ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନବୀନ: ଆବଶ୍ୟକତା ନା ବାଧ୍ୟବାଧକତା?

ନବୀନଙ୍କ ଏଭଳି ଖୋଲା ଇସାରା ଏବେ ରାଜ୍ୟ ରାଜନୀତି, ଏପରିକି ଜାତୀୟ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଆକଳନ କରାଯାଉଛି । ତେବେ ସାଧାରଣ ନିର୍ବାଚନ ସମୟରେ ଏଭଳି ଆଭିମୁଖ୍ୟ ନବୀନ ସରକାର ପାଇଁ ଆବଶ୍ୟକତା ନା ବାଧ୍ୟବାଧକତା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Thursday, 18 May 2023
  • , Updated: 18 May 2023, 07:58 PM IST

ବିଜେଡି ଆଗାମୀ ସାଧାରଣ ନିର୍ବାଚନରେ ଏକାକୀ ଲଢ଼ିବ। ଉଭୟ ଏନଡିଏ ଓ ୟୁପିଏଠୁ ସମଦୂରତ୍ୱ ନୀତି ବଜାୟ ରଖିବ ଏବଂ କୌଣସି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବନି ବୋଲି ଗତ ସପ୍ତାହରେ ମତ ରଖିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ସନ୍ଦେଶ ଦେଇଛନ୍ତି। ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ନବୀନ ଇସାରା ଇସାରାରେ କହିବା ସହ ମୋଦିଙ୍କ ନେତୃତ୍ୱ ପ୍ରତି ମଧ୍ୟ ଆସ୍ଥା ପ୍ରକଟ କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ନବୀନଙ୍କ ଏଭଳି ଇସାରା ରାଜନୀତିକ ଉଷ୍ମତା ବଢ଼ାଇ ଥିବାବେଳେ ଓଡ଼ିଶା ପରିପ୍ରେକ୍ଷୀରେ ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ତାଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଇଚ୍ଛା ବ୍ୟକ୍ତ କରିବା ନବୀନଙ୍କ ଆବଶ୍ୟକତା ନା ବାଧ୍ୟବାଧକତା ତାକୁ ନେଇ ଚର୍ଚ୍ଚା।

ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଚଳାଚଳର ଲୋକାର୍ପଣ ସହ ବିଭିନ୍ନ ରେଳବାଇ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଓଡ଼ିଶା ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଓ ଅନ୍ୟ କେତେକ ରେଳବାଇ ପ୍ରକଳ୍ପ ନିମନ୍ତେ ଦାବି ରଖିଛନ୍ତି। ଏହାସହିତ ନବୀନ ନିଜ ଅଭିଭାଷଣରେ ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରସଙ୍ଗରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କରିଥିବା ଆଲୋଚନାକୁ ମଧ୍ୟ ଉଲ୍ଲେଖ କରିବାକୁ ପଛାଇ ନାହାନ୍ତି । ପୁରୀ ବିମାନବନ୍ଦରକୁ ବିଶ୍ୱସ୍ତରୀୟ ସମୁଦ୍ରକୂଳ ବିମାନ ବନ୍ଦରରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ ପାଳନ କରାଯିବ ଓ ପ୍ରଧାନମନ୍ତ୍ରୀ ମୋଦି ସହାୟତାରେ ଆଗାମୀ ୩ରୁ ୪ବର୍ଷ ମଧ୍ୟରେ ଏହି ବିମାନ ବନ୍ଦର ପ୍ରସ୍ତୁତ ହେବ। ଆଉ ଶ୍ରୀକ୍ଷେତ୍ର ଆସି ପ୍ରଧାନମନ୍ତ୍ରୀ ମୋଦି ଏହି ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରର ଲୋକାର୍ପଣ କରିବେ ବୋଲି ନବୀନ ଇଚ୍ଛା ବ୍ୟକ୍ତ କରିଛନ୍ତି।

କେବଳ ସେତିକି ନୁହେଁ, ମୋଦି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ବୁଲେଟ୍ ଟ୍ରେନ ଚଳାଚଳ’ କଥା ମନେ ପକାଇ ନବୀନ କହିଛନ୍ତି ଯେ, ବୁଲେଟ୍ ଟ୍ରେନ ଚଳାଚଳ ସ୍ୱପ୍ନ ଖୁବଶୀଘ୍ର ବାସ୍ତବ ରୂପ ନେବ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପରେ ଭାରତରେ ବୁଲେଟ ଟ୍ରେନର ଆକାଂକ୍ଷା ପୂରଣ ଦିଗରେ ଆମେ ଆଉ ପାଦେ ନିକଟତର ହୋଇଛୁ। ମୁଁ ନିଶ୍ଚିତ ଯେ, ଆପଣଙ୍କ ନେତୃତ୍ୱରେ ଆମକୁ ଖୁବଶୀଘ୍ର ବୁଲେଟ୍ ଟ୍ରେନ ମିଳିବ ବୋଲି ନବୀନ କହିଛନ୍ତି।

ନବୀନଙ୍କ ଏଭଳି ଖୋଲା ଇସାରା ଏବେ ରାଜ୍ୟ ରାଜନୀତି, ଏପରିକି ଜାତୀୟ ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଆକଳନ କରାଯାଉଛି । ତେବେ ସାଧାରଣ ନିର୍ବାଚନ ସମୟରେ ଏଭଳି ଆଭିମୁଖ୍ୟ ନବୀନ ସରକାର ପାଇଁ ଆବଶ୍ୟକତା ନା ବାଧ୍ୟବାଧକତା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରରେ ମୋଦି ସରକାରକୁ ପ୍ରତ୍ୟେକଟି ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଇ ଆସୁଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ଗତ ସପ୍ତାହରେ ନୀତିଶ କୁମାର ଓ ପୂର୍ବରୁ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବେନି ବୋଲି ସ୍ପଷ୍ଟ କରିସାରିଛନ୍ତି । ଏନଡିଏ ଓ ୟୁପିଏଠୁ ସମଦୂରତ୍ୱ ନୀତି ବଜାୟ ରଖି ବିଜେଡି ଏକାକୀ ନିର୍ବାଚନ ଲଢ଼ିବ ବୋଲି ମଧ୍ୟ ନବୀନ ଘୋଷଣା କରିଛନ୍ତି । ତଥାପି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ନବୀନ ପରୋକ୍ଷରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ନୁହେଁ ବରଂ ସୌହାର୍ଦ୍ଧ୍ୟପୂର୍ଣ୍ଣ ଲଢ଼େଇ ହେବ ବୋଲି ଏବେଠୁ ଇସାରା କରିଛନ୍ତି । ଗତ କିଛିବର୍ଷ ଧରି ବିଜେଡି  ପ୍ରତ୍ୟେକ କ୍ଷେତ୍ରରେ ଜାତୀୟସ୍ତରରେ ବିଜେପିକୁ ସୁହାଇବା ଭଳି ସମର୍ଥନ ଦେଇ ଆସିଛି। ଏପରିକି ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିର କୌଣସି ମୁଖପାତ୍ର କିମ୍ବା ଦଳୀୟ ନେତା ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ପଦେ କହିବାର ନଜିର ବି ନାହିଁ । ସମ୍ଭବତଃ ବିଜେଡି ପକ୍ଷରୁ ଏଭଳି ଅଲିଖିତ ନିର୍ଦ୍ଦେଶ ପୂର୍ବରୁ ଜାରି ହୋଇଛି। ଯାହା ଆଜି ନବୀନଙ୍କ ଅଭିଭାଷଣ ପରେ ସ୍ପଷ୍ଟ ହୋଇଛି। ଏପଟେ ବିଜେପି ପାଇଁ ଜାତୀୟସ୍ତରରେ ବିଜେଡି ଭଳି ଏକ ସହଯୋଗୀର ଆବଶ୍ୟକତା ମଧ୍ୟ ରହିଛି। ନବୀନ ନିଜର ଅଣଏନଡିଏ ଓ ଅଣୟୁପିଏ ଖୋଳପା ଭିତରେ ରହି ସୁବିଧାବାଦୀ କାର୍ଡ ଖେଳି ନିଜର ଆସନକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଏହା ନବୀନଙ୍କ ସୁବିଧାବାଦୀ ରାଜନୀତି ନା ରାଜ୍ୟ ବିଜେପିକୁ ଅକଳରେ ପକାଇବା ନିମନ୍ତେ ସୁଚିନ୍ତିତ ଚାଲ୍ । ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତାଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ନବୀନ ସରକାର ପାଇଁ ବାଧ୍ୟବାଧକତା କି? କାରଣ ଚିଟଫଣ୍ଡ, କୋଇଲା, ଖଣି ଓ ବ୍ଲାକରୋଜ୍ ଭଳି ପ୍ରସଙ୍ଗରେ ବ୍ୟାକଫୁଟରେ ଥିବା ବିଜେଡିକୁ ସିବିଆଇ ଭୟ ଘାରିଛି କି? ଆଉ ଏସବୁ କାରଣ ପାଇଁ ବିଜେଡି ନିଜର ସୁବିଧାବାଦୀ କାର୍ଡ ଖେଳି ଆଗାମୀ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଥାଇପାରେ ବୋଲି ରାଜନୀତିକ ମହଲରେ ଆକଳନ କରାଯାଇଛି ।

Related story