Advertisment

Power Struggle Unfolds: ନବୀନଙ୍କ ନିର୍ଦ୍ଦେଶକୁ ଖୋଲା ଚ୍ୟାଲେଞ୍ଜ, ଫାର୍ମ ହାଉସରେ ବବି ଅନୁଗତଙ୍କ ଗୁପ୍ତ ମେଳି,  କିଏ ହେବ ନମ୍ବର-ଟୁ ?

ଗତ ସୋମବାର ରାତିରେ ଶଙ୍ଖ ଭବନରେ ଦେବୀ ମିଶ୍ର ଓ ବବି ଦାସଙ୍କ ମଧ୍ୟରେ କବାଟକିଳା ବୈଠକ ଓ ଆଜି ଝୁମକାଠାରେ ବବିଙ୍କ ଖାସ୍ ଅନୁଗତମାନଙ୍କ ମେଳି ପଛରେ ‘ନବୀନଙ୍କ ପାଣ୍ଡିଆନ ପ୍ରେମ’ ଉପରେ ଚେକ୍ ଦେବାକୁ ସଜବାଜ ବୋଲି କୁହାଯାଉଛି ।

author-image
Odisha Reporter
BJD-JHUMKA

BJD Leaders’ Strategy Session at Jhumka Guest House

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ଷମତାକୁ ହାଇଜ୍ୟାକ୍ କରିବା ପାଇଁ ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଛି କି? ଦଳରେ ନବୀନଙ୍କ ‘ସେକେଣ୍ଡ ଇନ୍ କମାଣ୍ଡ’ କିଏ ହେବ ତାକୁ ଛକାପଞ୍ଝା ଚାଲିଛି କି? ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମଧ୍ୟରେ ଦଳର ନେତୃତ୍ୱ ହାତେଇବା ପାଇଁ ବଳ କଷାକଷି ଚାଲିଛି କି? ଏସବୁ ପ୍ରଶ୍ନ ମଧ୍ୟରେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ରାଜନୀତିକ ବ୍ୟାପାର କମିଟି(ପିଏସି) ଏବଂ ଦେବୀ ମିଶ୍ରଙ୍କ ନେତୃତ୍ୱାଧୀନ କୋର କମିଟିର ଅପାରଗତା ପଦାକୁ ଆସିଛି ।

Advertisment

ଦୀର୍ଘ ୧୭-୧୮ମାସ ଧରି ଦଳ ଦିଶାହୀନ ଓ ବେମୁରବା ଭଳି ପରିଚାଳିତ ହେଉଥିବା ତଥା ତୃଣମୂଳସ୍ତରରେ କର୍ମୀ ଓ ନେତାମାନେ ଦଳଠୁ ମୁହଁ ଫେରାଇବା ପଛରେ ଏହି ପିଏସି ଓ ଦେବୀ ମିଶ୍ର କମିଟିର ଅପାରଗତା ଜଳଜଳ ହୋଇ ଦିଶିଲାଣି । ଆଜି ଭୁବନେଶ୍ୱର ଉପକଣ୍ଠ ଝୁମୁକାଠାରେ ଦଳର ନେତାମାନେ ମେଳି କରି ଖୋଲାଖୋଲି ଭାବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ବେଖାତିର ସହ ଚ୍ୟାଲେଞ୍ଜ କରିବାକୁ ପଛାଇ ନାହାନ୍ତି ।  ଆଉ ଏସବୁ ପଛରେ ବବିଙ୍କ ବିଦ୍ରେହୀ ରଣନୀତି ରହିଥିବା ଚର୍ଚ୍ଚା ହେଉଛି ।


ନବୀନଙ୍କ ନିର୍ଦ୍ଦେଶକୁ ବେଖାତିର, ହାତ ମିଳାଇଲେ ବବି-ଦେବୀ !


ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଡ଼ା ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରି ଦଳର ୫୦ରୁ ଅଧିକ ନେତା ଭୁବନେଶ୍ୱରର ଝୁମକା ଡ୍ୟାମ୍ ନିକଟସ୍ଥ ଏକ ନିଛାଟିଆ ଫାର୍ମ ହାଉସରେ ଏକାଠି ହୋଇଥିବା ଜଣାପଡ଼ିଛି । ଗତ ନିର୍ବାଚନରେ ପରାଜିତ ହୋଇଥିବା ନେତାମାନେ ବିଶେଷକରି ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଭୁବନେଶ୍ୱର,କଟକ,ଗୋପାଳପୁର ଆଦିଠାରେ ମେଳି କରୁଥିବା ଦିଂବଗତ ନେତାମାନଙ୍କ ପୁଅମାନେ ଆଜିର ଏହି ମେଳି ପାଇଁ ଗତ ୩-୪ଦିନ ଧରି ଜୋରସୋରରେ ପ୍ରୟାସ କରୁଥିଲେ ବୋଲି ଜଣାପଡ଼ିଛି । ବିଶେଷକରି ଦିଂବଗତ ବିଜେଡି ନେତାମାନଙ୍କ ପୁଅମାନେ(ପରାଜିତ ବିଧାୟକ) ଏହି ମେଳିର ନେତୃତ୍ୱ ନେଇଥିଲେ ବୋଲି ସୂଚନା ମିଳିଛି । ଯଦିଓ କୌଣସି ହୋଟେଲ ଅବା ବାହାରେ ଏଭଳି ମେଳି କରିବା ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିଧାସଳଖ କଟକଣା ଜାରି କରିଥିଲେ ।

Advertisment


 ତେବେ ଏହି ମେଳି ପାଇଁ ଯେଉଁ କିଛି ନେତା ପ୍ରମୁଖ ଭୂମିକା ନେଉଥିଲେ ସେଥିରୁ ବିଜେଡିରେ ଆଗାମୀ ଦିନରେ ପତିଆରା ଲଢ଼େଇ ଓ ଶକ୍ତି ପ୍ରଦର୍ଶନ ପାଇଁ ମାର୍ଗ ପ୍ରଶସ୍ତ ହେଉଥିବା ଜଣାପଡ଼ିଛି । ଗତ ସୋମବାର ରାତିରେ ଶଙ୍ଖ ଭବନରେ ଦେବୀ ମିଶ୍ର ଓ ବବି ଦାସଙ୍କ ମଧ୍ୟରେ କବାଟକିଳା ବୈଠକ ଓ ଆଜି ଝୁମକାଠାରେ ବବିଙ୍କ ଖାସ୍ ଅନୁଗତମାନଙ୍କ ମେଳି ପଛରେ ‘ନବୀନଙ୍କ ପାଣ୍ଡିଆନ ପ୍ରେମ’ ଉପରେ ଚେକ୍ ଦେବାକୁ ସଜବାଜ ବୋଲି କୁହାଯାଉଛି ।

 ଦଳର ନେତାମାନେ ନିଜର ସମସ୍ତ ବୈଠକ ଓ ଗେଟ୍ ଟୁଗେଦର ‘ଶଙ୍ଖ ଭବନ’ରେ କରିବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ବବିଙ୍କ ଖାସ୍ କୁହାଯାଉଥିବା ପରାଜିତ ବିଧାୟକମାନେ ଝୁମକା ଫାର୍ମ ହାଉସରେ ଗୁପ୍ତରେ ଏକାଠି ହୋଇ ବିଜେଡି ସୁପ୍ରିମୋଙ୍କୁ ଖୋଲା ଚ୍ୟାଲେଞ୍ଜ ସହ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଯଦିଓ ଆଜିର ଏହି ମେଳିରୁ ବବି ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି ।


‘କାର୍ଯ୍ୟକାରୀ ସଭାପତି’ ଚର୍ଚ୍ଚା ଓ ନେତାଙ୍କ ମେଳି


ଆସନ୍ତା ୨୬ତାରିଖରେ ବିଜେଡି ନିଜର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହା ସହିତ ବିଜେଡିରେ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଂଟ୍ରିକୁ ନେଇ ମଧ୍ୟ ଚର୍ଚ୍ଚା ଏପର୍ଯ୍ୟନ୍ତ ଥମିବାର ନାଁ ଧରିନି । ନବୀନଙ୍କ ବୟାସାଧିକ୍ୟ ଯୋଗୁ ଦଳର ନେତୃତ୍ୱ ନେବା ପାଇଁ ଜଣେ ସର୍ବସମ୍ମତ ନେତୃତ୍ୱର ଆବଶ୍ୟକତା ରହିଛି, ଯାହାଙ୍କ ଉପରେ ନବୀନଙ୍କ ଭରସା ରହିଥିବ ।

ତେଣୁ ପିଏସି ଓ ଦେବୀମିଶ୍ର କମିଟିର ଅପାରଗତା ମଧ୍ୟରେ ଦଳରେ ଏଭଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ପାଣ୍ଡିଆନ ଏବେବି ପରଦା ପଛରେ ରହି ନବୀନଙ୍କ ମାଧ୍ୟମରେ ଗୋଟିଚାଳନା ଜାରି ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ମାତ୍ର ପାଣ୍ଡିଆନ ଆଉ ପୂର୍ବଭଳି ଭରସା କରୁନଥିବାରୁ ବବି ଏବେ ଯେନତେନ ପ୍ରକାରେ ‘କାର୍ଯ୍ୟକାରୀ ସଭାପତି’ ପଦ ହାତେଇବା ପାଇଁ ଏଭଳି ମେଳି ମାଧ୍ୟମରେ ଚାପ ପକାଉଥିବା ଚର୍ଚ୍ଚା ହେଉଛି ।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏଭଳି ସମାନ୍ତରାଳ ସଂଗଠନ ଚଲାଇ ବିଜେଡି ନେତୃତ୍ୱଙ୍କ ଉପରେ ଚାପ ସହ ଦଳରେ ଏକ ବୃହତ୍ ଫାଟ କରିବା ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା କୁହାଯାଉଛି ।

ରାଜେନ୍ଦ୍ର ସାହୁଙ୍କ ଅଶାଳୀନ ମନ୍ତବ୍ୟ : ବୈଠକ ଭଣ୍ଡୁର କରିବାକୁ ଚାଲ୍‌?


ବିଜେଡି ସୂତ୍ର ଅନୁସାରେ, ବବିଙ୍କ ଅନୁଗତଙ୍କ ଏହି ଗୁପ୍ତ ମେଳିକୁ ବାଲାନ୍ସ କରିବା ପାଇଁ ପ୍ରୀତିରଞ୍ଜନ ଘଡ଼େଇ ଓ ରାଜେନ୍ଦ୍ର ସାହୁଙ୍କ ଭଳି କିଛି ବବି ବିରୋଧୀ ନେତା ଭାବେ ପରିଚିତଙ୍କୁ ମଧ୍ୟ ଏହି ତଥାକଥିତ ବନ୍ଧୁମିଳନକୁ ଡକାଯାଇଥିଲା । ତେବେ ବୈଠକରୁ ବାହାରିବା ପରେ ରାଜେନ୍ଦ୍ର ସାହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯେଭଳି ଅଶାଳୀନ ମନ୍ତବ୍ୟ ଦେଇ ପ୍ରତିକ୍ରିୟା ରଖିଲେ, ତାହା ବବିଙ୍କ ଗୁପ୍ତ ରଣନୀତି ବା ପ୍ଲାନକୁ ଭଣ୍ଡୁର କରିବା ଏବଂ ଗଣମାଧ୍ୟମରେ ଏହି ମେଳିକୁ ବିବାଦରେ ରଖିବା ପାଇଁ ଏକ ସୁଚିନ୍ତିତ ଚାଲ୍ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । 

ନବୀନଙ୍କୁ ଟାର୍ଗେଟ, ଯୁବନେତାଙ୍କୁ ନେତୃତ୍ୱ ଦିଅ: କିଶୋର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସିଧାସଳଖ ଟାର୍ଗେଟ୍ କରି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇ କହିଛନ୍ତି ଯେ, ଯାହାଙ୍କ ଉପରେ ଓଡ଼ିଶାବାସୀ ବିଶ୍ୱାସ ରଖିଥିଲେ, ସେ ଯଦି ଦଳକୁ ଅନ୍ୟ ଲୋକଙ୍କ ହାତରେ ଟେକି ଦେଇ ନିଜେ ଚୁପ୍ ବସିଯିବେ, ତେବେ ପରିସ୍ଥିତି ନିଶ୍ଚିତ ଭାବେ ଖରାପ ହେବ । ଏହାର ପ୍ରଭାବ ଏବେ ପଂଚାୟତ ଓ ମ୍ୟୁନିସିପାଲିଟିସ୍ତରରେ ଦେଖିବାକୁ ମିଳିଲାଣି । ସାଧାରଣ ଲୋକେ ଏବେ ଦଳ ଛାଡ଼ିବା ଆରମ୍ଭ କଲେଣି । ଯେଉଁମାନେ ଦଳ ପାଇଁ ଜେଲ୍ ଯାଇଛନ୍ତି, ମାଡ଼ ଖାଇଛନ୍ତି ଏବଂ ଦୀର୍ଘ ଦିନ ଧରି ପରିଶ୍ରମ କରିଛନ୍ତି, ସେମାନଙ୍କୁ ଅଣଦେଖା କରାଯାଇ ଦଳ ସହ କୌଣସି ସଂପର୍କ ନଥିବା ଲୋକଙ୍କୁ ଟିକେଟ୍ ଦିଆଯାଇଛି । ଏହି ଭୁଲ୍ ନିଷ୍ପତ୍ତି ଯୋଗୁଁ ହିଁ ୨୦୨୪ ନିର୍ବାଚନରେ ଦଳ ହାରିଥିବା ସେ କହିଛନ୍ତି । 
ଯେଉଁମାନେ ବିଜୁ ବାବୁ କିମ୍ବା ନବୀନ ବାବୁଙ୍କ ଆଦର୍ଶ ବିଷୟରେ କିଛି ଜାଣିନାହାଁନ୍ତି, ସେମାନଙ୍କୁ ଆଗକୁ ଅଣାଯାଇଛି । ଯାହା ଫଳରେ ଆଜି ଦଳର ଏଭଳି ଦୁର୍ଦ୍ଦଶା ହୋଇଛି । ଯଦି ଦଳକୁ ସୁଧାରିବାକୁ ହେବ, ତେବେ ପୁରୁଣା କାର୍ଯ୍ୟଶୈଳୀ ଏବଂ ପୁରୁଣା ଢାଂଚାକୁ ପରିତ୍ୟାଗ କରିବାକୁ ପଡ଼ିବ । ଦିନକୁ ଦିନ ବଦଳୁଥିବା ଲୋକଙ୍କ ସମୀକରଣକୁ ବୁଝି ନୂଆ ଯୋଜନା କରିବାକୁ ହେବ । ଦଳ ପାଇଁ ତ୍ୟାଗ କରିଥିବା କର୍ମୀଙ୍କୁ ପ୍ରାଧାନ୍ୟ ନଦେଲେ ଏହି ପତନକୁ ରୋକିବା ସମ୍ଭବ ନୁହେଁ । ଦଳର ନେତୃତ୍ୱ ଯୁବନେତାଙ୍କୁ ଦିଆଯାଉ ବୋଲି ସେ କହିଛନ୍ତି ।

ନୂଆ ଆଂଚଳିକ ଦଳ ଓ ରାଜ୍ୟସଭା ନିର୍ବାଚନ ଉପରେ ନଜର


ବିଜେଡିରେ ଏବେ ‘ସେକେଣ୍ଡ ଇନ୍ କମାଣ୍ଡ’ କିଏ ହେବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ବବି ଦଳରେ ନିଜର ପୁରୁଣା ସ୍ଥିତି ଫେରି ପାଇବା ପାଇଁ ଜୋରଦାର କସରତ ଜାରି ରଖିଛନ୍ତି । ସବୁ ପ୍ରୟାସ ପରେ ମଧ୍ୟ ତାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି କିମ୍ବା ସାଂଗଠନିକ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯାଉନଥିବାରୁ ସେ ଏବେ ପ୍ରେସର ଟ୍ରିକ୍ ଆପଣାଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମ ଓ ଅନ୍ୟ କିଛି ନେତା ମିଳିତ ଭାବେ ନୂଆ ଆଂଚଳିକ ଦଳ ଗଢ଼ିବା ପାଇଁ ସଜବାଜ ହେଉଛନ୍ତି ବୋଲି ଚର୍ଚ୍ଚା ମଧ୍ୟରେ ବବିଙ୍କ ଖାସ୍ ଅନୁଗତମାନଙ୍କ ଏହି ମେଳିକୁ ମଧ୍ୟ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି ।

ଆଗାମୀ ଦିନରେ ବବିଙ୍କୁ ଯଦି ଦଳରେ ଉପଯୁକ୍ତ ପଦବୀ ନମିଳେ, ସେ ରାଜ୍ୟସଭା ନିର୍ବାଚନବେଳେ ନିଜର ପତିଆରା ଜାହିର କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ସବୁଠୁ ବଡ଼ କଥା ହେଉଛି, ବବିଙ୍କ ଏଭଳି ଷଡ଼ଯନ୍ତ୍ରକୁ ଦଳର ପିଏସି କିଛି ଆଗଧାଡ଼ିର ସଦସ୍ୟ ଓ ବରିଷ୍ଠ ନେତାମାନେ ମଧ୍ୟ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ବବି ଚାହିଁଲେ ଏହି ଗୁପ୍ତ ମେଳି ବା ତଥାକଥିତ ବନ୍ଧୁମିଳନ ଉପରେ ରୋକ୍ ଲାଗି ପାରନ୍ତା । ମାତ୍ର ସେ ନିଜର ପତିଆରା ଜାହିର କରିବା ପାଇଁ ଏବେଠୁ ଗୋଟି ଚାଳନା ଆରମ୍ଭ କରିଛନ୍ତି, ଯାହା ନବୀନଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ରାଜନୀତିକ ମହଲରେ ଆଶଙ୍କା କରାଯାଉଛି ।