Advertisment

ଶ୍ରଦ୍ଧା-ପାଣ୍ଡିଆନ-ବବିଙ୍କ ଚାପରେ ନବୀନ: ପୁରୁଖାଙ୍କୁ କୋଣଠେସା, ପୁଣି ସକ୍ରିୟ ହେଲେ ପାଣ୍ଡିଆନ

ବିଜେଡିର ବିପର୍ଯ୍ୟୟ ପାଇଁ ଯେଉଁମାନଙ୍କୁ ସାଧାରଣରେ ଦାୟୀ କରାଯାଉଛି ସେମାନେ ଏବେ ପୁଣିଥରେ ଦଳରେ ସକ୍ରିୟ ଭୂମିକା ତୁଲାଇବା ଆରମ୍ଭ କରିଛନ୍ତି।

ଅଦ୍ୟତନ ହୋଇଛି
undefined

VK Pandian

Advertisment

ରାଜ୍ୟରେ ବିଜେଡିର ୨୪ବର୍ଷର ଶାସନର ଅନ୍ତ ଘଟିଛି । ଦଳର ଏତେ ବଡ଼ ନିର୍ବାଚନୀ ବିପର୍ଯ୍ୟୟ କାହିଁକି ହେଲା, ମାସେ ଛୁଇଁଲାଣି, ତା’ର ସମୀକ୍ଷା ତ ଦୂରର କଥା ଫାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ଗଠନ କଲାନି ବିଜେଡି । ଏପଟେ ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ପୁଣିଥରେ ସକ୍ରିୟ ହୋଇ ନିଜର ପୁରୁଣା ଟିମ୍ ମାଧ୍ୟମରେ ସଂଗଠନକୁ ନିଜ ମର୍ଜିରେ ପରିଚାଳନା କରୁଥିବା ଜଣାପଡ଼ିଛି । ଏପରିକି ପରସ୍ପରର ଦୋଷତ୍ରୁଟି ଓ ପାପ ଲୁଚାଇବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୋହରା କରି ବିଜେଡିର ସେହି ପୁରୁଣା ଟିମ୍ ଏବେ ଦଳର ଭାଗ୍ୟବିଧାତା ସାଜିଥିବାର ସୂଚନା  ମିଳିଛି । ଆଉ ଏସବୁ କାରଣ ପାଇଁ ବିଜେଡିରେ ଦଳୀୟ ନେତା-କର୍ମୀ ହତୋତ୍ସାହିତ ହେବା ସହ ଭାଗଭାଗ ହୋଇଯିବାର ଆଶଙ୍କା ଦେଖାଦେଇଛି ।

Advertisment

ସୂଚନା ଅନୁସାରେ, ବିଜେଡିର ବିପର୍ଯ୍ୟୟ ପାଇଁ ଯେଉଁମାନଙ୍କୁ ସାଧାରଣରେ ଦାୟୀ କରାଯାଉଛି ସେମାନେ ଏବେ ପୁଣିଥରେ ଦଳରେ ସକ୍ରିୟ ଭୂମିକା ତୁଲାଇବା ଆରମ୍ଭ କରିଛନ୍ତି । ବିଜେଡିର ଏହି ପାୱାରଫୁଲ୍ ଟିମ୍ ପରସ୍ପରର ଦୋଷତ୍ରୁଟି ଓ ଦୁର୍ବଳତାକୁ ଲୁଚାଇବା ଏବଂ ପରିସ୍ଥିତିକୁ ଆକଳନ କରି ଦଳୀୟ ସଂଗଠନରେ ଅନ୍ୟ କୌଣସି ନେତାଙ୍କୁ ଆଗକୁ ଆଣିବାକୁ ଚାହୁଁନଥିବା ଜଣାପଡ଼ିଛି । ନବୀନଙ୍କ ସରଳତାର ସୁଯୋଗ ନେଇ ତାଙ୍କ ଉପରେ ଚାପ ସୃଷ୍ଟି କରି ବିଜେଡିର ଏହି ଟିମ୍ ଏବେ ଦଳୀୟ ସଂଗଠନରେ ପୁଣିଥରେ ନିଜର କର୍ତ୍ତୃତ୍ୱ ଜାହିର କରିଥିବାର ସୂଚନା ମିଳିଛି । ବିଜେଡିର ବହୁ ପୁରୁଖା ନେତାମାନେ ବାରମ୍ବାର ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଦଳର ବିପର୍ଯ୍ୟୟ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅଭିଜ୍ଞ ନେତାମାନଙ୍କ ମାଧ୍ୟମରେ ସଂଗଠନକୁ କ୍ରିୟାଶୀଳ କରାଇବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇପାରୁନି । ନବୀନଙ୍କ ନିରବତା ହିଁ ତାଙ୍କର ଅସହାୟତାକୁ ପଦାରେ ପକାଇ ଦେଇଛି । ଦଳର ପରାଜୟର ସମୀକ୍ଷା ପାଇଁ ଫାକ୍ଟ ଫାଇଣ୍ଡିଂ ଟିମ୍ ଗଢ଼ାହେଲେ ପାଣ୍ଡିଆନ ଓ ବବିଙ୍କ ଅସଲ ଚେହେରା ପଦାରେ ପଡ଼ିଯିବାର ଆଶଙ୍କା ଥିବାରୁ ନବୀନଙ୍କ ଉପରେ ଚାପ ପକାଇ ସେମାନେ ଏହି କମିଟି ଗଠନ କରାଇ ଦେଉନଥିବା ଜଣାପଡ଼ିଛି ।

