Advertisment

ନବୀନଙ୍କୁ ‘ପାଣ୍ଡିଆନ ସିଣ୍ଡ୍ରୋମ’ : ବର୍ଷିଲେ ରାଜା ସ୍ୱାଇଁ, ନବୀନ କହିଲେ ମୋଦି ଲହରୀ ଯୋଗୁ ବିଜେଡି ହାରିଲା

ବିଜେଡି ବିପର୍ଯ୍ୟୟର ପ୍ରକୃତ କାରଣ ସମ୍ପର୍କରେ ନବୀନ ଉଦ୍ଦେଶ୍ୟମୂଳକ ଭାବେ ଜାଣିବାକୁ ଚାହୁଁନାହାନ୍ତି।

ଅଦ୍ୟତନ ହୋଇଛି
Naveen patnaik

Naveen patnaik

Advertisment

୨୭ବର୍ଷର ଆଂଚଳିକ ଦଳ ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏବେ ‘ପାଣ୍ଡିଆନ ସିଣ୍ଡ୍ରୋମ’ ସମ୍ପୂର୍ଣ୍ଣ ଭାବେ କବଳିତ କରିଦେଇଛି । ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ଶୋଚନୀୟ ପରାଜୟ ସତ୍ତ୍ୱେ ଦଳର ଆତ୍ମଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ କିମ୍ବା ତାଙ୍କ ଟିମକୁ ଦୋଷ ଦେବାକୁ ସାହାସ ଜୁଟାଇ ପାରୁନାହାନ୍ତି ନବୀନ ପଟ୍ଟନାୟକ । ଓଲଟା ଆଜିର ବିଜେଡି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ଦଳର ବିପର୍ଯ୍ୟୟ ପାଇଁ ଯେଉଁସବୁ ବାସ୍ତବ ପ୍ରସଙ୍ଗକୁ ରେଖାଙ୍କିତ କଲେ ତାକୁ ନବୀନ ସିଧାସଳଖ ଫାଙ୍କି ଦେଇ ଓଡ଼ିଶାକୁ ନରେନ୍ଦ୍ର ମୋଦି ଲହରୀ ବିଳମ୍ବରେ ଆସିବାରୁ ବିଜେଡିକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ସଫେଇ ଦେଇଥିବା ଜଣାପଡ଼ିଛି । ବିଜେଡି ଓ ନବୀନଙ୍କୁ ‘ପାଣ୍ଡିଆନ ସିଣ୍ଡ୍ରୋମ’ ଏଭଳି ଗ୍ରାସ କରିଛି ଯେ, ଆଜି ବିଧାୟକ ଦଳ ବୈଠକରେ ୨ଟି ଅଣସାମ୍ବିଧାନିକ ପଦବୀ ସୃଷ୍ଟି କରି ସେଥିରେ ଦଳୀୟ ନେତାଙ୍କୁ ଥଇଥାନ କରି ପାଣ୍ଡିଆନ ବିଜେଡିରେ ନିଜର ଏକାଧିପତ୍ୟ ଜାହିର କରିଥିବା ଚର୍ଚ୍ଚା ହେଉଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା , ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଧାୟକ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ କେଶରୀ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି । ଏହି ନେତା ଚୟନ ପାଇଁ ବୈଠକରେ ପ୍ରତାପ ଦେବ ଆଣିଥିବା ପ୍ରସ୍ତାବକୁ ବରିଷ୍ଠ ବିଧାୟକ ଅରୁଣ ସାହୁ ସମର୍ଥନ ଓ ବ୍ୟୋମକେଶ ରାୟ  ଧନ୍ୟବାଦ ଜଣାଇଥିଲେ ।

ଏହି ନେତା ଚୟନ ପରେ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିଛି କହିବା ପାଇଁ ଅନୁମତି ମାଗି ଦଳର ବିପର୍ଯ୍ୟୟ ପାଇଁ ଯେଉଁସବୁ ପ୍ରସଙ୍ଗ ଦାୟୀ ସେ ସମ୍ପର୍କରେ ଦଳୀୟ ବିଧାୟକ ଓ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଜେଡି ଲଜ୍ଜାଜନକ ଭାବେ ଲୋକସଭାରେ ମୂଳପୋଛ ହୋଇଯିବା ପ୍ରସଙ୍ଗ ଉଠାଇ ଶ୍ରୀ ସ୍ୱାଇଁ ବୈଠକରେ ବର୍ଷିଥିଲେ । ଦଳର ନିର୍ବାଚନୀ ପରିଚାଳନାରେ ତ୍ରୁଟି, ଦୁର୍ବଳ ପ୍ରାର୍ଥୀ ଚୟନ ଆଦି ବିଜେଡି ପାଇଁ ବିପର୍ଯ୍ୟୟର କାରଣ ହୋଇଥିଲା ବୋଲି କହିଥିଲେ । ଶ୍ରୀ ସ୍ୱାଇଁ ନିର୍ବାଚନୀ ବିପର୍ଯ୍ୟୟର କାରଣ କହି ବର୍ଷିବାବେଳେ ଦଳର ବିଧାୟକମାନେ ଚୁପ୍ ରହି ତାଙ୍କୁ ପରୋକ୍ଷରେ ସମର୍ଥନ କରିଥିଲେ ।

