Advertisment

ବିଜେପି ‘ବାଣ’ରେ ବିଜେଡି ଘାଇଲା: ନବୀନ ଦେଖିଲେ ‘ଓଡ଼ିଆ ଚ୍ୟାନେଲ’, ୩ବର୍ଷ ତଳେ ଉପହାର ପାଇଥିବା ବହି ବି କିଣିଲେ

ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ ଥିବାବେଳେ ଧର୍ମେନ୍ଦ୍ରଙ୍କ ଏଭଳି ବୟାନ ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଜେଡି ନେତୃତ୍ୱ ଆଶଙ୍କା କରି ତରବରିଆ ଭାବେ ସ୍ଥିତିକୁ ମ୍ୟାନେଜ୍ ପାଇଁ ଆଜି ପ୍ରୟାସ କରିଥିବା ଜଣାପଡ଼ିଛି।

author-image
Ordigital Desk
Naveen Patnaik

Naveen Patnaik

ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‘ବାଣ’ରେ ବିଜେଡି ଘାଇଲା ହୋଇଛି। ଧର୍ମେନ୍ଦ୍ରଙ୍କ ଗତକାଲିର ବୟାନକୁ ଭୁଲ୍ ପ୍ରମାଣିତ କରିବା ପାଇଁ ବିଜେଡି ଆଜି ପ୍ରୟାସ କରିଛି। ଆଉ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ଓଡ଼ିଆ ଚ୍ୟାନେଲ ଦେଖୁଥିବାର ଏକ ଭିଡିଓକୁ ଦଳ ପକ୍ଷରୁ ଶେୟାର କରାଯାଇଛି। ଯାହା ଏବେ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ଧର୍ମେନ୍ଦ୍ର ଏଏନଆଇକୁ ସାକ୍ଷାତକାର ଦେଇ ନବୀନ ପଟ୍ଟନାୟକଙ୍କ ବେଡରୁମରୁ ଟେଲିଫୋନ୍ କଟାଯାଇଛି ଓ ସେ ଦେଖୁଥିବା ଟିଭିରେ ଓଡ଼ିଆ ଚ୍ୟାନେଲ ନାହିଁ ବୋଲି କହିଥିଲେ। ଯାହାକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଥିଲା।

Advertisment

ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ ଥିବାବେଳେ ଧର୍ମେନ୍ଦ୍ରଙ୍କ ଏଭଳି ବୟାନ ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଜେଡି ନେତୃତ୍ୱ ଆଶଙ୍କା କରି ତରବରିଆ ଭାବେ ସ୍ଥିତିକୁ ମ୍ୟାନେଜ୍ ପାଇଁ ଆଜି ପ୍ରୟାସ କରିଥିବା ଜଣାପଡ଼ିଛି। ନବୀନଙ୍କ ଭାବମୂର୍ତ୍ତିକୁ ମ୍ୟାନେଜ୍ କରିବା ଓ ସେ ସମ୍ପୂର୍ଣ୍ଣ ଫିଟ୍ ଥିବା ଏବଂ ଲୋକଙ୍କ ସହ ମିଶୁଥିବାର ସନ୍ଦେଶ ଦେବା ପାଇଁ ଆଜି ନବୀନ ପଟ୍ଟନାୟକଙ୍କୁ ଧରି ବିଜେଡିର ସର୍ବେସର୍ବା ଭିକେପାଣ୍ଡିଆନ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଥିବା ଏକ ବହି ଦୋକାନକୁ ଯାଇଥିଲେ। ସେଠାରେ ନବୀନ ୨ଟି ପୁସ୍ତକ କିଣି ୨୫୦୦ଟଙ୍କା ବିଲ୍ ଦେଇଥିଲେ। ତେବେ ସବୁଠୁ ବଡ଼କଥା ହେଲା ନବୀନ ଯେଉଁ ଦୁଇଟି ପୁସ୍ତକ କିଣିଥିଲେ ସେଥିରୁ ଗୋଟିଏ ପୁସ୍ତକ ‘ସିକ୍ରେଟ୍ସ ଅଫ ଶିମିଳିପାଳ’କୁ ଏହାର ରଚୟିତା ଦେବବ୍ରତ ସ୍ୱାଇଁ ନିଜେ ୨୦୨୧ ସେପ୍ଟେମ୍ବର ୧୬ତାରିଖରେ ନବୀନଙ୍କୁ ଉପହାର ଦେଇଥିଲେ। ନବୀନ ଉକ୍ତ ପୁସ୍ତକକୁ ସେତେବେଳେ ପଢ଼ି ନଥିଲେ ଅବା ଆଜିର ପ୍ରାୟୋଜିତ କାର୍ଯ୍ୟକ୍ରମବେଳେ ଏକଥା ନବୀନ ନିଜେ ବୋଧହୁଏ ଭୁଲି ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ବିଜେଡି ପକ୍ଷରୁ ଆଜି ୧୮ସେକେଣ୍ଡର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ଉକ୍ତ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନବୀନ ନିବାସରେ ବସି ବିଜେଡି ପ୍ରାୟୋଜିତ ଓଡ଼ିଆ ଟିଭି ଚ୍ୟାନେଲରେ ତାଙ୍କ ବହି କିଣା ଖବରକୁ ଦେଖୁଥିବା ଜଣାପଡ଼ିଛି। ତେବେ ଗତକାଲି ଧର୍ମେନ୍ଦ୍ରଙ୍କ କଟାକ୍ଷ ଓ ସଙ୍ଗୀନ ଅଭିଯୋଗର ପ୍ରତିକୂଳ ପ୍ରଭାବ ଆସନ୍ତାକାଲି ଉପକୂଳର ସଚେତନ ଭୋଟରଙ୍କ ଉପରେ ପଡ଼ିବାର ଆଶଙ୍କା କରି ନବୀନଙ୍କ ଭାବମୂର୍ତ୍ତିକୁ ମ୍ୟାନେଜ୍ ପାଇଁ ଆଜିର ଏହି ଦୁଇ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ସୂଚନାଯୋଗ୍ୟ,  ବିଜେପି ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରି ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ତାମିଲନାଡ଼ୁରେ ଜନ୍ମିତ ଭିକେ ପାଣ୍ଡିଆନ ନିୟନ୍ତ୍ରଣ କରୁଥିବା ଅଭିଯୋଗ କରିଆସୁଛି।  ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ଉଭୟ ନବୀନଙ୍କୁ ନିୟନ୍ତ୍ରଣ କରାଯାଉଥିବା ଓ କାହା ସହ ମିଶିବାକୁ ଦିଆଯାଉନଥିବାର ଖୋଲାଖୋଲି ଅଭିଯୋଗ କରିଆସୁଛନ୍ତି। ‘ଓଡ଼ିଆ ଅସ୍ମିତା ଓ ତାମିଲ ଶାସନ’ ପ୍ରସଙ୍ଗ ଶେଷ ପର୍ଯ୍ୟାୟ ନିର୍ବାଚନ ଗଣିତକୁ ବିଜେଡି ବିପକ୍ଷରେ ନେବାର ଆଶଙ୍କା କରି ଆଜି ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡ଼ିଛି।

BjD Naveen Patnaik