ନବୀନ ନିବାସ ସୂତ୍ର ଅନୁସାରେ, ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କରିବା କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ । ନବୀନ ନିବାସରେ ରହି ପାଣ୍ଡିଆନ ନିଜର ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି)ଙ୍କ ମାଧ୍ୟମରେ ଦଳୀୟ ସଂଗଠନକୁ ପରିଚାଳନା କରୁଛନ୍ତି । ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରିବା ହେଉ ଅବା ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିବା ସବୁକିଛି ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଛି ବୋଲି ଚର୍ଚ୍ଚା । ନିଜକୁ ପାଣ୍ଡିଆନଙ୍କ କ୍ରୀତଦାସ କହୁଥିବା ବବି ମଧ୍ୟ ସିଧାସଳଖ ଆଗକୁ ନଆସି ନିଜର ଖାସ୍ ଅନୁଗତ ପ୍ରତାପ କେଶରୀ ଦେବ ଓ ବରିଷ୍ଠ ନେତା ପ୍ରତାପ ଜେନାଙ୍କ ମାଧ୍ୟମରେ ଏବେ ସାଂଗଠନିକ କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।  ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ଥିବାର ଆଳ ଦେଖାଇ ଶ୍ରୀ ଜେନାଙ୍କୁ ଦଳୀୟ ଟିକେଟରୁ ବଂଚିତ କରାଯାଇଥିଲା ଓ ଏବେ ତାଙ୍କୁ ‘ରାଜ୍ୟସଭା’ର ଲଲିପପ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
ଦଳର ସାଂଗଠନିକ ନବକଳେବର କରାଇ ପରାଜୟର ଦୋଷତ୍ରୁଟି ଖୋଜିବା ପାଇଁ ଉଠୁଥିବା ଦାବି ଉପରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପକାଇବାକୁ ପାଣ୍ଡିଆନ ରଣନୀତି ପ୍ରସ୍ତୁତ କରିଛନ୍ତି । ଯେଉଁଥିପାଇଁ ପାଣ୍ଡିଆନ-ବବିଙ୍କ ଇସାରାରେ ପ୍ରତାପ ଦେବ ଓ ପ୍ରତାପ ଜେନା ଏବେ ସେହି ତୋଷାମଦକାରୀ ପୁରୁଣା ଟିମକୁ ଧରି ସାଂଗଠନିକ ପଦାଧିକାରୀ ତାଲିକା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

Advertisment

ଚର୍ଚ୍ଚା ହେଉଛି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବୟାସାଧିକ୍ୟ ଓ ସ୍ୱାସ୍ଥ୍ୟଗତ କାରଣ ପାଇଁ ଫିଜିଓଥେରାପିଷ୍ଟ ଶ୍ରଦ୍ଧାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିବାରୁ ତା’ର ଫାଇଦା ପାଣ୍ଡିଆନ ଓ ତାଙ୍କ ଟିମ୍ ନେଉଛନ୍ତି । ଶ୍ରଦ୍ଧାଙ୍କ ଉପରେ ନବୀନଙ୍କ ନିର୍ଭରତା ବଢ଼ିଛି, ଆଉ ଶ୍ରଦ୍ଧା ମଧ୍ୟ ଅଦୃଶ୍ୟ କାରଣରୁ ପାଣ୍ଡିଆନଙ୍କ ଛତ୍ରଛାୟାରେ ରହିବାକୁ ଚାହୁଁଛନ୍ତି । ଏପଟେ ପାଣ୍ଡିଆନ ମଧ୍ୟ ବବିଙ୍କ ଛଡ଼ା ଅନ୍ୟ କାହାରିକୁ ଧରି ସାଂଗଠନିକ କାର୍ଯ୍ୟ କରିବା ସହଜ ମଣୁନାହାନ୍ତି । ତେଣୁ ପରସ୍ପରର ଆବଶ୍ୟକତା  ହେଉ ଅବା ଦୋଷତ୍ରୁଟିକୁ ଲୁଚାଇବା ପାଇଁ ଶ୍ରଦ୍ଧା-ପାଣ୍ଡିଆନ-ବବି ତ୍ରୟ ଏବେ ନବୀନଙ୍କୁ ଚାପଗ୍ରସ୍ତ କରି ବିଜେଡିକୁ ନିଜ ନିୟନ୍ତ୍ରଣକୁ ନେଇସାରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଗତକାଲି ଅର୍ଥାତ୍ ଜୁନ୍ ୩୦ତାରିଖରେ ମାଲକାନଗିରି ଜିଲ୍ଲା ବିଜେଡିର ଏକ ସମୀକ୍ଷା ବୈଠକରେ ଲାଗିଥିବା ବ୍ୟାନରରେ ନବୀନଙ୍କ ସହ ପାଣ୍ଡିଆନ ଓ ବବିଙ୍କ ଫଟୋଚିତ୍ର ଦେଖିବାକୁ ମିଳିଥିଲା ।

ତେଣୁ ସଂଗଠନକୁ ନେତୃତ୍ୱ ଦେବା ଓ ପରିଚାଳନା କରିବା ପାଇଁ ନବୀନଙ୍କ ଅନାଗ୍ରହ ଏବଂ ପାଣ୍ଡିଆନ-ବବି ନିଜର ପୁରୁଣା ଟିମଙ୍କୁ ଧରି ପୁଣିଥରେ ସକ୍ରିୟ ହେଉଥିବାରୁ ଦଳର ଅଧିକାଂଶ ନେତା-କର୍ମୀ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି । ଏପରିକି ଦଳର ଅଧିକାଂଶ ବିଧାୟକ ମଧ୍ୟ ବିଜେପି ସହ ଯୋଗସୂତ୍ରରେ ରହିଥିବାରୁ ବିଜେଡିରେ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଜଣାପଡ଼ିଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe