Advertisment

Secular ନବୀନଙ୍କ ‘ସେକ୍ୟୁଲାର’ ଗୁଗଲି: ଇଣ୍ଡି ମେଂଟ ମୁହାଁ ବିଜେଡି, ଉତ୍ସାହିତ କଂଗ୍ରେସ, ପଡ଼ିଲା କି ମୂଳଦୁଆ?

ସମଦୂରତ୍ୱର ପାଠ ପଢ଼ାଉଥିବା ନବୀନଙ୍କ ବିଜେଡି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ସଂସଦରେ ୩୨ଟି ବିଲରେ ଓ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ମଧ୍ୟ ୨ଥର ନିଃସର୍ତ୍ତ ସମର୍ଥନ ଦେଇସାରିଛି।

author-image
Prakaash Sethi
BJD-CONG-CPIM

“ଦିସ୍ ଭୋଟ୍ ଫର ସେକୁଲାରିଜିମ୍ ଆଣ୍ଡ ଦ ସେକ୍ ଅଫ ଦ କଂଟ୍ରି। ସେକ୍ୟୁଲାର ପଲିଟିକ୍ସ ସୁଡ୍ ବି ୟୁନାଇଟେଡ୍‌,ଟାଇମ୍ ଅଲୱେଜ୍ ଫ୍ୟୁଚର ହିଷ୍ଟ୍ରି ୱିଲ୍ ଟେଲ୍ ।” ଅର୍ଥାତ୍ ଏହି ଭୋଟ୍ ହେଉଛି ଧର୍ମନିରପେକ୍ଷତା ଓ ଦେଶର ସ୍ୱାର୍ଥ ପାଇଁ। ଧର୍ମନିରପେକ୍ଷ ରାଜନୀତି ପାଇଁ ସମସ୍ତେ ଏକାଠି ହେବା ଉଚିତ୍। ଆଉ ଆଗକୁ ବିଜେଡିର ଆଭିମୁଖ୍ୟ କ’ଣ ହେବ ତାହା ସମୟ ଓ ଭବିଷ୍ୟତର ଇତିହାସ ହିଁ କହିବ।” ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଏହି ତିନିପଦ କଥା ଏବେ ରାଜ୍ୟରେ ନୂଆ ରାଜନୀତିକ ସମୀକରଣର ମୂଳଦୁଆ ପକାଇଛି। 

Advertisment

ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବା ଆଳରେ ପରସ୍ପର ସହ ହାତ ମିଳାଇଛନ୍ତି ବିଜେଡି, କଂଗ୍ରେସ ଓ ସିପିଆଇଏମ୍। ବିଧାନସଭାର ରୁମ୍ ନମ୍ବର-୫୫ରେ ଆଜି ଏହି ତିନି ଦଳର ବରିଷ୍ଠ ନେତାମାନଙ୍କର ରୁଦ୍ଧଦ୍ୱାର ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେଭଳି ଢଙ୍ଗରେ ବାରମ୍ବାର ‘ସେକ୍ୟୁଲାର’ ଶବ୍ଦକୁ ଉପଯୋଗ କରି କଂଗ୍ରେସକୁ ‘ଗୁଗଲି’ ଫିଙ୍ଗିଛନ୍ତି, ତାହା ରାଜ୍ୟ କଂଗ୍ରେସର ନେତାମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ଜଣାପଡ଼ିଛି। 

ଦୀର୍ଘ ଦଶନ୍ଧି ଧରି ସମଦୂରତ୍ୱ କାର୍ଡ ଖେଳି ସୁବିଧାଅନୁରୂପ ପଦକ୍ଷେପ ନେଉଥିବା ନବୀନଙ୍କ ଏଭଳି ଅପ୍ରତ୍ୟାଶିତ ଆଭିମୁଖ୍ୟ କେବଳ ରାଜ୍ୟସଭା ନିର୍ବାଚନୀ ରଣନୀତି ନା ରାଜ୍ୟରେ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ସହ ହାତ ମିଶାଇ ଜାତୀୟସ୍ତରରେ ଇଣ୍ଡି ମେଂଟ ଆଡ଼କୁ ଢ଼ଳୁଥିବାର ସନ୍ଦେଶ ଦେଉଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment


ରୁମ୍ ନମ୍ବର ୫୫ରେ ରୁଦ୍ଧଦ୍ୱାର ବୈଠକ, ନବୀନଙ୍କ ‘ସେକ୍ୟୁଲାର’ ଆହ୍ୱାନ

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ରାଜ୍ୟସଭା ପାଇଁ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଧାନସଭାର ରୁମ୍ ନମ୍ବର ୫୫ରେ ବସିଥିଲା ରୁଦ୍ଧଦ୍ୱାର ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡିର ସମସ୍ତ ବିଧାୟକ, ପିସିସି ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ଅନ୍ୟ ୪ଜଣ ବିଧାୟକ, ସିପିଆଇଏମ୍ ନେତା ସୁରେଶ ପାଣିଗ୍ରାହୀ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ନରସିଂହ ମିଶ୍ର,ଶରତ ପଟ୍ଟନାୟକ, ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ପିସିସି ପ୍ରଭାରୀ ଅଜୟ କୁମାର ଲଲୁ  ଓ ସହପ୍ରଭାରୀ ମୟୂର ଏସ୍ ଜୟକୁମାର ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକର ପ୍ରାରମ୍ଭରେ ବିଜେଡି(BijuJanataDal)ର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଚତୁର୍ଥ ଆସନ ପାଇଁ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ସେନେଇ ମତାମତ ରଖିଥିଲେ। ସିପିଆଇଏମ୍ ନେତା ଶ୍ରୀ ପାଣିଗ୍ରାହୀ ମଧ୍ୟ ନିଜର ସମର୍ଥନ ଜଣାଇଥିଲେ।

ତେବେ ବୈଠକ ଶେଷରେ (BJD leader Naveen Patnaik) ନବୀନ ପଟ୍ଟନାୟକ ବିନା କାଗଜ ଦେଖି  ‘ସେକ୍ୟୁଲାର’ ବା ଧର୍ମନିରପେକ୍ଷ ରାଜନୀତି କରିବା ନିମନ୍ତେ  ଏକଜୁଟ ହେବା ଉଚିତ୍ ବୋଲି କହି ଆହ୍ୱାନ ଦେଇଥିଲେ। ମୁଁ ମୋ ପାର୍ଟି ପାଇଁ ସବୁବେଳେ କାମ କରୁଛି ଏବଂ ଦଳର ସମସ୍ତ ଏମପି ଓ ଏମଏଲଏମାନଙ୍କ ସହ ରହିଛି । ଡାକ୍ତର ହୋତାଙ୍କ ସପକ୍ଷରେ ଭୋଟ୍ ଦେବାକୁ ସେ ସମସ୍ତ ବିଧାୟକଙ୍କୁ ଆହ୍ୱାନ କରି କହିଥିଲେ ଯେ, ‘ଦିସ୍ ଭୋଟ୍ ଫର ସେକୁଲାରିଜିମ୍ ଆଣ୍ଡ ସେକ୍ ଅଫ୍ ଦି କଂଟ୍ରି।”


ବୈଠକ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ନବୀନ ‘ସେକ୍ୟୁଲାର’ କାର୍ଡକୁ ଦୋହରାଇଥିଲେ। ଆପଣଙ୍କ ଶରୀରର ପ୍ରତିଟି ହାଡ଼ ସେକୁଲାର ବୋଲି ଆପଣ ପୂର୍ବରୁ କହିଥିଲେ ଓ ଏବେ କ’ଣ ଓଡ଼ିଶାରେ ଧର୍ମନିରପେକ୍ଷ ମେଂଟ ଗଠନ ହେବ କି ବୋଲି ଗଣମାଧ୍ୟମର ପ୍ରଶ୍ନର ନବୀନ ଅତି ଚତୁରତାର ସହ ଉତ୍ତର ଦେଇଥିଲେ।

ସେ କହିଥିଲେ, “ଆଇ ରିପିଟ୍ ଦାଟ୍ ଆଣ୍ଡ ଲେଟ୍ ଅସ୍ ସି, ଏଜ୍ ୟୁ ନୋ ଟାଇମ୍ ଅଲୱେଜ୍ ଫ୍ୟୁଚର ହିଷ୍ଟ୍ରି ୱିଲ୍ ଟେଲ୍ । ଅର୍ଥାତ୍‌, ମୁଁ ସେହି କଥାକୁ ପୁଣି ଦୋହରାଉଛି ଓ ଆଗକୁ କ’ଣ ହେବ ତାହା ସମୟ ହିଁ କହିବ ।”

ଏହି "ସମୟ କହିବ’ ଶବ୍ଦ ପଛରେ ଥିବା ରହସ୍ୟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ମଧ୍ୟ ନିଜର ଦୁଇପ୍ରାର୍ଥୀଙ୍କ ବିଜୟ ନେଇ ସଂପୂର୍ଣ୍ଣ ଆଶାବାଦୀ ଥିବାର ଦୃଢ଼ୋକ୍ତି ବାଢ଼ିଛନ୍ତି।

ଭକ୍ତଙ୍କ ହିନ୍ଦି ଭାଷଣ ଓ ଖଡଗେଙ୍କ ନିର୍ଦ୍ଦେଶ

ଏହି ରୁଦ୍ଧଦ୍ୱାର ବୈଠକରେ (Congress) ପିସିସି ସଭାପତି ଭକ୍ତ ଚରଣ ଦାସ ହିନ୍ଦିରେ ନିଜର ମତରଖି କହିଥିଲେ ଯେ, ଚତୁର୍ଥ ପ୍ରାର୍ଥୀ ପ୍ରସଙ୍ଗରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ନବୀନବାବୁ ସିଧାସଳଖ କଥା ହୋଇଥିଲେ ଓ ପରେ ମୋତେ କୁହାଯାଇଥିଲା ନବୀନବାବୁଙ୍କୁ ଭେଟିବା ପାଇଁ । ନବୀନଙ୍କ ନିଷ୍ପତ୍ତିକୁ ଭକ୍ତ ମଧ୍ୟ ସ୍ୱାଗତ କରିଥିଲେ। ତେବେ ଭକ୍ତଙ୍କ ଏହି ଖୁଲାସାରୁ ସ୍ପଷ୍ଟ ହେଉଛି ଯେ, ବିଜେଡି ନେତୃତ୍ୱ ଏବେ କଂଗ୍ରେସ ହାଇକମାଣ୍ଡଙ୍କ ସହ ସିଧାସଳଖ ସମ୍ପର୍କରେ ରହିଛନ୍ତି ଓ ଇଣ୍ଡିମେଂଟ ଆଡ଼କୁ ଢ଼ଳିବା ପାଇଁ ପ୍ରସ୍ତୁତ ହେଉଥିବାର ସନ୍ଦେଶ ଦେଇଛନ୍ତି।

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଭକ୍ତ ଖୋଲାଖୋଲି ଭାବେ ନବୀନଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଥିଲେ। ବିଜୁବାବୁଙ୍କ ଉତ୍ତରାଧିକାରୀ କହି ନବୀନଙ୍କୁ ପ୍ରଶଂସା କରିବା ସହ ନବୀନଙ୍କ ନିଷ୍ପତ୍ତିକୁ  ବିଜୁବାବୁଙ୍କ ଐତିହାସିକ ନିଷ୍ପତ୍ତି ସଙ୍ଗେ ତୁଳନା କରିବାକୁ ପଛାଇନଥିଲେ । ସେ ବୈଠକରେ ନବୀନବାବୁଙ୍କୁ କହିଥିଲେ ଯେ, ଏଭଳି ନିଷ୍ପତ୍ତି ବିଜୁବାବୁ ନେଉଥିଲେ, ଆଉ ବିଜୁବାବୁଙ୍କ ନିଷ୍ପତ୍ତିକୁ ବିକଳ୍ପ ରାଜନୀତିରେ ସମଗ୍ର ଭାରତବର୍ଷର ନେତାମାନେ ଗ୍ରହଣ କରୁଥିଲେ। ବିଜେପି ଦ୍ୱାରା ପ୍ରାୟୋଜିତ ପ୍ରାର୍ଥୀଙ୍କ ବିରୁଦ୍ଧରେ ଏହି ଧର୍ମନିରପେକ୍ଷ ଶକ୍ତିମାନେ ଏକାଠି ହୋଇଛନ୍ତି। ବିଜେପିର ପ୍ରାୟୋଜିତ ଶକ୍ତିକୁ ପରାସ୍ତ କରିବା ପାଇଁ ସମସ୍ତ ବିଧାୟକ ଏକଜୁଟ ହୋଇ ଭୋଟ୍ ଦେବେ ବୋଲି ସେ ଦୃଢ଼ ନିଶ୍ଚିତ ଥିବା କହିଛନ୍ତି।

ଭବିଷ୍ୟତ ସମୀକରଣ: ନବୀନଙ୍କ ‘ଗୁଗଲି’, କଂଗ୍ରେସ ଉତ୍ସାହିତ

ଚତୁର୍ଥ ପ୍ରାର୍ଥୀ ଡାକ୍ତର ହୋତାଙ୍କୁ ଜିତାଇବା ପାଇଁ ହାତ ମିଳାଇଥିବା ବିଜେଡି,କଂଗ୍ରେସ ଓ ସିପିଆଇଏମର ବୁଝାମଣା ଏବଂ ନବୀନଙ୍କ ‘ସେକ୍ୟୁଲାର’ ଆହ୍ୱାନକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇପଡ଼ିଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେଡି କାନ୍ଧରେ ବୋଝ ହୋଇ କଂଗ୍ରେସ ନିଜର ରାଜନୀତିକ ସ୍ଥିତି ସୁଦୃଢ଼ କରିବାର ସ୍ୱପ୍ନ ଦେଖୁଛି । ଏପରିକି ବିଜେଡି ଭବିଷ୍ୟତରେ ଜାତୀୟସ୍ତରରେ ଇଣ୍ଡିମେଂଟରେ ସାମିଲ ହୋଇପାରେ ବୋଲି ଆଶା କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ଶାସନରେ ଥିବାବେଳେ ନବୀନଙ୍କ ଏହି ‘ସେକ୍ୟୁଲାର’ଶକ୍ତି ଏକଜୁଟ ହେବାର ଆହ୍ୱାନ ବାସ୍ତବରେ ବିଜେପି ସହ ଲଢ଼େଇ ନିମନ୍ତେ ନା ରାଜ୍ୟସଭା ନିର୍ବାଚନରେ ଡାକ୍ତର ହୋତାଙ୍କ ବିଜୟ ପାଇଁ କଂଗ୍ରେସକୁ ଉପଯୋଗ ମଧ୍ୟରେ ସୀମିତ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟ, ସମଦୂରତ୍ୱର ପାଠ ପଢ଼ାଉଥିବା ନବୀନଙ୍କ ବିଜେଡି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ସଂସଦରେ ୩୨ଟି ବିଲରେ ଓ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ମଧ୍ୟ ୨ଥର ନିଃସର୍ତ୍ତ ସମର୍ଥନ ଦେଇସାରିଛନ୍ତି ।

Congress BJD leader Naveen Patnaik BijuJanataDal