ନବୀନ କିଂକର୍ତ୍ତବ୍ୟବିମୂଢ଼: କମିଟିରେ ପାଣ୍ଡିଆନମାର୍କାଙ୍କ ଦବଦବା, ଖଣି ଜିଲ୍ଲାରେ ବବିଙ୍କ ଅନୁଗତ

୧୭ତାରିଖ ସୁଦ୍ଧା ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ ଓ ୧୯ରେ ରାଜ୍ୟ ପରିଷଦର ସ୍ୱତନ୍ତ୍ର ବୈଠକ ବସି ନବୀନଙ୍କୁ ନବମ ଥର ସଭାପତି ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।

Naveen Patnaik

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Ordigital Desk
  • Published: Sunday, 13 April 2025
  • , Updated: 13 April 2025, 12:01 PM IST

ବିଜେଡିରେ ଦ୍ୱୈତ ନେତୃତ୍ୱକୁ ବିରୋଧ କରି ବରିଷ୍ଠ ନେତାମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସିଧାସଳଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଧ୍ୟ ଚ୍ୟାଲେଞ୍ଜ ଦେଉଛନ୍ତି। ଦଳରେ ବଢ଼ି ଚାଲିଥିବା ଏଭଳି ଅରାଜକତାକୁ ନେଇ ଲକ୍ଷଲକ୍ଷ କର୍ମୀ ଓ ନେତା ବି ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତଥାପି ସଂଗଠନରେ ଆଖିଦୃଶିଆ ସୁଧାର ପରିବର୍ତ୍ତେ ଦଳ ଓ ସଂଗଠନ ପୁଣିଥରେ ସ୍ଥାୟୀ ଭାବେ ‘ନିର୍ବାଚନୀ ବିପର୍ଯ୍ୟୟକାରୀମାନଙ୍କ’ ହାତକୁ ଚାଲିଯିବା ଏକରକମ ସ୍ପଷ୍ଟ ହୋଇଯାଇଛି ।

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଗୋଟିଚାଳନାରେ ନବୀନ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଥିବାବେଳେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦରେ ପାଣ୍ଡିଆନ ଓ ତାଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବି ନିଜର ଦବଦବା କାଏମ ରଖିବାରେ ସକ୍ଷମ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ନବୀନଙ୍କୁ ସିଧାସଳଖ ଭେଟି ପାରୁନଥିବା ବବି ଏବେ ପାଣ୍ଡିଆନଙ୍କୁ ଧରି ରାଜ୍ୟର ଖଣିଜସମ୍ପଦ ବହୁଳ ଜିଲ୍ଲାଗୁଡ଼ିକ ସମେତ ପ୍ରାୟ ଦେଢ଼ ଡଜନ ଜିଲ୍ଲାରେ ନିଜର ଅନୁଗତଙ୍କୁ ‘ଜିଲ୍ଲା ସଭାପତି ପଦ’ରେ ଥଇଥାନ କରାଇବାରେ ସଫଳ ହୋଇଛନ୍ତି । ଦଳ ପକ୍ଷରୁ ଆସନ୍ତା ୧୯ତାରିଖରେ ନବୀନଙ୍କୁ କ୍ରମାଗତ ନବମଥର ପାଇଁ ‘ବିଜେଡି ସଭାପତି’ ଭାବେ ମନୋନୀତ କରିବା ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଆଉ ପ୍ରଚ୍ଛଦପଟ୍ଟରେ ରହି ନବୀନଙ୍କୁ ‘ପୋଷାଶୁଆ’ କରି ବବିଙ୍କ ମାଧ୍ୟମରେ ପାଣ୍ଡିଆନ ଏହି ସାଂଗଠନିକ ନିର୍ବାଚନ ଆଳରେ ନିଜର ନୂଆ ଅନୁଗତଙ୍କ ଟିମ୍ ଗଢ଼ୁଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

ବିଜେଡି ସାଂଗଠନିକ ନିର୍ବାଚନ, ପାଣ୍ଡିଆନ-ବବିଙ୍କ ପତିଆରା

ଦୀର୍ଘ ଅଢ଼େଇ ଦଶନ୍ଧି ପରେ ପ୍ରଥମଥର ପାଇଁ ନବୀନଙ୍କ ନେତୃତ୍ୱକୁ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କ ଭଳି ପୁରୁଖା ନେତାମାନେ ଏଭଳି ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ବିଜେଡି ନେତୃତ୍ୱ ନିରବ ରହିଛନ୍ତି । ଆଉ ଏସବୁ ମଧ୍ୟରେ ଦଳର ସାଂଗଠନିକ ନିର୍ବାଚନକୁ ଚୂଡ଼ାନ୍ତ ରୂପ ଦେଇ ଏହି ପୁରୁଖା ନେତାମାନଙ୍କୁ ସବୁଦିନ ପାଇଁ କୋଣଠେସା କରିବାର ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ନବୀନଙ୍କୁ ୧୯ତାରିଖରେ ଦଳର ସଭାପତି ପଦବୀରେ ଆସୀନ କରାଇବା ପାଇଁ ପ୍ରାୟ ୨୦ଟି ଜିଲ୍ଲାରେ ସଭାପତି ଓ ରାଜ୍ୟ ପରିଷଦ(ପ୍ରାୟ ୩୭୦ଜଣ ସଦସ୍ୟ) ଚୟନ କାର୍ଯ୍ୟ ଚୂଡ଼ାନ୍ତ ହୋଇସାରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟ ପରିଷଦରେ ଥିବା ଏହି ୩୭୦ଜଣିଆ ସଦସ୍ୟଙ୍କ ମଧ୍ୟରୁ ନବୀନଙ୍କୁ ମିଶାଇ ମୋଟ ୮୧ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ କରାଯିବ । ୧୫ ତାରିଖ ସୁଦ୍ଧା ରାଜ୍ୟ ପରିଷଦ ଓ ୧୭ତାରିଖ ସୁଦ୍ଧା ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟମାନଙ୍କ ନାମ ଘୋଷଣା ହେବ ।

ତେବେ ସୂତ୍ର ଅନୁସାରେ, ଏହି ଯେଉଁ ଜିଲ୍ଲା ସଭାପତିମାନଙ୍କୁ ଚୂଡ଼ାନ୍ତ କରାଯାଉଛି ସେଥିରେ ବବି ନିଜର ଅନୁଗତମାନଙ୍କୁ ଥଇଥାନ କରିବାରେ ସକ୍ଷମ ହୋଇଛନ୍ତି । ନବୀନଙ୍କୁ ସିଧାସଳଖ ଭେଟିବାରେ ସଫଳ ହୋଇପାରୁନଥିବା ବବି କିନ୍ତୁ ପାଣ୍ଡିଆନଙ୍କ ମାଧ୍ୟମରେ ଏହି ଜିଲ୍ଲା ସଭାପତିମାନଙ୍କୁ ନବୀନଙ୍କ ଦ୍ୱାରା ଚୟନ କରାଇ ପାରିଥିବା ସୂଚନା ମିଳିଛି । ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ନେତୃତ୍ୱରେ ଶଙ୍ଖ ଭବନରେ ବିଭିନ୍ନ ଜିଲ୍ଲାର ନେତାମାନଙ୍କୁ ଡାକି ଆଲୋଚନା କରି ଜିଲ୍ଲା ସଭାପତି ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ବବି ଶେଷ ମୁହୂର୍ତ୍ତରେ ସେଥିରେ ପରିବର୍ତ୍ତନ କରାଇ ପାରିଛନ୍ତି । ପାଣ୍ଡିଆନଙ୍କୁ ପ୍ରଭାବିତ କରି ବବି ପ୍ରାୟତଃ ସବୁ ଖଣିଜସମ୍ପଦ ଜିଲ୍ଲାରେ ନିଜର ଅନୁଗତମାନଙ୍କୁ ‘ଦଳର ଜିଲ୍ଲା ସଭାପତି’ ଭାବେ ନିଯୁକ୍ତି ଦେବାରେ ସଫଳ ହୋଇଥିବା ନେଇ ସୂଚନା ମିଳିଛି ।

