Advertisment

ନବୀନ ନବମ ଥର ସଭାପତି: ‘ରାଜ୍ୟ କାର୍ଯ୍ୟକାରିଣୀ’କୁ ନେଇ ସସପେନ୍ସ, ପୁରୁଖାଙ୍କୁ ଡାକିଲେନି

ବିଜେଡି ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ନବମଥର ପାଇଁ ଦଳର ସଭାପତି ମନୋନୀତ ହୋଇଛନ୍ତି। ଶଙ୍ଖଭବନରେ ଦଳର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ଉପସ୍ଥିତିରେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସଭାପତି ଭାବେ ନବୀନଙ୍କ ନାମ ଘୋଷଣା କରିଛନ୍ତି ।

Naveen Patnaik

Naveen Patnaik

Advertisment

ଉତ୍କଟ ଅରାଜକତା ଓ ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ମଧ୍ୟ ଦେଇ ଗତି କରୁଥିବା ବିଜେଡିର ସଭାପତି ଭାବେ ନବମ ଥର ପାଇଁ ଦାୟିତ୍ୱ ନେଇଛନ୍ତି ନବୀନ ପଟ୍ଟନାୟକ । ମାତ୍ର ଦଳୀୟ ସମ୍ବିଧାନର ପ୍ରାବଧାନକୁ  ଅଣଦେଖା କରି ‘ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ’ ନାମ ସାର୍ବଜନୀନ ନକରି ସିଧାସଳଖ ‘ସଭାପତି’ନିର୍ବାଚନ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଶଙ୍ଖଭବନରେ ଶନିବାର ଆୟୋଜିତ ବୈଠକରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରୁ କିଏ ଦଳର ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି ତାକୁ ନେଇ ସସପେନ୍ସ ଲାଗି ରହିଛି । ଦଳର ନେତାମାନେ ଏସବୁର ସାମାନ୍ୟ ଟେର ପାଉନଥିବାବେଳେ ନବୀନ ନିବାସ ପଛପଟ ଟୁଙ୍ଗୀ(ଛୋଟ କୋଠରୀ)ରେ ବସି ବିଜେଡିର ଅଘୋଷିତ ସର୍ବେସର୍ବା ଏହି ତାଲିକାକୁ ଚୂଡ଼ାନ୍ତ କରୁଥିବାରୁ ‘ସଭାପତି’ଙ୍କ ନାମ ଘୋଷଣା ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ନାମ ଘୋଷଣା ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି । ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ସିଂ, ଶଶୀ ବେହେରା ଆଦିଙ୍କୁ ମଧ୍ୟ ବୈଠକକୁ ଡକାଯାଇନଥିବା ସୂଚନା ମିଳିଛି । ଏସବୁ ମଧ୍ୟରେ ଦଳୀୟ ସମ୍ବିଧାନ ଅନୁସାରେ କାହିଁକି ‘ଟ୍ରଷ୍ଟବୋର୍ଡ ଗଠନ’ କରାଯାଇ ଦଳୀୟ ସମ୍ପତ୍ତିର ନିୟନ୍ତ୍ରଣ ଓ ପରିଚାଳନା କରାଯାଉନି ବୋଲି ମଧ୍ୟ ଦଳୀୟ ମହଲରେ ପ୍ରଶ୍ନ ଉଠିଛି ।

Advertisment

ନବୀନ ନବମ ଥର ସଭାପତି

ବିଜେଡି ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ନବମଥର ପାଇଁ ଦଳର ସଭାପତି ମନୋନୀତ ହୋଇଛନ୍ତି । ଶଙ୍ଖଭବନରେ ଦଳର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ଉପସ୍ଥିତିରେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସଭାପତି ଭାବେ ନବୀନଙ୍କ ନାମ ଘୋଷଣା କରିଛନ୍ତି । ବିଜେଡି କ୍ଷମତାରୁ ଯିବାପରେ ପ୍ରଥମଥର ପାଇଁ ଅନୁଷ୍ଠିତ ସାଂଗଠନିକ ନିର୍ବାଚନରେ ନବୀନଙ୍କୁ ସଭାପତି ଭାବେ ଚୟନ କରାଯାଇଛି । ବିଜେଡି ଗଠନ ପରଠୁ ନବୀନ ନିଦ୍ୱନ୍ଦ୍ୱରେ ଦଳର ସଭାପତି ହେଉଛନ୍ତି । ତେବେ ପ୍ରଥମଥର ପାଇଁ ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ‘କେବଳ ଧର୍ମକୁ ଆଖିଠାର ମାରିବା’ ଭଳି ହୋଇଛି । ଦୀର୍ଘ ୨ଦଶନ୍ଧି ପରେ ଦଳ ପ୍ରଥମଥର ପାଇଁ ଏକକାଳୀନ ୧୫ଟି ଜିଲ୍ଲାରେ ସଭାପତି ବାଛିବାରେ ସକ୍ଷମ ହୋଇପାରିନଥିବାବେଳେ ରାଜ୍ୟ ପରିଷଦରେ ମୋଟ ୩୫୫ଜଣ ସଦସ୍ୟଙ୍କୁ ସାମିଲ କରିବା ମଧ୍ୟ ସମ୍ଭବପର ହୋଇପାରିନି । ସେହିପରି ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ ପାଇଁ ୮୧ଜଣ ସଦସ୍ୟଙ୍କୁ ଚୟନ ନିମନ୍ତେ ଆବଶ୍ୟକ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥିଲେ ମଧ୍ୟ ସେହି ତାଲିକା ଘୋଷଣା କରିବାରେ ରିଟର୍ଣ୍ଣିଂ ଅଧିକାରୀ ଫେଲ୍ ମାରିଛନ୍ତି । ଯଦିଓ ପୂର୍ବର ନିର୍ବାଚନବେଳେ ରିଟର୍ଣ୍ଣିଂ ଅଧିକାରୀ ନିଜେ ‘ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ’ଙ୍କ ନାଁ ଘୋଷଣା କରିଥାନ୍ତି । ଦଳୀୟ ସମ୍ବିଧାନ ଅନୁସାରେ, ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ପ୍ରାର୍ଥୀ ନିଜର ଜଣେ ପ୍ରସ୍ତାବକ ଓ ଜଣେ ସମର୍ଥକଙ୍କୁ ଦସ୍ତଖତରେ ‘ନାମାଙ୍କନ ପତ୍ର’ ଦାଖଲ କରିବାର ପ୍ରାବଧାନ ରହିଛି । ମାତ୍ର ଚଳିତଥର ସେଭଳି କିଛି ନକରି ଧର୍ମକୁ ଆଖିଠାର ମାରିବା ଭଳି ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି ।

ନବୀନ ନିବାସ ଟୁଙ୍ଗୀ ଓ ସର୍ବେସର୍ବାଙ୍କ ପ୍ରତି ଆନୁଗତ୍ୟ

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଓ  ଉପଦେଷ୍ଟା କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଦଳର ବର୍ତ୍ତମାନର କୋରଟିମ୍ ସଦସ୍ୟମାନଙ୍କୁ ଅଣଦେଖା କରି ‘ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ’ ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ବିଜେଡିର ଅଘୋଷିତ ସର୍ବେସର୍ବା ଏବେ ପ୍ରଛଦପଟ୍ଟରେ ରହି ତାଙ୍କ ଖାସ୍ ଅନୁଗତ ବବିଙ୍କ ମାଧ୍ୟମରେ ତାଲିକାକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି । ବବି ମଧ୍ୟ ସେହି ସର୍ବେସର୍ବାଙ୍କ ପ୍ରତି ନିଜର ଆନୁଗତ୍ୟ ଦେଖାଇ ଦଳୀୟ ନେତାମାନଙ୍କ ପାଖରେ ‘ଏଘରମାଉସୀ ସେଘର ପିଉସୀ’ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଚର୍ଚ୍ଚା ହେଉଛି । ବବି ତାଙ୍କର ଅନୁଗତ ପ୍ରତାପ ଦେବଙ୍କୁ ଧରି ଏହି ତାଲିକା ପ୍ରସ୍ତୁତ କରିଛନ୍ତି । ଯାହାକୁ ନବୀନ ନିବାସର ପଛପଟ ଛୋଟ କୋଠରୀରେ ବସି ଦଳର ଅଘୋଷିତ ସର୍ବେସର୍ବା ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି । ଯେଉଁଥିପାଇଁ ଶନିବାର ଦଳର ସଭାପତିଙ୍କ ନାମ ଘୋଷଣା ପୂର୍ବରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ନାମ ଘୋଷଣା ସମ୍ଭବପର ହୋଇପାରିନଥିଲା । ଦଳର ବିଭିନ୍ନ ବର୍ଗର ନେତାମାନଙ୍କ ସହ ବିଚାରବିମର୍ଶ ନକରି ଦଳୀୟ ସମ୍ବିଧାନକୁ ଖୋଲାଖୋଲି ଉଲ୍ଲଘଂନ କରି ବବି-ପ୍ରତାପ ଦେବ ‘ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ’ଙ୍କ ତାଲିକା ପ୍ରସ୍ତୁତ କରି ନବୀନ ନିବାସ ପଠାଇଛନ୍ତି । ଯାହାକୁ ନବୀନ ନିବାସ ଟୁଙ୍ଗୀରେ ବସୁଥିବା ଦଳର ଅଘୋଷିତ ଓ ଅଦୃଶ୍ୟ ସର୍ବେସର୍ବା ଚୂଡ଼ାନ୍ତ ରୂପ ଦେବେ ଏବଂ ନବୀନଙ୍କ ଦସ୍ତଖତରେ ଏହା ଖୁବଶୀଘ୍ର ସାର୍ବଜନୀନ ହେବ ବୋଲି ଚର୍ଚ୍ଚା ହେଉଛି ।

Advertisment

ଦଳର ଟ୍ରଷ୍ଟ ବୋର୍ଡ ଏବେ କଂଟା

୨୪ବର୍ଷର ଶାସନର ଅପ୍ରତ୍ୟାଶିତ ଅନ୍ତ ପରେ ବିଜେଡିରେ ଗୋଷ୍ଠୀକନ୍ଦଳ ତୀବ୍ର ହୋଇଛି । ଦଳର ପାଣ୍ଠି କାହାପାଖରେ ରହିଛି ତାକୁ ନେଇ ଛକାପଞ୍ଝା ଜାରି ରହିଛି । ମାତ୍ର ଦଳର ସମ୍ବିଧାନର ଧାରା-ଏକ୍ସଆଇଏକ୍ସ(୭)ର ପ୍ରାବଧାନ ଅନୁସାରେ, ରାଜ୍ୟ କାର୍ଯ୍ୟକାରିଣୀ ଦଳର ସମସ୍ତ ସମ୍ପତ୍ତି ପରିଚାଳନା ପାଇଁ ନିଶ୍ଚିତ ଭାବେ ୭ଜଣିଆ ଟ୍ରଷ୍ଟ ବୋର୍ଡ ଗଠନ କରାଯିବ । ଏହି ବୋର୍ଡର ଅଧ୍ୟକ୍ଷ ଦଳର ସଭାପତି ହେବେ ଓ ଏକ୍ସ-ଅଫିସିଓ ସଦସ୍ୟ ଭାବେ ଦଳର କୋଷାଧ୍ୟକ୍ଷ କାର୍ଯ୍ୟ କରିବେ । ଏହି ବୋର୍ଡର କାର୍ଯ୍ୟକାଳ ୩ବର୍ଷ ହେବ । ଯଦି ଏହି ଟ୍ରଷ୍ଟ ଗଠନ ହେଲେ ଦଳର ଘୋଷିତ ଓ ଅଘୋଷିତ ପାଣ୍ଠି କେଉଁଠି ରହିଛି ତାହା ଅନ୍ୟ ସଦସ୍ୟମାନେ ଜାଣିପାରିବେ । ଯେହେତୁ ଏପର୍ଯ୍ୟନ୍ତ ବିଜେଡିର ପାଣ୍ଠି କେଉଁଠି ରହିଛି ତାହା କେବଳ ନବୀନ,ପାଣ୍ଡିଆନ ଓ ବବିଙ୍କ ମଧ୍ୟରେ ସୀମିତ ଅଛି । ତେଣୁ ଏହି ଟ୍ରଷ୍ଟ ବୋର୍ଡ ଗଠନ କଲେ ସେସବୁ ପଦାରେ ପଡ଼ିବାର ଆଶଙ୍କା କରି ଉଦ୍ଦେଶ୍ୟମୂଳକ ଭାବେ ଏହି ଟ୍ରଷ୍ଟ ବୋର୍ଡ ଗଠନ କରାଯାଉନଥିବା ଜଣାପଡ଼ିଛି ।

ବୈଠକକୁ ଆସିଲେନି ପୁରୁଖା ନେତା, ଶ୍ରୀମୟୀଙ୍କ କଟାକ୍ଷ

ଶଙ୍ଖଭବନରେ ଶନିବାର ଆୟୋଜିତ ସାଂଗଠନିକ ନିର୍ବାଚନ ପାଇଁ ଉଦ୍ଦଷ୍ଟ ବୈଠକରେ ବରିଷ୍ଠ ନେତାମାନଙ୍କୁ ଦେଖିବାକୁ ମିଳିନଥିଲା । ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା, ରଣେନ୍ଦ୍ରପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ, ସସ୍ମିତ ପାତ୍ର, ସୁଲତା ଦେଓ, ଶ୍ରୀମୟୀ ମିଶ୍ର,ନିରଞ୍ଜନ ବିଶି ଓ ସନାତନ ମହାକୁଡ଼ ପ୍ରମୁଖ ଅନୁପସ୍ଥିତ ରହିଥିଲେ । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ତାଙ୍କ ସୋସିଆଲ ମିଡିଆରେ ଆଲେକଜାଣ୍ଡାରଙ୍କ ଏକ ଫଟୋଚିତ୍ର ଓ ତାଙ୍କର ବାଣୀକୁ ଶେୟାର କରି ଲେଖିଛନ୍ତି ଯେ “ସମୟ ଓ ଜୁଆର କାହାପାଇଁ ଅପେକ୍ଷା କରେନାହିଁ । ଦିନେ ଇତିହାସର ସ୍ରଷ୍ଟା ମଧ୍ୟ ଇତିହାସ ହୋଇଯାଏ । ଇତିହାସର ଲେଖକ ମଧ୍ୟ ଇତିହାସ ହୋଇଯାଏ । ମୁଁ ବିଜୟ ଚୋରି କରେ ନାହିଁ ।” ଶ୍ରୀମୟୀ ଏଭଳି ଲେଖି କାହାକୁ କ’ଣ କଟାକ୍ଷ ଓ ଇସାରା ଦେବାକୁ ଚାହିଁଛନ୍ତି ତାହା ଜଣାପଡ଼ିନି । ମାତ୍ର ସୋସିଆଲ ମିଡିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରଫୁଲ୍ଲ ମଲ୍ଲିକ, ଭୂପିନ୍ଦର ଓ ଶଶୀ ବେହେରାଙ୍କୁ ଆଜିର ବୈଠକକୁ ଡକାଯାଇନଥିବା ସୂଚନା ମିଳିଛି ।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe