୨୦୨୫-୨୬ କେନ୍ଦ୍ର ବଜେଟରେ ଓଡ଼ିଶାର ଯଥାର୍ଥ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ବୋଲି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହାସହିତ କେନ୍ଦ୍ର ବଜେଟରେ ଯୁବପୀଢ଼ୀଙ୍କୁ ନିଯୁକ୍ତି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ରୋକିବା ପାଇଁ କୌଣସି ମାର୍ଗ ବାହାର କରାଯାଇନି ବୋଲି କହିଛନ୍ତି । କେନ୍ଦ୍ର ବଜେଟକୁ ନବୀନଙ୍କ ସମାଲୋଚନା ତାଙ୍କର ଦୋମୁହାଁ ନୀତିକୁ ଏବେ ପଦାରେ ପକାଇ ଦେଇଛି । ଦୀର୍ଘ ଏକ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ଉପରେ ପଡ଼ି ବିଭିନ୍ନ ପ୍ରସଙ୍ଗ ଓ ବିଲରେ ସମର୍ଥନ ଦେବା ଓ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଦୁଇଥର ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେବାବେଳେ କାହିଁକି ଓଡ଼ିଶା ପାଇଁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି’କୁ ହାସଲ କରିଲେ ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ସେତେବେଳେ କେଉଁ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କୁ ଏଭଳି ଅଯାଚିତ ପ୍ରେମ ଅଜାଡୁଥିବା ନବୀନ ଏବେ ଏସବୁ ଦାବି ରଖୁଛନ୍ତି ତାକୁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ତା’ଛଡ଼ା ନବୀନଙ୍କ ଅବସ୍ଥା ଏବେ ଏଭଳି ହୋଇଛି ଯେ, ରାଜ୍ୟର ପ୍ରମୁଖ ବିରୋଧୀ ଦଳର ସର୍ବୋଚ୍ଚ ନେତା ହୋଇ ମଧ୍ୟ ସେ ବଜେଟ ଉପରେ ପ୍ରତିକ୍ରିୟା ଦେବା ପାଇଁ ଗଣମାଧ୍ୟମ ଆଗକୁ ଆସିବାକୁ ଉଚିତ୍ ମଣିନାହାନ୍ତି ।
ନବୀନ ନିଜର ‘ଏକ୍ସ’ ମାଧ୍ୟମରେ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦେଶର ଯୁବପୀଢ଼ୀ ପାଇଁ ଏବେ ନିଯୁକ୍ତିର ଅତ୍ୟନ୍ତ ଆବଶ୍ୟକତା ରହିଛି ଓ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଅତିଷ୍ଟ ହୋଇପଡ଼ିଛନ୍ତି । ଦୁର୍ଭାଗ୍ୟର କଥା, ଦେଶ ଆଗରେ ଏବେ ଏହି ଦୁଇଟି ଯାକ ପ୍ରମୁଖ ସମସ୍ୟାର ସମାଧାନ ଦିଗରେ ୨୦୨୫ ବଜେଟରେ କୌଣସି ସମାଧାନ ନାହିଁ । ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ଯଥାର୍ଥ ଦାବି କରିଆସୁଛି । ବଜେଟରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରାବଧାନ ଥିବାବେଳେ ଓଡ଼ିଶାର ପ୍ରକୃତ ଦାବିକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଦେଇଛନ୍ତି ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ନବୀନଙ୍କ ଦଳ ରାଜ୍ୟରେ କ୍ଷମତାରେ ଥିବାବେଳେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ଦାବି ହାସଲ ନିମନ୍ତେ କେନ୍ଦ୍ର ସରକାରଙ୍କ ସହ କେବେ ରାଜନୀତିକସ୍ତରରେ ଯଥାର୍ଥ ଦାବି ଉପସ୍ଥାପନ କରିଛନ୍ତି କି? କେନ୍ଦ୍ର ସରକାରଙ୍କୁ ବିଭିନ୍ନ ବିଲ୍ ଓ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେବା ହେଉ ଅବା ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ଦୁଇଦୁଇଥର ସମର୍ଥନ ଦେବାବେଳେ ନବୀନ ଏହି ଦାବିକୁ କାହିଁକି ହାସଲ କଲେ ନାହିଁ ବୋଲି ପ୍ରଶ୍ନଉଠିଛି । ଏହାହିଁ ନବୀନଙ୍କ ଦୋମୁହାଁ ନୀତି ଓ ଓଡ଼ିଶା ପ୍ରତି କୁମ୍ଭୀରକାନ୍ଦଣାକୁ ପ୍ରମାଣିତ କରାଉଛି ବୋଲି ସାଧାରଣରେ ଚର୍ଚ୍ଚା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।