Advertisment

'ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଷଡ଼ଯନ୍ତ୍ର', ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନିନ୍ଦା କଲା ବିଜେପି

ଜମ୍ମୁ-କାଶ୍ମୀରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା। ରାଜ୍ୟରେ ନୂଆ ସରକାରକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ।

author-image
Debadatta Aryashrestha
Farooq Abdullah

Farooq Abdullah

ଗତ କିଛିଦିନ ହେବ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ଟି ଆତଙ୍କବାଦୀ ଆକ୍ରମଣ ହେଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା। ରାଜ୍ୟରେ ନୂଆ ସରକାରକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି କହିବା ସହ ଏହାର ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ।

Advertisment

'ଆତଙ୍କବାଦୀଙ୍କୁ ମରା ନଯାଉ'
ଗତକାଲି (ଶୁକ୍ରବାର) ବଡଗାମରେ ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଫାରୁକ ଅବଦୁଲ୍ଲା କହିଛନ୍ତି, 'ଏହାର ତଦନ୍ତ କରାଯିବା ଉଚିତ। ଏଠାରେ ସରକାର ଗଠନ ହେବା ପରେ ପରେ ଏସବୁ ଘଟୁଛି। ମୁଁ ସନ୍ଦେହ କରୁଛି ଯେ ଆମ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ଏଜେନ୍ସି ଏହା ପଛରେ ଥାଇପାରେ। ପୂର୍ବରୁ ଏସବୁ ବନ୍ଦ ଥିବାବେଳେ ଏବେ କଣ ପାଇଁ ଏମିତି ଘଟୁଛି? ଏସବୁ କେବଳ ରାଜ୍ୟ ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର। ଏହି ଆକ୍ରମଣକାରୀଙ୍କୁ ନମାରି, ସେମାନଙ୍କୁ ଧରାଯିବା ଉଚିତ।' ସେମାନଙ୍କୁ ଧରି ଏହା ପଛରେ କିଏ ଅଛି ବୋଲି ତଦନ୍ତ ହେଉ ବୋଲି ଦାବି କରିଛନ୍ତି ଫାରୁକ ଅବଦୁଲ୍ଲା।

ଶରଦ ପାୱାରଙ୍କ ସମର୍ଥନ
ଫାରୁକ୍ ଅବଦୁଲ୍ଲାଙ୍କର ଏଭଳି ଅଭିଯୋଗ ପରେ ଏହାକୁ ତୁରନ୍ତ ସମର୍ଥନ କରିଛନ୍ତି ଏନସିପି(ଏସସିପି) ମୁଖ୍ୟ ଶରଦ ପାୱାର। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶରଦ ପାୱାର କହିଛନ୍ତି, 'ଫାରୁକ୍ ଅବଦୁଲ୍ଲା ଜମ୍ମୁ-କାଶ୍ମୀରର ଉଚ୍ଚତମ ବ୍ୟକ୍ତିତ୍ୱ। ସେ ପୂରା ଜୀବନ ଜମ୍ମୁ-କାଶ୍ମୀର ଲୋକଙ୍କ ସେବାରେ ବିତାଇଛନ୍ତି। ତାଙ୍କର ଦେଶଭକ୍ତି ଏବଂ ସଚ୍ଚୋଟତା ଉପରେ ମୋର କୌଣସି ସନ୍ଦେହ ନାହିଁ। ଯଦି ଏତେ ବଡ଼ ନେତା ଏଭଳି କିଛି ବିବୃତ୍ତି ଦେଉଛନ୍ତି, ତେବେ କେନ୍ଦ୍ର ସରକାର, ବିଶେଷ କରି ଗୃହ ମନ୍ତ୍ରାଳୟ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବା ଉଚିତ୍।'

Advertisment

ନିନ୍ଦା କଲା ବିଜେପି
ସେପଟେ ଆତଙ୍କବାଦ ପ୍ରସଙ୍ଗରେ ଫାରୁକ ଅବଦୁଲ୍ଲାଙ୍କ ତଦନ୍ତ ଦାବିକୁ ନିନ୍ଦା କରିଛି ବିଜେପି। ଜମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦର ରୈନା କହିଛନ୍ତି, 'ଫାରୁକ୍ ଅବଦୁଲ୍ଲା ଜାଣନ୍ତି ଯେ ଜମ୍ମୁ-କାଶ୍ମୀରରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଏବଂ ଆତଙ୍କବାଦ ସଂଗଠନଗୁଡ଼ିକ ସଂପୃକ୍ତ ଅଛନ୍ତି। ଏକଥା ସମସ୍ତେ ଜାଣନ୍ତି। ଏଥିରେ ତଦନ୍ତ କରିବାର କ’ଣ ଅଛି? ଆମ ସମସ୍ତଙ୍କୁ ଏକାଠି ହୋଇ ଏହା ବିରୋଧରେ ଲଢ଼ିବାକୁ ହେବ।' ଅନ୍ୟପଟେ ଜଣେ ଦାୟିତ୍ୱବାନ ନେତା ଏପରି ବିବୃତ୍ତି ଦେବା ଉଚିତ୍ ନୁହେଁ ବୋଲି କହିଛନ୍ତି ବିଜେପି ନେତା କବିନ୍ଦର ଗୁପ୍ତା।

Farooq Abdullah Terrorist Attack Jammu And Kashmir Encounter