ଉଦାହରଣ ସ୍ୱରୂପ- କୋରାପୁଟରେ ରବି ନନ୍ଦ, ରାୟଗଡ଼ାରେ ଏନ.ଭାସ୍କର ରାଓ, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ, ଅନୁଗୁଳରେ ରଜନୀକାନ୍ତ ସିଂ, କେନ୍ଦୁଝରରେ ବଦ୍ରି ପାତ୍ର, ସମ୍ବଲପୁରରେ ରୋହିତ ପୂଜାରୀଙ୍କ ସମେତ ଭୁବନେଶ୍ୱରରେ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଭଳି ନେତାଙ୍କୁ ଜିଲ୍ଲା ସଭାପତି ପଦରେ ଅବସ୍ଥାପନ ନିମନ୍ତେ ଜିଲ୍ଲାର ନେତାମାନଙ୍କ ସହ ବୈଠକ କରି ଦେବୀ ମିଶ୍ର କମିଟି ଚୂଡ଼ାନ୍ତ କରିଥିଲେ ମଧ୍ୟ ପାଣ୍ଡିଆନଙ୍କୁ ଧରି ବବି ଏସବୁ ଜିଲ୍ଲାରେ ନିଜର ଅନୁଗତଙ୍କୁ ‘ଦଳର ଜିଲ୍ଲା ସଭାପତି’ ପଦରେ ଅବସ୍ଥାପିତ କରାଇବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି । ଶନିବାର ରାତିସୁଦ୍ଧା ଦଳର ପ୍ରାୟ ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୨୦ଟିରେ ଜିଲ୍ଲା ସଭାପତି ଚୟନ ଚୂଡ଼ାନ୍ତ ହୋଇଛି ଓ ଏଥିରୁ ପ୍ରାୟ ଦୁଇ ଡଜନ ଜିଲ୍ଲା ବବିଙ୍କ ଅନୁଗତଙ୍କ କବଜାକୁ ଯିବାର ଏକରକମ ସ୍ପଷ୍ଟ ହୋଇଛି । ସେହିପରି ରାଜ୍ୟ ପରିଷଦରେ ସାମିଲ ୩୭୦ଜଣଙ୍କ ମଧ୍ୟରୁ ପାଣ୍ଡିଆନ-ବବି ମାର୍କା ନେତାଙ୍କ ସଂଖ୍ୟା ଦୁଇ ତୃତୀୟଂଶାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

୧୯ରେ ନବୀନ ହେବେ ନବମ ଥର ସଭାପତି

ଦଳ ପକ୍ଷରୁ ନବୀନଙ୍କୁ ନବମ ଥର ସଭାପତି ପଦରେ ଆସୀନ କରାଇବା ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ଅଧାରୁ ଅଧିକ ସାଂଗଠନିକ ଜିଲ୍ଲାରେ ସଭାପତି ନିଯୁକ୍ତି ସରିଥିବା(ଆନୁଷ୍ଠାନିକ ଘୋଷଣା ବାକି)ବେଳେ ‘ରାଜ୍ୟ ପରିଷଦ’ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି ବୋଲି ଜଣାପଡ଼ିଛି । ୧୭ତାରିଖ ସୁଦ୍ଧା ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ ଓ ୧୯ରେ ରାଜ୍ୟ ପରିଷଦର ସ୍ୱତନ୍ତ୍ର ବୈଠକ ବସି ନବୀନଙ୍କୁ ନବମ ଥର ସଭାପତି ପଦରେ ଅବସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି । ଏପ୍ରିଲ ୩୦ତାରିଖ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରି ଭାରତର ନିର୍ବାଚନ ଆୟୋଗଙ୍କୁ ଦଳ ଅବଗତ କରାଇବ । ତେଣୁ ତା’ପୂର୍ବରୁ ଏପ୍ରିଲ ଶେଷ ସପ୍ତାହରେ ନବୀନ ନିଜର ପଦାଧିକାରୀ ଟିମ୍ ( ବରିଷ୍ଠ ଉପସଭାପତି, ଉପସଭାପତି, ସାଂଗଠନିକ ସମ୍ପାଦକ, କୋଷାଧ୍ୟକ୍ଷ, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ)ଙ୍କ ନାମ ଘୋଷଣା କରିବେ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି ।

ରାଜନୀତିକ ବ୍ୟାପାର କମିଟିରେ ୬ଜଣ

ପ୍ରଥମଥର ପାଇଁ ଦୀର୍ଘ ୨ଦଶନ୍ଧି ପରେ ଦଳ ନିଜର ରାଜନୀତିକ ବ୍ୟାପାର କମିଟି ଗଠନ କରିବ । ଏହି କମିଟିର ଅଧ୍ୟକ୍ଷ ଭାବେ ନିଜେ ନବୀନ କାର୍ଯ୍ୟ କରିବେ । ଦଳର ସଭାପତି ଓ ବିଧାନସଭାରେ ଦଳର ନେତା ଭାବେ ନବୀନ ଏହି ରାଜନୀତିକ ବ୍ୟାପାର କମିଟିରେ ସଦସ୍ୟ ରହିବାର ପ୍ରାବଧାନ ଅଛି । ସେହିପରି ଲୋକସଭା ଓ ରାଜ୍ୟସଭାରେ ଦଳର ନେତାଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ମିଳିବ । ଏମାନଙ୍କ ବ୍ୟତୀତ କମିଟିରେ ଅନ୍ୟ ୬ଜଣ ସଦସ୍ୟ(ସର୍ବାଧିକ)ଙ୍କୁ ନିଜେ ନବୀନ ରାଜ୍ୟ ପରିଷଦରୁ ମନୋନୀତି କରିବେ । ଏହି ରାଜନୀତିକ ବ୍ୟାପାର କମିଟି ଦଳ, ସଂସଦ ଓ ବିଧାନସଭାରେ ବିଜେଡିର ନୀତି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ଏବଂ ସମନ୍ୱୟ ରକ୍ଷା ଦିଗରେ କାର୍ଯ୍ୟ କରିବ । ବିଭିନ୍ନ ନିର୍ବାଚନରେ ପ୍ରାର୍ଥୀ ଚୂଡ଼ାନ୍ତ ନିଷ୍ପତ୍ତି ମଧ୍ୟ ଏହି କମିଟି ନେବ ।

ନବୀନ ସଖିକଣ୍ଢେଇ,ପାଣ୍ଡିଆନରାଜ୍ କାଏମ

ଦୀର୍ଘ ୨୪ବର୍ଷ ପରେ ବିରୋଧୀ ଦଳ ଭାବେ ସାଂଗଠନିକ ନିର୍ବାଚନ କରୁଥିବା ବିଜେଡିରେ କର୍ମୀ-ନେତାଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେବାକୁ ନବୀନ ସକ୍ଷମ ହୋଇପାରି ନାହାନ୍ତି । ପ୍ରଚ୍ଛଦପଟ୍ଟରେ ପାଣ୍ଡିଆନ ରହି ନିଜର ରାଜ୍ କାଏମ ରଖିଛନ୍ତି । ଯଦିଓ ପାଣ୍ଡିଆନ ଏବେ ବିଜେଡି ବ୍ୟାପାରରେ ନାହାନ୍ତି ବୋଲି ନବୀନଙ୍କଠୁ ଆରମ୍ଭ କରି ତାଙ୍କ ଦଳର କିଛି ତୋଷାମଦକାରୀ ନେତା ଦାବି କରୁଛନ୍ତି । ତଥାପି ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ନବୀନଙ୍କୁ ସଖିକଣ୍ଢେଇ କରି ପାଣ୍ଡିଆନ ନିଜର ଖାସ୍ ବବିଙ୍କ ମାଧ୍ୟମରେ ବିଜେଡିର ସାଂଗଠନିକ ନିର୍ବାଚନରେ ନିଜର ପତିଆରା ଜାହିର କରିବାରେ ଲାଗିଛନ୍ତି । ପତ୍ନୀ ସୁଜାତାଙ୍କ ରାଜନୀତିକ ଏଂଟ୍ରି ପାଇଁ ଏବେଠୁ ପାଣ୍ଡିଆନ ନିଜର ଗୋଟିଚାଳନା କରିଥିବା  କୁହାଯାଉଛି । ଆଉ ସାଂଗଠନିକ ନିର୍ବାଚନକୁ ନେଇ ଉପରେ ପଡ଼ି ମାମଲାତି ଦେଖାଉଥିବା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କୁ ହଟହଟା ହେବାକୁ ପଡ଼ିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Related story