Advertisment

କାହିଁକି ହାରିଲା ବିଜେଡି; ପ୍ରତିଷ୍ଠା ଦିବସରେ କାରଣ କହିଲେ ନବୀନ

ନବୀନ କହିଛନ୍ତି, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ।

author-image
Jitendra Garnayak
Naveen

Naveen

‘ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତା’ର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍‌ ଭୋଟ୍‌ ପାଇଛି। ଆମର ଭୁଲ୍‌ ହେଲା ଆମେ ସେମାନଙ୍କ ମିଛର ଠିକ୍‌ ଭାବରେ କାଉଣ୍ଟର କରି ପାରିଲୁ ନାହିଁ। ସେମାନଙ୍କ ନେଗେଟିଭ କ୍ୟାମ୍ପେନ ଓ ସୋଶାଲ ମିଡିଆରେ ଫଲ୍‌ସ ନ୍ୟାରେଟିଭ୍‌ର ଠିକ୍‌ ଭାବରେ ଆମେ କାଉଣ୍ଟର କରି ପାରିଲୁ ନାହିଁ।’ ଆଜି ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କଥା କହିଥିଲେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସେ କହିଥିଲେ, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ। ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି। ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା’ମାନେ ଦୁଃଖରେ ଅଛନ୍ତି। ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ?

ନବୀନ କହିଥିଲେ, ଆଜି ଓଡ଼ିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇଭଉଣୀମାନଙ୍କୁ ସୋଶାଲ ମିଡିଆରେ ସକ୍ରିୟ ରହି ବିଜେପିର ଫଲ୍‌ସ ନ୍ୟାରେଟିଭ୍‌ର ଉଚିତ୍‌ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

Advertisment

ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାରର ସଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦୁନିଆରେ ବିଜେଡି ସରକାର ଓଡ଼ିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି। ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି। ଓଡ଼ିଶାରେ ଗରିବୀ କମିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢ଼ିଛି। ବିପର୍ଯୟ ପରିଚାଳନାରେ ଆଦର୍ଶ ରାଜ୍ୟ ହୋଇପାରିଛି ଓଡ଼ିଶା। ପୁଞ୍ଜି ବିନିଯୋଗ ବଢ଼ିଛି। ୨୦୦୦ ମସିହାରେ ଓଭର ଡ୍ରାଫ୍ଟରେ ଚଳୁଥିବା ରାଜ୍ୟ ଆଜି ବଜେଟ ବଳକା ରାଜ୍ୟ ହୋଇପାରିଛି। ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ସାରା ବିଶ୍ୱରେ ଓଡ଼ିଶା କ୍ରୀଡ଼ା ରାଜଧାନୀର ପରିଚୟ ପାଇଛି। ଓଡ଼ିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ଶ୍ରୀ ପଟ୍ଟନାୟକ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ନବୀନ। ସେ କହିଥିଲେ ଯେ ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ।

ନବୀନ ଆହୁରି କହିଥିଲେ,୧୯୯୭ରେ ଆମ ଦଳ ଗଠନ ବେଳେ କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ। ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ। ମୁଁ ଦୃଢ଼ତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡ଼ି ହୋଇ ରହିଛି। ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି।

Naveen Patnaik