ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁବିଧାବାଦୀ ରାଜନୀତିକୁ ଆୟୁଧ କରି ରାଜ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବିଜେଡି ଏବେ ନିଜର ଗଡ଼କୁ ସୁଦୃଢ଼ କରିବା ପାଇଁ ତତ୍ପର ହୋଇପଡ଼ିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ବିଜେଡିକୁ କଟୁ ସମାଲୋଚନା ଓ ବିଜେପି ସଂଗଠନକୁ ରାଜ୍ୟବ୍ୟାପୀ ସୁଦୃଢ଼ କରିବା ପାଇଁ ରଣନୀତି ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।
ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱଙ୍କ ଏଭଳି କଠୋର ଆଭିମୁଖ୍ୟ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିଥିବାବେଳେ ବିଜେଡିକୁ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଅଧିକ ବ୍ୟାପକ କରିବା ପାଇଁ ବାଧ୍ୟ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅପରାହ୍ନ ୫ଟାବେଳେ ଦଳର ସମସ୍ତ ସାଂଗଠନିକ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଇଛନ୍ତି।
ମୁଖ୍ୟତଃ ଦଳର ପଦଯାତ୍ରା, ମହିଳା ସମାବେଶ, ୱାର୍ଡ କମିଟି ଗଠନ, ହାଉସ୍ ଟ୍ୟାଗିଙ୍ଗ ଆଦି ସମ୍ପର୍କରେ ଦଳର ନେତାମାନଙ୍କ ସହ ଆଲୋଚନା ହେବ।ଏହା ସହିତ ବିଜେପିର ପରିବର୍ତ୍ତିତ ଆଭିମୁଖ୍ୟ ମଧ୍ୟରେ ଦଳୀୟ ସଂଗଠନକୁ ସୁଦୃଢ଼ ରଖିବା ପାଇଁ ଅନ୍ୟ କ’ଣ ସବୁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ବିଜେଡି ସୁପ୍ରିମୋ ଦଳର ନେତାମାନଙ୍କଠୁ ମତାମତ ଲୋଡ଼ିବେ ବୋଲି ଜଣାପଡ଼ିଛି।
ବିଜେପି ଏବେ ୬୦ହଜାର ମହିଳା ଶକ୍ତିକେନ୍ଦ୍ର ଓ ୩୦ହଜାର ୱାର୍ଡ କମିଟି ମାଧ୍ୟମରେ ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ବିଜେଡି ଏସବୁ କ୍ଷେତ୍ରରେ ପଛରେ ପଡ଼ିଛି।ତେଣୁ ଗାଁ ଗହଳିରେ ବିଜେପିର ପ୍ରଭାବକୁ ବିଜେଡି କିଭଳି ରୋକିବ ସେଥିପାଇଁ ନେତାମାନଙ୍କୁ ନବୀନ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।
ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ,କଂଗ୍ରେସର ସାଙ୍ଗଠନିକ ପୁନରୁଦ୍ଧାର ଓ କ୍ଷମତାବିରୋଧୀ ହାୱା ମଧ୍ୟରେ ଆଗାମୀ ନିର୍ବାଚନରେ ଆଶାନୁରୂପ ସିଟ୍ ଜିତିବା ବିଜେଡି ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ପ୍ରସଙ୍ଗରେ ବିଚାରବିମର୍ଶ ନିମନ୍ତେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡକାଯାଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।