
କ୍ଷମତାରୁ ଯିବାପରେ ନବୀନ ପଟ୍ଟନାୟକଙ୍କ ବିଜେଡି ଏବେ ଦିଶାହୀନ ଓ ସଙ୍କଟ ଦେଇ ଗତି କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ସଂଗଠନକୁ ସଜାଡ଼ିବା ଓ ଦଳକୁ ସଂଗଠିତ କରିବା ପାଇଁ ନବୀନ ଗଢ଼ିଥିବା ଏକାଧିକ କମିଟି ଏବେ ପଙ୍ଗୁ । ଦଳ ଏବେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ନେଇ ବିଭାଜିତ । ଦଳର ୩ ଛାମୁଆ ସଂଗଠନ ସମେତ ଗୋଟିଏ ଗୋଷ୍ଠୀ ପାଣ୍ଡିଆନଙ୍କ ସ୍ତୃତି ଗାନରେ ବ୍ୟସ୍ତ ଥିବାବେଳେ ବରିଷ୍ଠ ନେତାମାନେ ଖୋଲାଖୋଲି ଭାବେ ପାଣ୍ଡିଆନ ଦମ୍ପତିଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି ।
ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ନବୀନଙ୍କ ବିଜେଡିର ନେତାମାନେ ଏବେ ଲଗାମଛଡ଼ା ଭଳି ପାର୍ଟିଲାଇନରୁ ବାହାରି ବୟାନବାଜି କରୁଥିଲେ ମଧ୍ୟ ନବୀନ ନିଜେ କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛନ୍ତି । ନା ଆକ୍ସନ ନେଇପାରୁଛନ୍ତି ନା ଦଳକୁ ସଜାଡ଼ି ପାରୁଛନ୍ତି । ଓଲଟା ଦଳରେ କନ୍ଦଳ ଓ ଅସନ୍ତୋଷ ଚରମସୀମାରେ ପହଂଚିଛି ଏବଂ ପରସ୍ପରବିରୋଧୀ ଗୋଷ୍ଠୀ ଏବେ ବିଦ୍ରୋହ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି ।
ଦଳରେ ଫାଟ ଜଳଜଳ, ମଙ୍ଗ ଧରିବାକୁ କେହି ନାହିଁ
ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ପାଳନବେଳେ ଭୁବନେଶ୍ୱରରୁ କଟକ-ଘସିପୁରା ପର୍ଯ୍ୟନ୍ତ ସବୁଠି ନେତାମାନଙ୍କ ମନରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ବିସ୍ଫୋରକ ରୂପ ନେଇଛି । ନବୀନଙ୍କ ଉପସ୍ଥିତିରେ ଶଙ୍ଖଭବନରେ ଦଳର ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଖୋଲାଖୋଲି ଭାବେ ପାଣ୍ଡିଆନ ଦମ୍ପତିଙ୍କୁ ଇଙ୍ଗିତ କରି ସେମାନେ କାହାରି ଅଣ୍ଡରରେ ରହିବେ ନାହିଁ କି ଚାପଲୁସି କରିବେ ନାହିଁ କହିବା ସହ ଦୁଇମୁଣ୍ଡିଆଙ୍କ ଚାଲାକି ଆଉ ଚଳିବ ନାହିଁ ବୋଲି ସତର୍କ କରାଇଥିଲେ । ପାଣ୍ଡିଆନଙ୍କୁ ଇଙ୍ଗିତ କରି ମୁନ୍ନା ଖାଁଙ୍କ ଏହି ବୟାନ ଦେଇଥିବା କୁହାଯାଉଛି ।
ସେପଟେ ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର ପ୍ରତିଷ୍ଠା ଦିବସ ମଂଚରୁ ନିଜର ପୁଞ୍ଜିଭୂତ ଅସନ୍ତୋଷକୁ ପରିପ୍ରକାଶ କରିଥିଲେ । ସେ କହିଥିଲେ ଯେ, ବବି ଓ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଥିଲେ । ପ୍ରଣବପ୍ରକାଶ ଦାସ(ବବି) ଓ ଭିକେ ପାଣ୍ଡିଆନ ପାଇଁ ଆମେ ୨୦୨୪ରେ ହାରିଗଲୁ । ହୀନଚକ୍ରାନ୍ତ କରି ନବୀନ ବାବୁଙ୍କୁ ଦୁଇଟି ନିର୍ବାଚନମଣ୍ଡଳୀରୁ ଛିଡ଼ା କରାଇଥିଲେ । ନିଜ ଇଚ୍ଛାରେ ଦଳର ସମ୍ପତ୍ତି ଓ ପାଣ୍ଠିକୁ ଲୁଟ୍ କଲେ । ପାଣ୍ଡିଆନ ନଥିଲାବେଳେ କ’ଣ ଆମେ ପଂଚାୟତଠୁ ସାଂସଦ ପର୍ଯ୍ୟନ୍ତ ଜିତୁ ନଥିଲୁ କି ବୋଲି ସେ ପ୍ରଶ୍ନ କରିବା ସହ ଏବେବି ଦଳ ବ୍ୟବସ୍ଥିତ ହୋଇନାହିଁ । ତାଙ୍କୁ ନିଜକୁ ଅଶ୍ୱସ୍ତି ଲାଗୁଛି । ସେମାନେ ଏବେ ପୁଣିଥରେ ଷ୍ଟେଜ ତଳପର୍ଯ୍ୟନ୍ତ ଆସିଗଲେଣି । ଯେକୌଣସି ସମୟରେ ପୁଣିଥରେ ଷ୍ଟେଜରେ ବସିଯିବେ ବୋଲି ସେ ଆଶଙ୍କା ବ୍ୟକ୍ତ କରି ନବୀନଙ୍କ ଛଡ଼ା କାହାରିକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସୁଜାତାଙ୍କୁ ଗ୍ରହଣ କରାଯିବ ନାହିଁ ବୋଲି ନାଁ ନେଇ ଖୋଲାଖୋଲି କହିଛନ୍ତି ।
କେବଳ ଏହି ଦୁଇ ନେତା ନୁହଁନ୍ତି, ପ୍ରଭାତ ବିଶ୍ୱାଳ ଓ ଭୂପିନ୍ଦର ସିଂଙ୍କ ସମେତ ଦଳର ଅଧିକାଂଶ ନେତା ପ୍ରତିଷ୍ଠା ଦିବସ ମଂଚରେ ନବୀନ ହିଁ ଏକମାତ୍ର ନେତା ବୋଲି କହି ପରୋକ୍ଷରେ ପାଣ୍ଡିଆନ ଦମ୍ପତିଙ୍କ ଏଂଟ୍ରିକୁ ବିରୋଧ କରିଛନ୍ତି । ରାଜ୍ୟର କିଛି ସ୍ଥାନରେ ସମାନ୍ତରାଳ ପ୍ରତିଷ୍ଠା ଦିବସ ପାଳନ ମଧ୍ୟ ଦଳରେ ଫାଟକୁ ପଦାରେ ପକାଇ ଦେଇଛି ।
ବଦ୍ରିଙ୍କ କଥାକୁ ଏଡ଼ାଇଗଲେ ଦେବୀ, ନବୀନଙ୍କୁ ପ୍ରଫୁଲ୍ଲଙ୍କ ପରାମର୍ଶ
ବଦ୍ରିଙ୍କ ବୟାନ ଉପରେ ସିଧାସଳଖ ପ୍ରତିକ୍ରିୟା ରଖିବାକୁ ପଛଘୁଂଚା ଦେଇଛନ୍ତି ଦଳର ଶୃଙ୍ଖଳା କମିଟି ସଦସ୍ୟ ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ବଦ୍ରିବାବୁ ଦଳର ଜଣେ ବରିଷ୍ଠ ନେତା, କେନ୍ଦୁଝରର କେଉଁ କଥାକୁ ନେଇ କହିଥିବେ ସେକଥା ଜାଣିନି । ତାଙ୍କର ବ୍ୟକ୍ତିଗତ କଥା କହିଥିବେ,ସେ ବିଷୟରେ କିଛି କହିପାରିବି ନାହିଁ କହି ଦେବୀ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଭାପତି ନବୀନବାବୁ ଗତକାଲି ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ, ଯାହା ଚର୍ଚ୍ଚା ହେଉଛି ତାହା ଗୁଜବ । ଅର୍ଥାତ୍ ପାଣ୍ଡିଆନ ଦମ୍ପତିଙ୍କ ଏଂଟ୍ରି ଗୁଜବ ବୋଲି ଦେବୀ ପରୋକ୍ଷରେ ସଙ୍କେତ ଦେବା ସହ ନବୀନ ହିଁ ଦଳର ନେତା ଓ ତାଙ୍କୁ ସମସ୍ତେ ଗ୍ରହଣ କରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ସିଧାସଳଖ ନବୀନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ନବୀନ ବାବୁଙ୍କୁ ଦାୟିତ୍ୱ ଓ ଭୂମିକା ତୁଲେଇବାକୁ ପଡ଼ିବ । ନବୀନ ବାବୁ ଗୋଟେ ଭଲ ଗୋଷ୍ଠୀକୁ ନେଇ କାମ କଲେ ସବୁ ଠିକ ହେବ । ନିର୍ବାଚନ ହାରିବା ପରେ ବିଜେଡିରେ ଆଉ ଏକତା ନାହିଁ । ଯିଏ ନେତୃତ୍ୱ ନେଉଛନ୍ତି ସେମାନେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଦରକାର । ରାଜ୍ୟରେ ଦୃଢ଼ ଆଂଚଳିକ ଦଳର ଆବଶ୍ୟକତା ରହିଛି । ଦଳର ଗଣ୍ଡି ଭିତରେ ଓ ବାହାରେ ଥିବା ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲେ ଦଳ ପୁନଃ ଗଠିତ ହୋଇପାରିବ ।
ପାଣ୍ଡିଆନଙ୍କ ପ୍ରଭାବ ଓ ଭୟରୁ ମୁକୁଳି ପାରୁନାହାନ୍ତି ନେତା
୨୦୨୪ ସାଧାରଣ ନିର୍ବାଚନ ପରାଜୟ ପରେ ଦଳରେ ତୀବ୍ର ଅସନ୍ତୋଷ ଓ କନ୍ଦଳ ଦେଖାଦେବା ପରେ ନବୀନ ବିଜେଡିକୁ ସଂଗଠିତ କରିବାକୁ ଏକାଧିକ କମିଟି ଗଠନ କରିଛନ୍ତି । ଦଳରେ ଗତବର୍ଷ ଅଗଷ୍ଟ ମାସରୁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ସମନ୍ୱୟ କମିଟି, ସେପ୍ଟେମ୍ବର ମାସରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ୧୭ଜଣିଆ ଉପଦେଷ୍ଟା କମିଟି, ଚଳିତବର୍ଷ ଏପ୍ରିଲ-ମେ ମାସରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ପାଇଁ ରାଜନୀତିକ ବ୍ୟାପାର କମିଟି(ପିଏସି) ଓ ଶୃଙ୍ଖଳା କମିଟି ଗଠନ ହୋଇଛି । ଏସବୁ ବ୍ୟତୀତ ଦେବୀଙ୍କ ନେତୃତ୍ୱରେ ଏକ କୋର ଟିମ୍ ମଧ୍ୟ ନିୟମିତ ଶଙ୍ଖଭବନରେ ବୈଠକ କରି ସାଂଗଠନିକ କଥା ବୁଝୁଥିବାର ସନ୍ଦେଶ ଦିଆଯାଉଛି । କିନ୍ତୁ ଏସବୁ ସତ୍ତ୍ୱେ ଦଳରେ ତୃଣମୂଳସ୍ତରର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ଓ ଭରସା ସୃଷ୍ଟି କରିବା ସମ୍ଭବପର ହୋଇପାରିନାହିଁ । ଏହି କମିଟିଗୁଡ଼ିକ ନାଁକୁ ମାତ୍ର କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଯାଇଛି । ନୂଆପଡ଼ା ଉପନିର୍ବାଚନରେ ଦଳୀୟ ନେତାମାନେ ପ୍ରସ୍ତାବ ଦେବା ପୂର୍ବରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ପାଣ୍ଡିଆନଙ୍କ ପରାମର୍ଶରେ ନବୀନ ନେଇସାରିଥିଲେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ନୂଆପଡ଼ାରେ ଦଳ ତୃତୀୟ ସ୍ଥାନରେ ରହିବା ପରେ କନ୍ଦଳ ଅଧିକ ବଢ଼ିବାରେ ଲାଗିଛି ।
ପାଣ୍ଡିଆନ ତାଙ୍କ ପତ୍ନୀ ସୁଜାତାଙ୍କୁ ବିଧିବଦ୍ଧ ଏଂଟ୍ରି ଦେବା ପାଇଁ ଦଳର ମହିଳା, ଯୁବ ଓ ଛାତ୍ର ସଭାପତିମାନଙ୍କୁ କାର୍ଯ୍ୟରେ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ପ୍ରତିଷ୍ଠା ଦିବସରେ ‘ସୁଜାତାଙ୍କ ବନ୍ଦନା’ କରିବାକୁ ଦଳର ଛାମୁଆ ସଂଗଠନର ମୁଖ୍ୟମାନେ ପଛାଇ ନଥିଲେ ।
ଦଳ ଏବେ ପାଣ୍ଡିଆନ ଦମ୍ପତିଙ୍କୁ ନେଇ ଦୁଇଫାଳ ହେବା ସହ ପରସ୍ପରର ମୁହାଁମୁହିଁ ହୋଇଥିଲେ ମଧ୍ୟ ନବୀନଙ୍କ ଅନାଗ୍ରହ ଯୋଗୁ ନେତାମାନେ ବି ସାଂଗଠନିକ ବ୍ୟାପାର ତାଙ୍କ ସହ ଆଲୋଚନା କରିବା ସମ୍ଭବପର ହୋଇପାରିନାହିଁ । ଏପଟେ ଦଳୀୟ ପାଣ୍ଠିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ କରି ପାଣ୍ଡିଆନ ଦମ୍ପତିଙ୍କ ବଶତା ସ୍ୱୀକାର କରିବା ନିମନ୍ତେ ଦଳର ନେତାମାନଙ୍କୁ ବାଧ୍ୟ କରାଯାଉଥିବା ଓ କମିଟିଗୁଡ଼ିକୁ ପଙ୍ଗୁ କରି ରଖାଯାଇଛି ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
