ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିରେ ଉଠିଥିବା ଝଡ଼ ଥମିବା ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଛି । ନବୀନ ପଟ୍ଟନାୟକଙ୍କ ବିଜେଡିରେ ଦଳର ସାଂସଦମାନେ ଏବେ ନବୀନଙ୍କ ପରିବର୍ତ୍ତେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ୱକଫ୍ ବିଲକୁ ନେଇ ପାଣ୍ଡିଆନଙ୍କ ସନ୍ଦେହଜନକ ଭୂମିକା ପାଇଁ ଦଳୀୟ କର୍ମୀମାନେ ନବୀନ ନିବାସରେ ସୋମବାର ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବା ପରେ ଚିହିଁକି ଉଠିଛନ୍ତି ଦଳର ୪ଜଣ ରାଜ୍ୟସଭା ସାଂସଦ। ଏହି ସାଂସଦମାନେ ସୋଶାଲ ମିଡିଆ ମାଧ୍ୟମରେ ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଦଳର ସବୁ ନିଷ୍ପତ୍ତି ନବୀନ ନିଅନ୍ତି ବୋଲି କହି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ପ୍ରୟାସ କରିଛନ୍ତି ।
ତେବେ ରବିବାର ନବୀନଙ୍କୁ ‘ଚୁପ୍ ସୈତାନ’ କହି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ କଡ଼ା ସମାଲୋଚନା କରିଥିଲେ ମଧ୍ୟ ଏହି ସାଂସଦମାନେ ମୁହଁ ଖୋଲି ନଥିଲେ । ମାତ୍ର ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା ଦଳରେ ଏବେ ନବୀନ ସମର୍ଥକ ବନାମ ପାଣ୍ଡିଆନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଥିବା ଜଣାପଡ଼ିଛି । ଆଉ ଏହି ଗୋଳିଆ ପରିସ୍ଥିତିରୁ ନିଜର ରାଜନୀତିକ ଫାଇଦା ନେବା ପାଇଁ ଅନ୍ୟତମ ନେତା ପ୍ରଣବପ୍ରକାଶ ଦାସ ଓରଫ ବବି ‘ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା’ ଭଳି ଦୋମୁହାଁ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି । ବିଗତ କିଛିମାସ ଧରି ନବୀନଙ୍କ ଚରିତ୍ର ସଂହାରଠୁ ଆରମ୍ଭ କରି ତାଙ୍କୁ କଡ଼ା ସମାଲୋଚନା ହେଉଥିଲେ ମଧ୍ୟ ଦଳର ନେତାମାନେ ନିରବ ରହୁଛନ୍ତି । ମାତ୍ର ପାଣ୍ଡିଆନଙ୍କୁ କେହି ସମାଲୋଚନା କଲେ ଦଳର ନେତାମାନେ ଚିହିଁକି ଉଠି ତା’ର ଜବାବ ଦେବାକୁ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳୁଛି।
କାହିଁକି ଆଗକୁ ଆସିଲେ ୪ ସାଂସଦ?
‘ପାଣ୍ଡିଆନ ଗୋ-ବ୍ୟାକ’ ନାରା ପରେ ଦଳର ୪ଜଣ ରାଜ୍ୟସଭା ସାଂସଦ ଆଗକୁ ଆସି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ପ୍ରୟାସ କରିଛନ୍ତି । ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଶୁଭାଶିଷ ଖୁଂଟିଆ, ସନାତନ ବିଶି ଓ ସୁଲତା ଦେଓ ଖୋଲାଖୋଲି ଭାବେ ୱକଫ୍ ବିଲ୍ ପ୍ରସଙ୍ଗରେ ଦଳ ଯାହା ନିଷ୍ପତ୍ତି ନେଇଥିଲା ତାହା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଥିଲା ବୋଲି କହିବା ସହ ନିଜର ସହକର୍ମୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପାଣ୍ଡିଆନ ବିରୋଧୀ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସୋସିଆଲ ମିଡିଆରେ ମାନସ,ସନାତନ, ଶୁଭାଶିଷ ଓ ସୁଲତା ସିଧାସଳଖ ଦଳର ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବ୍ୟକ୍ତିଗତସ୍ତରରେ ସମାଲୋଚନା କରିବାକୁ ପଛାଇନାହାନ୍ତି । ପାଣ୍ଡିଆନ ୧୦ମାସ ହେଲା ରାଜନୀତିକ କାର୍ଯ୍ୟରେ ନାହାନ୍ତି ବୋଲି ଶ୍ରୀମଙ୍ଗରାଜ କହିବା ସହ ତାଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରିଥିବାବେଳେ ସବୁକିଛି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିରେ ହେଉଛି କହିଛନ୍ତି । ଶୁଭାଶିଷ ଓ ମାନସ ଉଭୟ ୱକଫ୍ ବିଲ୍ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେଇଥିବା କହି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି ।
ରାଜ୍ୟସଭା ପାଇଁ ଦଳରେ ସଂଖ୍ୟାଧିକ ଯୋଗ୍ୟ ନେତା ଥିଲେ ମଧ୍ୟ ନିଜର ଚାଟୁକାରିତା ନିମନ୍ତେ ପାଣ୍ଡିଆନ ସେତେବେଳେ ମାନସ, ଶୁଭାଶିଷ ଓ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାକୁ ସାଂସଦ କରି ପଠାଇଥିଲେ । ବବି ନିଜର ପତିଆରା ଦେଖାଇବାକୁ ସୁଲତାଙ୍କୁ ଏବଂ ତତକାଳୀନ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ପାଣ୍ଡିଆନଙ୍କୁ ପ୍ରଭାବିତ କରି ସନାତନ ବିଶିଙ୍କୁ ରାଜ୍ୟସଭା ପଠାଇବାରେ ସକ୍ଷମ ହୋଇଥିଲେ । ମୁନ୍ନା ଖାନ ଓ ଦେବାଶିଷ ହେଉଛନ୍ତି ଦଳର ପୁରୁଖା ନେତା ଓ ନବୀନଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ପ୍ରାର୍ଥୀ ବୋଲି ଚର୍ଚ୍ଚା ହୁଏ।
ପାଣ୍ଡିଆନ ଗୋ-ବ୍ୟାକ୍ ନାରା ପଛରେ ବବି
ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାନ୍ ସୋମବାର ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁନ୍ନା ଖାନଙ୍କ ସହ ଦଳର ସଂଖ୍ୟାଲଘୁ ଗୋଷ୍ଠୀର କିଛି କର୍ମୀଙ୍କୁ ନବୀନ ନିବାସ ଯିବା ପାଇଁ ଅନୁମତି ମିଳିଥିଲା । ସଂଖ୍ୟାଲଘୁ ସମୁଦାୟ ପ୍ରତି ବିଜେଡିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନି ବୋଲି ପ୍ରତିଶ୍ରୁତି ଦେବା ସହ ୱକଫ୍ ବିଲ୍ ପ୍ରସଙ୍ଗରେ ରାଜ୍ୟସଭାରେ ଯାହା ହୋଇଛି ତାକୁ ଅନୁଧ୍ୟାନ କରିବେ ବୋଲି ନବୀନ କହିଥିଲେ । ଯାହାକୁ ସେଠାରେ ଥିବା ଦଳୀୟ କର୍ମୀ ଓ ନେତାମାନେ ସ୍ୱାଗତ କରିଥିଲେ । ମୁନ୍ନା ଖାନ ଓ ଶତାଧିକ କର୍ମୀ ନବୀନଙ୍କୁ ଭେଟିବାବେଳେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ଉପସ୍ଥିତ ରହିଥିଲେ । ଏହି ଭେଟଘାଟ ପରେ ନବୀନ ଭିତରକୁ ଚାଲି ଯାଇଥିଲେ ଓ କର୍ମୀମାନେ ଫେରିବାବେଳେ ନବୀନ ନିବାସ ପରିସରରେ ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେଇଥିଲେ ।
ଚର୍ଚ୍ଚା ହେଉଛି, ମୁନ୍ନା ଖାନଙ୍କ ସହ ନବୀନ ନିବାସ ଯାଇଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପ୍ରଣବପ୍ରକାଶ ଦାସ ଓରଫ ବବି ଏବଂ ତାଙ୍କ ଅନୁଗତ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓରଫ ଟୁବୁଙ୍କ ସମର୍ଥକ । ଏହି ସମର୍ଥକମାନଙ୍କୁ ସୁଚିନ୍ତିତ ଢଙ୍ଗରେ ‘ପାଣ୍ଡିଆନ ଗୋ-ବ୍ୟାକ୍’ ନାରା ଦେବାକୁ କୁହାଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ୱକଫ୍ ବିଲ୍ ପ୍ରସଙ୍ଗକୁ ନେଇ ନେତାମାନେ ଗତ ୨-୩ଦିନ ଧରି ହୋ-ହାଲ୍ଲା କରୁଥିଲେ ମଧ୍ୟ ନବୀନ ଦୂରେଇ ରହି ସ୍ଥିତିକୁ ଅନୁଧ୍ୟାନ କରୁଥିବାବେଳେ ଆଜି ନବୀନ ନିବାସକୁ ଏଭଳି ଶତାଧିକ କର୍ମୀଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ପଛରେ ‘ପାଣ୍ଡିଆନବିରୋଧୀ ସ୍ଲୋଗାନ’କୁ ଶାଣିତ ନିମନ୍ତେ ଯୋଜନା ହୋଇଥିଲା । ଏପରିକି ‘ପାଣ୍ଡିଆନ ହଟାଅ, ବିଜେଡି ବଂଚାଅ’ ବ୍ୟାନର ଧରି ଦଳର କିଛି ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଆଉ ଏସବୁ ପଛରେ ଦଳର ପାଣ୍ଠି କଥା ବୁଝୁଥିବା ବବିଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ଖାସ୍ ଭାବେ ବବି ନିଜେ ‘ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା’ ଭୂମିକାରେ ଅବତୀର୍ଣ୍ଣ ହେବା ସହ ମାପିଚୁପି ଗୋଟିଚାଳନା କରୁଥିବା ଜଣାପଡ଼ିଛି ।
ଦଳର ବୃହତ୍ ଗୋଷ୍ଠୀ ‘ପାଣ୍ଡିଆନ ହଟାଅ’ ପାଇଁ ଦାବି କରୁଥିବାବେଳେ ୭ଜଣ ସାଂସଦଙ୍କ ମଧ୍ୟରୁ ୪ଜଣ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ସପକ୍ଷରେ ଆଗକୁ ଆସିବା ଏବେ ବିଜେଡି ରାଜନୀତିକୁ ଅଧିକ ଜଟଳି କରିଦେଇଛି । ନବୀନ ଓ ପାଣ୍ଡିଆନ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପାଣ୍ଡିଆନଙ୍କ ପାଖରେ ଦଳର ପାଣ୍ଠି ରହିଥିବା ଓ ନବୀନଙ୍କୁ ସେ ନିଜ ନିୟନ୍ତ୍ରଣରେ ରଖିଥିବାରୁ ଚତୁର ବବି ଏହି ଗୋଳିଆପାଣିରୁ ଫାଇଦା ନେବାକୁ ଚାହିଁ ରହିଛନ୍ତି । ପାଣ୍ଡିଆନସିଣ୍ଡୋମରେ ପୀଡ଼ିତ ବବି ଏବେ ନିଜସ୍ୱ ପରିଚୟ ଖୋଜିବା ଓ ଦଳର ବୃହତ୍ ଗୋଷ୍ଠୀର ଆକ୍ରୋଶରୁ ବର୍ତ୍ତିବା ପାଇଁ ‘ଡାହାଣୀ ଓ ଗୁଣିଆ’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆଉ ଦୀର୍ଘ ଅଢ଼େଇ ଦଶନ୍ଧି ପରେ ନବୀନଙ୍କୁ ପ୍ରଥମଥର ପାଇଁ ନିଜ ଦଳ ଭିତରେ ଏଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି । ନବୀନଙ୍କ ଅସହାୟତା ଜଳଜଳ ହୋଇ ଦିଶୁଥିବାବେଳେ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛନ୍ତି ନା ଦଳୀୟ ନେତାଙ୍କ କଥାକୁ ବୁଝି କାହା ବିରୁଦ୍ଧରେ ଆକ୍ସନ ନେଇପାରୁଛନ୍ତି ନା ପାଣ୍ଡିଆନଙ୍କୁ ବିଦା କରିପାରୁଛନ୍ତି । ନବୀନଙ୍କ ଏଭଳି ଅସହାୟତା ହିଁ ବିଜେଡିକୁ ବିଭାଜନ ଆଡ଼େ ଟାଣି ନେଉଛି ବୋଲି ଚର୍ଚ୍ଚା ଜୋର ଧରିଛି।