Advertisment

ଆଉ ‘ବିଜୁ କାର୍ଡ ’ ନୁହେଁ ଏଣିକି ‘ନବୀନ କାର୍ଡ’: ଚାକିରିଆ-ଆୟକରଦାତାଙ୍କୁ ଛାଡ଼ି ସମସ୍ତେ ପାଇବେ ମାଗଣା ସ୍ୱାସ୍ଥ୍ୟସେବା

ରାଜ୍ୟର ୧.୧୦କୋଟି ପରିବାର ଅର୍ଥାତ୍ ୯୦ ପ୍ରତିଶତ ପରିବାର ଏହି ‘ନବୀନ କାର୍ଡ’ର ହିତାଧିକାରୀ ହେବେ।

author-image
Ordigital Desk
ଅଦ୍ୟତନ ହୋଇଛି
Naveen card

Naveen card

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକି ଥିବାବେଳେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ‘ନବୀନ କାର୍ଡ’ର ଘୋଷଣା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ରାଜ୍ୟ ସରକାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଥିବାବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ବଂଚିତ ପରିବାରଙ୍କୁ ‘ନବୀନ କାର୍ଡ’ ପ୍ରଦାନ କରାଯିବ। କେବଳ ସରକାରୀ ଚାକିରିଆ ଓ ଆୟକର ଦାତାଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ପରିବାର ଏହି ନବୀନ କାର୍ଡ ପାଇବାକୁ ଯୋଗ୍ୟ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ସାଧାରଣ ଲୋକଙ୍କ ଭାଷାରେ ବିଜୁ କାର୍ଡ)ରେ ଏଣିକି ବିଜୁ କାର୍ଡ ପରିବର୍ତ୍ତେ ନବୀନ କାର୍ଡର ପ୍ରଚଳନ ହେବ।

Advertisment

ରାଜ୍ୟର ୧.୧୦କୋଟି ପରିବାର ଅର୍ଥାତ୍ ୯୦ ପ୍ରତିଶତ ପରିବାର ଏହି ‘ନବୀନ କାର୍ଡ’ର ହିତାଧିକାରୀ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରୁ ଜଣାପଡ଼ିଛି । ବିଜେଡି ଆଗାମୀ ନିର୍ବାଚନୀ ବୈତରଣୀ ପାର ହେବାକୁ ସ୍ୱାସ୍ଥ୍ୟ କାର୍ଡକୁ ଅସ୍ତ୍ର କରିଛି । ଆଉ ଚତୁରତାର ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜୁଙ୍କ ପରିବର୍ତ୍ତେ ନବୀନଙ୍କ ନାଁକୁ ଅଧିକ ଉପଯୋଗର ସହଜ ବାଟ ପାଇଛି ବୋଲି ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ‘ନବୀନ କାର୍ଡ ’ର ଘୋଷଣା କରି କହିଛନ୍ତି ଯେ, ପଇସା ଅଭାବରୁ ରାଜ୍ୟରେ କେହି ଉତ୍ତମ ଚିକିତ୍ସାରୁ ବଂଚିତ ହେବେ ନାହିଁ । ଓଡ଼ିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସେ ସ୍ୱପ୍ନ ଦେଖିଛନ୍ତି । ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାର ୫ବର୍ଷ ତଳେ ଆରମ୍ଭ କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏହି ତୃତୀୟ ପର୍ଯ୍ୟାୟ ସଂସ୍କରଣ । ଓଡ଼ିଶା ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି ।

Advertisment

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏହି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ବଂଚିତ ଥିବା ପରିବାରକୁ ସାମିଲ କରାଯିବ। କେବଳ ସରକାରୀ ଚାକିରିଆ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ଲୋକେ ଏହାର ଫାଇଦା ନେଇପାରିବେ । ତୃତୀୟ ପର୍ଯ୍ୟୟ ସମ୍ପ୍ରସାରଣରେ ରାଜ୍ୟର ମୋଟ ୧.୧୦କୋଟି ପରିବାର ଯାହାକି ରାଜ୍ୟର ଲୋକସଂଖ୍ୟାର ୯୦ ପ୍ରତିଶତଙ୍କୁ ଏହି ସୁବିଧା ମିଳିବ । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁ ଲୋକଙ୍କୁ ଅର୍ଥାତ୍ ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ ସବୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ଘରୋଇ ହସ୍ପିଟାଲରେ ୫ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

ଗତ ୫ବର୍ଷ ମଧ୍ୟରେ ବିଏସକେୱାଇ ଯୋଜନାରେ ରାଜ୍ୟ ସରକାର ୪୫୦୦କୋଟି ଟଙ୍କା ଖର୍ଚ୍ଚ କରି ୨୧ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।

ବିଏସକେୱାଇ-ନବୀନ କାର୍ଡ ଦ୍ୱାରା ଓଡ଼ିଶାର କୌଣସି ପରିବାର ଆର୍ଥିକ ଦୂରାବସ୍ଥା ଯୋଗୁ ଜଟିଳ ରୋଗର ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।

BjD Naveen Card