Advertisment

ତାମିଲନାଡୁରେ ନବୀନ: କ’ଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ?

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Naveen And Pandian

Naveen And Pandian

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଚାନକ ତାମିଲନାଡୁ ଗସ୍ତକୁ ନେଇ ଓଡ଼ିଶାରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ଗତ ସପ୍ତାହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ବୈଠକରେ ବିଜେଡିର ଦୁଇଜଣ ପ୍ରତିନିଧି ଯୋଗ ଦେଇ ଫେରିବାପରେ ଶୁକ୍ରବାର ନବୀନ ନିଜେ ତାମିଲନାଡୁ ଗସ୍ତରେ ଯିବା ପଛରେ କ’ଣ ରହସ୍ୟ ତାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି । ନବୀନଙ୍କ ତାମିଲନାଡୁ ଗସ୍ତକୁ ନେଇ ତାଙ୍କ ଦଳ ବିଜେଡି ଅସମ୍ଭବ ନିରବତା ଅବଲମ୍ବନ କରିଥିବାବେଳେ ନବୀନ ଓ ତାଙ୍କ ଖାସ୍ ଭିକେ ପାଣ୍ଡିଆନଙ୍କୁ ତାମିଲନାଡୁର କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିଜେଡିର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ କାହିଁକି ସମସ୍ତଙ୍କ ନଜର ଆଢ଼ୁଆଳରେ ନବୀନଙ୍କୁ ତାମିଲନାଡୁ ନେଇଛନ୍ତି ଓ ସମସ୍ତ କଥାକୁ ଗୋପନ ରଖିବାକୁ ଚାହୁଁଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ନବୀନଙ୍କୁ ସୁଚିନ୍ତିତ ଢଙ୍ଗରେ ନବୀନ ନିବାସ ମଧ୍ୟରେ ରଖି କାହାରିକୁ ସାକ୍ଷାତ ପାଇଁ ସୁଯୋଗ ଦେଇନଥିବା ପାଣ୍ଡିଆନ ଏବେବି ତାଙ୍କୁ ଲୁଚାଇ ରଖିବାକୁ କାହିଁକି ବ୍ୟଗ୍ର ଓ ଏହାପଛରେ କ’ଣ ରହସ୍ୟ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

କୋଏମ୍ବାଟୁର ବିମାନ ବନ୍ଦରରେ ନବୀନ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ନବୀନ ଶୁକ୍ରବାର କୋଚିରୁ କୋଏମ୍ବାଟୁର ଦେଇ ଦିଲ୍ଲୀ ଫେରିଛନ୍ତି । ଶନିବାର କିମ୍ବା ରବିବାର ଭୁବନେଶ୍ୱର ଫେରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ପାଣ୍ଡିଆନଙ୍କ ସସପେନ୍ସ, ବିଜେଡିକୁ କାଳ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମସ୍ତଙ୍କଠୁ ଦୂରରେ ରଖିବାର ପରିଣତି ବିଜେଡିକୁ ବେଶ୍ ମହଙ୍ଗା ପଡ଼ିସାରିଛି । ପାଣ୍ଡିଆନଙ୍କ କ୍ଷମତାଲୋଭ ଓ ନିଜକୁ ସର୍ବେସର୍ବା ଭାବେ ପ୍ରତିପାଦନ କରିବାର ନିଶା ଯୋଗୁ ଓଡ଼ିଶାରେ ବିଜେଡିର ୨୪ବର୍ଷର ଶାସନର ଅପ୍ରତ୍ୟାଶିତ ଅନ୍ତ ଘଟିଛି । ତଥାପି ପାଣ୍ଡିଆନ ଓ ବିଜେଡିର ଚେତା ପଶିନାହିଁ । ପାଣ୍ଡିଆନ ଏବେବି ନବୀନଙ୍କୁ ଓଡ଼ିଶାରେ ସମସ୍ତଙ୍କଠୁ ଦୂରେଇ ରଖିବା ସହ ତାଙ୍କୁ ନିୟନ୍ତ୍ରଣରେ ରଖିଥିବା ଚର୍ଚ୍ଚା ହେଉଛି । ୭୯ବର୍ଷୀୟ ନବୀନ ନିଜର ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟଗତ କାରଣରୁ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିବା କୁହାଯାଉଥିବାବେଳେ ଏହାର ସୁଯୋଗରେ ପାଣ୍ଡିଆନ ନିଜର ମନମାନି ଜାରି ରଖିଛନ୍ତି । ରାଜ୍ୟର ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ଏବେବି ରାଜ୍ୟରେ ଲୋକପ୍ରିୟ ରାଜନେତା । ତାଙ୍କ ସଂକ୍ରାନ୍ତରେ ଜାଣିବାର ସମସ୍ତ ଅଧିକାର ବି ରାଜ୍ୟବାସୀଙ୍କର ରହିଛି । କିନ୍ତୁ ପାଣ୍ଡିଆନ ଅଦୃଶ୍ୟ କାରଣରୁ ନବୀନଙ୍କ ସଂକ୍ରାନ୍ତରେ କୌଣସି ତଥ୍ୟ ସାର୍ବଜନୀନ କରାଉନାହାନ୍ତି । ଏହାପଛରେ ପାଣ୍ଡିଆନଙ୍କ କ’ଣ ଉଦ୍ଦେଶ୍ୟ ତାହା ଜଣାପଡ଼ିନଥିଲେ ମଧ୍ୟ ନବୀନଙ୍କୁ ନେଇ ସସପେନ୍ସ ଯୋଗୁ ଅନେକ ବିବାଦୀୟ କଥା ସାଧାରଣରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ପାଣ୍ଡିଆନଙ୍କ ଏଭଳି ଆଚରଣ ଏବେ ବିଜେଡି ପାଇଁ ଭସ୍ମାସୁର ସଦୃଶ ହେଲାଣି ।

