ଜମ୍ମୁ-କଶ୍ମୀର ନିର୍ବାଚନ: କଂଗ୍ରେସ ୩୨ ଓ ଏନସି ୫୧ ଆସନରେ ଦେବ ପ୍ରାର୍ଥୀ

ଡିଲ୍‌ ଅନୁସାରେ ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନରୁ ଉଭୟ ଦଳ ମିଳିତ ଭାବେ ୮୩ଟି ଆସନରେ ପ୍ରାର୍ଥୀ ଦେବେ।

ସିଟ୍‌ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ପରେ ଦୁଇ ଦଳ ନେତା

  • Published: Monday, 26 August 2024
  • , Updated: 26 August 2024, 08:08 PM IST

ପ୍ରାୟ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବାକୁ ଘୋଷଣା କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମଧ୍ୟରେ ଆଜି ସିଟ୍‌ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଛି।

ଡିଲ୍‌ ଅନୁସାରେ ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନରୁ ଉଭୟ ଦଳ ମିଳିତ ଭାବେ ୮୩ଟି ଆସନରେ ପ୍ରାର୍ଥୀ ଦେବେ। ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ୫୨ଟି ଆସନରେ ଓ କଂଗ୍ରେସ ୩୨ଟି ଆସନରେ ନିର୍ବାଚନ ଲଢ଼ିବ।

ବାକି ୭ଟି ଆସନରୁ ଦୁଇ ଦଳ ୫ଟି ସ୍ଥାନରେ ଅତ୍ୟନ୍ତ ଶୃଙ୍ଖଳିତ ଓ ବନ୍ଧୁତାପୂର୍ଣ୍ଣ ଭାବେ ପରସ୍ପର ସହ ଲଢ଼ିବେ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ମେଣ୍ଟରେ ଥିବା ସିପିଆଇଏମ ଓ ପାନ୍ଥର୍ସ ପାର୍ଟି ପାଇଁ ଗୋଟିଏ ଲେଖାଏ ଆସନ ଛାଡ଼ିଛନ୍ତି।

ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଦୁଇ ଦଳ ପକ୍ଷରୁ ଗୋଟିଏ ମିଳିତ ବିବୃତି ଜାରି କରାଯାଇଛି। ସେହିପରି କଂଗ୍ରେସର ଜମ୍ମୁ-କଶ୍ମୀର ମୁଖ୍ୟ ତାରିକ ହମିଦ କରାର ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏନସି ବସ୍‌ ଫାରୁକ ଅବଦୁଲ୍ଲା କହିଛନ୍ତି, “ଏହା ଖୁସିର ମୁହୂର୍ତ୍ତ। ଜମ୍ମୁ-କଶ୍ମୀରରେ ଲୋକଙ୍କୁ ଭାଗଭାଗ କରିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଆମେ ଏହି ଅଭିଯାନ ଆରମ୍ଭ କରିଥିଲୁ। ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା। ଏହା ଦ୍ୱାରା ଆମେ ସାଂପ୍ରଦାୟିକ, ବିଭେଦ ଓ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ବିରୋଧରେ ଲଢ଼ି ପାରିବୁ। ଆଜି ଆମେ ବୁଝାମଣା ଓ ସମନ୍ୱୟ ବେଶ ଭଲ ପରିବେଶରେ ଶେଷ କରିଛୁ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ଏକାଠି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।” 

କଂଗ୍ରେସ ପକ୍ଷରୁ କେସି ଭେନୁଗୋପାଲ କହିଛନ୍ତି, “ଆମେ ଆମର ଆଲୋଚନା ଶେଷ କରିଛୁ ଓ ଗୋଟିଏ ଫର୍ମୁଲାରେ ପହଞ୍ଚିଛୁ। ଆମେ ଏକାଠି ଲଢ଼ିବୁ ଓ ଆମେ ଜମ୍ମୁ-କଶ୍ମୀରରେ ନିର୍ବାଚନ ଜିତିବୁ। କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ ଜମ୍ମୁ-କଶ୍ମୀରରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପି ଜମ୍ମୁ-କଶ୍ମୀରର ଆତ୍ମାକୁ ଧ୍ୱଂସ କରିବାକୁ କରୁଥିବା ପ୍ରୟାସରେ ରୋକ ଲାଗିବ।” 

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି। ଅକ୍ଟୋବର ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

Related story