BJD
ଦୀର୍ଘ ୨୭ ବର୍ଷର ସଫଳ ଆଂଚଳିକ ଦଳ ତଥା ୨୪ବର୍ଷର ସରକାରକୁ ନିଜର ଭୁଲ୍ ରଣନୀତି ଓ ଆତ୍ମବଡ଼ିମା ଯୋଗୁ ଧୂଳିସାତ୍ କରିଦେଇଥିବା ଭିକେ ପାଣ୍ଡିଆନ ଆଜି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ପ୍ରଶଂସା କରିବାର ୨୪ଘଣ୍ଟା ନପୁରୁଣୁ ଆଜି ସେ ନା କେବଳ ବିଜେଡି ବରଂ ସମ୍ପୂର୍ଣ୍ଣ ରାଜନୀତିରୁ ସନ୍ୟାସ ନେଇଛନ୍ତି । ପାଣ୍ଡିଆନଙ୍କୁ ବିଜେଡି ସଂଗଠନରୁ ବିଦା କରିବାର ନବୀନଙ୍କ ଏହି ଫର୍ମୂଲା ପୁଣିଥରେ ତାଙ୍କର ଅସଲ ଚେହେରାକୁ ପଦାରେ ପକାଇଛି। ଦଳ ତଥା ନିଜ ପ୍ରତି ସାମାନ୍ୟ ବିପଦ ଆସିଲେ ଭୟଙ୍କର ହୋଇ ଉଠୁଥିବା ନବୀନ ପୂର୍ବରୁ ଅନେକ ବରିଷ୍ଠ ନେତାଙ୍କୁ ହସି ହସି ‘ଲେମ୍ବୁ ପାଣି ପିଆଇ’ ସବୁଦିନ ପାଇଁ ଡଷ୍ଟବିନକୁ ପକାଇ ଦେବାର ନଜିର ରହିଛି । ତେବେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସୁଚିନ୍ତିତ ଢଙ୍ଗରେ ବିଦା କରିଥିବା ନବୀନ କେବେ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ଓ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଏବେ ଦଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ପାଣ୍ଡିଆନଙ୍କ ନାଁରେ ବବି ଓ ମାନସ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର ସହ ବିଜେଡିକୁ ପୈତୃକ ସମ୍ପତ୍ତି ଭଳି ଉପଯୋଗ କରି କୋଟିକୋଟି ଟଙ୍କାର ସମ୍ପତ୍ତି ମାଲିକ ସାଜିଥିବା ଚର୍ଚ୍ଚା ହେଉଛି ।
ପ୍ରଶାସକରୁ ବିଜେଡିର ଦ୍ୱିତୀୟ ସର୍ବେସର୍ବା ପାଲଟିଥିବା ଭିକେ ପାଣ୍ଡିଆନ ଆଜି ବିଜୁ ପରିବାରର ଲକ୍ଷଲକ୍ଷ କର୍ମୀଙ୍କ ପାଖରେ ଦୁଃଖ ପ୍ରକାଶ କରି ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ଘୋଷଣା କରିଛନ୍ତି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ବିଜେଡିର ପରାଜୟର କାରଣକୁ ଉଲ୍ଲେଖ କରିଥିଲେ ମଧ୍ୟ ଦଳର ପରାଜୟ ପାଇଁ ସେ ଓ ତାଙ୍କ ଟିମ୍ ଯେ ଦାୟୀ ତାହା ସ୍ୱୀକାର କରିନାହାନ୍ତି । ଓଲଟା ଦେଶବିଦେଶରେ କେଉଁଠି ବି ତାଙ୍କର ସମ୍ପତ୍ତି ନାହିଁ କହି ପରୋକ୍ଷରେ କୌଣସି ଅର୍ଥ ଉପାର୍ଜନ କରିନଥିବା ସ୍ପଷ୍ଟ କରିଛନ୍ତି ।
ତେବେ ନବୀନ ଗତକାଲି ପାଣ୍ଡିଆନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପରେ ଆଜି ସେ ସକ୍ରିୟ ରାଜନୀତିରୁ ଅବସର ନେବାକୁ ରାଜନୀତିକ ମହଲରେ ଭିନ୍ନ ଢଙ୍ଗରେ ଆକଳନ କରାଯାଉଛି । ବିଗତ ଅଢ଼େଇ ଦଶନ୍ଧି ଧରି ନବୀନଙ୍କ କାର୍ଯ୍ୟଶୈଳୀକୁ ପାଖରୁ ଦେଖିଥିବା ନେତାମାନଙ୍କ ମତରେ ନବୀନ ନିଜର କ୍ଷତି ବଦଳରେ କାହାରିକୁ କ୍ଷମା ଦେବାର ନଜିର ନାହିଁ । ନବୀନ ନିଜ ଓ ଦଳ ପ୍ରତି ବିପଦ ଦେଖିଲେ ଯେକୌଣସି ସ୍ତରକୁ ଯିବାକୁ ପଛାନ୍ତି ନାହିଁ । ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଦିଲ୍ଲୀପ ରାୟ ଓ ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ବିଚକ୍ଷଣ ରାଜନେତାମାନେ ନବୀନଙ୍କ ଏହି ଅସଲ ଚେହେରାକୁ ଠିକ୍ ବୁଝିଛନ୍ତି । ନଳିନୀଙ୍କୁ ନବୀନ ନିବାସ ଡାକି ‘ଲେମ୍ବୁ ପାଣି ପିଇବାକୁ ଦେଇ’ ନବୀନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଭଳି ନିଷ୍ପତ୍ତି ନେଇପାରିଥିଲେ । ପ୍ୟାରୀ ମହାପାତ୍ରଙ୍କ ଯୋଗୁ ବିଜେଡିକୁ ନିର୍ବାଚନୀ ସଫଳତା ସହ ନବୀନଙ୍କ ପାଇଁ ନିଷ୍କଟକ ରାଜ୍ୟ ଶାସନ ସମ୍ଭବପର ହୋଇଥିଲେ ମଧ୍ୟ ତାଙ୍କୁ ବି ବଳି ଦେବାକୁ ନବୀନ ପଛାଇନଥିଲେ ।ତେଣୁ ଏବେ ୨୪ବର୍ଷର ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବାପରେ ନବୀନ ନିଜର ପୁରୁଣା ଫର୍ମକୁ ଫେରିଛନ୍ତି ।
ନବୀନ ନିବାସ ସୂତ୍ରରୁ ଜଣାପଡ଼ିଛି ଯେ, ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ହେବାପରେ ଦଳୀୟ ନେତା ଓ କର୍ମୀମାନଙ୍କୁ ସାନ୍ତ୍ୱନା ଦେଉଥିବା ନବୀନ କିନ୍ତୁ ଏହି ଶୋଚନୀୟ ପରାଜୟକୁ ଏତେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିପର୍ଯ୍ୟୟର କାରଣକୁ ଠିକ୍ ବୁଝିଥିବା ନବୀନ ନିର୍ବାଚନ ଫଳାଫଳ ଆସିବା ଦିନ ହିଁ ପାଣ୍ଡିଆନଙ୍କୁ ଭେଟିବାକୁ ସିଧାସଳଖ ମନା କରିଦେଇଥିଲେ । ପାଣ୍ଡିଆନଙ୍କୁ ଗଣମାଧ୍ୟମରେ ବିଦାୟକାଳୀନ ପ୍ରଶଂସା କରି ତାଙ୍କୁ ବିଜେଡିଠୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଏକରକମ ବାଧ୍ୟ କରିଦେଇଥିଲେ ଓ ଯେଉଁଥିପାଇଁ ଆଜି ପାଣ୍ଡିଆନ ଭିଡିଓ ବାର୍ତ୍ତା ମାଧ୍ୟମରେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି । ଅବଶ୍ୟ ପାଣ୍ଡିଆନ ପୂର୍ବଭଳି ନବୀନଙ୍କ ବ୍ୟକ୍ତିଗତ କାର୍ଯ୍ୟ ତୁଲାଇବାର ସମ୍ଭାବନା ରହିଛି ବୋଲି ଏହି ସୂତ୍ର କହିଛି ।
ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ଟିମ୍ ସାଜି ବିଜେଡିକୁ ଆଖିବୁଜି ଲୁଟିଥିବା ତଥା ସମାନ୍ତରାଳ ପ୍ରାର୍ଥୀ ଦେଇ ଦଳର ବରିଷ୍ଠ ନେତାମାନଙ୍କୁ ପରାଜିତ କରିବାରେ ପ୍ରମୁଖ ଭୂମିକା ନେଇଥିବା ବବି ଓ ମାନସଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ମହଲରେ ଦାବି ଜୋର ଧରିଲାଣି । ପାଣ୍ଡିଆନଙ୍କ ଟିମ୍ ସଦସ୍ୟ ହୋଇ ବବି ଓ ମାନସ ନାକେବଳ ଦଳରେ ନିଜର ହାକିମାତି ଜାହିର କରୁଥିଲେ ବରଂ ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଉନଥିଲେ । ପାଣ୍ଡିଆନଙ୍କ ନାଁ ବିକି ଏହି ଦୁଇ ନେତା ବହୁ ପ୍ରଶାସନିକ କାର୍ଯ୍ୟ ସମେତ କର୍ପୋରେଟ ହାଉସ୍ ଓ କମ୍ପାନୀଠୁ କୋଟିକୋଟି ଟଙ୍କା ଚାନ୍ଦା ନେଇଥିବାର ମାଳମାଳ ଅଭିଯୋଗ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟକୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ସମେତ ବବି ଓ ମାନସ ଭାଗ ବାଂଟି ନେଇଥିଲେ ଏବଂ ଅନେକ ସ୍ଥାନରେ ନିଜର ତୋଷାମଦକାରୀଙ୍କୁ ଥଇଥାନ କରିବାରେ ମଧ୍ୟ ସଫଳ ହୋଇଥିବା ଜଣାପଡ଼ିଛି । କୁଟ୍ଟେଙ୍କୁ ଧରି ମାନସ ଅନେକ ପ୍ରତ୍ୟାଖ୍ୟାତ ନେତାଙ୍କୁ ବିଜେଡିରେ ମିଶାଇ ଦଳୀୟ ଟିକେଟ୍ ଧରାଇଥିବାବେଳେ ବବି ଚଳିତ ନିର୍ବାଚନରେ ୧୫ରୁ ୨୦ଟି ସ୍ଥାନରେ ଦଳର ପୁରୁଖା ନେତା ତଥା ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।
ପାଣ୍ଡିଆନ ସକ୍ରିୟ ରାଜନୀତିରୁ ବିଦା ହେବା ଭଳି ଏହି ଦୁଇ ନେତାଙ୍କ ବିରୁଦ୍ଧରେ ନବୀନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଦଳର ବରିଷ୍ଠ ନେତାମାନେ ଏବେ ସଂଗଠନକୁ ସଜାଡ଼ିବା ଏବଂ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ତୁରନ୍ତ ବବି ଓ ମାନସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନବୀନଙ୍କ ଉପରେ ଚାପ ପକାଇବେ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD_1717933631.jpg)