍ଖଭବନରେ ବୈଠକ କରି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପସଭାପତି ପଦବୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପରେ ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରିବାକୁ ନବୀନ ନିବାସ ଯାଇଥିଲେ । ଆଉ ନବୀନ ସେମାନଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ଏଭଳି ବୟାନ ଦେବାପରେ ସେମାନେ ବି ଆବାକାବା ହୋଇଯାଇଥିଲେ ବୋଲି ଜଣାପଡ଼ିଛି ।

ବିଜେଡିରେ ବଢ଼ିଲା କନ୍ଦଳ

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ କବଳରୁ ନବୀନ ମୁକ୍ତ ହୋଇପାରିବେ ନାହିଁ ବୋଲି ଆଜି ତାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି । ବିଜେଡିର ଦୁର୍ଗତିର କାରଣ ପାଣ୍ଡିଆନ ହୋଇଥିଲେ ମଧ୍ୟ ନବୀନ ତାଙ୍କୁ ଦୂରେଇବା ସ୍ଥିତିରେ ନାହାନ୍ତି । ‘ଓଡ଼ିଶା ରିପୋର୍ଟର’ ଗତ ଦୁଇଦିନ ତଳେ ‘ପାଣ୍ଡିଆନଙ୍କ ଉପରେ ନବୀନ ଆକ୍ସନ ନେବାରେ ଅକ୍ଷମ’ ବୋଲି ଏକ ରିପୋର୍ଟ ପ୍ରକାଶ କରିଥିଲା । ଯାହାକୁ ନବୀନ ଆଜି ସତ ପ୍ରମାଣିତ କରିଛନ୍ତି । ନବୀନ ଦଳର ମୁଖିଆ ଭାବେ ଦଳୀୟ ନେତାମାନଙ୍କୁ ଡାକି ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ସେମାନଙ୍କୁ ପାଣ୍ଡିଆନଙ୍କ ମନ୍ତ୍ରଣାରେ ନାଲିଆଖି ଦେଖାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ କବଳରୁ ମୁକ୍ତ ହୋଇପାରୁନଥିବାର ସନ୍ଦେଶ ମଧ୍ୟ ଦେଇଛନ୍ତି । ପାଣ୍ଡିଆନଙ୍କ ସନ୍ଦେହଜନକ ଗତିବିଧି ଓ ବିଜେପି ସହ ଭିତରିଆ ବୁଝାମଣା ଯୋଗୁ ଦଳର ଲକ୍ଷଲକ୍ଷ କର୍ମୀ ଓ ନେତା ହତାଶ ହେଉଥିଲେ ମଧ୍ୟ ନବୀନ ସେସବୁକୁ ଅଣଦେଖା କରିଦେଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ମନ୍ତ୍ରଣାରେ ସେ ଦଳରେ ବଢ଼ୁଥିବା ଅସନ୍ତୋଷକୁ ଚପାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଜେଡି ନେତାମାନେ ଏବେ ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ଆଜି

ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନରେ ବରିଷ୍ଠ ନେତାମାନଙ୍କ ବୈଠକ ପାଇଁ ପ୍ରସନ୍ନ ଆଚାର୍ଯ୍ୟ ନିଜେ ନବୀନଙ୍କଠୁ ଅନୁମତି ଆଣିଥିଲେ ବୋଲିି ବରିଷ୍ଠ ନେତା ଅଶୋକ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଦଳର ୯୦ ପ୍ରତିଶତ ନେତା-କର୍ମୀ ଏବେ ସିଧାସଳଖ ପାଣ୍ଡିଆନଙ୍କୁ ଦାୟୀ କରି ଦଳରେ ଦ୍ୱୈତ ନେତୃତ୍ୱକୁ ବିରୋଧ କରୁଥିଲେ ମଧ୍ୟ ନବୀନ ସେଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି । ଓଲଟା ପାଣ୍ଡିଆନଙ୍କ ପୋଷାଶୁଆ ଭଳି ଗଣମାଧ୍ୟମରେ ବୟାନ ରଖିଥିବା ଜଣାପଡ଼ିଛି ।

ନବୀନଙ୍କ ଅସଲ ଚେହେରା

ନବୀନ ପଟ୍ଟନାୟକ ଜଣେ ସୁବିଧାବାଦୀ ରାଜନେତା ବୋଲି ବିଭିନ୍ନ ସମୟରେ ନେତାମାନେ ଅଭିଯୋଗ କରିଥାନ୍ତି । ନବୀନ ନିଜର ସୁବିଧା ପାଇଁ ଯେକୌଣସି ସ୍ତରକୁ ଯିବାର ମଧ୍ୟ ନଜିର ରହିଛି । ମାତ୍ର ଏବେ ଲକ୍ଷଲକ୍ଷ କର୍ମୀ-ନେତାଙ୍କୁ ହତାଶ କରି ପାଣ୍ଡିଆନଙ୍କ ପାଇଁ ସୁରକ୍ଷା କବଚ ସାଜିବା ପଛରେ ନବୀନଙ୍କ କିଛି ବାଧ୍ୟବାଧକତା ରହିଥିବା ଆଶଙ୍କା କରାଯାଉଛି । ନବୀନଙ୍କୁ ପଣବନ୍ଦୀ ଅବା ବ୍ଲାକମେଲ୍ କରି ନିଜ ଢଙ୍ଗରେ ପାଣ୍ଡିଆନ ପରିଚାଳିତ କରୁଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀଙ୍କ ନିଲମ୍ବନ ନିଜେ ନବୀନ ପ୍ରତ୍ୟାହାର କରିଥିଲେ ମଧ୍ୟ ଆଜି ଗଣମାଧ୍ୟମ ଆଗରେ ସେ ଦଳ ସହ ଜଡ଼ିତ ନୁହଁନ୍ତି ବୋଲି କହିଛନ୍ତି । ନବୀନଙ୍କୁ ସଖିକଣ୍ଢେଇ କରି ପାଣ୍ଡିଆନ ଏବେ ଦଳରେ ପୁଣିଥରେ ପ୍ରଭାବ ବିସ୍ତାର କରିବାରେ ଲାଗିଥିବାରୁ ବିଜେଡି ନିଶ୍ଚିତ ବିଭାଜନ ଆଡ଼କୁ ମୁହାଁଇଥିବା ଚର୍ଚ୍ଚା ।

BjD Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe