CP
ଉପ ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ଆଜି ଅନୁଷ୍ଠିତ ଉପ ରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ସିକ୍ରେଟ ବାଲଟରେ ହୋଇଥିବା ଭୋଟିଂରେ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଖଣ୍ଡ ଭୋଟ ମିଳିଛି। ସେହିପରି ଜଷ୍ଟିସ ରେଡ୍ଡୀ ୩୦୦ ଖଣ୍ଡ ଭୋଟ ପାଇଛନ୍ତି। ୧୫ ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିବା ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ମହାସଚିବ ପିସି ମୋଦି ଘୋଷଣା କରିଛନ୍ତି।
ସିପି ରାଧାକ୍ରିଷ୍ଣନ ବିଜୟ ହୋଇଥିବାରୁ ସେ ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ। ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦିନ ୧୦ଟାରୁ ଭୋଟିଂ ଆରମ୍ଭ ହୋଇଥିଲା। ପ୍ରଥମ ଭୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିଲେ। ଏହାପରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ପାଇଁ ଭୋଟିଂ କରିଥିଲେ। ଉପ ରାଷ୍ଟ୍ରପତି ନିର୍ବାଚନରେ ୯୮% ଭୋଟିଂ ହୋଇଥିଲା।
ଉଭୟ ଗୃହର ସାଂସଦଙ୍କ ସଂଖ୍ୟା ୭୮୮ ରହିଥିବା ବେଳେ ଏବେ ୭ଟି ଆସନ ଖାଲି ପଡ଼ିଛି। ୭୮୧ ବୈଧ ଭୋଟ ମଧ୍ୟରୁ ୧୩ ଜଣ ସାଂସଦ ଭୋଟ ଦେଇ ନଥିଲେ। ବିଆରଏସ୍ର ୪ ଜଣ, ବିଜେଡିର ୭ ଜଣ, ଅକାଳୀ ଦଳ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଉପ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ନାହାନ୍ତି। ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିଲେ। ଏହା ମଧ୍ୟରୁ ୭୫୨ ବୈଧ ଓ ୧୫ଟିକୁ ନାକଚ କରାଯାଇଥିଲା।
ବିଜେପି ନେତୃତ୍ୱାଧୀନ ଏନଡିଏର ୪୨୭ ଜଣ ସାଂସଦ ଭୋଟ ଦେଇଛନ୍ତି। ସେହିପରି ବରୋଧୀ ମେଣ୍ଟର ସମସ୍ତ ୩୧୫ ଜଣ ସାଂସଦ ଭୋଟ ଦେଇଥିବା କଂଗ୍ରେସ ନେତା ଜୟ ରାମ ରମେଶ କହିଥିଲେ। ହେଲେ ବିରୋଧୀ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରଥମ ପସନ୍ଦର ଉପ ରାଷ୍ଟ୍ରପତି ଭାବେ ୩୦୦ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ୧୫ ଖଣ୍ଡ ଭୋଟ ମିଳିନାହିଁ। ଯେଉଁ ୧୫ ଖଣ୍ଡ ଭୋଟ ନାକଚ ହୋଇଛି, ସମ୍ଭବତଃ ତାହା ବିରୋଧୀ ସାଂସଦଙ୍କର ବୋଲି କୁହାଯାଉଛି।
ପୂର୍ବ ଗଣତି ହିସାବରେ ଏନଡିଏ ପ୍ରାର୍ଥୀ ଅଧିକ ଭୋଟ ପାଇଛନ୍ତି। ଏନଡିଏ ପାଖରେ ୪୨୭ ଜଣ ସାଂସଦ ଉଭୟ ସଦନରେ ଥିବା ବେଳେ ଏହା ଠାରୁ ଅଧିକ ସମର୍ଥନ ପାଇଛନ୍ତି ସିପି ରାଧାକ୍ରିଷ୍ଣନ।
ଅର୍ଥାତ ଆନ୍ଧ୍ର ପ୍ରଦେଶର ୱାଇଏସ୍ଆର କଂଗ୍ରେସର କିଛି ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ରାଜ୍ୟସଭାରେ ଦଳର ୭ ଜଣ ଓ ଲୋକସଭାରେ ୪ ଜଣ ସଦସ୍ୟ ରହିଛନ୍ତି। ସେମାନେ ସମସ୍ତେ ସମ୍ଭବତଃ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିଛନ୍ତି।
ସେହିପରି ରାଜ୍ୟସଭାରେ ଥିବା ଆପ୍ର ବିଦ୍ରୋହୀ ସାଂସଦ ସ୍ୱାତୀ ମାଲିୱାଲ ମଙ୍ଗଳବାର ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କୁହାଯାଉଛି। ଲୋକସଭାରେ ଥିବା ୭ ସ୍ୱାଧୀନ ସାଂସଦଙ୍କ ମଧ୍ୟରୁ ଜଣେ ଭୋଟିଂରୁ ଦୂରେଇ ରହିଥିଲେ।
ବାକି ୬ ଜଣଙ୍କ ଭୂମିକା ଉପରେ ସମସ୍ତ ନଜର ରହିଥିଲା। ସେମାନେ ମଧ୍ୟ ଏନଡିଏକୁ ସମର୍ଥନ ଦେଇଛନ୍ତି। ଜେଡପିଏମ(ମିଜୋରାମ)ର ମଧ୍ୟ ଜଣେ ସାଂସଦ ବି ସିପି ରାଧାକ୍ରିଷ୍ଣନଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି। ଏଥିଯୋଗୁ ସିପି ରାଧାକ୍ରିଷ୍ଣ ମୋଟ ୪୫୨ ଖଣ୍ଡ ଭୋଟ ପାଇଛନ୍ତି। ତେବେ ଏହା ୩ ବର୍ଷ ତଳେ ଧନଖଡ଼ ହାସଲ କରିଥିବା ୫୨୮ଟି ଭୋଟରୁ କମ।
ସିପି ରାଧାକ୍ରିଷ୍ଣନ କିଏ?
ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ବା ସି.ପି ରାଧାକ୍ରିଷ୍ଣନ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମ ହୋଇଥିଲେ। ୧୬ ବର୍ଷ ବୟସରୁ ସେ ଆରଏସ୍ଏସ୍ ଓ ଜନସଂଘ ସହ ଜଡ଼ିତ ହୋଇଥିଲେ। ତାଙ୍କର ଦୀର୍ଘ ରାଜନୀତିକ କ୍ୟାରିୟରରେ ସେ ଅନେକ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି।
୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ସଭାପତି ଭାବେ କାର୍ଯ୍ୟ କରିଥିଲେ ସି.ପି ରାଧାକ୍ରିଷ୍ଣନ। ତା’ପୂର୍ବରୁ ୧୯୯୮ ଓ ୧୯୯୯ରେ ସେ ଦୁଇ ଥର ତାମିଲନାଡୁର କୋଏମ୍ବାଟୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
୨୦୨୪ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସି.ପି ରାଧାକ୍ରିଷ୍ଣନ। ତା’ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୨୩ ଫେବ୍ରୁଆରୀ ୧୮ରୁ ୨୦୨୪ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ରହିଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ସେ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ସେହିଭଳି ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ପୁଡୁଚେରୀର ଉପ-ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ।
ତାମିଲନାଡୁ ବିଜେପିର ସଭାପତି ଥିବା ବେଳେ ସି.ପି ରାଧାକ୍ରିଷ୍ଣନ ଏକ ୯୩ ଦିନିଆ ରଥ ଯାତ୍ରା କରିଥିଲେ। ଏଥିରେ ନଦୀ ସଂଯୋଗୀକରଣ, ଆତଙ୍କବାଦର ନିପାତ ଓ ଜାତିପ୍ରଥାକୁ ସଂପୂର୍ଣ୍ଣ ଲୋପ କରିବା ଉପରେ ଗୁରୁତ୍ୱ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CP_1757426689.jpg)