Advertisment

୨୦ଦିନ ପରେ ଓଡ଼ିଶା ଫେରିଲେ ନବୀନ: ବିଜେଡିର ଭବ୍ୟ ସ୍ୱାଗତ, ପାଣ୍ଡିଆନ ବି ଦେଖାଦେଲେ

ନବୀନଙ୍କ ଆଗମନ ସମୟରେ ବିମାନବନ୍ଦରରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଥିଲା । ସମର୍ଥକମାନେ ବିଜେଡିର ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ତାଙ୍କୁ ସ୍ୱାଗତ କରିଥିଲେ ।

Naveen Patnaik

Naveen Patnaik

Advertisment

ନିଜର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୦ଦିନ ପରେ ଆଜି ଭୁବନେଶ୍ୱର ଫେରିଛନ୍ତି । ତାଙ୍କୁ ବିମାନବନ୍ଦରରେ ତାଙ୍କ ଦଳର ନେତା-କର୍ମୀମାନେ ଭବ୍ୟ ସ୍ୱାଗତ କରିଛନ୍ତି । ଦଳ ପକ୍ଷରୁ ନବୀନଙ୍କୁ ସ୍ୱାଗତ ପାଇଁ ପୂର୍ବ ପ୍ରସ୍ତୁତି କରାଯାଇ ତାଙ୍କର ମନୋବଳ ଓ ଉତ୍ସାହ ବୃଦ୍ଧି ନିମନ୍ତେ ପ୍ରୟାସ କରାଯାଇଥିବା ଚର୍ଚ୍ଚା ହେଉଛି ।

Advertisment

ଶୋଭାଯାତ୍ରାରେ ବିମାନବନ୍ଦରରୁ ନବୀନ ନିବାସ ଆସିଲେ

ନବୀନଙ୍କ ଆଗମନ ସମୟରେ ବିମାନବନ୍ଦରରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଥିଲା । ସମର୍ଥକମାନେ ବିଜେଡିର ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ତାଙ୍କୁ ସ୍ୱାଗତ କରିଥିଲେ । "ନବୀନ ପଟ୍ଟନାୟକ ଜିନ୍ଦାବାଦ’ ଓ "ଜୟ ଜଗନ୍ନାଥ’ ନାରା ସହ ବିମାନବନ୍ଦର ପରିସର ମୁଖରିତ ହୋଇ ଉଠିଥିଲା । ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ରାସ୍ତାରେ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କର୍ମୀମାନଙ୍କ ଗହଣରେ ନବୀନ ନିବାସକୁ ଆସିଥିଲେ ନବୀନ।

ବର୍ଷକ ପରେ ସର୍ବସାଧାରଣରେ ଦୃଶ୍ୟମାନ ହେଲେ ପାଣ୍ଡିଆନ

ସାଧାରଣ ନିର୍ବାଚନ ପରଠୁ ସର୍ବସାଧାରଣରେ ଦୃଶ୍ୟମାନ ହେଉନଥିବା ବିଜେଡିର ଅଘୋଷିତ ସର୍ବେସର୍ବ ଭିକେ ପାଣ୍ଡିଆନଙ୍କୁ ଆଜି ନବୀନ ନିବାସ ରାସ୍ତାରେ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା । ନବୀନ ଦଳୀୟ କର୍ମୀମାନଙ୍କ ଗହଣରେ ଶୋଭାଯାତ୍ରାରେ ନବୀନ ନିବାସ ଆସୁଥିବାବେଳେ ପାଣ୍ଡିଆନ ଆଗୁଆ ପଳାଇ ଆସିଥିଲେ । ସେ ନବୀନ ନିବାସ ଛକ(ଚାରିଛକ) ନିକଟରୁ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ନବୀନ ନିବାସକୁ ପଶିଥିଲେ । ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଯେଭଳି ଭଲଭାବେ ଦେଖିପାରିବେ ଓ ତାଙ୍କର ଉପସ୍ଥିତି ଜାଣିପାରିବେ ସେହି ଉଦ୍ଦେଶ୍ୟରେ ପାଣ୍ଡିଆନ ନବୀନ ନିବାସ ଭିତର ରାସ୍ତାରେ ଚାଲିଚାଲି ନବୀନ ନିବାସକୁ ପ୍ରବେଶ କରିଥିଲେ । ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରଠୁ ପାଣ୍ଡିଆନଙ୍କୁ ଦଳୀୟ କର୍ମୀ ଓ ନେତାମାନେ ସର୍ବସାଧାରଣରେ ଦେଖିବା ସମ୍ଭବପର ହେଉନଥିଲା ।

Advertisment

ନବୀନ ଫେରିଲେ, ଦେବୀ ଏବେ କରିବେ କ’ଣ

ନବୀନଙ୍କ ଅନୁପସ୍ଥିତିରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଦଳୀୟ ସାଂଗଠନିକ କାର୍ଯ୍ୟ ତଦାରଖ କରିବାର ଦାୟିତ୍ୱ ମିଳିଥିଲା । ନବୀନ ମୁମ୍ବାଇକୁ ଚିକିତ୍ସା ପାଇଁ ଯିବା ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଥିଲେ । ଏବେ ନବୀନ ଫେରିବା ପରେ ଦେବୀ କେଉଁ ଦାୟିତ୍ୱରେ ରହିବେ ତାହା ଜଣାପଡ଼ିନି। ମାତ୍ର ଦେବୀଙ୍କ ଅପାରଗତା ଓ ଚାଟୁକାରିତା ପାଇଁ ସମ୍ଭବତଃ ତାଙ୍କୁ ପୂର୍ବଭଳି ସଂଯୋଜକ ଦାୟିତ୍ୱ ତୁଲାଇବା ଜାରି ରଖିପାରନ୍ତି ବୋଲି ସମ୍ଭାବନା ରହିଛି। ନବୀନଙ୍କ ଅନୁପସ୍ଥିତିରେ ଦେବୀ ଅସ୍ଥାୟୀ ମୁଖିଆ ଥିଲେ ମଧ୍ୟ ସେ ପ୍ରଥମ ଦଫାରେ ଦଳୀୟ ନେତାମାନଙ୍କ ଆସ୍ଥାଭାଜନ ହୋଇପାରିନଥିବାରୁ ଏଥର କୌଣସି ବରିଷ୍ଠ ନେତା ତାଙ୍କୁ ଭରସାକୁ ନେଇନଥିଲେ ବୋଲି ଦଳୀୟ ମହଲରେ ଚର୍ଚ୍ଚା । ତେବେ ନବୀନ ଆଜି ଫେରିଥିଲେ ମଧ୍ୟ ପୁଣିଥରେ ଚେକଅପ୍ ପାଇଁ ମୁମ୍ବାଇ ଯିବା ପର୍ଯ୍ୟନ୍ତ ହୁଏତ ଦେବୀ ଏହି ଅସ୍ଥାୟୀ ଦାୟିତ୍ୱ ବଜାୟ ରଖିପାରନ୍ତି ବୋଲି ଜଣାପଡ଼ିଛି । ଖୁବଶୀଘ୍ର ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିବାବେଳେ ନବୀନ ବିଧାନସଭା ଯିବେକି ନାହିଁ ତାହା ଜଣାପଡ଼ିନି ।

କୋକିଳାବେନ୍ ହସ୍ପିଟାଲରେ ଅସ୍ତ୍ରୋପଚାର

ନବୀନ ପଟ୍ଟନାୟକ ଗତ ଜୁନ୍ ୨୦ତାରିଖରେ ମୁମ୍ବାଇ ଗସ୍ତରେ ଯାଇ ପ୍ରତିଷ୍ଠିତ କୋକିଳାବେନ୍ ହସ୍ପିଟାଲରେ ନିଜର ଅସ୍ତ୍ରୋପଚାର କରିଥିଲେ । ସେ ଗତ ୫ଦିନ ତଳେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ତେବେ ଏହି ୫ଦିନ ଧରି ସେ କେଉଁଠି ଥିଲେ ତାହା ଜଣାପଡ଼ିନି । କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ସେ ବିଶ୍ରାମ ନେଉଥିବା ସୂଚନା ମିଳିଛି । ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଓ ସେ ଧୀରେ ଧୀରେ ସାଧାରଣ ଜୀବନଚର୍ଯ୍ୟାକୁ ଫେରିବେ ବୋଲି ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe