ଧୃତରାଷ୍ଟ୍ର ପାଲଟିଛନ୍ତି ନବୀନ, ଅସହାୟତା ଜଳଜଳ: ନିୟନ୍ତ୍ରଣରେ ନାହିଁ ଦଳ, ନିଜ ନେତ୍ରୀଙ୍କୁ ବି ଦେଇପାରିଲେନି ସୁରକ୍ଷା

ଦଳର ବିଭିନ୍ନ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ନେତାମାନଙ୍କ ମଧ୍ୟରେ ତୁତୁମେମେ ଓ ହାତାହାତି ଭଳି ପରିସ୍ଥିତି ଥମିବାର ନାଁ ଧରୁନଥିବାବେଳେ ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀ ସିଧାସଳଖ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସୋସିଆଲ ମିଡିଆରେ ଅପିଲ୍ କଲେଣି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Friday, 04 October 2024
  • , Updated: 04 October 2024, 03:59 PM IST

ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରଠୁ ସତେ ଯେମିତି ବିଜେଡି ଲଗାମଛଡ଼ା ହୋଇପଡ଼ିଛି । ଦଳରେ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି, ଆଉ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସହାୟତା ଜଳଜଳ ଦିଶିଲାଣି । ଧୃତରାଷ୍ଟ୍ରଙ୍କ ଭଳି ନବୀନ ନିବାସରେ ବସି ରହି ନବୀନ ଦଳକୁ ଖୋଲାଖୋଲି ଭାବେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ହାତରେ ଟେକି ଦେବାର କରୁଣ ପରିଣତି ବି ପୁଣିଥରେ ପ୍ରମାଣିତ ହୋଇଛି । ଦଳର ବିଭିନ୍ନ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ନେତାମାନଙ୍କ ମଧ୍ୟରେ ତୁତୁମେମେ ଓ ହାତାହାତି ଭଳି ପରିସ୍ଥିତି ଥମିବାର ନାଁ ଧରୁନଥିବାବେଳେ ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀ ସିଧାସଳଖ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ସୋସିଆଲ ମିଡିଆରେ ଅପିଲ୍ କଲେଣି । ମହିଳାଙ୍କ ସୁରକ୍ଷା ଓ ସ୍ୱାର୍ଥରକ୍ଷାର ଡିଣ୍ଡିମ ପିଟୁଥିବା ବିଜେଡି ଏବେ ନିଜ ଦଳର ନେତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି, ଆଉ ନବୀନ ପଟ୍ଟନାୟକ ସବୁଜାଣି ମଧ୍ୟ ଅନ୍ଧ ଧୃତରାଷ୍ଟ୍ରଙ୍କ ଭଳି ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି । ନାରୀ ଜାତିର ସୀମା କ’ଣ ତାହା ବିଜେଡିର ଓକିଲାତି କରୁଥିବା ସୁର ନିର୍ଦ୍ଧାରଣ କରିବେ କି ନା ସୁରଙ୍କୁ ଉପଯୋଗ କରି ବିଜେଡି ନାରୀଜାତିଙ୍କ ଉପରେ ନିଜର ନିର୍ବାଚନ ହାରିବାର ପ୍ରତିଶୋଧ ନେଉଛି  ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ବିଜେଡିରେ ଏବେ କିଛି ବି ନବୀନଙ୍କ ନିୟନ୍ତ୍ରଣରେ ନଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଦଳର ଖୋର୍ଦ୍ଧା ସାଂଗଠନିକ ଜିଲ୍ଲାର ସମୀକ୍ଷା ବୈଠକରେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଦୁର୍ବ୍ୟବହାର କରିବା ଘଟଣା ଥମିନଥିବାବେଳେ କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ସବୁ ଲକ୍ଷ୍ମଣରେଖା ଅତିକ୍ରମ କରି ବିଜେଡି କଳିରେ ନିଜକୁ ସାମିଲ କରିଛନ୍ତି । ଆଉ ଗଣମାଧ୍ୟମରେ ଶ୍ରୀମୟୀଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଓ କଟାକ୍ଷ କରିବା ସହ ଭୁବନେଶ୍ୱରରୁ ୩ଘଣ୍ଟା ମଧ୍ୟରେ ବିଦା କରିଦେବାର ଧମକ ଦେବା ଆଳରେ  ନାରୀଜାତି ସୀମା ଭିତରେ ନରହିଲେ ଶୁର୍ପଣଖା ଭଳି ନାକ-କାନ କାଟି ଛାଡ଼ିଦିଆଯିବ ବୋଲି ସୁର କହିବାକୁ ପଛାଇନାହାନ୍ତି । ସୁରଙ୍କ ଭଳି ଜଣେ ବରିଷ୍ଠ ନେତା ଦୀର୍ଘବର୍ଷ ଧରି ରାଜନୀତିରେ ରହି ନାରୀଙ୍କ ପ୍ରତି ଏଭଳି ଅତ୍ୟନ୍ତ ଅରୁଚିକର ଓ ମର୍ଯ୍ୟାଦାହାନି ଭଳି ଟିପ୍ପଣୀ ଦେବାକୁ ସାଧାରଣରେ ନାପସନ୍ଦ କରାଯାଉଥିଲେ ମଧ୍ୟ ବିଜେଡିର ନିରବତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି ।

ବିଜେଡିର ସାଂଗଠନିକ ବ୍ୟାପାରରେ ସୁର ଉପରେ ପଡ଼ି ସାମିଲ ହୋଇ ଏଭଳି କଟାକ୍ଷ ଓ ଚେତାବନୀ ଦେଇଥିଲେ ମଧ୍ୟ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆନଯିବା ପଛରେ ନବୀନଙ୍କ ଅସହାୟତା ରହିଥିବା ଜଳଜଳ ଦିଶିଲାଣି । ନାରୀଜାତିର ସୀମା କ’ଣ ତାହା କ’ଣ ସୁର ନିର୍ଦ୍ଧାରଣ କରିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକ ନିରବ ରହିବା ପଛରେ କ’ଣ ବାଧ୍ୟବାଧକତା ରହିଛି ତାହା ବି ସନ୍ଦେହଘେର । ସୁରଙ୍କ ସହ କେଉଁ ଗୋପନ ବୁଝାମଣା ନବୀନଙ୍କୁ ଏବେ ସର୍ବସାଧାରଣରେ ନିଜ ଦଳୀୟ ନେତ୍ରୀଙ୍କ ଚରିତ୍ରହନନ ଓ ନାରୀ ଜାତି ପ୍ରତି ଅସମ୍ମାନ’କୁ ହଜମ କରାଇବାକୁ ବାଧ୍ୟ କରିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଯେଉଁ ଦଳ ଦୀର୍ଘ ୨୪ବର୍ଷ ଧରି ମହିଳାଙ୍କ ସମ୍ମାନ ଓ ସ୍ୱାର୍ଥ କଥା କହି କେବଳ ଭୋଟ୍ ରାଜନୀତି କରୁଥିଲା ସେହି ଦଳ ନିଜର ନେତ୍ରୀଙ୍କ ପ୍ରତି ଏଭଳି ଅଶାଳୀନ ଟୀକାଟିପ୍ପଣୀ ଏବଂ ସମଗ୍ର ନାରୀଜାତି ସୀମା ଭିତରେ ନରହିଲେ ନାକ କାନ କାଟି ଛାଡ଼ିଦିଆଯିବ ବୋଲି କହିବାକୁ କିଭଳି ହଜମ କରୁଛି ତାହା ହିଁ ବିଜେଡିର ଅସଲ ଚିତ୍ର ଓ ଚରିତ୍ରକୁ ଏବେ ପଦାରେ ପକାଇ ଦେଇଛି । ୩୬ଘଣ୍ଟା ପରେ ମଧ୍ୟ ମହିଳାଙ୍କ ପାଇଁ କଥାକଥାରେ ଦରଦ ଦେଖାଉଥିବା ବିଜେଡି ସୁରଙ୍କ ଟିପ୍ପଣୀକୁ ନେଇ ପ୍ରତିକ୍ରିୟାଟିଏ ବି ରଖିନି ।

ଏପଟେ ବିଜେଡି ଓ ନବୀନଙ୍କ ନିରବତା ମଧ୍ୟରେ ଶ୍ରୀମୟୀ ସୋସିଆଲ ମିଡିଆ ମାଧ୍ୟମରେ ନିଜର ଲଢ଼େଇ ନିଜେ ଜାରି ରଖିଛନ୍ତି । “ଆଜି ରାମ ଓ ଶୁର୍ପଣଖା କଥା ଉଠିଲାଣି । କାଲି ରାବଣ, ସୀତାଙ୍କୁ ବି ଅପହରଣ କରିପାରେ । ଯଦି କିଛି କ୍ଷତି ହୁଏ, ତେବେ ଧମକ ଦେଉଥିବା ଲୋକେ ଦାୟୀ ରହିବେ । ନାରୀ ଏବେ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅବଶ୍ୟ ଶ୍ରୀମୟୀ ଏକା ନିଜ ଲଢ଼େଇ ନିଜେ ଲଢ଼ିବା ପଛରେ ନବୀନଙ୍କ ନେତୃତ୍ୱର ଅପାରଗତା ଓ ଅସହାୟତାର ପ୍ରମାଣ ମିଳିଲାଣି । ନିଜର ୨୮ବର୍ଷର ରାଜନୀତିକ କ୍ୟାରିୟରରେ ନବୀନ ନିଜେ କିଛି ଚିନ୍ତା କରି କୌଣସି ଗୋଟିଏ ବି ଗୁରୁତ୍ୱପୂର୍ଣ୍ଣ ଆଖିଦୃଶିଆ ନିଷ୍ପତ୍ତି ନେଇନଥିବା ବିଜେଡି ମହଲରେ ଚର୍ଚ୍ଚା ହୁଏ । କାରଣ ୨୪ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳର ପ୍ରଥମାର୍ଦ୍ଧରେ ପ୍ୟାରୀ ମହାପାତ୍ର ଓ ପରବର୍ତ୍ତୀ ସମୟରେ ଭିକେ ପାଣ୍ଡିଆନ ସବୁକିଛି ନିଷ୍ପତ୍ତି ନେଇଛନ୍ତି ଯାହାର ଶ୍ରେୟ ନବୀନଙ୍କ ନାଁରେ ହିଁ ଯାଇଛି । ଆଉ ନବୀନ ନିଜେ ଯେଉଁ ଗୋଟିଏ ନିଷ୍ପତ୍ତି(ଅଘୋଷିତ ଭାବେ ପାଣ୍ଡିଆନଙ୍କୁ ନିଜର ଉତ୍ତରାଧିକାରୀ କରିବା) ନେଇଥିଲେ ତାହା ତାଙ୍କୁ ବୁମେରାଂ ହେଲା । ଦଳକୁ କ୍ଷମତାରୁ ହଟିବାକୁ ପଡ଼ିଲା । ଆଉ ପାଣ୍ଡିଆନଙ୍କୁ ମଧ୍ୟ ଦଳୀୟ କର୍ମୀ-ନେତାଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିବାକୁ ପଡ଼ିଲା । ତେବେ ଏସବୁ ପରେ ମଧ୍ୟ ନବୀନ ଅସହାୟ ହୋଇ ପାଣ୍ଡିଆନ ଭରସାରେ ଥିବାରୁ କୋଟିଏ ସଦସ୍ୟଙ୍କ ଦଳ ‘ମହିଳା ସୁରକ୍ଷା ଓ ସମ୍ମାନ’କୁ ନେଇ ମୁହଁ ଖୋଲିପାରୁନଥିବା ଚର୍ଚ୍ଚା ହେଉଛି ।

Related story