Advertisment

ବେକରେ ଯନ୍ତ୍ରଣାର ଚିକିତ୍ସା କରିବେ ନବୀନ

ଦୀର୍ଘବର୍ଷ ଧରି ସ୍ପୋଣ୍ଡିଲୋସିସରେ ପୀଡ଼ିତ ନବୀନ ଏବେ ଅଧିକ ଯନ୍ତ୍ରଣା ଅନୁଭବ କରୁଥିବାରୁ କେରଳର ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ପାଇଁ କୋଚି  ଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ସେଠାରେ ଆବଶ୍ୟକ ପରୀକ୍ଷା ନିରୀକ୍ଷା କରି ନବୀନ ଭୁବନେଶ୍ୱର ଫେରିବେ । ତେବେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଏଭଳି ଗୋପନୀୟତା ଅବଲମ୍ବନ କାହିଁକି ବିଜେଡି ଓ ତା’ର ଅଘୋଷିତ ସର୍ବେସର୍ବ ପାଣ୍ଡିଆନ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ବୟସାଧିକ୍ୟ ଯୋଗୁ ଶରୀରରେ ସମସ୍ୟା ଦେଖାଦେବା ଏକ ସାଧାରଣ କଥା । ଏହା ସମସ୍ତଙ୍କ କ୍ଷେତ୍ରରେ ହେଉଛି । ଯଦି ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ସେଭଳି କୌଣସି ସମସ୍ୟାରେ ପୀଡ଼ିତ ଅଛନ୍ତି ଓ ତାଙ୍କୁ ରାଜ୍ୟ ବାହାରେ ଚିକିତ୍ସା ପାଇଁ ଯିବାକୁ ପଡ଼ୁଛି ତେବେ ସେସଂକ୍ରାନ୍ତରେ ତାଙ୍କର ଲକ୍ଷଲକ୍ଷ ସମର୍ଥକଙ୍କୁ ଜଣାଇବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ଉଠିଛି?

ପାଣ୍ଡିଆନ ଯୋଗୁ ପାରଦର୍ଶିତା ଆସୁନି

ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସୂଚନାକୁ ଲୁଚାଇ ରଖି ପାଣ୍ଡିଆନ ନିଜର କେଉଁ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ଚାହୁଁଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ ବିଗତ କିଛିବର୍ଷ ଧରି ପାଣ୍ଡିଆନଙ୍କ ଏଭଳି ଆଚରଣ ଯୋଗୁ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ନାନାଦି ଚର୍ଚ୍ଚା ଓ ଅପବାଦ ଲାଗି ରହିଛିା । ଏବେ ସେହି ପାଣ୍ଡିଆନଙ୍କ ଯୋଗୁ ନବୀନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସର୍ବସାଧାରଣରେ ପାରଦର୍ଶିତା ଆସିପାରୁନି । ଏବେବି ବିଜେଡି ସୁପ୍ରିମୋ ନବୀନଙ୍କୁ ଦଳର ନେତା ଓ ସାଧାରଣ ଲୋକଙ୍କ ସହ ଭେଟିବାର ସୁଯୋଗ ଦେଉନଥିବା ପାଣ୍ଡିଆନ ଏଭଳି ଗୋପନୀୟତା ଅବଲମ୍ବନ କରି ପୁଣିଥରେ ନୂଆ ନୂଆ ଅପଚର୍ଚ୍ଚାକୁ ଖୋରାକ୍ ଯୋଗାଉଥିବା ଜଣାପଡ଼ିଛି । ନବୀନ ଏବେ ରାଜ୍ୟର ବିରୋଧୀ ଦଳ ନେତା ଭାବେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ପାଉଛନ୍ତି । ମାତ୍ର ନବୀନଙ୍କ ତାମିଲନାଡୁ ଗସ୍ତ ନେଇ ସରକାରଙ୍କୁ ଅବଗତ କରାଯାଇଛି କି ନାହିଁ ତାହା ବି ସନ୍ଦେହଘେରରେ । ପାଣ୍ଡିଆନଙ୍କ ଏଭଳି ଆଚରଣ ବିଜେଡି ପାଇଁ କାଳ ହୋଇଥିବାବେଳେ ଦଳର ନେତାମାନେ ଏନେଇ ମୁହଁ ଖୋଲି ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିପାରିଲେ ହିଁ ସଂଗଠନ ତୃଣମୂଳସ୍ତରରେ ଅଧିକ ସଂଗଠିତ ଓ ବିଶ୍ୱସନୀୟତା ହାସଲ କରିପାରିବ ବୋଲି ସାଧାରଣରେ ଚର୍ଚ୍ଚା ।

Naveen Patnaik Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe