Advertisment

Ecosystem Ready to Hijack BJD: ନବୀନ ଅସହାୟ, ବିଜେଡିକୁ ହାଇଜ୍ୟାକ୍ ପାଇଁ ଇକୋ-ସିଷ୍ଟମ ପ୍ରସ୍ତୁତ, ପାଣ୍ଡିଆନଙ୍କ ଗୁମର ଖୋଲିଲା ଯୁବ-ଛାତ୍ର କମିଟି

ବିଗତ ୮ମାସ ମଧ୍ୟରେ ସୁନିୟୋଜିତ ରଣନୀତିରେ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତା ଏବଂ ପାଣ୍ଡିଆନଙ୍କ ହାକିମାତିକୁ ପ୍ରଶ୍ନ କରିବାର ଆଶଙ୍କା ଥିବା ନେତାମାନଙ୍କୁ ବାଛି ବାଛି ଦଳରେ ଗୁରୁତ୍ୱହୀନ କରାଯାଉଥିବା ବିଜେଡି ମହଲରେ ଚର୍ଚ୍ଚା ।

author-image
Prakaash Sethi
Sujata-Pandian

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାଧ୍ୟବାଧକତା ଓ ବିବଶତା ଏବେ ୨୯ବର୍ଷର ଦଳକୁ ଗୃହଯୁଦ୍ଧ ଭିତରକୁ ଠେଲି ଦେଇଛି । ୨୦୨୪ ସାଧାରଣ ନିର୍ବାଚନରେ ସୁଚିନ୍ତିତ ରଣନୀତିରେ ଦଳକୁ କ୍ଷମତାଚ୍ୟୁତ କରିବା ପରେ ସମ୍ପୂର୍ଣ୍ଣ ହାଇଜ୍ୟାକ୍ କରିବା ନିମନ୍ତେ ଚାଲିଥିବା ଗୁପ୍ତ ଷଡ଼ଯନ୍ତ୍ର ଏବେ ପଦାରେ ପଡ଼ିଛି । ନବୀନଙ୍କ ବୟସାଧିକ୍ୟ ଅସହାୟତାର ସୁଯୋଗ ନେଇ ଆତ୍ମଘୋଷିତ ରାଜନୀତିକ ସନ୍ୟାସୀ ଭିକେ ପାଣ୍ଡିଆନ ଏବେ ପୂରା ବିଜେଡିକୁ ନିଜ କବଜାକୁ ନେବା ପାଇଁ ଏକ ଶକ୍ତଶାଳୀ ‘ଇକୋ-ସିଷ୍ଟମ’ ସହ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ଗତକାଲି ଘୋଷିତ ଛାତ୍ର ଓ ଯୁବ କମିଟି ଏବଂ ଗତ ମଇମାସରେ ଗଠିତ ଛାମୁଆ କମିଟି ଏହା ପ୍ରମାଣିତ କରାଇଛି । ବିଗତ ୮ମାସ ମଧ୍ୟରେ ସୁନିୟୋଜିତ ରଣନୀତିରେ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ନେତା ଏବଂ ପାଣ୍ଡିଆନଙ୍କ ହାକିମାତିକୁ ପ୍ରଶ୍ନ କରିବାର ଆଶଙ୍କା ଥିବା ନେତାମାନଙ୍କୁ ବାଛି ବାଛି ଦଳରେ ଗୁରୁତ୍ୱହୀନ କରାଯାଉଥିବା ବିଜେଡି ମହଲରେ ଚର୍ଚ୍ଚା ।

Advertisment

ବାଦ୍ ପଡ଼ିଲେ ୫୦ରୁ ଅଧିକ ଆଗଧାଡ଼ିର ନେତା, ଡ୍ରାଇଭର ବି ଉପସଭାପତି

ବିଜେଡିର ୧୬୦ଜଣିଆ ଯୁବ କମିଟି ଓ ୧୪୫ଜଣିଆ ଛାତ୍ର କମିଟି ରବିବାର ଘୋଷଣା ହୋଇଛି । ଆଉ କମିଟିରୁ ଦଳର ଆଗଧାଡ଼ିର ଅଧିକାଂଶ ଯୁବ ଓ ଛାତ୍ର ନେତାମାନଙ୍କୁ ବାଦ୍ ଦିଆଯାଇଛି,ଯେଉଁମାନେ କି ଦୀର୍ଘବର୍ଷ ଧରି ଦଳ ଓ ସଂଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ । 


ବିଜେଡି ସୂତ୍ର ଅନୁସାରେ, ଛାତ୍ର ଓ ଯୁବ କମିଟିର ସଭାପତିଙ୍କ ଉପସ୍ଥିତିରେ ପ୍ରତାପ ଜେନାଙ୍କ ମାମଲାତିରେ ପ୍ରସ୍ତୁତ ଏହି କର୍ମକର୍ତ୍ତା ତାଲିକା ନବୀନ ନିବାସକୁ ଦିଆଯାଇଥିଲା । ପ୍ରାୟ ଦୁଇମାସ ଧରି ପଡ଼ି ରହିବା ପରେ କର୍ମକର୍ତ୍ତା ତାଲିକା ଘୋଷଣା ହୋଇଛି । ପାଣ୍ଡିଆନଙ୍କ ଟିଭି ଓ ଖବରକାଗଜର ଦାୟିତ୍ୱରେ ଥିବା ଜଣେ ନେତା ଓ ନବୀନ ନିବାସରେ କାର୍ଯ୍ୟରତ ଜଣେ ସରକାରୀ କର୍ମଚାରୀ ମିଳିତ ଭାବେ ଏହି କମିଟିକୁ ଚୂଡ଼ାନ୍ତ କରିଛନ୍ତି । 

Advertisment

ନବୀନ ନିବାସରେ ‘ପାଣ୍ଡିଆନ ଗୋ ବ୍ୟାକ୍ ସ୍ଲୋଗାନ’ ପକାଇଥିବା , ଅବା ପାଣ୍ଡିଆନଙ୍କ ଖାସ୍ ମାନସ ମଙ୍ଗରାଜଙ୍କୁ ଶଙ୍ଖଭବନରେ ବିରୋଧ କରିଥିବା, ସମ୍ ହସ୍ପିଟାଲରେ ସୁଜାତା କାର୍ତ୍ତିକେୟନ ଓ ବିଜେଡି ନେତାଙ୍କ ଭିଡିଓକୁ ଭାଇରାଲ କରିଥିବା ଏବଂ ଗତ ସପ୍ତାହରେ ଝୁମୁକା ଫାର୍ମହାଉସରେ ପୂର୍ବତନ ବିଧାୟକମାନଙ୍କ ମେଳି ଓ ଭୋଜି ଦାୟିତ୍ୱରେ ଥିବା ଆଗଧାଡ଼ିର ଯୁବ-ଛାତ୍ର ନେତାମାନଙ୍କୁ ବାଛି ବାଛି ଦଳର କର୍ମକର୍ତ୍ତା କମିଟିରୁ ବାଦ୍ ଦିଆଯାଇଛି । 

ସାଂସଦ ଦେବାଶୀଷ ସାମନ୍ତରାୟ ଓ ପୂର୍ବତନ ଛାତ୍ର ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଅନୁଗତମାନଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇନାହିଁ । ରଶ୍ମୀରଞ୍ଜନ ଦାସ, ଧ୍ରୁତି ମାର୍ଥା, ତାରିଣୀ ପ୍ରସାଦ ନାୟକ, ସୋଲାର ମିଶ୍ର,ଅବିନାଶ ଠାକୁର, ସଞ୍ଜିବ ପୃଷ୍ଟି, ରାଜେଶରାଜ ସ୍ୱାଇଁ, ଅଭିଷେକ ବେହେରା, ନିଶିଥା ବିଶ୍ୱାଳ ଓ ରଶ୍ମୀରେଖା ମଲ୍ଲିକଙ୍କ ଭଳି ୫୦ରୁ ଊର୍ଦ୍ଧ୍ୱ ଆଗଧାଡ଼ିର ଦଳୀୟ ଯୁବ-ଛାତ୍ର ନେତାମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଏଭଳି ଏକଛତ୍ରବାଦୀ ନୀତି ଓ ଷଡ଼ଯନ୍ତ୍ର ଯୋଗୁଁ ଛାତ୍ର ନେତା ସୁମନ ବେହେରା, ସ୍ମୃତିରଞ୍ଜନ ପଣ୍ଡା, ଅନୁପମ ଶତପଥୀ,ସୋଭନ ମହାନ୍ତି, ଦେବାଶୀଷ ସ୍ୱାଇଁ,ରଣଜିତ୍ କୁମାର ଦାସ, ପୀୟୁଷ କୁମାର ନାୟକ, ଅଭିଳାଷ ମହାନ୍ତିଙ୍କ ଭଳି ଯୁବନେତାମାନେ ଖୋଲାଖୋଲି ବିଦ୍ରୋହ କରି ଇସ୍ତଫା ଦେବା ଆରମ୍ଭ କଲେଣି । ବାରୁଦ ଗଦାରେ ନିଆଁ ଲଗାଇଲା ଭଳି ଛାତ୍ର-ଯୁବ କମିଟିରେ ହାତ ମାରିବା ଏବେ ଦଳ ପାଇଁ ବିସ୍ଫୋରକ ପରିସ୍ଥିତିରେ ସୃଷ୍ଟି କରିଥିବା ଜଣାପଡ଼ିଛି ।

ଛାତ୍ର ବିଜେଡିର ନୂଆ କମିଟିକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବିଜେଡିର ବରିଷ୍ଠ ନେତାମାନଙ୍କୁ ଚକିତ କରିଛି। ନିଜର ଘରୋଇ ସହାୟକ ଓ ଡ୍ରାଇଭରଙ୍କୁ ବି ଦଳୀୟ କର୍ମକର୍ତ୍ତା ତାଲିକାରେ ରଖିବାରେ ଏହି ଛାମୁଆ ସଂଗଠନର ମୁଖିଆ ସକ୍ଷମ ହୋଇଥିବା ଜଣାପଡ଼ିଛି । ସଂଗଠନ ସହ ଜଡ଼ିତ ନଥିବା ଡ୍ରାଇଭର ଓ ଘରୋଇ ସହାୟକଙ୍କୁ ‘ଛାତ୍ର ଉପସଭାପତି’ ପଦବୀରେ ବସାଯାଇଛି ।

ବିଜେଡିର ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ ଏସମ୍ପର୍କରେ ଉଭୟ ପ୍ରତାପ ଜେନା ଓ ଦେବୀ ମିଶ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ତଥ୍ୟ ପଦାକୁ ଆସିଛି । ଭଦ୍ରକ ଭଣ୍ଡାରୀପୋଖରୀର ଜଣେ ମହିଳା ସରପଂଚଙ୍କ ପୁଅକୁ କଟକ କୋଟାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । କେବଳ ସେତିକି ନୁହେଁ ଯୁବ ଓ ଛାତ୍ର ସଂଗଠନରେ ଏଭଳି ବହୁ ଚେହେରାଙ୍କୁ ସାମିଲ କରାଯାଇଛି ଯେଉଁମାନଙ୍କର ଦକ୍ଷତା ଓ ନେତୃତ୍ୱ କେବଳ ଚାପଲୁସି ଓ ଗୋଡ଼ାଣିଆ ମଧ୍ୟରେ ସୀମିତ ବୋଲି ଚର୍ଚ୍ଚା ହେଉଛି ।

ସୁଜାତାଙ୍କ ରାଜନୀତିକ ଏଂଟ୍ରି ପାଇଁ ବଡ଼ ଷଡ଼ଯନ୍ତ୍ର?

ବିଜେଡି ସୂତ୍ର ଅନୁସାରେ, ରାଜନୀତିକ ସନ୍ୟାସ ନେବାର ଡ୍ରାମା କରି ପାଣ୍ଡିଆନ ଉଦ୍ଦେଶ୍ୟମୂଳକ ଭାବେ ବିଗତ ୧୮ ମାସ ଧରି ନବୀନଙ୍କୁ ବିବଶ କରାଇବା ସହ ବିଜେଡିକୁ ଦୁର୍ବଳ ନିମନ୍ତେ ଏକାଧିକ ପଦକ୍ଷେପ ନେବାରେ ସକ୍ଷମ ହୋଇଛନ୍ତି । ଭବିଷ୍ୟତରେ ପତ୍ନୀ ସୁଜାତାଙ୍କ ରାଜନୀତିକ ଏଂଟ୍ରିକୁ ବିରୋଧ ନହେବା ଉଦ୍ଦେଶ୍ୟରେ ସେ ଦଳର ବିଭିନ୍ନ କମିଟିରେ ତାଙ୍କର ବଶତା ସ୍ୱୀକାର କରୁଥିବା ନେତାମାନଙ୍କୁ ସାମିଲ କରାଇଛନ୍ତି । ଗତ ମେ’ମାସରେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ହେଉ ଅବା ୧୧ଟି ଛାମୁଆ ୱିଙ୍ଗ ଦାୟିତ୍ୱରେ ଦଳର ବରିଷ୍ଠ ନେତାଙ୍କୁ ଆବାହକ(ଉପସଭାପତି ପଦବୀ ନୁହେଁ ପାହ୍ୟାରେ) ଦେଇ ନିଜର ପ୍ରଥମ ଗୋଟିଚାଳନା କରିଥିଲେ । ଦଳର ବରିଷ୍ଠ ନେତାମାନେ ଏଭଳି ପଦବୀକୁ ନେଇ ସର୍ବସାଧାରଣରେ ଅପମାନିତ ହୋଇଥିଲେ ମଧ୍ୟ ପାଣ୍ଡିଆନଙ୍କୁ ଭୟରେ ମୁହଁ ଖୋଲିପାରିନଥିଲେ । ଅବଶ୍ୟ ଏସବୁ ଛାମୁଆ ୱିଙ୍ଗ ସହ ପିଏସି ଏବେବି କୋମାରେ ରହିଛି । 

ତା’ପରେ ଦଳର ମହିଳା ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣିଥରେ ଅବସ୍ଥାପିତ କରାଗଲା । ଯଦିଓ ୨୦୨୦ ମସିହାରୁ ସେ ଏହି ପଦବୀରେ ରହିଥିଲେ ଓ ତାଙ୍କର ଅପାରଗତା ଜାଣି ମଧ୍ୟ ତାଙ୍କୁ ପାଣ୍ଡିଆନ ଦମ୍ପତି ତାଙ୍କୁ ପୁଣିଥରେ ପୁରସ୍କୃତ କରିଥିଲେ । ଆଉ ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ଦଳର ନେତାମାନଙ୍କୁ ଚକମା ଦେଇ ଅନ୍ୟ ଜିଲ୍ଲାରୁ ସ୍ନେହାଙ୍ଗିନୀଙ୍କୁ ଆଣି ଦଳୀୟ ପ୍ରାର୍ଥୀ କଲେ ଓ ଦଳ ତୃତୀୟ ସ୍ଥାନରେ ରହିଲା । ସେହି କାରଣରୁ ସ୍ନେହାଙ୍ଗିନୀଙ୍କ ମାଧ୍ୟମରେ ଦଳର ଆଗଧାଡ଼ିର ନେତ୍ରୀମାନଙ୍କୁ ଏକଜୁଟ କରି ସୁଜାତାଙ୍କ ପାଇଁ ଲବି କରିବାକୁ ଗତ ସପ୍ତାହରେ ପ୍ରୟାସ କରିଥିଲେ ବୋଲି ଚର୍ଚ୍ଚା ହେଉଛି ।

କେବଳ ସେତିକି ନୁହେଁ, ଦଳ ପାଖରେ ୭୦୦କୋଟି ଟଙ୍କାରୁ ଅଧିକ ପାଣ୍ଠି ଥାଇ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ଓ ସଂଗଠନ ପରିଚାଳନା ନିମନ୍ତେ ବିଗତ ୧୮ମାସ ମଧ୍ୟରେ ଜିଲ୍ଲାଗୁଡ଼ିକୁ ଅତିବେଶୀରେ ୩ରୁ ୪ଲକ୍ଷ ଟଙ୍କା ଦିଆଯାଇଛି । ପାଣ୍ଡିଆନ ଜାଣିଶୁଣି ପାଣ୍ଠିକୁ ଚାପି ରଖି ଦଳୀୟ ନେତାମାନଙ୍କୁ ତାଙ୍କର ଆନୁଗତ୍ୟ ସ୍ୱୀକାର ପାଇଁ ବିବଶ କରୁଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଏସବୁ ଷଡ଼ଯନ୍ତ୍ର ପାଇଁ ବିଜେଡି ଏବେ ଏଭଳି ଏକ ବିସ୍ଫୋରକ ମୋଡ଼ରେ ଠିଆ ହୋଇଛି, ଯେଉଁଠି ଦଳକୁ ବଂଚାଇବା ଅପେକ୍ଷା ଜଣେ ‘ଅଘୋଷିତ ସର୍ବେସର୍ବା’ ନିଜ ଇକୋ ସିଷ୍ଟମ ବଂଚାଇ ପତ୍ନୀଙ୍କୁ ଦଳର ନେତୃତ୍ୱ ଟେକି ଦେବା ଉପରେ ବେଶୀ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।

ନବୀନଙ୍କ ‘ବିକଳ୍ପ’ ଭାବିଲେ, ଜନତା ପ୍ରତ୍ୟାଖ୍ୟାନ କଲେ

ବିଜେଡି ବିଧାୟକ ବଦ୍ରି ପାତ୍ର ଆଜି ପୁଣିଥରେ ପାଣ୍ଡିଆନଙ୍କ ନାଁ ନନେଇ ବର୍ଷିଛନ୍ତି । ଯେଉଁମାନେ ହେଲିକପ୍ଟରରେ ବୁଲିଲେ ଓ ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନଙ୍କ ବିକଳ୍ପ ବୋଲି ଭାବିଲେ ତାହା ଦଳ ପାଇଁ କାଳ ହେଲା । ଏହି ନେତାମାନେ ନବୀନଙ୍କ ଭଳି ଅଭିନୟ କରିବାକୁ ଚେଷ୍ଟା କଲେ, ଯେଉଁଥିପାଇଁ ଲୋକେ ନବୀନଙ୍କୁ ଖୋଜିଲେ ଓ ‘ନବୀନ ନାହିଁ ତ ଭୋଟ ନାହିଁ’ ବୋଲି ସ୍ପଷ୍ଟ କରିଦେଲେ ।  ଏହି ନେତାମାନେ ହିଁ ଦଳକୁ ଦୁର୍ବଳ କରିଛନ୍ତି ।  ସେହିପରି ଦଳର ବରିଷ୍ଠ ସାଂସଦ ଦେବାଶୀଷ ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିସାରିଛନ୍ତି, ସେ ହିଁ ଏବେ ବିଜେଡିର ସବୁ ନିଷ୍ପତ୍ତି ନେଉଛନ୍ତି ।