ପ୍ରତିଷ୍ଠା ଦିବସରେ ନିରବ ରହିଲେ ନବୀନ: ଦଳରେ ଆଲୋଡ଼ନ, କର୍ମୀ ନିରାଶ

ବିଜେଡି ଇତିହାସରେ ପ୍ରଥମଥର ପାଇଁ ନବୀନ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇନାହାନ୍ତି କିମ୍ବା ଦଳୀୟ କର୍ମୀଙ୍କ ନିମନ୍ତେ କୌଣସି ସନ୍ଦେଶ ଦେଇନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Wednesday, 27 December 2023
  • , Updated: 27 December 2023, 07:25 PM IST

ଶାସକ ବିଜେଡିକୁ ୨୬ପୁରି ୨୭ଚାଲିଲା । ପ୍ରତିବର୍ଷ ଭଳି ଦଳ ନିର୍ବାଚନମଣ୍ଡଳୀସ୍ତରରେ ପ୍ରତିଷ୍ଠା ଦିବସ ପାଳିଲା । କିନ୍ତୁ ନିର୍ବାଚନୀ ବର୍ଷରେ ଦଳର ଲକ୍ଷ ଲକ୍ଷ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ କୌଣସି ସନ୍ଦେଶ ଦେଲେନି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଇତିହାସରେ ପ୍ରଥମଥର ପାଇଁ ନବୀନ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇନାହାନ୍ତି କିମ୍ବା ଦଳୀୟ କର୍ମୀଙ୍କ ନିମନ୍ତେ କୌଣସି ସନ୍ଦେଶ ଦେଇନାହାନ୍ତି । ନବୀନଙ୍କ ନିରବତା ଏବେ ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଗୋଷ୍ଠୀକନ୍ଦଳରେ ଲିପ୍ତ ନେତାମାନଙ୍କଠୁ ମୁହଁ ଫେରାଇଥିବା କର୍ମୀମାନଙ୍କୁ ମଧ୍ୟ ନିରାଶ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତକାଲି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇନଥିଲେ ନବୀନ । କେବଳ ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରି ସେ ନିଜ ବାସଭବନକୁ ଫେରି ଯାଇଥିଲେ । ପ୍ରଥମଥର ପାଇଁ ଦଳର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ନିରବତା ଦଳର ବରିଷ୍ଠ ବିଜେଡି ନେତାମାନଙ୍କ ସମେତ ରାଜନୀତିକ ସମୀକ୍ଷକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଦଳର ପ୍ରତିଷ୍ଠା ଦିବସରେ ଯଦି ସୁପ୍ରିମୋ ନିରବ ରହିବେ, ତା’ହେଲେ ଲକ୍ଷଲକ୍ଷ କର୍ମୀ କାହାକୁ ଭରସା କରି ସାଂଗଠନିକ କାର୍ଯ୍ୟ ଆଗେଇନେବେ ବା ଦଳକୁ ସୁଦୃଢ଼ ପାଇଁ ଉତ୍ସାହିତ ହେବେ ତାହା ଏବେ ବିଜେଡି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୨୧ ମସିହାରେ କରୋନା କଟକଣାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବର୍ଷ ବିଜେଡି ନିଜର ପ୍ରତିଷ୍ଠା ଦିବସ ପାଳିଛି ଓ ନବୀନ ଉପସ୍ଥିତ ରହି କର୍ମୀଙ୍କ ନିମନ୍ତେ ସନ୍ଦେଶ ଦେଇଥାନ୍ତି । ଗତବର୍ଷ ପ୍ରତିଷ୍ଠା ଦିବସରେ ନବୀନଙ୍କ ପଦେ କଥା ହିଁ(ବିଜେଡି ଜଣେ କିମ୍ବା ଦୁଇଜଣ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ ) କର୍ମୀମାନଙ୍କ ମଧ୍ୟରେ ସାଂଗଠନିକ ଜୋସ୍ ବଢ଼ାଇ ଦେଇଥିଲା । ଆଉ ସେତେବେଳେ ଯେଉଁ ରାଜନୀତିକ ବ୍ୟକ୍ତିମାନେ ନିଜକୁ ଦଳର ସର୍ବେସର୍ବା ଭାବୁଥିଲେ ସେମାନଙ୍କ ପାଇଁ ବି ଏହା ଶକ୍ତଚାପୁଡ଼ା ସଦୃଶ ଥିଲା । ଏବେ ଆଉ ୩ମାସ ପରେ ଦଳ ସାଧାରଣ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି । ମାଲକାନଗିରିରୁ ମୟୂରଭଞ୍ଜ, କୋରାପୁଟରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ପ୍ରାୟତଃ ସବୁ ଜିଲ୍ଲାରେ ବିଜେଡିରେ ଗୋଷ୍ଠୀକନ୍ଦଳ ଉଗ୍ରରୂପ ଧାରଣ କରିଛି।

ନେତାମାନଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଭିତରେ ନପଶି ନବୀନଙ୍କ ଉପରେ ଭରସା କରି ଲକ୍ଷଲକ୍ଷ କର୍ମୀ ଦଳରେ ପଡ଼ିରହିଛନ୍ତି ଓ ସଂଗଠନକୁ ସୁଦୃଢ଼ କରିବା କାର୍ଯ୍ୟ ତୃଣମୂଳସ୍ତରରେ ଜାରି ରଖିଛନ୍ତି। ଯଦିଓ ଦଳର କର୍ମୀ ଓ ନେତାମାନେ ଉଭୟ ନବୀନ ଓ ତାଙ୍କ ଖାସ୍ ସହଯୋଗୀ ଭିକେ ପାଣ୍ଡିଆନଙ୍କ ନେତୃତ୍ୱକୁ ଗ୍ରହଣ କରୁଛନ୍ତି ମାତ୍ର ଆଗାମୀ ନିର୍ବାଚନରେ ବିଜେପି ଓ କଂଗ୍ରେସ ପ୍ରତି ଦଳ କେଉଁ ଆଭିମୁଖ୍ୟ ଗ୍ରହଣ କରିବ ତାହା ଦଳର ପ୍ରତିଷ୍ଠା ଦିବସରେ ନବୀନ ସ୍ପଷ୍ଟ କରିବେ ବୋଲି ଭାବିଥିବା କର୍ମୀମାନଙ୍କୁ ଏବେ ନିରାଶ ହେବାକୁ ପଡ଼ିଛି ।

ଅବଶ୍ୟ ଚଳିତମାସ ଡିସେମ୍ବର ୧୫ତାରିଖରେ ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପଦାଧିକାରୀଙ୍କୁ ନବୀନ ସମ୍ବୋଧିତ କରିଥିଲେ । ଆଉ ଦଳ ରାଜନୀତିକ ପ୍ରସ୍ତାବ ପାରିତ କରି କେନ୍ଦ୍ର ଅବହେଳା ବିରୁଦ୍ଧରେ ଲଢ଼େଇ ଜୋରଦାର କରିବ ବୋଲି ସୂଚନା ଦେଇଥିଲା । ମାତ୍ର ଏସବୁ କେବଳ ଘୋଷଣା ମଧ୍ୟରେ ରହିଯାଇଛି, ଏପର୍ଯ୍ୟନ୍ତ ସେଦିଗରେ ଦଳ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇନି କିମ୍ବା ନିକଟ ଭବିଷ୍ୟତରେ ନେବା ଭଳି ଦେଖାଯାଉନି । ଏଭଳି ସ୍ଥିତିରେ ଦଳର ପ୍ରତିଷ୍ଠା ଦିବସରେ ନବୀନଙ୍କ ନିରବତାକୁ ନେଇ କର୍ମୀମାନେ ଆଶଙ୍କାରେ ପଡ଼ିଛନ୍ତି । ଦଳର ପଦାଧିକାରୀ ଓ ନେତାଙ୍କୁ ନବୀନ ସମ୍ବୋଧିତ କରିଥିବାବେଳେ କାହିଁକି କର୍ମୀଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ଦିବସରେ କୌଣସି ସନ୍ଦେଶ ଦେଲେନି ତାକୁ ନେଇ ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଚର୍ଚ୍ଚା ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି କେଉଁ ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତି ଆଗାମୀ ନିର୍ବାଚନରେ ବିଜେଡି କେଉଁ ଆଭିମୁଖ୍ୟ ଗ୍ରହଣ କରିବ ତାହା ଚୂଡ଼ାନ୍ତ ହୋଇନି । ଏବେ ନିର୍ବାଚନୀ ବର୍ଷ ହୋଇଥିବାରୁ ପ୍ରତିଷ୍ଠା ଦିବସ ସମାରୋହକୁ ନବୀନ ଯଦି ସମ୍ବୋଧିତ କରିଥାନ୍ତେ ତା’ହେଲେ କର୍ମୀଙ୍କ ମନୋବଳ ବୃଦ୍ଧି ପାଇ ‘କେନ୍ଦ୍ର ଅବହେଳା’ ଓ ‘ରାଜ୍ୟସ୍ୱାର୍ଥ ପ୍ରସଙ୍ଗ’କୁ ଉଠାଇବାକୁ ବାଧ୍ୟ ହୋଇଥାନ୍ତେ । ଏହାବ୍ୟତୀତ ରାଜ୍ୟରେ ମେଂଟ କରିବା ନିମନ୍ତେ ବିଜେଡି ଉପରେ ଚାପ ବଢ଼ୁଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ତେଣୁ ଏସବୁ କାରଣରୁ ବିଜେଡି ସୁପ୍ରିମୋ ଦଳର ପ୍ରତିଷ୍ଠା ଦିବସ ସମାରୋହରେ ନିରବ ରହିବାକୁ ଉଚିତ୍ ମଣିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ କେ.ରବି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳର ପ୍ରତିଷ୍ଠା ଦିବସରେ ଦଳର ସଭାପତି ନିଜେ ନିରବ ରହିବା ଓ କର୍ମୀଙ୍କ ପାଇଁ କୌଣସି ସନ୍ଦେଶ ନଦେବା ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ନିଜର ପ୍ରତିଷ୍ଠା ଦିବସରେ ସଭାପତିଙ୍କଠୁ କିଛିନା କିଛି ସନ୍ଦେଶ ପାଇବାକୁ କର୍ମୀମାନେ ଆଶା ରଖିବା ସ୍ୱାଭାବିକ କଥା । ପ୍ରଥମଥର ପାଇଁ ନବୀନ ଏଭଳି ନିରବ ରହିଛନ୍ତି । ବୋଧହୁଏ ସେ ନିଜେ ପ୍ରମୁଖ ଭୂମିକାରୁ ଓହରି ଅନ୍ୟମାନଙ୍କୁ ଆଗକୁ ଆଣିବା(ପ୍ରମୁଖ ଦାୟିତ୍ୱ) ନିମନ୍ତେ ଏଭଳି କରିଥାଇପାରନ୍ତି ବୋଲି ସେ କହିଛନ୍ତି ।

Related story