ଇସ୍ତାହାର ଜାରି କଲା ଏନଡିଏ
ବିହାର ବିଧାନସଭା ନିର୍ବାଚନ(Bihar Election) ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ(Nda) ପକ୍ଷରୁ ଆଜି ‘ସଂକଳ୍ପ ପତ୍ର’ ବା ଇସ୍ତାହାର ଜାରି କରାଯାଇଛି। ବିହାର ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏହି ‘ସଂକଳ୍ପ ପତ୍ର’ରେ ଅନେକ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଏନଡିଏ ପୁଣି ରାଜ୍ୟରେ କ୍ଷମତା ଦଖଲ କଳେ ବିପୁଳ ସଂଖ୍ୟାରେ ନିଯୁକ୍ତି ଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ଓ ବିଭିନ୍ନ କ୍ଷେତ୍ରରେ କଲ୍ୟାଣମୂଳକ ଯୋଜନା ଲାଗୁ କରିବ ବୋଲି କହିଛି।
ପାଟନା ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମେଣ୍ଟରେ ଥିବା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାର ଜିତନ ରାମ ମାଞ୍ଝୀ, ଏଲଜେପି(ରାମ ବିଳାଶ)ର ମୁଖ୍ୟ ଚିରାଗ ପାଶୱାନ ଓ ଆରଏମର ଉପେନ୍ଦ୍ର କୁଶୱା ପ୍ରମୁଖ ମିଳିତ ଭାବେ ଏନଡିଏର ନିର୍ବାଚନୀ ଇସ୍ତହାର ଜାରି କରିଛନ୍ତି।
୧ କୋଟି ଚାକିରି ଓ ଦକ୍ଷତା ବିକାଶ
ଏନଡିଏ ତା’ର ‘ସଂକଳ୍ପ ପତ୍ର’ରେ ପ୍ରତିଶ୍ରୁତି ଦେଇଛି ଯେ ମେଣ୍ଟ ସରକାର ଗଠନ କଲେ ରାଜ୍ୟରେ ୧ କୋଟି ଚାକିରି ଓ ବିପୁଳ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଏପରି ସୁଯୋଗ ମିଳିବ। ବଡ଼ଧରଣର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିହାରର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳିବ।
ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏ ମେଗା ଦକ୍ଷତା କେନ୍ଦ୍ର ଖୋଲା ଯିବା ସହ ରାଜ୍ୟବ୍ୟାପୀ ଦକ୍ଷତା ଗଣନା କରାଯାଇ ଯୁବଗୋଷ୍ଠୀଙ୍କୁ ଆବଶ୍ୟକ ତାଲିମ ଦିଆଯିବ।
ବିହାରକୁ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ହବ ଭାବେ ଗଠନ କରି ଭାରତ ଓ ବିଦେଶକୁ ପିଲାଙ୍କୁ ପଠାଯିବ ବୋଲି ଇସ୍ତହାରରେ ପ୍ରତିଶ୍ରୁତି ଦିଆଯାଇଛି।
ମହିଳା ସଶକ୍ତୀକରଣ: ଲକ୍ଷପତି ଦିଦି ଓ ମିଶନ କୋଟିପତି
ଏନଡିଏ ଇସ୍ତାହାରରେ ମହିଳା ସକ୍ତୀକରଣ ଉପରେ ଅଧିକ ଫୋକସ କରାଯାଇଛି। ଏଥିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅନୁସାରେ ମହିଳାମାନଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ୧ କୋଟି ଲକ୍ଷ ପତି ଦିଦି ତିଆରି କରିବା କିମ୍ବା ବର୍ଷକକୁ ମହିଳାମାନେ କେମିତି ୧ ଲକ୍ଷ ଟଙ୍କାରୁ ଅଧିକ ଆୟ କରିବେ, ତା’ ହେଉଛି ଏନଡିଏର ଲକ୍ଷ୍ୟ।
କ୍ଷମତାକୁ ଆସିବା ପରେ ଏନଡିଏ ପକ୍ଷରୁ ମିଶନ କୋଟିପତି ଲଞ୍ଚ କରାଯିବ। ଏହାଦ୍ୱାରା ସଫଳ ମହିଳା ଉଦ୍ୟୋଗୀଙ୍କୁ ସେମାନଙ୍କ ବ୍ୟବସାୟକୁ ସଂପ୍ରସାରଣ ପାଇଁ ସହାୟତା ଯୋଗାଇ ଦିଆଯିବ।
ଅତ୍ୟନ୍ତ ପଛୁଆ ବର୍ଗଙ୍କ ସଶକ୍ତୀକରଣ
ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ବିହାରର ଅତ୍ୟନ୍ତ ପଛୁଆ ବର୍ଗର ଲୋକଙ୍କୁ ଆର୍ଥିକ ଓ ସମାଜିକ ସହାୟତା ଯୋଗାଇ ଦିଆଯିବ। ପଛୁଆ ବର୍ଗର ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ। ଏହି ବର୍ଗରେ ଥିବା ଲୋକଙ୍କ ସାମାଜିକ ସ୍ଥିତର ଆକଳନ କରିବା ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ। ପଛୁଆ ବର୍ଗର ସଶକ୍ତୀକରଣ ପାଇଁ ଆବଶ୍ୟକ ତଥା ଯୁକ୍ତିଯୁକ୍ତ ଯୋଜନା ସମ୍ପର୍କରେ କମିଟି ପ୍ରସ୍ତାବ ଦେବ।
ଚାଷୀଙ୍କ କଲ୍ୟାଣ: କର୍ପୁରୀ ଠାକୁର କିଷାନ ସମ୍ମାନ ନିଧି
ଚାଷୀଙ୍କ ପାଇଁ ଏନଡିଏ ପକ୍ଷରୁ କର୍ପୁରୀ ଠାକୁର କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରାଯିବ। ଏହି ଯୋଜନା ଅଧୀନରେ ଚାଷୀଙ୍କୁ ପ୍ରତି ଫସଲ ଋତୁରେ ୩ ହଜାର ଟଙ୍କା ଅର୍ଥାତ ବର୍ଷକୁ ୯ ହଜାର ଟଙ୍କା ଦିଆଯିବ। ଧାନ, ଗହମ, ଡାଲି ଜାତୀୟ ଦ୍ରବ୍ୟ ଓ ମକା ଭଳି ପ୍ରମୁଖ ଫସଲ ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏ ସଂଗ୍ରହ କେନ୍ଦ୍ର ଖୋଲାଯିବ। ଚାଷୀମାନେ ଧାର୍ଯ୍ୟ ଏମଏସ୍ପି ବଳରେ ନିଜର ଅମଳକୁ ଏଠାରେ ଦେବେ।
ଅତିରିକ୍ତ ଭାବେ ବିହାର କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟିର ନିବେଶ କରାଯିବ। ଜଳ ସେଚନ, ୱେୟାର ହାଉସ ଓ ଖାଦ୍ୟ ସରଳୀକରଣ ଆଦିର ପ୍ରତିଶ୍ରୁତି ଏନଡିଏ ଦେଇଛି।
ବିହାର ଦୁଗ୍ଧ ଓ ମତ୍ସ୍ୟ ମିଶନ
ଗ୍ରାମୀଣ ଅର୍ଥନୀତିକୁ ବଳ ଦେବା ପାଇଁ ଏନଡିଏ ପକ୍ଷରୁ ବିହାର ଦୁଗ୍ଧ ମିଶନ ଘୋଷଣା କରାଯାଇଛି। ଦୁଗ୍ଧ ଜାତୀୟ କ୍ଷେତ୍ରର ବିକାଶ ପାଇଁ ପ୍ରତିଟି ବ୍ଲକରେ ଚିଲିଂ ଓ ପ୍ରୋସେସିଂ ସେଣ୍ଟର ଏହି ଯୋଜନା ଅଧୀନରେ ଖୋଲାଯିବ। ନୂଆ କ୍ଲଷ୍ଟର ଓ ଶୀତଳ ଭଣ୍ଡାର ବ୍ୟବସ୍ଥା ଦ୍ୱାରା ମତ୍ସ୍ୟ ଚାଷର ବିକାଶ କରାଯିବ। ଚାଷୀ ଓ ମତ୍ସ୍ୟଜୀବୀମାନେ ଯେମିତି ଅଧିକ ମାର୍କେଟ ଓ ଆୟ ପାଇଁ ସୁଯୋଗ ପାଇବେ, ତା’ର ବ୍ୟବସ୍ଥା ଏନଡିଏ କ୍ଷମତାକୁ ଆସିଲେ କରିବ।
ଏକ୍ସପ୍ରେସ ୱେ, ରେଳ ଓ ମେଟ୍ରୋ ସଂପ୍ରସାରଣ
ବିହାରର ଯୋଗାଯୋଗ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଇସ୍ତାହାରରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତ ଗତି ଶକ୍ତି ମାଷ୍ଟର ପ୍ଲାନରେ ୭ଟି ନୂଆ ଏକ୍ସପ୍ରେସ ୱେ ଓ ୩,୬୦୦ କିମି ରେଳ ଲାଇନର ବିକାଶ କରିବାକୁ ଏନଡିଏ ଯୋଜନା କରିଛି। ୪ଟି ନୂଆ ସହରରେ ମେଟ୍ରୋ ସେବା ଆରମ୍ଭ କରାଯିବ। ଅମୃତ ଭାରତ ଏକ୍ସପ୍ରେସ ଓ ନମୋ ରାପିଡ ରେଳ ସେବା ରାଜ୍ୟରେ ସଂପ୍ରସାରଣ ହେବ।
ଶିଳ୍ପର ଅଭିବୃଦ୍ଧି ଓ ଉତ୍ପାଦନ
ପ୍ରତିଟି ଜିଲ୍ଲାରେ କାରଖାନା ପ୍ରତିଷ୍ଠା କରି ଏନଡିଏ ପକ୍ଷରୁ ବିହାରର ଅର୍ଥନୀତିକୁ ବଳ ଦିଆଯିବ। ରାଜ୍ୟରେ ୧୦ଟି ନୂଆ ଶିଳ୍ପାଞ୍ଚଳ ପାର୍କ ମଧ୍ୟ ଏନଡିଏ କ୍ଷମତାକୁ ଆସିଲେ କରିବ। ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ ରହିବ। ଏହା ଶିଳ୍ପାଞ୍ଚଳକୁ ପ୍ରୋତ୍ସାହିତ କରିବ ଓ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଶିକ୍ଷା: ମାଗଣା ଓ ଉତ୍ତମ ସ୍କୁଲ
ବିହାର ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଗରିବ ପରିବାରର ପିଲାଙ୍କ ପାଇଁ କେଜି ଠାରୁ ପିଜି ଯାଏ ମାଗଣାରେ ଭଲ ଶିକ୍ଷା ସୁବିଧା ଯୋଗାଇ ଦିଆଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି। ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ଦକ୍ଷ ଲ୍ୟାବ ରହିବ ଓ ପିଲାମାନଙ୍କୁ ପୃଷ୍ଟିକର ବ୍ରେକଫାଷ୍ଟ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ବିହାରର ଶୈକ୍ଷିକ ଗୁଣବତ୍ତାକୁ ବୃଦ୍ଧି କରାଯିବ ବୋଲି ଏନଡିଏ କହିଛି।
ଗରିବଙ୍କ ପାଇଁ ପଞ୍ଚାମୃତ ଗ୍ୟାରେଣ୍ଟୀ
ବିହାରର ଗରିବ ଲୋକଙ୍କ ପାଇଁ ଏନଡିଏ ତା’ର ପଞ୍ଚାମୃତ ଗ୍ୟାରେଣ୍ଟୀରେ ୫ ବଡ଼ କଲ୍ୟାଣ ମୂଳକ ଯୋଜନାର ପ୍ରତିଶ୍ରୁତି ଦେଇଛି। ଗରିବ ଲୋକଙ୍କୁ ମାଗଣା ରାସନ, ୧୨୫ ୟୁନିଟ ଯାଏ ମାଗଣା ବିଜୁଳି, ୫ ଲକ୍ଷ ଯାଏ ମାଗଣା ସ୍ୱାସ୍ଥ୍ୟ ସେବା, ୫୦ ଲକ୍ଷ ପକ୍କା ଘର ନିର୍ମାଣ ଓ ଯୋଗ୍ୟ ପରିବାରକୁ ସାମାଜିକ ସୁରକ୍ଷା ପେନସନ ଯୋଜନା ଯୋଗାଇ ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/31/nda-2025-10-31-12-01-32.jpg)