Advertisment

ନବୀନଙ୍କ ‘ଓଡ଼ିଆ’ ଟ୍ୱିଟ୍‌: ଲେଖାଶ୍ରୀଙ୍କ ପାଇଁ ବିଜେଡିର ଦରଦ,ଶ୍ରୀମୟୀଙ୍କ ବେଳକୁ ‘ତୁଣ୍ଡି’

୨୦୨୪ ଅକ୍ଟୋବର ମାସରେ ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ରାଜନୀତିକ ଉଦ୍ଦେଶ୍ୟରେ ଏଭଳି ଶସ୍ତା ଅରୁଚିକର ଓ ନାରୀ ଚରିତ୍ର ସଂହାର ଭଳି ମନ୍ତବ୍ୟମାନ ଦେଇଥିଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ପ୍ରାୟ ୩-୪ଦିନ ଧରି ନିୟମିତ ଢଙ୍ଗରେ ସୁର ଏଭଳି ମନ୍ତବ୍ୟ ଦେଲେ । ମାତ୍ର ବିଜେଡି କିମ୍ବା ନବୀନ ଏନେଇ ମୁହଁ ଖୋଲିଲେ ନାହିଁ । ଏବେ ବିଜେପି ବିଧାୟକ ଶ୍ରୀ ଖଟୁଆ ଦେଇଥିବା ପାଲଟା ଜବାବଠୁ ବି ସୁରଙ୍କ ବୟାନ ଅଧିକ ଅରୁଚିକର ଥିଲା । କିନ୍ତୁ ବିଜେଡିର ଜଣେ ବି ନେତା ଏନେଇ ମୁହଁ ଖୋଲିନଥିଲେ ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ବିଜେଡିକୁ ଡ଼ିଆଁ ମାରିଥିବା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଲଗାମବିହୀନ ‘ତୁଣ୍ଡ’ ସପକ୍ଷରେ ଆଗକୁ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଲେଖାଶ୍ରୀଙ୍କୁ ପାଲଟାଜବାବ ଦେବାକୁ ଯାଇ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ବୟାନକୁ ରୁଗ୍‌ଣ ମାନସିକତାର ପରିଚୟ ଓ ମହିଳାଙ୍କ ସ୍ୱରକୁ ଚପାଇ ଦେବାକୁ ଉଦ୍ଦିଷ୍ଟ ବୋଲି ନବୀନ ‘ଟ୍ୱିଟ୍‌’କରି ପ୍ରତିବାଦ ଜଣାଇଛନ୍ତି । ନବୀନଙ୍କ ଏହି ‘ଓଡ଼ିଆ ଟ୍ୱିଟ’ ଓ ବିଜେଡି ପକ୍ଷରୁ ବାଲେଶ୍ୱରରେ ଓ ଭୁବନେଶ୍ୱରର ମହିଳା ଥାନାରେ ଏନେଇ ଏତଲା ରୁଜୁ ପରେ ଦଳ ତଥା ଦଳ ସୁପ୍ରିମୋଙ୍କ ଦୋମୁହାଁ ଚରିତ୍ର ଓ ନୀତି ପଦାରେ ପଡ଼ିଛି । ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଗତ ଅକ୍ଟୋବର ମାସରେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ  ଗଣମାଧ୍ୟମରେ କ୍ରମାଗତ ଚରିତ୍ର ସଂହାର ଭଳି ଅନୁରୂପ ମନ୍ତବ୍ୟ ଦେଇଥିଲେ ମଧ୍ୟ ସେତେବେଳେ ନବୀନ ଓ ତାଙ୍କ ବିଜେଡି ‘ତୁଣ୍ଡ’ ଖୋଲିନଥିଲା ।

Advertisment

ଲେଖାଶ୍ରୀଙ୍କ ପାଇଁ ବିଜେଡିର ଦରଦ, ନବୀନଙ୍କ ଟ୍ୱିଟ୍‌

ବ୍ୟକ୍ତିଗତସ୍ତରକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କରିଥିବା ଆକ୍ଷେପର ପାଲଟା କଡ଼ା ଜବାବ ବିଜେପି ବିଧାୟକ ଶ୍ରୀ ଖଟୁଆ ଦେବାପରେ ବିଜେଡିର ‘ଚୈତନ୍ୟ’ ଉଦୟ ହୋଇଥିଲା । ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ୩ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଖଟୁଆଙ୍କ କୁତ୍ସିତ ଓ ନିମ୍ନରୁଚିର ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ଆଉ ପ୍ରମିଳାଙ୍କ ଏହି ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ନପୁରୁଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଳମ୍ବିତ ରାତିରେ ଓଡ଼ିଆ ଭାଷାରେ ଏକ ଟ୍ୱିଟ୍ ମାଧ୍ୟମରେ ବିଜେପି ବିଧାୟକ ଶ୍ରୀ ଖଟୁଆଙ୍କ ବୟାନକୁ ନିନ୍ଦା କରିଥିଲେ ।  ବିଜେଡିର ଜଣେ ନେତ୍ରୀଙ୍କ ପ୍ରତି ଏପରି ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦ ଓ କଦାପି ଗ୍ରହଣୀୟ ନୁହେଁ ବୋଲି କହିବା ସହ ରାଜନୀତିକ ପ୍ରତିଉତ୍ତର ଭାବରେ ସର୍ବସାଧାରଣରେ ଜଣେ ମହିଳାଙ୍କ ଚରିତ୍ର ସଂହାର କରିବା ରୁଗଣ ମାନସିକତାର ପରିଚୟ ଓ ମହିଳାଙ୍କ ସ୍ୱର ଚପାଇ ଦେବାକୁ ଉଦ୍ଦିଷ୍ଟ । ଏହା ଦର୍ଶାଉଛି ସବୁ ମହିଳା ଚୁପ୍ ହୋଇ ରୁହନ୍ତୁ । ବିଜେପିର କେହି ଜଣେବି ନେତା ଏପରି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରିବା ସହିତ ବିଧାୟକଙ୍କୁ ଉତ୍ତରଦାୟୀ ମଧ୍ୟ କରିବାକୁ ଆଗେଇ ଆସୁନଥିବା ନବୀନ କହିଛନ୍ତି । ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ ହୋଇ ଏହାକୁ ବିରୋଧ ନିମନ୍ତେ ଆହ୍ୱାନ କରିଛନ୍ତି । ନଚେତ୍ ଏକ ରାଜ୍ୟ ଭାବେ ଆମେ ଆମ ଝିଅ ତଥା ମା’ମାନଙ୍କ ଆଗରେ ବିଫଳ ହେବା ବୋଲି କହିଛନ୍ତି । ତେବେ ନବୀନଙ୍କ ଏହି ଲମ୍ବା ଟ୍ୱିଟ୍ ମାଧ୍ୟମରେ ନବୀନ ଯେଉଁସବୁ ପ୍ରସଙ୍ଗ ଉଠାଇ ଉଦବେଗ ଜଣାଇଛନ୍ତି ତାହା ତାଙ୍କୁ ନିଜେ ଖୋଳିଥିବା ଗାତରେ ପକାଇ ଦେଇଛି ।

ଶ୍ରୀମୟୀଙ୍କ ବେଳକୁ ନବୀନଙ୍କ ତୁଣ୍ଡରେ କିଏ ବାନ୍ଧିଥିଲା ‘ତୁଣ୍ଡି’

୨୦୨୪ ଅକ୍ଟୋବର ମାସରେ ବିଜେଡିର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ରାଜନୀତିକ ଉଦ୍ଦେଶ୍ୟରେ ଏଭଳି ଶସ୍ତା ଅରୁଚିକର ଓ ନାରୀ ଚରିତ୍ର ସଂହାର ଭଳି ମନ୍ତବ୍ୟମାନ ଦେଇଥିଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ପ୍ରାୟ ୩-୪ଦିନ ଧରି ନିୟମିତ ଢଙ୍ଗରେ ସୁର ଏଭଳି ମନ୍ତବ୍ୟ ଦେଲେ । ମାତ୍ର ବିଜେଡି କିମ୍ବା ନବୀନ ଏନେଇ ମୁହଁ ଖୋଲିଲେ ନାହିଁ । ଏବେ ବିଜେପି ବିଧାୟକ ଶ୍ରୀ ଖଟୁଆ ଦେଇଥିବା ପାଲଟା ଜବାବଠୁ ବି ସୁରଙ୍କ ବୟାନ ଅଧିକ ଅରୁଚିକର ଥିଲା । କିନ୍ତୁ ବିଜେଡିର ଜଣେ ବି ନେତା ଏନେଇ ମୁହଁ ଖୋଲିନଥିଲେ । ଏପରିକି ଏବେ ଓଡ଼ିଆ ଟ୍ୱିଟ୍ ମାଧ୍ୟମରେ ନୀତିବାଣୀ ଦେଉଥିବା ନବୀନ ମଧ୍ୟ ତୁଣ୍ଡରେ ‘ତୁଣ୍ଡି’ ବାନ୍ଧିଥିଲେ । ରୁଗଣ ମାନସିକତା, କେହି ବିରୋଧ ନକରି ଭଳି ନବୀନ ଯେଉଁ ଟ୍ୱିଟ୍ କରିଛନ୍ତି ତାହା କ’ଣ ତାଙ୍କୁ ଶ୍ରୀମୟୀଙ୍କ ପ୍ରତି ସୁର ରାଉତରାୟଙ୍କ ଚରିତ୍ର ସଂହାର ସମୟରେ ଦେଖାଯାଇନଥିଲା କି ବୋଲି ପ୍ରଶ୍ନ ଉଠିଛି । ଅବଶ୍ୟ ଶ୍ରୀମୟୀ ନିଜ ସୋସିଆଲ ମିଡିଆରେ ଏହାର ପାଲଟା ଜବାବ ଦେଉଥିଲେ । ଆଉ ସେବେଠୁ ଶ୍ରୀମୟୀଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି । ଯଦିଓ ଦଳ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି ।

Advertisment

ଏସମ୍ପର୍କରେ ‘ଓଡ଼ିଶା ରିପୋର୍ଟର’କୁ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଛନ୍ତି ଯେ “ବିଜେଡିର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅନ୍ୟ ଦଳର ଜଣେ ବରିଷ୍ଠ ନେତା ଧସେଇ ପଶି ବ୍ୟକ୍ତିଗତସ୍ତରରେ ମୋ’ ପ୍ରତି କଟୂମନ୍ତବ୍ୟ ଓ ଚରିତ୍ର ସଂହାର ଭଳି ବୟାନବାଜି କରିଥିଲେ । ଏ ସମ୍ପର୍କରେ ବରିଷ୍ଠ ନେତ୍ରୀ ଉଷା ଦେବୀଙ୍କ ସହ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଅବଗତ କରାଇଥିଲି । ମାତ୍ର ଦଳ ସେତେବେଳେ ଏହି ପ୍ରସଙ୍ଗରେ ନିରବ ରହିଲା । ଦଳ କାହିଁକି ନିରବ ରହିଥିଲା ସେକଥା ମୋତେ ପଚାରିବା ବଦଳରେ ବରିଷ୍ଠ ନେତାମାନଙ୍କୁ ପଚାରିଲେ ଉଚିତ୍ ହେବ ବୋଲି ଶ୍ରୀମୟୀ କହିଛନ୍ତି ।”

ଲେଖାଶ୍ରୀଙ୍କ ବୟାନ ଓ ସନ୍ତୋଷ ଖଟୁଆଙ୍କ ପାଲଟା ଜବାବ

ଗତ ୨ତାରିଖରେ ଶଙ୍ଖଭବନରେ ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିଥିଲେ । ଶ୍ରୀ ଖଟୁଆ ଅନେକ ବେଆଇନ କାମରେ ସମ୍ପୃକ୍ତ ଥିବା ଓ ନବେ ଦଶକରେ ବାଲୋଶ୍ୱର ସ୍ଥିତ ଇସ୍ପାତ ଆଲଏଜ ଲିମିଟେଡକୁ ଖୋଳ କରି ନିଜେ କୋଟିପତି ହୋଇଯିବା, ୨୦୦ଏକର ଜଙ୍ଗଲ ଜମି ଜବରଦଖଲରେ ରଖିଥିବା ଭଳି ଅଭିଯୋଗ ଆଣିଥିଲେ । ଶ୍ରୀ ଖଟୁଆ ଗୋଟିଏ ଛୋଟ ଚୋରରୁ ବଡ଼ ଚୋର ହୋଇଥିବା ଓ ବିଭିନ୍ନ ପ୍ରକାରର ଅପରାଧରେ ସମ୍ପୃକ୍ତ ଥିବା କହିଥିଲେ ।

ଲେଖାଶ୍ରୀଙ୍କ ଏଭଳି ବୟାନ ଉପରେ ପାଲଟା କଡ଼ା ପ୍ରତିକ୍ରିୟା ଦେଇଥିଲେ ବିଧାୟକ ଶ୍ରୀ ଖଟୁଆ । ଜଣେ ବିଧାୟକଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା କ’ଣ ଲେଖାଶ୍ରୀ ଜାଣନ୍ତି ନାହିଁକି ବୋଲି ପ୍ରଶ୍ନ କରିବା ସହ ଲେଖାଶ୍ରୀ ଟିକେଟ୍ ପାଇବା ପାଇଁ ଅନେକଙ୍କ ଘରକୁ ଯାଉଥିବା କହିଥିଲେ । ଏପରିକି ଲେଖାଶ୍ରୀ ଗତ କିଛିବର୍ଷ ପୂର୍ବରୁ ଦେଇଥିବା ବୟାନ(ଓଡ଼ିଶାର ମହିଳମାନେ ରାଜ୍ୟ ବାହାରେ ଦେହବ୍ୟବସାୟ କରୁଛନ୍ତି)କୁ ଦୋହରାଇ ଲେଖାଶ୍ରୀ ବୋଧହୁଏ ସେଭଳି ଜଣେ ମହିଳା ବୋଲି କହିବାକୁ ପଛାଇ ନଥିଲେ ।

ଲେଖାଶ୍ରୀଙ୍କ ବୟାନ ଓ ଟୀକାଟିପ୍ପଣୀର ଶ୍ରୀ ଖଟୁଆ ପାଲଟା ଜବାବ ଦେବାପରେ ବିଜେଡି ପକ୍ଷରୁ ଗତକାଲି ବାଲେଶ୍ୱରରେ ଓ ଆଜି ଭୁବନେଶ୍ୱରର ମହିଳା ଥାନାରେ ତାଙ୍କୁ ଗିରଫ ଦାବିରେ ଏଫଆଇଆର ଦିଆଯାଇଛି । ଦଳର ନେତ୍ରୀମାନେ ସଂଘବଦ୍ଧ ହୋଇ ଏଫଆଇଆର ଦେଇଛନ୍ତି । ଯାହାକି ବିଜେଡି ଓ ନବୀନଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ଅବଶ୍ୟ ଚିକିତ୍ସା ପାଇଁ ମୁମ୍ବାଇରେ ଥିବା ନବୀନଙ୍କ ଭେରିଫାଏଡ୍ ଆକାଉଣ୍ଟରୁ କିଏ ଓଡ଼ିଆରେ ଟ୍ୱିଟ୍ କରୁଛି ତାହା ଜଣାପଡ଼ିନି, ମାତ୍ର ଶ୍ରୀମୟୀଙ୍କ ବେଳକୁ ନିରବ ଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଏବେ ଲେଖାଶ୍ରୀଙ୍କ ପାଇଁ ଯେଭଳି ଦରଦ ଦେଖାଉଛନ୍ତି ତାହା ବିଜେଡିରେ ଚର୍ଚ୍ଚାର ବିଷୟ ପାଲଟିଛି ।

Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe