Advertisment

୪ଦିନରେ ୪ ଲୋକସଭା ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରଚାର, ଶେଷ ସ୍ପର୍ଶ ଦେବେ ନବୀନ

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଗତ ୨୪ତାରିଖରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

Naveen Patnaik

Naveen Patnaik

Advertisment

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବିଜେଡି ନିଜର ପ୍ରଚାର ଅଭିଯାନ ଜୋରଦାର କରିଛି । ବିଜେଡିର ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ୪ଦିନରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ଟି ଲୋକସଭା ଆସନରେ ମେ’ ପ୍ରଥମ ସପ୍ତାହରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏହି ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ବିଧାନସଭା ଆସନରେ ଆସନ୍ତା ମେ’ ୧୩ତାରିଖରେ ମତଦାନ ହେବ ।

Advertisment

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଗତ ୨୪ତାରିଖରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଆସିକା ଲୋକସଭା ଆସନ ଅନ୍ତର୍ଗତ ହିଞ୍ଜିଳିରେ ଉଭୟ ନବୀନ ଓ ପାଣ୍ଡିଆନ ପ୍ରଚାର କରିଥିଲେ । ଏହା ପରଦିନଠୁ ଅର୍ଥାତ୍ ୨୫ତାରିଖରେ ପାଣ୍ଡିଆନ କୋରାପୁଟ ଲୋକସଭା ଆସନ ଓ ଆଜି ନବରଙ୍ଗପୁର ଲୋକସଭା କ୍ଷେତ୍ରକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ସେ ଆସନ୍ତାକାଲି କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ । ଏପ୍ରିଲ ୨୯-୩୦ତାରିଖରେ ସେ ବ୍ରହ୍ମପୁର ସଂସଦୀୟ ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନ ଏହି ୪ଟି ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରଚାର କରିବା ପରେ ନବୀନ ଉକ୍ତ ଲୋକସଭା ଆସନରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ପାଇଁ ପ୍ରସ୍ତୁତ ‘ହାଇଟେକ୍ ବସ’ରେ ରୋଡ୍ ଶୋ’ ସହ ସାଧାରଣ ସଭାକୁ ଏଲଇଡି ମାଧ୍ୟମରେ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି ।

ଏପଟେ ରାଜନୀତିକ ମହଲରେ ଚର୍ଚ୍ଚା ଅନୁସାରେ, ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଯାଇ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଅଧିକାଂଶ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରାର୍ଥୀଙ୍କ ନିମନ୍ତେ ଭୋଟ୍ ମାଗିବା ଓ ଦଳୀୟ କର୍ମୀମାନଙ୍କଠୁ ସେମାନଙ୍କର ଆପତ୍ତି-ଅଭିଯୋଗ ସଂକ୍ରାନ୍ତ ଦରଖାସ୍ତ ସଂଗ୍ରହକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୫ବର୍ଷ ଧରି ନବୀନ ପଟ୍ଟନାୟକ କ୍ଷମତାରେ ରହି ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଆଉ ଭୋଟକୁ ଦେଖି ପାଣ୍ଡିଆନ ‘ବାହାଘରବେଳେ ବାଇଗଣ ରୁଆ’ ସଦୃଶ ଦରଖାସ୍ତ ସଂଗ୍ରହ କରି ସେମାନଙ୍କର ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରୋକ୍ଷରେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ବୋଲି ଚର୍ଚ୍ଚା ହେଉଛି। ମାତ୍ର ପାଣ୍ଡିଆନଙ୍କ ନୀତି ଓ ନୈତିକତାକୁ ଭୁଲି ଏହି ଅଭିଯୋଗ ସଂଗ୍ରହ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ନିରବ ରହିଛନ୍ତି। ନିର୍ବାଚନୀ ଖର୍ଚ୍ଚର ହିସାବ ଉପରେ ନିର୍ବାଚନ କମିଶନଙ୍କ ନଜର ରହିଛି କି ନାହିଁ ତାହା ମଧ୍ୟ ସନ୍ଦେହରେ । କାରଣ ପାଣ୍ଡିଆନ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମାଧ୍ୟମରେ ବ୍ୟୟବହୁଳ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।

Advertisment

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମେ’ ମାସ ତମାମ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ ମେ’ ୧୩ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନବୀନଙ୍କ ପ୍ରଚାର ୧୧ତାରିଖରେ ଶେଷ ହେବ ବୋଲି ଜଣାପଡ଼ିଛି । ନବୀନ ସମସ୍ତ ୨୧ଟି ଲୋକସଭା ଆସନକୁ ଯାଇ ନିଜର ହାଇଟେକ୍ ବସ୍ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଓ କେତେକ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe