Advertisment

ମନ୍ତ୍ରୀ ପଦ ନ ମିଳିବାରୁ ରାଗି ଗଲେ ଛଗନ ଭୁଜବଳ, ଉପ ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ

ଅଜିତ ପାୱାରଙ୍କ ସମେତ ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି। କ’ଣ ସେ ସେମାନଙ୍କ ହାତର ଚାବି ଦିଆ କଣ୍ଢେଇ ବୋଲି ମଧ୍ୟ ଛଗନ ଭୁଜବଳ ପ୍ରଶ୍ନ କରିଛନ୍ତି।

NCP

NCP

Advertisment

ମହାରାଷ୍ଟ୍ରରରେ ମହାୟୁତି ସରକାର କ୍ୟାବିନେଟ ସଂପ୍ରସାରଣ କରିଥିଲେ ହେଁ ବରିଷ୍ଠ ଏନସିପି ନେତା ଛଗନ ଭୁଜବଳଙ୍କୁ ମନ୍ତ୍ରୀ ପଦ ମିଳିନାହିଁ। ଏହାକୁ ନେଇ ସେ ଦଳର ସଭାପତି ତଥା ମହାୟୁତି ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ଅଜିତ ପାୱାରଙ୍କ ସମେତ ଏନସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି। କ’ଣ ସେ ସେମାନଙ୍କ ହାତର ଚାବି ଦିଆ କଣ୍ଢେଇ ବୋଲି ମଧ୍ୟ ଛଗନ ଭୁଜବଳ ପ୍ରଶ୍ନ କରିଛନ୍ତି।

ମନ୍ତ୍ରୀ ପଦ ନ ମିଳିବାରୁ ଭୁଜବଳ ବିଧାନସଭାର ଶୀତ ଅଧିବେଶନରେ ଯୋଗ ଦେଇନାହାନ୍ତି। ସେ ମୁମ୍ବାଇ ଛାଡ଼ି ନାଶିକ ମଧ୍ୟ ଚାଲି ଯାଇଛନ୍ତି। ସେ ନିଜର ସମର୍ଥକଙ୍କୁ ଭେଟିଛନ୍ତି ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ଚାହୁଁଥିଲେ ହେଁ କିଏ ଏଥିରେ ବାଧ ସୃଷ୍ଟି କଲା, ସେକଥା ଖୁବଶୀଘ୍ର ସାମ୍ନାକୁ ଆଣିବେ ବୋଲି ଘୋଷଣା କରିଛନ୍ତି। ଏହାବାଦ ଛଗନ ଭୁଜବଳ ଆଗାମୀ ଦିନରେ ତାଙ୍କ ରାଜନୀତିକ କ୍ୟାରିୟର ଉପରେ ବଡ଼ ନିଷ୍ପତ୍ତି ନେବେ ବୋଲି ମଧ୍ୟ ନିଜର ସମର୍ଥକଙ୍କୁ କହିଛନ୍ତି।

Advertisment

ସେ କହିଛନ୍ତି, “ଅଜିତ ପାୱାର ଓ ପ୍ରଫୁଲ ପଟେଲ ମୋ ସହ ମନ୍ତ୍ରୀ ପଦ ନେଇ ଆଲୋଚନା କରିବେ ବୋଲି କହିଥିଲେ। କିନ୍ତୁ ସେମାନେ ଆଲୋଚନା ଆଦୌ କରି ନାହାନ୍ତି। ଅଜିତ ପାୱାର କିମ୍ବା ପ୍ରଫୁଲ ପଟେଲଙ୍କ ଅଫିସରୁ ମୋତେ କେହି ବି କଲ କରିନାହାନ୍ତି। ମୁଁ ସେମାନଙ୍କ ହାତର କଣ୍ଢେଇ ନୁହେଁ। ଯଦି ସେମାନଙ୍କ ପ୍ରସ୍ତାବ ଅନୁସାରେ ଇସ୍ତଫା ଦେଇ ରାଜ୍ୟସଭାକୁ ଚାଲିଯିବି, ତା’ହେଲେ ମୋ ନିର୍ବାଚନ ମଣ୍ଡଳୀର ଲୋକମାନେ କ’ଣ ଭାବିବେ?”

ଅଜିତ ପାୱାର ଓ ପ୍ରଫୁଲ ପଟେଲଙ୍କୁ ଟାର୍ଗେଟ କରି ଭୁଜବଳ ଆହୁରି କହିଛନ୍ତି, “ଛଗନ ଭୁଜବଳ ସେମିତି ଲୋକ ନୁହେଁ ଯେ ଯିଏ ଉଠ କହିଲେ ଉଠିବ ଓ ବସ କହିଲେ ବସିବ। ମୁଁ ସମସ୍ତ କର୍ମୀଙ୍କ ସହ କଥା ହେବି ଓ ପରବର୍ତ୍ତୀ ପଦକ୍ଷେପ ନେବି। ଗଣତନ୍ତ୍ରରେ ସମସ୍ତଙ୍କର ନିଜର ମତ ରଖିବାର ଅଧିକାର ରହିଛି।

ମୋତେ କିଏ ମନ୍ତ୍ରୀ ପଦ ଦେବାକୁ ମନା କଲା, ସେକଥା ଜାଣିବାକୁ ଚାହୁଁଛି। ପ୍ରତିଟି ଦଳର ମୁଖିଆ ମନ୍ତ୍ରୀ ପଦ କାହାକୁ ମିଳିବ ତା’ର ନିଷ୍ପତ୍ତି ନେଇଛନ୍ତି। ଦେବେନ୍ଦ୍ର ଫଡନାଭିସ ବିଜେପିର ନିଷ୍ପତ୍ତି ନେଇଥିବା ବେଳେ ଏକନାଥ ସିନ୍ଦେ ଶିବସେନାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆଗ ଗ୍ରୁପର ନିଷ୍ପତ୍ତି ଅଜିତ ପାୱାର ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଫଡନାଭିସ ମୁଁ କ୍ୟାବିନେଟରେ ରୁହେ ବୋଲି ଚାହୁଁଥିଲେ। ମୁଁ ମଧ୍ୟ ନିଜ ତରଫରୁ ଏହାକୁ ନିଶ୍ଚିତ କରିଥିଲି। ଲୋକସଭାରେ ମୁଁ ମୋ ନାଁ ଘୋଷଣା କରି ନଥିଲି। ଏହାପରେ ମୋ ପାଖକୁ ରାଜ୍ୟସଭା ସିଟର ପ୍ରସ୍ତାବ ଆସିଥିଲା। ଏହାକୁ ମଧ୍ୟ ମୁଁ ଗ୍ରହଣ କରିଥିଲି। କିନ୍ତୁ ମୋତେ ଟିକେଟ ଦିଆଯାଇ ନଥିଲା।

ଦଳର ବିଧାୟକ ମକରନ୍ଦ ପାଟିଲଙ୍କ ଭାଇ ନୀତୀନ ପାଟିଲଙ୍କୁ ପ୍ରାର୍ଥୀ କରାଯାଇଥିଲା। ମୁଁ ଏଠାରେ ୪୦ ବର୍ଷ ହେଲା ରହିଛି। ସେତେବେଳେ ରାଜ୍ୟରେ ମୋର ଆବଶ୍ୟକ ରହିଥିବା ଦଳ କହିଥିଲା। ମୋତେ ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ କୁହାଯାଇଥିଲା ଓ ମୁଁ ଲଢ଼ିଥିଲି। ମୁଁ ବିଜୟୀ ବି ହୋଇଛି।

ଏବେ ଦଳ ପକ୍ଷରୁ ମୋତେ ରାଜ୍ୟସଭା ସିଟ ଅଫର କରାଯାଉଛି। ମକରନ୍ଦ ପାଟିଲ କ୍ୟାବିନେଟରେ ସାମିଲ ହୋଇଥିବାରୁ ତାଙ୍କ ଭାଇ ନୀତୀନ ପାଟିଲଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ କୁହାଯିବ। ହେଲେ ମୁଁ ବିଧାୟକ ପଦରୁ ଇସ୍ତଫା ଦେଲେ ଏହା ୟେଭାଲାବାସୀଙ୍କ ପାଇଁ ଧୋକା ସଦୃଶ ହେବ।

ମୁଁ ବିଧାନସଭା ନିର୍ବାଚନ ଲଢ଼ିଥିଲି ଓ ଜିତିଛି। ମୋ କର୍ମୀମାନେ ବିଜୟ ପାଇଁ ସେମାନଙ୍କ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ମୁଁ ଇସ୍ତଫା ଦେଇ ସେମାନଙ୍କୁ କ’ଣ କହିବି? ତେଣୁ ଏବେ ମୁଁ ବିଧାୟକ ପଦରୁ ଇସ୍ତଫା ଦେବି ନାହିଁ। ଯଦି ମୁଁ ରାଜ୍ୟସଭା ଯିବାକୁ ଚାହିଁବି, ତା’ହେଲେ ମୁଁ ବିଧାନସଭାରୁ ଇସ୍ତଫା ଦେବି।

ମୁଁ ଏହି ପଦ ୨ ବର୍ଷ ପରେ ଛାଡ଼ିବି ବୋଲି ସେମାନଙ୍କୁ କହି ସାରିଛି। ଏହି ସମୟସୀମା ମଧ୍ୟରେ ନିର୍ବାଚନ ମଣ୍ଡଳୀରେ ଥିବା ସବୁ ସମସ୍ୟାର ସମାଧାନ କରିବି। ଏହାପରେ ସେମାନେ ଆଲୋଚନା ପାଇଁ କହିଥିଲେ। 

କିନ୍ତୁ ସେମାନେ ମୋ ସହ କୌଣସି ପ୍ରକାରର ଆଲୋଚନା କରି ନାହାନ୍ତି। ସମସ୍ତେ ମନ୍ତ୍ରୀ ପଦ ଚାହାନ୍ତି। ଏଠାରେ ପ୍ରସଙ୍ଗ ମନ୍ତ୍ରୀ ପଦର ନୁହେଁ। କିନ୍ତୁ ମୋତେ ଯେଉଁ ଭଳି ଭାବେ ଅଣଦେଖା କରାଯାଇଛି, ତାହା ହିଁ ମୁଖ୍ୟ ପ୍ରସଙ୍ଗ।”

NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe