Advertisment

ଭୁବନେଶ୍ୱରରେ ଅଢ଼େଇ ଘଂଟା ରୋଡ୍ ଶୋ’ କଲେ ନବୀନ: ସାଂସଦ କି ବିଧାୟକ ପ୍ରାର୍ଥୀଙ୍କୁ ନିଜ ଗାଡ଼ିରେ ନେଲେନି

ନବୀନ ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ୪୦ମିନିଟ୍ ବିଳମ୍ବରେ ଗଙ୍ଗନଗର ଛକରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ

ଅଦ୍ୟତନ ହୋଇଛି
BJD

BJD

Advertisment

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ରୋଡ୍ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । କିନ୍ତୁ ଦଳର ସାଂସଦ କିମ୍ବା ବିଧାୟକ ପ୍ରାର୍ଥୀଙ୍କୁ ନିଜ ଗାଡ଼ିରେ ବସାଇ ନଥିଲେ କିମ୍ବା ସେମାନଙ୍କୁ ନିଜ ଗାଡ଼ିରେ ଚଢ଼ିବାକୁ ବି ସୁଯୋଗ ଦେଇନଥିଲେ । ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ବଦଳରେ ନବୀନଙ୍କ ଗାଡ଼ି(ସ୍ୱତନ୍ତ୍ର ବସ୍‌)ରେ କେବଳ ଭିକେ ପାଣ୍ଡିଆନ ଓ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳିଥିଲା । ନବୀନଙ୍କ ରୋଡ୍ ଶୋ’ରେ ଆଜି ବିଶେଷ ଜନଗହଳି ଦେଖିବାକୁ ମିଳିନଥିଲା । ରୋଡ୍ ଶୋ’ରେ ପ୍ରାର୍ଥୀମାନଙ୍କୁ ନିଜ ଗାଡ଼ିରେ ନବୁଲାଇବା ଓ ସାଧାରଣ ଲୋକଙ୍କ ମଧ୍ୟରେ ନବୀନଙ୍କୁ ଦେଖିବା ପାଇଁ ଉତ୍ସାହ ନରହିବା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ସୂଚନା ଅନୁସାରେ, ନବୀନ ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ୪୦ମିନିଟ୍ ବିଳମ୍ବରେ ଗଙ୍ଗନଗର ଛକରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ । ଶେଷ ମୁହୂର୍ତ୍ତରେ ନବୀନଙ୍କ ରୁଟ୍ ଚାର୍ଟରେ ପରିବର୍ତ୍ତନ ହୋଇଥିଲା । କଳିଙ୍ଗ ଷ୍ଟାଡ଼ିୟମ ଛକରୁ ନିକୋ ପାର୍କ ଓ ବାୟାବାବ ମଠ୍ ଲେନ୍ ଦେଇ ରୂପାଲି ଛକ ବଦଳରେ ନବୀନଙ୍କ ରୋଡ୍ ଶୋ’ ଜୟଦେବ ବିହାର-ଆଚାର୍ଯ୍ୟ ବିହାର ଓ ବାଣୀବିହାର ଦେଇ ରୂପାଲି ଛକକୁ ଆସିଥିଲା । ଏକ ଘଣ୍ଟା ବଦଳରେ ନବୀନଙ୍କ ରୋଡ୍ ଶୋ’ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା । ନବୀନଙ୍କ ରୋଡ୍ ଶୋ’ ଗଙ୍ଗନଗର ଛକରୁ ଏଲଆଇସି ଅଫିସ ଛକ-ଗୋପବନ୍ଧୁ ଛକ-୮ ନମ୍ବର ଡିଏଭି ସ୍କୁଲ ଛକ- ବେହେରା ସାହି ଛକ-କଳିଙ୍ଗ ଷ୍ଟାଡ଼ିୟମ ଛକ-ଜୟଦେବ ଛକ-ଆଚାର୍ଯ୍ୟ ବିହାର ଛକ-ବାଣୀବିହାର ଛକ-ସତ୍ୟନଗର- ମାଷ୍ଟରକ୍ୟାଣ୍ଟି -ରାଜମହଲ ଛକ ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଚାଲିଥିଲା । ବିଭିନ୍ନ ସ୍ଥାନରେ ନବୀନଙ୍କ ରୋଡ୍ ଶୋ’କୁ ଦଳୀୟ କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଥିଲେ । ନବୀନ କିଛି ସ୍ଥାନରେ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧନ କରି ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅପିଲ୍ କରିଥିଲେ । ଅଧିକାଂଶ ସ୍ଥାନରେ ନବୀନଙ୍କ ସହ ବିଜେଡି ନେତା ପାଣ୍ଡିଆନ ମଧ୍ୟ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ନବୀନଙ୍କ ଏହି ରୋଡ୍ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି ରହିଥିଲା । ବ୍ୟାପକ ପୁଲିସ ବନ୍ଦୋବସ୍ତ ମଧ୍ୟରେ ହୋଇଥିବା ନବୀନଙ୍କ ରୋଡ୍ ଶୋ’ରେ ସେଭଳି ଆଖିଦୃଶିଆ ଜନଗହଳି ନଥିଲା । ଯାହାକି ବିଜେଡି ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସେହିପରି ରୋଡ୍ ଶୋ’ରେ ନବୀନ ଓ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରୁଥିଲେ ମଧ୍ୟ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ନିଜ ଗାଡ଼ିକୁ ଚଢ଼ିବାକୁ ସୁଯୋଗ ଦେଇନଥିଲେ । ଯାହାକି ଆଜି ରାଜଧାନୀରେ ମୁଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ରୋଡ୍ ଶୋ’ କରିବାବେଳେ ଦଳୀୟ ପ୍ରାର୍ଥୀଙ୍କୁ ନିଜ ଗାଡ଼ିରେ ନେଇ ଭୋଟ୍ ମାଗୁଥିବାବେଳେ ନବୀନ ଦଳୀୟ ପ୍ରାର୍ଥୀଙ୍କୁ ଅଣଦେଖା କରିବାକୁ ସାଧାରଣ ଲୋକେ ସହଜରେ ହଜମ କରିପାରିନାହାନ୍ତି ।

Advertisment

ଚର୍ଚ୍ଚା ହେଉଛି, ଭୁବନେଶ୍ୱର ସେଂଟ୍ରାଲ ନିର୍ବାଚନମଣ୍ଡଳୀରେ ବିଜେଡି ତୁଳନାରେ ବିଜେପିର ପଲ୍ଲା ଭାରି ଥିବାରୁ ନବୀନ ଉଭୟ ପ୍ରାର୍ଥୀଙ୍କୁ ନିଜ ଗାଡ଼ିରେ ବୁଲାଇବାକୁ ଅନୁମତି ଦେଇନଥିଲେ ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe