/odisha-reporter/media/post_attachments/uploads/2021/07/Sidhu.jpg)
Sidhu
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କଳିରେ ତାଳି ପକାଇବାକୁ ଦଳର ହାଇକମାଣ୍ଡ ଉଦ୍ୟମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧରେ ପୂର୍ଣ୍ଣଛେଦ ଟାଣିବାକୁ ଦଳର ହାଇକାଣ୍ଡ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି।
ବିବାଦର ସମାଧାନ ପାଇଁ ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଯିବ। ଏହା ମଧ୍ୟରେ ସିଦ୍ଧୁଙ୍କ ନାଁ ରହିବ। ଅର୍ଥାତ କଂଗ୍ରେସର ପଞ୍ଜାବ ମୁଖ୍ୟ ଭାବେ ସିଦ୍ଧୁ କାମ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଖୁବଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବ। ସେହିପରି ଦଳୀୟ ହାଇକମାଣ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ସନ୍ତୁଷ୍ଟ ନଥିବା ଏହି ସୂତ୍ରରେ କୁହାଯାଇଛି। ଦଳରେ ସାଂଗଠନିକ ପରିବର୍ତ୍ତନ ସହ ପଞ୍ଜାବରେ କ୍ୟାବିନେଟ ସଂପ୍ରସାରଣ ହେବାର ମଧ୍ୟ ସମ୍ଭାବନା ରହିଛି।
ବିବାଦ ମଧ୍ୟରେ ଗତକାଲି ସିଦ୍ଧୁ ଦିଲ୍ଲୀ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ଚାଲିଥିବା ତିକ୍ତତା ସମ୍ପର୍କରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅବଗତ କରାଇଥିଲେ। ଏଥିସହ ତାଙ୍କୁ ଦଳର ପଞ୍ଜାବ ମୁଖ୍ୟ କରିବାକୁ ସେ ଦାବି କରିଥିଲେ।
ସିଦ୍ଧୁଙ୍କୁ ଏହି ସମୟରେ ଅନ୍ୟ ପଦ ଦେବାକୁ ରାହୁଲ ଓ ପ୍ରିୟଙ୍କା ବୁଝାଇଥିଲେ। କିନ୍ତୁ ସେ କିଛି ବି ବୁଝି ନଥିଲେ। ଶେଷରେ ଦଳୀୟ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବ ମୁଖ୍ୟ କରିବା ସପକ୍ଷରେ ମତ ଦେଇଛନ୍ତି। ହେଲେ ସେ ଏକାକୀ ଏହି ପଦରେ ରହିବେ ନାହିଁ। ତାଙ୍କ ସହ ଆଉ ଜଣେ ନେତା ମଧ୍ୟ ରାଜ୍ୟର ମୁଖ୍ୟ ଭାବେ ସମାନ କ୍ଷମତାର ସହ କାମ କରିବେ।
କିଛି ଦିନ ତଳେ ପଞ୍ଜାବର ଅବହୋର ନିର୍ବାଚନ ମଣ୍ଡଳୀରେ ସିଦ୍ଧୁ ନିଜକୁ ୨୦୨୨ ବିଧାନସଭା ନିର୍ବାଚନର କ୍ୟାପ୍ଟେନ ବୋଲି କହି ହୋର୍ଡିଂ ମାରିଥିଲେ। ଏହି ନିର୍ବାଚନ ମଣ୍ଡଳୀକୁ ପିସିସି ସଭାପତି ସୁନୀଲ ଝକର ପ୍ରତିନିଧିତ୍ୱ କରୁଛନ୍ତି। ଏଠାରେ ସିଦ୍ଧୁ ନିଜକୁ କ୍ୟାପ୍ଟେନ ଭାବେ ବିବେଚନା କରି ପୋଷ୍ଟର ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କ’ଣ ସିଦ୍ଧୁ ପଞ୍ଜାବ କଂଗ୍ରେସର ମୁଖିଆ ହେବାକୁ ଚାହୁଁଛନ୍ତି କି? ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଥିଲା।
ଯଦି ସିଦ୍ଧୁ କଂଗ୍ରେସ ମୁଖିଆ ହୁଅନ୍ତି, ତା’ହେଲେ ସେ ହିଁ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ନେତୃତ୍ୱ ନେବେ। ଏଭଳି ସ୍ଥିତିରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଦବଦବା ହ୍ରାସ ପାଇବାର ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଅମରିନ୍ଦର ସିଂହ ମଧ୍ୟ ନିଜ ସମର୍ଥକ ବିଧାୟକ ଓ ନେତାମାନଙ୍କୁ ନେଇ ବୈଠକ କରିବା ସହ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ନେଇ ନୂଆ ବିବାଦର ସୂତ୍ରପାତର ଆଶଙ୍କା ପ୍ରକାଶ ପାଇଛି।
ଏହାପୂର୍ବରୁ ବିବାଦର ସମାଧାନ ପାଇଁ ସିଦ୍ଧୁ କଂଗ୍ରେସ ଗଠନ କରିଥିବା ୩ ଜଣିଆ କମିଟି ଆଗରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ। ଅମରିନ୍ଦର ସିଂହଙ୍କ ସହ ମଧ୍ୟ ଏହି କମିଟି ସହ ଆଲୋଚନା କରିଥିଲେ। କମିଟି ପକ୍ଷରୁ ଉଭୟଙ୍କ ବୟାନ ଓ ନିଜର ପ୍ରସ୍ତାବକୁ ଦଳର ହାଇକମାଣ୍ଡଙ୍କୁ ଦିଆଯାଇଥିଲା। ଏହାକୁ ଆଧାର କରି ହାଇକମାଣ୍ଡ ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
