୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲାବେଳେ ଯେଉଁ ପ୍ରଶାସନିକ କଳକୁ ମୁଣ୍ଡରେ ବସାଇଥିଲେ, ଏବେ ସେହିମାନଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ କ୍ଷୟକ୍ଷତି ପାଇଁ ପ୍ରଶାସନିକ କଳକୁ ପରୋକ୍ଷରେ ଦାୟୀ କରିଥିବା ନବୀନ ତାଙ୍କ ଦଳ ବିଜେଡିର ‘ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା’ ଦାବିକୁ ଯଥାର୍ଥ ଦର୍ଶାଇ ରାଜନୈତିକ ଗୋଟିଚାଳନା ମଧ୍ୟ କରିଛନ୍ତି। ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କ୍ଷତିପୂରଣ ଦେବା ସହ ପାଣିପାଗ ପରାମର୍ଶ ଦେବାକୁ ମଧ୍ୟ ନବୀନ ଦାବି କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ନବୀନ ଏସବୁ ପ୍ରସଙ୍ଗ ଅବଗତ କରିଥିବାବେଳେ ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ପାଲଟା ଜବାବ ଦେଇଛନ୍ତି।
ସୂଚନା ଅନୁସାରେ, ନିର୍ବାଚନୀ ବିପର୍ଯ୍ୟୟର ପ୍ରାୟ ୬ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୩୦ ଓ ୩୧ତାରିଖ ଦୁଇଦିନ ଧରି ୫ଟି ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ଆଉ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ନବୀନ ଲେଖିଛନ୍ତି ଯେ, ଚାଷୀ ଓ ତା’ର ପରିବାର ଅତ୍ୟନ୍ତ ଅନଟନରେ ରହିଛନ୍ତି। ବର୍ଷା ଯୋଗୁ ସେମାନଙ୍କ ଫସଲ ଧାନ ଓ ଅଣଧାନ କ୍ଷତି ହୋଇଛି। ଚାଷୀମାନେ ତାଙ୍କୁ ଏନେଇ ଦୁଃଖର ସହ ତାଙ୍କୁ ଏସବୁ ଅବଗତ କରିଛନ୍ତି। ଏଭଳି ସ୍ଥିତି ନିକଟ ଅତୀତରେ କେବେ ହୋଇନଥିଲା। ରାଜ୍ୟର ଚାଷୀ ଏବେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସେମାନଙ୍କର ଆତ୍ମବିଶ୍ୱାସ ଦୋହଲିଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସରକାର ଠିକ୍ ସମୟରେ ଆବଶ୍ୟକ ପରିମାଣର କ୍ଷତିପୂରଣ ଦେଇ ଚାଷୀଙ୍କ ମନୋବଳକୁ ବଢ଼ାଇବାକୁ ନବୀନ ପରାମର୍ଶ ଦେଇଛନ୍ତି।
ସରକାରଙ୍କ ଦ୍ୱାରା ପାଣିପାଗ ପରାମର୍ଶ ଠିକ୍ ସମୟରେ ଜାରି କରାଯାଇନଥିବାରୁ ଏଭଳି ଭୀଷଣ ବର୍ଷାକୁ ନେଇ ଚାଷୀମାନେ ଆଗୁଆ ସଚେତନ ନଥିଲେ ବୋଲି ନବୀନଙ୍କୁ ଅବଗତ କରାଇଥିବା ସେ କହିଛନ୍ତି। ଅଧିକାଂଶ ସ୍ଥାନରେ ଏପର୍ଯ୍ୟନ୍ତ ଫସଲ କ୍ଷୟକ୍ଷତି ସର୍ଭେ ମଧ୍ୟ ଆରମ୍ଭ ହୋଇନାହିଁ। ପାଣିପାଗର ଆଗୁଆ ସୂଚନା କିଭଳି ଚାଷୀଙ୍କୁ ମିଳିଲା ନାହିଁ ଓ ସେକଥାକୁ ନିଜ ଚିଠିରେ ବାରମ୍ବାର ଦୋହରାଇ କାହା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ତାହା ବୁଝାପଡ଼ୁନି। ପାଣିପାଗ ପରାମର୍ଶନାମା ଜାରି କରାଯିବାର ଏକ ସରକାରୀ ପ୍ରକ୍ରିୟା ରହିଛି। ଯାହା ବିଜେଡି ସରକାରବେଳେ ଥିଲା ଏବେ ସମାନ ରହିଛି ବୋଲି କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ନବୀନ ପାଣିପାଗ ସ୍ଥିତିର ଆଗୁଆ ସରକାରୀ ସୂଚନା ଦିଆଯାଇନାହିଁ ବୋଲି କହି ପ୍ରଶାସନିକ କଳକୁ ଦାୟୀ କରିଥିବା ଚର୍ଚ୍ଚା ହେଉଛି।
ଏସବୁ ବ୍ୟତୀତ ନବୀନ ଜିଲ୍ଲା ଗସ୍ତବେଳେ ବାଲିକୁଦା ବ୍ଲକର ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟିଥିବା ମଧ୍ୟ ସୂଚିତ କରିଛନ୍ତି। ତେବେ ନିଜ ସରକାର ସମୟରେ ଶହ ଶହ ଚାଷୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଜଣେ ବି ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିନଥିବା ନବୀନ ଏବେ କିଭଳି ଚାଷୀ ଆତ୍ମହତ୍ୟା କରିଛି ବୋଲି କହୁଛନ୍ତି ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେହିପରି କ୍ଷମତାରୁ ଯିବାପରେ ନବୀନ ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗ ଉଠାଇ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟକୁ ଏହି ମାନ୍ୟତା ମିଳିଥିଲେ ରାଜ୍ୟରେ ଚାଷୀଙ୍କୁ ବହୁ ସୁବିଧାସୁଯୋଗ ସହ ଅତିରିକ୍ତ ସହାୟତା ମିଳିବା ସମ୍ଭବପର ହୋଇଥାନ୍ତା ବୋଲି ନବୀନ କହିଛନ୍ତି। କିନ୍ତୁ ଦୀର୍ଘବର୍ଷ କେନ୍ଦ୍ର ଓ ରାଜ୍ୟରେ ସରକାରରେ ରହିବା ସହ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଥିବା ନବୀନଙ୍କ ବିଜେଡି କିନ୍ତୁ ଓଡ଼ିଶା ପାଇଁ ଦୀର୍ଘ ୨୪ବର୍ଷ ମଧ୍ୟରେ କୌଣସି ଗୋଟିଏ ଦାବିକୁ କେନ୍ଦ୍ରଠୁ ହାସଲ କରିବାରେ ସକ୍ଷମ ହୋଇନାହିଁ।
ତେବେ ନବୀନଙ୍କ ଏହି ଚିଠି ଉପରେ ସିଧାସଳଖ କୌଣସି ମନ୍ତବ୍ୟ ଦେବାକୁ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନା କରିଦେଇଥିବାବେଳେ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଟାକ୍ଷ କରିଛନ୍ତି। ଚାଷୀଙ୍କୁ ସବୁ ଠିକ୍ ଭାବେ ଦିଆଯାଉଛି। ନବୀନ ପଟ୍ଟନାୟକ ଚିଠି ଲେଖିବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି।
ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏକ ସାର୍ବଜନୀନ ମଂଚରୁ ନବୀନଙ୍କ ନାଁ ନନେଇ କଡ଼ା ଭାଷାରେ ପାଲଟା ଜବାବ ଦେଇଛନ୍ତି। ବିଜେପି ସରକାରର କାର୍ଯ୍ୟଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାୱାରକୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟବାସୀ ସେମାନଙ୍କୁ ବହୁ ଲମ୍ବା ସମୟ ଦେଇଥିଲେ। ଯେଉଁମାନେ ପୂର୍ବରୁ ରାଜ୍ୟର ଦାୟିତ୍ୱ ନେଇ କାମ କରୁଥିଲେ ସେମାନଙ୍କୁ ଲୋକେ ଭେଟିପାରୁନଥିଲେ। କିନ୍ତୁ ଏବେ ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।