Advertisment

ନବୀନ ଲେଖିଥିଲେ ଚିଠି, ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଚିଠି ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ଚିଠିର ଲିଖିତ ଉତ୍ତର ଦେଇଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
Mohan charan majhi

Mohan charan majhi

ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡିବେଳେ ଅଘଟଣକୁ ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ପୂର୍ବାହ୍ନରେ ନବୀନ ଲେଖିଥିବା ଚିଠିର ଉତ୍ତର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଛନ୍ତି । ଆଉ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚା ଯାତ୍ରା ସଠିକ୍ ଭାବେ ସମ୍ପନ୍ନ କରିବା ତଥା ଆପଣଙ୍କ ପରାମର୍ଶ ମୋ’ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଚିଠି ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ତାଙ୍କ ଚିଠିର ଲିଖିତ ଉତ୍ତର ଦେଇଛନ୍ତି । ଶ୍ରୀ ମାଝୀ ଲେଖିଛନ୍ତି ଯେ, ଚଳିତବର୍ଷ ଆଡ଼ପମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ । ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ୱାଭାବିକ । ମୁଁ ମଧ୍ୟ ଗଭୀର ଭାବେ ମର୍ମାହତ । ଆଡ଼ପମଣ୍ଡପ ପହଣ୍ଡି ବିଜେ ସମୟରେ ହୋଇଥିବା ଅଘଟଣ ବିଷୟରେ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି ।

ଏ ସମ୍ପର୍କରେ ଆପଣ ମୋତେ ଲେଖିଥିବା ପତ୍ରକୁ ଗୁରୁତ୍ୱର ସହ ପାଠ କରିଛି । ଆମେ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚା ଯାତ୍ରା ସଠିକ୍ ଭାବେ ସମ୍ପନ୍ନ କରିବା । ଆପଣଙ୍କ ପରାମର୍ଶ ମୋ’ ପାଇଁ ସବୁବେଳେ ସମ୍ମାନର ସହିତ ଗ୍ରହଣୀୟ ହେବ ବୋଲି ନବୀନଙ୍କୁ ଲେଖିଥିବା ଚିଠିରେ ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି ମଧ୍ୟ କହିଛନ୍ତି ଯେ, ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି, ସେ ସାରାଜଗତ ଅର୍ଥାତ୍ ସ୍ୱର୍ଗ,ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି । ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ମିଳିତ ସମାହାର ଓ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ ବୋଲି ଶ୍ରୀ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତବର୍ଷ ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ପହଣ୍ଡିବିଜେବେଳେ ଅଘଟଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଚିଠି ଲେଖି ଉଦବେଗ ବ୍ୟକ୍ତ କରିଥିଲେ । ଏହାସହିତ ଏଭଳି ସ୍ପର୍ଶକାତର ଘଟଣାରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ ତାହା ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଓ ଭାବାବେଗକୁ ଆଘାତ ଦେଇଥିବା ଉଲ୍ଲେଖ କରିଥିଲେ । ଏଭଳି ଘଟଣା ଯେଭଳି ପୁନରାବୃତ୍ତି ନହେବ ତାହା ସୁନିଶ୍ଚିତ କରିବା ପାଇଁ ନିଜେ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ନବୀନ ପରାମର୍ଶ ଦେଇଥିଲେ ।

BjD Bjp