Advertisment

ଚାଷୀଙ୍କୁ ଲୁଟୁଛନ୍ତି ନବୀନ-ପାଣ୍ଡିଆନ ସରକାର: କଂଗ୍ରେସ

କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧୮୭୯ କୋଟି ଟଙ୍କାର ସହାୟତା ଦେଉଥିବାବେଳେ ଚାଷୀଙ୍କଠାରୁ ୫୮୭୭ କୋଟି ଟଙ୍କା ଲୁଟ୍ କରୁଛି ।

author-image
Ordigital Desk
Congress

Congress

ରାଜ୍ୟରେ ନବୀନ-ପାଣ୍ଡିଆନ ସରକାର ଚାଷୀଙ୍କର ସବୁଠୁ ବଡ଼ ଶତ୍ରୁ । ବାସ୍ତବରେ ଏ ସରକାର ଚାଷୀଙ୍କୁ ଲୁଟ୍ କରିବାରେ ମାହିର । କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧୮୭୯ କୋଟି ଟଙ୍କାର ସହାୟତା ଦେଉଥିବାବେଳେ ଚାଷୀଙ୍କଠାରୁ ୫୮୭୭ କୋଟି ଟଙ୍କା ଲୁଟ୍ କରୁଛି । ଆଜି ବିଜେଡି ସରକାର ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ।

Advertisment

କଂଗ୍ରେସ ଭବନଠାରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ଯେ,ରାଜ୍ୟର ବିଜେଡି ସରକାର ଚାଷୀମାନଙ୍କୁ ଯେତିକି ସହାୟତା ଦେଉଛନ୍ତି ବୋଲି ଦାବି କରୁଛନ୍ତି, ତା\'ର ତିନିଗୁଣା ଚାଷୀଙ୍କଠାରୁ ଲୁଟୁଛନ୍ତିି । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସରକାର କିଣିବେ ବୋଲି ଘୋଷଣା କରିଥିଲେ । ସେହିପରି ୧୨.୩୫ ଲକ୍ଷ ପଞ୍ଜିକୃତ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ଦ୍ଧାରଣ କରାଯାଇଛି।

ମଣ୍ଡିରେ ଧାନ ବିକ୍ରିବେଳେ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ହାରାହାରି ୭କିଲୋ ଧାନ କଟନିଛଟନି କରାଯାଉଛି, ଯାହାର ମୂଲ୍ୟ ୧୩୫ ଟଙ୍କା । ଅଖା ମିଲ ମାଲିକ ଦେବା କଥା । ମାତ୍ର ଚାଷୀ ତାକୁ ଭରଣା କରୁଛି ଓ ସେ ବାବଦକୁ ୬୪ ଟଙ୍କା ଦେବାକୁ ବାଧ୍ୟ ହେଉଛି । ପୁଣି ଧାନ ବସ୍ତା ଲୋଡିଂ ପାଇଁ କ୍ୱିଣ୍ଟାଲ ପିଛା ହାରାହାରି ୧୦ ଟଙ୍କା ଚାଷୀ ଖର୍ଚ୍ଚ କରୁଛି । ଅର୍ଥାତ୍ ମୋଟ୍ ଉପରେ ଚାଷୀ କ୍ୱିଣ୍ଟାଲ ପିଛା ୨୨୭ ଟଙ୍କା ହାରାହାରି ଖର୍ଚ୍ଚ କରୁଛି । ୭୯ ଲକ୍ଷ ଟନ୍ ଧାନ ପାଇଁ ସର୍ବମୋଟ୍ ୧୭୯୩ କୋଟି ଟଙ୍କା ଚାଷୀଙ୍କ ଉପରେ ବୋଝ ପଡୁଛି । ଏହା କ'ଣ ଚାଷୀଙ୍କୁ ଶୋଷଣ ନୁହେଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।  ମିଲ ମାଲିକ, ସରକାରୀ ଅଫିସର ଓ ବିଜେଡି ନେତା ଓ ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏସବୁ ଚାଲିଛି । ତେଣୁ ସରକାର ଚାଷୀ ଲୁଟେରା ସରକାର ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

Advertisment

ପୁନଶ୍ଚ ସ୍ୱାମୀନାଥାନ କମିଟି ସୁପାରିଶ କ୍ରମେ ଧାନ କୁଇଂଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା ରଖାଯାଇଥିଲା । ମାତ୍ର ନବୀନ-ପାଣ୍ଡିଆନ ସରକାର ତାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କଲେ ନାହିଁ । କେନ୍ଦ୍ର ସରକାର ମଧ୍ୟ ଏ କ୍ଷେତ୍ରରେ ଓଡ଼ିଶା ବିଧାନ ସଭାର ସର୍ବସମ୍ମତି ପ୍ରସ୍ତାବ ଉପରେ ଚୁପ୍ ହୋଇ ବସିଛନ୍ତିି । ଫଳରେ ଆଜି ଚାଷୀ କୁଇଂଟାଲ ପିଛା ୨୧୮୩ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛି । ମାତ୍ର ବର୍ତମାନ ଚାଷୀ ଗୋଟିଏ କୁଇଂଟାଲ ଧାନ ଉତ୍ପାଦନ କରିବା ପାଇଁ ୨୭୦୦ ଟଙ୍କା ଖର୍ଚ୍ଚ କରୁଛି । ୨୦୧୭ ମସିହାରେ ତାହା ୨୩୪୪ ଟଙ୍କା ଥିଲା।

କ୍ୱିଣ୍ଟାଲ ପିଛା ଉତ୍ପାଦନ ମୂଲ୍ୟ ଓ ବିକ୍ରି ମୂଲ୍ୟ ଭିତରେ ୫୧୭ ଟଙ୍କାର ଫରକ, ଯାହା ଚାଷୀଙ୍କ ଉପରେ ପଡୁଛି ବା ଚାଷୀ ଲୁଟ୍‌ର ଶିକାର ହେଉଛନ୍ତି । ଅର୍ଥାତ୍ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନରେ ଚାଷୀଙ୍କଠାରୁ ଲୁଟ୍ ଟଙ୍କାର ପରିମାଣ ୪୦୮୩ କୋଟି ଟଙ୍କା । ବିଜେଡି ସରକାର ବର୍ଷକୁ ଚାଷୀଙ୍କଠାରୁ ମୋଟ୍ ୫୮୭୭ କୋଟି ଟଙ୍କା ଲୁଟ୍ କରୁଛନ୍ତିି । ଭାଗ ଚାଷୀମାନଙ୍କ ସମସ୍ୟା କହିଲେ ନସରେ । ସେମାନଙ୍କ ପାଇଁ ମଣ୍ଡିର ଦ୍ୱାର ବନ୍ଦ । ସରକାର ସେମାନଙ୍କ ଧାନ କିଣନ୍ତିି ନାହିଁ । କମ୍ ଦାମରେ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତିି । ଫସଲ ବୀମାର ସୁବିଧା ଭାଗଚାଷୀଙ୍କୁ ମିଳେ ନାହିଁ । ଆଜି ପର୍ଯ୍ୟନ୍ତ ଭାଗଚାଷୀ ଆଇନ୍ ସରକାର ଆଣିଲେ ନାହିଁ । ଏପରିକି ରାଜ୍ୟରେ କେତେ ଭାଗଚାଷୀ , ତା'ର ହିସାବ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ବଳିଆ ଯୋଜନା ଏମାନଙ୍କ ପାଇଁ କେବଳ ଏକ ପ୍ରତାରଣା ବ୍ୟତିତ ଆଉ କିଛି ନୁହେଁ ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ, ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଓ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Congress BjD Odisha