/odisha-reporter/media/post_attachments/uploadimage/library/16_9/16_9_0/IMAGE_1757168020.jpg)
naveen patnaik
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚନ୍ଦ୍ରଶେଖର ପତି ଓ ଭିକେ ପାଣ୍ଡିଆନ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।
ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୯ତାରିଖରେ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତକୁ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି ।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କରିବ ସେନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହିଁ । ଦଳର ଆଭିମୁଖ୍ୟ ସମ୍ପର୍କରେ ନବୀନ ଦିଲ୍ଲୀରେ ଘୋଷଣା କରିବାର ସମ୍ଭାବନା ରହିଛି ।
ଉଲ୍ଲେଖଯୋଗ୍ୟ, ଗତମାସରେ ଅସୁସ୍ଥ ହୋଇ ନବୀନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସୁସ୍ଥ ହୋଇ ଦିଲ୍ଲୀ ଆସିଲେ ତାଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ ।
ନବୀନ ସମ୍ଭବତଃ ଏହି ଗସ୍ତ ସମୟରେ ତାଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପାଣ୍ଡିଆନ ଚଳିତ ସପ୍ତାହରେ ଦିଲ୍ଲୀ ଗସ୍ତରେ ଯାଇ ନବୀନଙ୍କ ଦିଲ୍ଲୀ ରହଣୀ ନିମନ୍ତେ ଆବଶ୍ୟକ ବନ୍ଦୋବସ୍ତ କରି ଫେରିଥିବା ଜଣାପଡ଼ିଛି । ନବୀନ ଶେଷଥର ପାଇଁ ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ଗସ୍ତରେ ଯାଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
