NCERT
ନ୍ୟାଶନାଲ କାଉନସିଲ ଅଫ ଏଡୁକେସନ ରିସର୍ଚ୍ଚ ଓ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ଗୋଟିଏ ନୂଆ ସ୍ୱତନ୍ତ୍ର ବିଶେଷାଙ୍କରେ ଦେଶର ବିଭାଜନ ପାଇଁ ୩ ଜଣଙ୍କୁ ଦାୟୀ କରାଯାଇଛି। ମହମ୍ମଦ ଅଲୀ ଜିନ୍ନା, କଂଗ୍ରେସ ନେତୃବୃନ୍ଦ ଓ ତତ୍କାଳୀନ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବିଟେନଙ୍କୁ ବିଭାଜର ଦୋଷୀ କହିଛି ଏନସିଇଆରଟି।
ଏହି ବିଶେଷାଙ୍କକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଇଁ ପ୍ରସ୍ତୁତ କରାଯାଇଥିଲା। ପ୍ରତିବର୍ଷ ଅଗଷ୍ଟ ୧୪ରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ କରାଯାଉଛି। ଏଥିରେ ଏନସିଇଆରଟି କହିଛି “ଜିନ୍ନା, ଯିଏ ଏହାର ଦାବି କରିଥିଲେ; ଦ୍ୱିତୀୟ, କଂଗ୍ରେସ ଯିଏ ଏହାକୁ ଗ୍ରହଣ କରିଥିଲା; ତୃତୀୟ, ମାଉଣ୍ଟବିଟେନ ଯିଏ ଏହାକୁ କାର୍ଯ୍ୟକାରୀ କରିଥିଲେ।”
ବିଶେଷାଙ୍କ ବା ମଡ୍ୟୁଲର ‘ବିଭାଜନର ଦୋଷୀ’ ବର୍ଗରେ ଏକଥା କୁହାଯାଇଛି। ଏହାକୁ ୬ଷ୍ଠରୁ ୮ମ ଶ୍ରେଣୀର ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଦେଶର ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ୧୯୪୭ ମସିହା ଜୁଲାଇ ମାସରେ ଦେଇଥିବା ଗୋଟିଏ ଭାଷଣକୁ ସ୍ଥାନ ଦିଆଯାଇଛି। ଏଥିରେ ନେହରୁ କହିଛନ୍ତି ଯେ “ଆମେ ଏପରି ଏକ ସ୍ଥିତିରେ ଆସି ପହଞ୍ଚି ଯାଇଛୁ ଯେଉଁଠି ଆମକୁ ବାଗବଣ୍ଟାକୁ ଗ୍ରହଣ କରିବାକୁ ପଡ଼ିବ କିମ୍ବା ବିବାଦ ଓ ହିଂସାକୁ ନିୟମିତ ସାମ୍ନାକୁ କରିବାକୁ ହେବ। ବିଭାଜନ ଖରାପ। କିନ୍ତୁ ଏକତାର ମୂଲ୍ୟ ଯାହା ହେଲେ ବି ଗୃହ ଯୁଦ୍ଧର ମୂଲ୍ୟ ଏହାଠାରୁ ଅନେକ ଗୁଣ ଅଧିକ ହେବ।”
କ’ଣ କହିଛି ଏନସିଇଆରଟି?
ଏନସିଇଆରଟି ପକ୍ଷରୁ ୨ଟି ଭିନ୍ନ ବିଶେଷାଙ୍କ ଜାରି କରାଯାଇଛି। ଗୋଟିଏ ୬ରୁ ୮ମ ଶ୍ରେଣୀ(ମଧ୍ୟମ ବର୍ଗ) ଓ ଆଉ ଗୋଟିଏ ହେଉଛି ୯ମ ଶ୍ରେଣୀରୁ ଦ୍ୱାଦଶ। ଏହା ଇଂରାଜୀ ଓ ହିନ୍ଦୀ ଭାଷରେ ଯୋଗାଇ ଦିଆଯାଇଥିବା ସପ୍ଲିମେଣ୍ଟାରୀ। ପାଠପଢ଼ା ବହିରେ ଏକଥା ନାହିଁ। ଏହାକୁ ପ୍ରୋଜେକ୍ଟ, ପୋଷ୍ଟର, ଆଲୋଚନା ଓ ବିତର୍କରେ ବ୍ୟବହାର କରିବା ପାଇଁ ଏନସିଇଆରଟି ଜାରି କରିଛି।
ଉଭୟ ବିଶେଷାଙ୍କ ଆରମ୍ଭରେ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ପାଇଁ ଦେଇଥିବା ଆହ୍ୱାନ ରହିଛି। ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ପୋଷ୍ଟକୁ ଏଥିରେ ସ୍ଥାନ ଦିଆଯାଇଛି। ଏଥିରେ କୁହାଯାଇଛି, “ବିଭାଜନର ଯନ୍ତ୍ରଣା ସବୁ ବେଳେ ମନେ ରହିବ। ଏହାକୁ ଦେଶ କେବେ ହେଲେ ଭୁଲି ପାରିବ ନାହିଁ। ଘୃଣା ଓ ହିଂସା ପାଇଁ ଲକ୍ଷାଧିକ ଭାଇ ଭଉଣୀ ବାସହୀନ ହୋଇ ଯାଇଥିଲେ। ଏପରି କି ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ। ସେହି ଲୋକମାନଙ୍କ ସ୍ମୃତି ଓ ବଳିଦାନକୁ ମନେପକାଇବା ପାଇଁ ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ।”
ଏଥିରେ କୁହାଯାଇଛି ଯେ ବିଭାଜନ ଯୋଗୁ କଶ୍ମୀର ଗୋଟିଏ ନୂଆ ସୁରକ୍ଷା ସମସ୍ୟା ମଧ୍ୟକୁ ଠେଲି ହୋଇଯାଇଥିଲା। ସେବେଠାରୁ ଆମର ଗୋଟିଏ ପଡ଼ୋଶୀ ଏହି ସମସ୍ୟାକୁ ବ୍ୟବହାର କରି ଭାରତ ଉପରେ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରିବାରେ ଲାଗିଛି।
ବିଭାଜନ ପାଇଁ ଜିନ୍ନାଙ୍କ ଦାବି
ବିଶେଷାଙ୍କରେ ୧୯୪୦ ଲାହୋର ସଂକଳ୍ପ ସମ୍ପର୍କରେ କୁହାଯାଇଛି, ଯେଉଁଠାରେ ମହମ୍ମଦ ଅଲୀ ଜିନ୍ନା ଦାବି କରିଥିଲେ ଯେ ହିନ୍ଦୁ ଓ ମୁସଲିମ ଦୁଇଟି ଭିନ୍ନ ଗାଁ, ଦର୍ଶନ, ସାମାଜିକ ରୀତିନୀତୀ ଓ ସାହିତ୍ୟକୁ ଅନୁସରଣ କରନ୍ତି। ବିଶେଷାଙ୍କରେ ଦାବି କରାଯାଇଛି ଯେ ବ୍ରିଟିଶରମାନେ ପ୍ରାରମ୍ଭିକ ଭାବେ ଭାରତକୁ ଏକାଠି ରଖିବାକୁ ଚାହୁଁଥିଲେ। ସେମାନେ ନିଜ ପାଖରେ ସର୍ବୋଚ୍ଚ କ୍ଷମତା ରଖି ଶାସନ କରିବାକୁ ଅନୁମତି ଦେଉଥିଲେ। କିନ୍ତୁ କଂଗ୍ରେସ ଏଥିରେ ରାଜି ହୋଇ ନଥିଲା।
ବିଭାଜନକୁ ନେଇ ଗାନ୍ଧି, ପଟେଲ ଓ ନେହରୁଙ୍କ ଆଭିମୁଖ୍ୟ
ବିଶେଷାଙ୍କରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଗୋଟିଏ ଉକ୍ତିକୁ ସ୍ଥାନ ଦିଆଯାଇଛି। ଏଥିରେ ପଟେଲ କହିଛନ୍ତି ଯେ ଭାରତର ସ୍ଥିତି ବିସ୍ଫୋରକ ଅବସ୍ଥାରେ ରହିଛି। ଭାରତ ଗୋଟିଏ ଯୁଦ୍ଧଭୂମିରେ ପରିଣତ ହୋଇଛି। ଦେଶରେ ଗୃହଯୁଦ୍ଧ ଅପେକ୍ଷା ବିଭାଜନ ଭଲ।
ମହାତ୍ମା ଗାନ୍ଧି ବିଭାଜନକୁ ବିରୋଧ କରିଥିଲେ। କିନ୍ତୁ କଂଗ୍ରେସର ହିଂସାତ୍ମକ ଆଭିମୁଖ୍ୟକୁ ସେ ବିରୋଧ କରି ନଥିଲେ। ଗାନ୍ଧି କହିଥିଲେ ଯେ ସେ ବିଭାଜନର ଅଂଶବିଶେଷ ହେବେ ନାହିଁ। କିନ୍ତୁ ହିଂସା ଦ୍ୱାରା ଏହାକୁ ଗ୍ରହଣ କରିବାକୁ ଚାହୁଁଥିବା କଂଗ୍ରେସକୁ ମଧ୍ୟ ସେ ଅଟକାଇବେ ନାହିଁ ବୋଲି ମତ ରଖିଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ନେହରୁ ଓ ପଟେଲ ବିଭାଜକୁ ଗ୍ରହଣ କରି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଗାନ୍ଧି ୧୯୪୭ ମସିହା ଜୁନ ୧୪ରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଡାକି ବିଭାଜନକୁ ଗ୍ରହଣ କରିଥିଲେ ବୋଲି ଏନସିଇଆରଟି କହିଛି।
ମାଉଣ୍ଟବିଟେନ ଦୋଷୀ
ବିଶେଷାଙ୍କରେ ଲର୍ଡ ମାଉଣ୍ଟବିଟେନଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କ୍ଷମତା ହସ୍ତାନ୍ତରର ତାରିଖ ଭାବେ ୧୯୪୮ ମସିହା ଜୁନକୁ ମାଉଣ୍ଟବିଟେନ ପ୍ରଥମେ ସ୍ଥିର କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ୧୯୪୭ ମସିହା ଅଗଷ୍ଟ ମାସକୁ ବଦଳାଇ ଦେଇଥିଲେ। ତରବରିଆ ଭାବେ ସୀମା ନିର୍ଦ୍ଧାରଣ କରାଯିବାରୁ ଅରାଜକତା ଦେଖିବାକୁ ମିଳିଥିଲା। ଅଧିକାଂଶ ସ୍ଥାନରେ ଅଗଷ୍ଟ ୧୫ ବେଳକୁ ଲୋକମାନେ ଜାଣି ପାରି ନଥିଲେ ଯେ ସେମାନେ ଭାରତରେ ନା ପାକିସ୍ତାନରେ ରହିଛନ୍ତି।
ରାଜନୀତିକ ବିବାଦ
ଏନସିଇଆରଟିର ଏପରି ବିଶେଷାଙ୍କୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ଦଳର ମୁଖପାତ୍ର ପବନ ଖେଡା କହିଛନ୍ତି, “ଏହି ଦସ୍ତାବିଜକୁ ପୋଡ଼ି ଦିଆଯାଉ। କାରଣ ଏହା ପ୍ରକୃତ ସତକୁ ଜଣାଇ ନାହିଁ। ବିଭାଜନ ହିନ୍ଦୁ ମହାସଭା ଓ ମୁସଲିମ ଲିଗ ମଧ୍ୟରେ ଥିବା ମଧୁଛନ୍ଦ୍ରିକାରୁ ହୋଇଛି। ଆରଏସଏସ ଏହି ଦେଶ ପାଇଁ ବିପଦ। ୧୯୩୮ରେ ହିନ୍ଦୁ ମହାସଭା ପକ୍ଷରୁ ପ୍ରଥମେ ବିଭାଜନର ପ୍ରସ୍ତାବ ଆସିଥିଲା। ୧୯୪୦ରେ ଜିନ୍ନା ଏହାକୁ ଦୋହରାଇଥିଲେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/NCERT_1755343399.jpg)