Advertisment

ତେବେ ଶ୍ରୀ ସ୍ୱାଇଁ ନିଜର ମତ ରଖିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ବିପର୍ଯ୍ୟୟ ପାଇଁ ଅତ୍ୟନ୍ତ ଅପରିପକ୍ୱ ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି । ବିଜେଡିର ଶୋଚନୀୟ ପରାଜୟ ପାଇଁ ଯେଉଁସବୁ ପ୍ରସଙ୍ଗ ଦାୟୀ ବୋଲି ଶ୍ରୀ ସ୍ୱାଇଁ ରେଖାଙ୍କିତ କରିଥିଲେ ନବୀନ ଅତ୍ୟନ୍ତ ବେପରୁୱା ଢଙ୍ଗରେ ସେସବୁକୁ ଏଡ଼ାଇ ଯାଇଥିଲେ । ଆଉ ‘ପାଣ୍ଡିଆନ ସିଣ୍ଡ୍ରୋମ’ରେ ଗ୍ରାସିତ ଭଳି ଓଡ଼ିଶାକୁ ବିଳମ୍ବରେ ମୋଦି ଲହରୀ ଆସିଲା, ସେଥିପାଇଁ ବିଜେଡିକୁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିବା  ସଫେଇ ଦେଇଛନ୍ତି । ନବୀନ କହିଥିଲେ ଯେ, ୨୦୧୪ରେ ସମଗ୍ର ଦେଶରେ ମୋଦି ଲହରୀ ଥିବା ସତ୍ତ୍ୱେ ଆମେ ଲୋକସଭାରେ ୨୦ଟି ଆସନ ଜିତିଥିଲୁ । ୨୦୧୯ରେ ମଧ୍ୟ ମୋଦି ଲହରୀ ଥାଇ ଲୋକସଭାରେ ୧୨ଟିରେ ବିଜୟୀ ହୋଇଥିଲେ । ମାତ୍ର ସେତେବେଳେ ମୋଦି ଲହରୀ ଓଡ଼ିଶାରେ ଏତେ ପ୍ରଭାବୀ ହୋଇନଥିଲା । ଓଡ଼ିଶାରେ ବିଳମ୍ବରେ ମୋଦି ଲହରୀ ପହଂଚିଲା, ତେଣୁ ଏଭଳି ବିପର୍ଯ୍ୟୟ ହେଲା ବୋଲି ନବୀନ କହିଛନ୍ତି ।ନବୀନଙ୍କ ଏଭଳି ବୟାନ ହିଁ ତାଙ୍କୁ ‘ପାଣ୍ଡିଆନ ସିଣ୍ଡ୍ରୋମ’ରେ ଗ୍ରାସିତର ସନ୍ଦେଶ ଦେଉଛି ।

ଚର୍ଚ୍ଚା ହେଉଛି, ବିଜେଡି ବିପର୍ଯ୍ୟୟର ପ୍ରକୃତ କାରଣ ସମ୍ପର୍କରେ ନବୀନ ଉଦ୍ଦେଶ୍ୟମୂଳକ ଭାବେ ଜାଣିବାକୁ ଚାହୁଁନାହାନ୍ତି । ଦଳର କର୍ମୀ, ନେତାଙ୍କଠୁ ଆରମ୍ଭ କରି ସମସ୍ତେ ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମକୁ ଦାୟୀ କରୁଥିଲେ ମଧ୍ୟ ନବୀନ ଓଲଟା ପାଣ୍ଡିଆନଙ୍କୁ କ୍ଲିନଚିଟ ଦେବାରେ ଲାଗିଛନ୍ତି । ପାଣ୍ଡିଆନ ତାଙ୍କୁ ଯେଭଳି ବୁଝାଉଛନ୍ତି ନବୀନ ‘ପୋଷାଶୁଆ’ଭଳି ସେପରି ବୁଝୁଛନ୍ତି ଓ ତାକୁ ଦଳୀୟ ନେତାଙ୍କ ଆଗରେ କହୁଛନ୍ତି । ପାଣ୍ଡିଆନଙ୍କ ଦୋଷଦୁର୍ବଳତା ଲୁଚାଇବା ପାଇଁ ‘ମୋଦି ଲହରୀ’କୁ ଏବେ ନବୀନ ଢାଲ କରିଛନ୍ତି । ଦଳୀୟସ୍ତରରେ ବିଜେଡି ବିପର୍ଯ୍ୟୟର ସମୀକ୍ଷା ମଧ୍ୟ କରିବାକୁ ଆଗ୍ରହ ଦେଖାଉନାହାନ୍ତି । ‘ପାଣ୍ଡିଆନ ସିଣ୍ଡ୍ରୋମ’ରେ ଗ୍ରାସିତ ନବୀନ ଓ ବିଜେଡି ଆଗାମୀ ଦିନରେ ଓଡ଼ିଶାରେ ତିଷ୍ଠି ରହିବ ନା ମୂଳପୋଛ ହୋଇଯିବ ତାହା ଦଳୀୟ ବିଧାୟକମାନଙ୍କୁ ଚିନ୍ତାରେ ପକାଇଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe